Unknown

 

 

 

 

 

 

 

 

 

ସ୍ୱପ୍ନ ନା ସତ୍ୟ

କାହ୍ନୁ ଚରଣ

 

ଧ୍ୱଂସର ଡାକ ଭାସି ଆସେ ଦଶ ଦିଶୁ

ରଣଭେରୀ ତୋର ସେ ଭୀମ ଶବଦେ ମିଶୁ

ମରଣ ତୋହର ମୁକ୍ତି ହେ ବୀର ଶିଶୁ

ତିନିକାଳତୋର ଜୀବନର ଅନୁଯାୟୀ,

ପଥ କାହିଁ, ପଥ କାହିଁ ?

କାଳିନ୍ଦୀ ଚରଣ

Image

 

ରାଜା ପ୍ରପଞ୍ଚ ସିଂହ

 

ବହୁ ବର୍ଷ ତଳର କଥା ।

 

ଅନ୍ଧାରୀ ମୁଲକର କିଟି କିଟି ଅନ୍ଧାର ଭିତରେ କେତେ ଭୂତ-ପ୍ରେତ, କେତେ ଡାଆଣୀ-ଚିରିଗୁଣୀ ଚରି ବୁଲୁଥିଲେ । ସବୁଦିନେ ଉଆଁସ ଅନ୍ଧାର । ବାହାର ମୁଲକରୁ ଦୀପ ଧରି କେହି ଗଲେ ଭୂତପ୍ରେତଙ୍କର ଖର ନିଶ୍ୱାସରେ ଆଲୁଅ ଲିଭିଯାଏ । ଯିବା ଲୋକ ଅନ୍ଧାରକଣା ଓ ଜଳକା ହୋଇ ଅନ୍ଧାର ଭିତରେ ଅଣ୍ତାଳି ହୋଇପଡ଼େ ଭୂତ ମୁହଁରେ । ପ୍ରାଣ ଘେନି ପଳାଇ ଆସିବାକୁ ତର ସହେ ନାହିଁ । ଲୋକଙ୍କର ଏପରି ଅଭ୍ୟାସ ହୋଇଥିଲା ଯେ ଆଲୁଅ ଦେଖିଲେ ତାଙ୍କ ଆଖି ଝଲସି ଉଠେ, ଆପେ ଆପେ ବନ୍ଦ ହୁଏ ।

 

କ’ଣ କରିବେ, ତାଙ୍କର କି ଚାରା ? ଯେଉଁମାନେ ତାଙ୍କର ରକ୍ତ ପିଉଥିଲେ ତାଙ୍କ ନାଁ ପଡ଼ିଲେ ସେମାନେ ହାତେ ଡରି ପାତାଳରେ ପଶନ୍ତି । ପ୍ରତିକାର କରିବ କିଏ ?

 

ସେହି ଅନ୍ଧରୀ ମୁଲକରେ ଏକ ଅଜଣା କୋଣରେ ସୁରଙ୍ଗ ବୋଲି ଗୋଟିଏ ରାଜ୍ୟ ଥିଲା । ଏ ପାଖେ ମନ୍ଦାକିନି, ସେ ପାଖେ ସୁରଧୁନୀ ନଦୀ ସେ ରାଜ୍ୟରେ ପ୍ରବାହିତ ହେଉଥିଲେ । ରାଜ୍ୟଟି ବଡ଼ ନୁହେଁ କିନ୍ତୁ ଉର୍ବର । ଆଖପାଖ କେତେ ଖଣ୍ତ ରାଜ୍ୟ ତୁଳନାରେ ଏହାର ଆୟ ଅଧିକ-। ରାଜା ମଧ୍ୟ ପ୍ରତାପୀ ।

 

ରାଜ୍ୟଟିର ପ୍ରାକୃତିକ ଦୃଶ୍ୟ ଅତି ମନୋରମ ।

 

ଯେ ମଣିଷକୁ କୁଟା କାଠିପରି ନିର୍ଜୀବ ମନେକରନ୍ତି, ପ୍ରଜାଙ୍କର ସମ୍ପତ୍ତିକୁ ନିଜର ପିତୃଅର୍ଜିତ ସମ୍ପତ୍ତି ବୋଲି ଗ୍ରହଣ କରନ୍ତି, ପ୍ରଜାଙ୍କର ପିଲାକୁଟୁମ୍ୱଙ୍କୁ ନିଜ ପରିବାରଭୁକ୍ତ କରିବାକୁ ପଛାନ୍ତି ନାହିଁ, ପ୍ରଜାଙ୍କର ଅମୂଲ୍ୟ ଜୀବନକୁ କପାମଞ୍ଜି ପରି ମଣନ୍ତି, ତାହାକୁ କହନ୍ତି ଅନ୍ଧାରି ମୁଲକର ଆଦର୍ଶ ରାଜା !

 

ଜଣେ ଲୋକର ଉଚ୍ଚାଶା ପାଇଁ, ଗୋଟିଏ କୁଟୁମ୍ୱର ବିଳାସ ପାଇଁ; ତୁଚ୍ଛ ସ୍ୱାର୍ଥ ପାଇଁ, ଯେଉଁ ମୁଲକର ଲୋକେ ପାଗଳ ହୋଇ ଆର ମୁଲକର ଲୋକଙ୍କର ଯେତିକି ତଣ୍ଟି କାଟି ପାରନ୍ତି, ସେମାନେ ସେତିକି ବୀର !

 

ସୁରଙ୍ଗ ରାଜ୍ୟର ରାଜା ଏହି ହିସାବରେ ପ୍ରତାପୀ ।

ସେ ଦେଶର ଲୋକେ ବୀର !

 

ଲୋକଙ୍କୁ ବୀର ବୋଲି କିଏ କହିବ କାହିଁକି ? ନିଜ ଧନ୍ଦା, ଘର ଧନ୍ଦାରେ ବେଳ କଟେ-। ତା’ ଉପରେ ପୁଣି ରଜା ଘର ବେଠି; ଅମଲା ଫୈଲାଙ୍କଠାରୁ ଆରମ୍ଭ କରି ପିଆଦା ଦରଉଆନ ଯାଏ ସମସ୍ତଙ୍କ ଖିଜମତ୍‌ ଜଗି ରଖି ଚଳିବାକୁ ହୁଏ । ଦିନ-ରାତି ବାଘ ଭାଲୁଙ୍କ ସଙ୍ଗେ ଯୁଦ୍ଧକରି ତଇଲା କାଟି ଜମି କରନ୍ତି । ଖିଆପିଆ ଭୁଲି ମାଟି କାଦୁଅରେ ଲୋଟି ଯେଉଁ ଗଣ୍ତାକ ଉତ୍ପାଦନ କରନ୍ତି, ସିପେଇ ଫଉଜଙ୍କ ଦୟାରୁ ସେତକ ସୁରୁଖରୁରେ ଭୋଗ କରିବା ସହଜ ହୁଏ ନାହିଁ ।

 

ରାଜାଙ୍କ ପାଳିତ ପୋଷା କୁକୁରଗୁଡ଼ିକ ଅତି ପ୍ରଭୁଭକ୍ତ । ଆଙ୍ଗୁଠି ଦେଖାଇଲେ ବାହା ଗିଳିବାକୁ ଚମକି ଯାଆନ୍ତି ।

 

ମହାପ୍ରତାପୀ ସୁରଙ୍ଗାଧୀଶ୍ୱର ସୂର୍ଯ୍ୟବଂଶର ଦାୟାଦ ।

ଯେଉଁ ବଂଶରେ ମହାବୀର ଶ୍ରୀରାମଚନ୍ଦ୍ର ଜନ୍ମ ହୋଇଥିଲେ, ସେହି ବଂଶରେ ଶ୍ରୀ ପ୍ରପଞ୍ଚ ସିଂହ ଦେଓଙ୍କର ଜନ୍ମ । ପ୍ରପଞ୍ଚ ସିଂହଙ୍କୁ ଛାଡ଼ି ପିତା ମହାମାନ୍ୟ ୰ଅକାରଣ ସିଂହଙ୍କର ଆହୁରି ତିନି ପୁଅ । ଘଡ଼ି ନକ୍ଷତ୍ର ଦେଖି ସଭା ପଣ୍ତିତମାନେ ଯାହା ନାମ ଦେଇଥାନ୍ତୁ ପଛେ, ସ୍ୱଭାବ ଓ ଚରିତ୍ର ଦେଖି ଲୋକ ମୁଖରେ ସେମାନଙ୍କର ଭିନ୍ନ ନାମ ଥିଲା । ଲୋକେ ସେମାନଙ୍କର ନାମ ଦେଇଥିଲେ ପ୍ରପଞ୍ଚ, ଉଦ୍ଧତ, ସର୍ବନାଶ ଓ ଉଚ୍ଛନ୍ନ ।

 

ଏହି ଚାରି ପୁତ୍ର ପାଟରାଣୀ ଶ୍ରୀମତୀ ଅଭିଲା ଦେବୀଙ୍କ ଗର୍ଭରୁ ଜାତ ଦଶରଥଙ୍କର ମାତ୍ର ଚାରି ରାଣୀ ଥିଲେ, କିନ୍ତୁ ଅକାରଣଙ୍କର ଶ୍ରୀମତୀ ଅଭିଲା ଦେବୀଙ୍କୁ ଛାଡ଼ି ଆହୁରି ଅନେକ ରାଣୀ ଥିଲେ ।

 

ମହାରାଜ ଅକାରଣ ସିଂହ ଜୀବନରେ ବହୁ ବିବାହ କରିଥିଲେ । ହିନ୍ଦୁ ଜାତିର ଆଠ ପ୍ରକାର ବିବାହ ମଧ୍ୟରୁ କୌଣସିଟି ଛଡ଼ା ଯାଇ ନ ଥିଲା । ତେବେ ଗାନ୍ଧର୍ବ ଓ ପୈଶାଚ ବିବାହର ସଂଖ୍ୟା ଅଧିକ ।

 

ପିତୃସତ୍ୟ ପାଳନ କରିବାକୁ ଶ୍ରୀରାମଚନ୍ଦ୍ର ବନ ଗମନ କରିଥିଲେ । ଅକାରଣ ସିଂହଙ୍କର ସେପରି କିଛି ସତ୍ୟ ନ ଥିଲା ।

 

ପିତୃଭକ୍ତ ପ୍ରପଞ୍ଚ ଦେଖିଲେ ଯେ, ପିତା ଦିନକୁ ଦିନ ବୃଦ୍ଧ ହେବା ପରିବର୍ତ୍ତରେ ଯୁବକ ହେବାକୁ ବସିଛନ୍ତି ଏବଂ ଏହିପରି ଆହୁରି କିଛିଦିନ ଗଲେ ତାଙ୍କୁ ପିତାଙ୍କର ସ୍ଥାନ ଅଧିକାର କରିବାକୁ ପଡ଼ିବ । ସେ ପିତାଙ୍କର ଆଶୁ ସ୍ୱର୍ଗାରୋହଣର ପଥ ସୁଗମ କରିବାକୁ ଚେଷ୍ଟା କଲେ । ବହୁ ଚେଷ୍ଟା ବିଫଳ ହେଲା, କିନ୍ତୁ ପତ୍ନୀ ଶ୍ରୀମତୀ କୁଟିଳା ଦେବୀଙ୍କର ପରାମର୍ଶ ଗ୍ରହଣ କରି ସେ କୃତକାର୍ଯ୍ୟ ହୋଇଥିଲେ ।

Image

 

ସତୀଦାହ

 

ପିତାଙ୍କର ସ୍ୱର୍ଗାରୋହଣ ପରେ ପ୍ରପଞ୍ଚ ସିଂହାସନାରୋହଣ କଲେ । ସେ ଦେଖିଲେ, ରାଣୀହଂସପୁରରେ ଅନେକ ରାଣୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଯୁବତୀ । ଯଦି ସେମାନଙ୍କର ସତୀ ଯିବାର ସୁବ୍ୟବସ୍ଥା ନ କରନ୍ତି, ତାହାହେଲେ ଅଦୂର ଭବିଷ୍ୟତରେ ତାଙ୍କୁ ହଇରାଣରେ ପଡ଼ିବାକୁ ହେବ । ପ୍ରଥମରେ ନିଜ ରାଣୀମାନଙ୍କ ରହିଁବାପାଇଁ ସ୍ଥାନର ଅଭାବ ହେବ, ଦ୍ୱିତୀୟରେ.....ଛାଡ଼ ।

 

ବହୁ ବର୍ଷ ହେଲା ବିବାହ କରିଥିଲେ ମଧ୍ୟ ପ୍ରପଞ୍ଚଙ୍କର କୋଳକୁ ସନ୍ତାନ ଆସି ନ ଥିଲା । ସେଥିପାଇଁ କୁଟିଳା ଦେବୀ ଚିନ୍ତିତ, କିନ୍ତୁ ପ୍ରପଞ୍ଚ ସେ ବିଷୟରେ କେବେ ଭାବିତ ନୁହନ୍ତି । ସେ ଶିଖିଛନ୍ତି ବୀର ଭୋଗ୍ୟା ବସୁନ୍ଧରା । ସେ ବୀର । ବସୁନ୍ଧରା ଓ ନାରୀକୁ କବିମାନେ ସମାନ ବୋଲି କହନ୍ତି । ପୁତ୍ର ହୋଇ ସେ ଯାହା କଲେ, ତାଙ୍କର ପୁତ୍ର ହେଲେ ଦିନେ ସେ ତାହା କରିବ । ଅଭିଲା ଦେବୀ ଆଗରୁ ସ୍ୱର୍ଗାରୋହଣ କରିଥିଲେ । ପ୍ରପଞ୍ଚଙ୍କ ପକ୍ଷରେ ଏହା ସୁବର୍ଣ୍ଣ ସୁଯୋଗ ! ପିତାଙ୍କ ମୃତ୍ୟୁର ଅଳ୍ପଦିନ ପରେ ସେ ପ୍ରଚାର କଲେ ଯେ, ରାଣୀମାନଙ୍କୁ ସତୀଦାହ କରିବାକୁ ହେବ ।

 

ସତୀଦାହର ଦିନ ସ୍ଥିର ହେଲା । ଗଡ଼ ପରିଖା ବାହାରେ କାଠ ଜମାହେଲା । ଆଦେଶମତେ ଘିଅ, ଚନ୍ଦନ କାଠ ସଂଗ୍ରହ କରି ପ୍ରଜାମାନେ ଗଡରେ ଉପସ୍ଥିତ ହେଲେ । ଅନ୍ୟାନ୍ୟ ସବୁ ପ୍ରକାର ଆୟୋଜନ ହେଲା ।

 

ସତୀଦାହ ହେବାର ଦୁଇଦିନ ପୂର୍ବରୁ ଦେଖାଗଲା, ରାଣୀହଂସପୁର ଶୂନ୍ୟ ହୋଇଛି । ରାଣୀମାନେ ସ୍ୱଦେହରେ ସ୍ୱର୍ଗାରୋହଣ କରିଛନ୍ତି ! ଯେଉଁ ପାଞ୍ଚ ସାତ ଜଣ ବୁଢ଼ୀ ରାଣୀ ଥିଲେ କେବଳ ସେହିମାନଙ୍କୁ ଛାଡ଼ିଦେଲେ ବାକି ସମସ୍ତେ ପଳାୟନ କରିଛନ୍ତି ।

 

ଭାତୃଭକ୍ତ ଉଦ୍ଧତ ଓ ସର୍ବନାଶ ସିଂହ ରାଜ୍ୟ ଭିତରେ ସୁରଧୁନୀ କୂଳକୁ ପାରିଧି କରିବାକୁ ଯାଇଥିଲେ । ସେ ଦିହେଁ ଓ ଉଚ୍ଛନ୍ନ ବିବାହ କରି ନ ଥିଲେ । ପିତା ଜୀବିତ ଥିବା ଅବସ୍ଥାରେ ସେମାନଙ୍କ ବିବାହର ବ୍ୟବସ୍ଥା କରିପାରି ନ ଥିଲେ । ଅନେକ ସ୍ଥାନର ସମ୍ୱନ୍ଧ ପକା ହୋଇଥିଲା, କିନ୍ତୁ ଲୋକ ମୁଖରୁ ସେମାନଙ୍କର ସ୍ୱଭାବ ଚରିତ୍ରର ସମ୍ୱାଦ ପାଇ କୋଳର କନ୍ୟାକୁ ଅଥଳ ଜଳରେ ବୁଡ଼ାଇ ଦେବାକୁ କୋଣସି ପିତା ଆଗେଇ ଆସିଲେ ନାହିଁ । ରାଜପୁତ୍ରମାନଙ୍କର ସେଥିକି ଭାବନା ନାହିଁ । ରାଜା ପ୍ରପଞ୍ଚ ସେମାନଙ୍କୁ ଡରନ୍ତି ଅବା ସ୍ନେହ କରନ୍ତି । ରାଜ୍ୟରେ ସେମାନେ ଯାହା କଲେ ମଧ୍ୟ ସେ କିଛି କହନ୍ତି ନାହିଁ ।

 

ଗଡ଼ରେ ଏତେବଡ଼ ଶୁଭକାର୍ଯ୍ୟ ଅନୁଷ୍ଠିତ ହେବ, ସେମାନେ ଯୋଗ ନ ଦେବେ କିପରି-? ଗଡ଼କୁ ଫେରି ଆସୁଥିବାବେଳେ ବାଟରେ ଦୁଇଜଣ ସ୍ତ୍ରୀଙ୍କ ସଙ୍ଗେ ଅକସ୍ମାତ ଦେଖାହେଲା-। ଉଦ୍ଧତ ଅନୁମାନ କରି ସର୍ବନାଶଙ୍କୁ ଚୁପ୍‌ ଚୁପ୍‌ କରି କ’ଣ କହିଲେ । ସର୍ବନାଶ ଦେଖୁ ଦେଖୁ ଚିହ୍ନିଛନ୍ତି-। ଯାହାହେଉ, ରାଣୀ ଦୁଇଜଣ ସ୍ୱର୍ଗକୁ ସ୍ୱଦେହରେ ଯିବାକୁ ପ୍ରସ୍ତାବ କରି ପ୍ରାସାଦ ଛାଡ଼ି ପଳାଇ ଆସିଥିଲେ ସିନା, ପାରିଲେ ନାହିଁ । ଅପରିପକ୍ୱ ବୟସ୍କା ଗ୍ରାମ୍ୟ ବାଳିକା ଦିଓଟିଙ୍କୁ ଏତେ ଧର୍ମ ସଞ୍ଚୟ କରିବାର ସୁଯୋଗ ମିଳି ନ ଥିଲା ! ବାଧ୍ୟ ହୋଇ ସେମାନେ ପୁଅଙ୍କ ସଙ୍ଗେ ଗଡ଼କୁ ଫେରିଲେ ।

 

ଅକାରଣଙ୍କ ନାମରେ ବୁଢ଼ୀ ରାଣୀମାନଙ୍କୁ ନିଆଁରେ ପକାହେଲା । ତାଙ୍କର ଦାରୁଣ କଷ୍ଟ ଦେଖିବାକୁ ରାଜ୍ୟଲୋକ ରୁଣ୍ଡ ହୋଇଥିଲେ । ରଜାଙ୍କର ଆଦେଶ, କାହାର ଏତେ ସାହସ ଅଛି ଆଜ୍ଞା ଅମାନ୍ୟ କରି ଚାଲିଯିବ ? ଚାରିଆଡ଼େ ପୁଣି ସିପେଇ ପହରା ।

 

କଟୁଆଳ ଶ୍ରୀଯୁକ୍ତ ବେହିଆ ଓ ମନ୍ତ୍ରୀ ଶ୍ରୀଯୁକ୍ତ ଫିସାଦ, ଯେଉଁମାନଙ୍କ ନାମରେ ଗର୍ଭିଣୀ ଗାଈ ବାଟ ଛାଡ଼େ, ସେମାନେ ଅଣ୍ଟାରେ ଖଣ୍ଡା ଝୁଲାଇ ଏପାଖ ସେପାଖ ଟହଲ ମାରୁଛନ୍ତି । ଆଖି ଲାଲ କରି ଏଣେତେଣେ ଚାହୁଁଛନ୍ତି । ଲୋକେ ମେଣ୍ଡା ଛେଳି ପରି ଜଳ ଜଳ କରି ଏ ଭୟଙ୍କର ଦୃଶ୍ୟକୁ ଅନାଇ ରହିଥାନ୍ତି । ହରିବୋଲ ହୁଳିହୁଳିରେ ସ୍ଥାନ ମୁଖରିତ ହେଉଥାଏ ।

 

ଦାହ କାର୍ଯ୍ୟ ଶେଷ ହେଲା ।

ମନ୍ତ୍ରୀ, କଟୁଆଳ ଓ ଭାଇମାନଙ୍କ ଗହଣରେ ରାଜା ଗଡ଼କୁ ଫେରିଲେ । ଲୋକେ ମନଦୁଃଖରେ ଯେ ଯାହାର ଗ୍ରାମକୁ ବାହୁଡ଼ିଲେ । ରାଜାଙ୍କ ପ୍ରତି ସେମାନଙ୍କର ପୂର୍ବରୁ ଯେଉଁ ଘୃଣା ଥିଲା, ତାହା କ୍ରୋଧରେ ପରିଣତ ହେଲା ।

Image

 

ନିଦ୍ରାଭଙ୍ଗ

 

ବିଦ୍ରୋହ ବିଶ୍ୱାଳେ ବାହାସ୍ଫୋଟ ମାରି ନିଶରେ ହାତ ପକାଇ, ଉତ୍ତେଜିତ ହୋଇ ତାଙ୍କର ଗାଁ ଲୋକଙ୍କୁ କହିଲେ, ଆଉ ଏ ଅତ୍ୟାଚାର କେତେଦିନ ସହିବାରେ ଭାଇ ! ତମ ଦେହରେ କି ରକ୍ତ ନାହିଁ ?

 

ଛୋକାର ଛୋଟରାୟ ରାଜାଙ୍କ ଉଦ୍ଦେଶ୍ୟରେ ଦୋ-ଅକ୍ଷରି ଶ୍ଲୋକ ପାଠ କରି କହିଲେ, ବିଶ୍ୱାଳେ, ଏଗୁଡ଼ାକ ପରା ଛେଳିଛୁଆ, ହାଣକୁ ଯିବାକୁ ସବୁବେଳେ ତିଆର ।

 

ଯୋ ହୁକୁମ୍‌, ବାରିକ ହାତଯୋଡ଼ି ପଛକୁ ଘୁଞ୍ଚି କହିଲା, ଆଜ୍ଞା ସାନ୍ତେ, ଯାହା କହିବା ହେଲେ ଷୋଳ ଅଣା ଠିକ୍‌ ।

 

ହୁଣ୍ଡା ଜେନା ଠେଙ୍ଗାକୁ ତଳେ ପିଟି କହିଲା, କ’ଣ କରିବାକୁ କହୁଚ ବିଶ୍ୱାଳ ସାନ୍ତେ ? ଏକା ଠେଙ୍ଗାକେ ସାବାଡ଼ କରିବି ।

 

ବିଦ୍ରାହ ବିଶ୍ୱାଳ ତରବର କରି କିଛି କହିପାରିଲେ ନାହିଁ ।

ଥୋବରା ଥଟାରି ହସି ହସି କହିଲା, ଆରେ ଆମର କି ଗରଜ ମ, ଆମେ ତ ଭଲରେ ଥାଇଁ !

 

ବିଶ୍ୱାଳେ ହସିଲେ । କହିଲେ, ଆରେ ପିଲାଏ, ଆଉ କେତେଦିନ ଆଖି ବୁଜି ରହିଥିବରେ ? ଅନ୍ଧାରି ମୁଲକର ଅନ୍ଧାର ଭିତରେ କେତେଯୁଗ ଆଉ ଶୋଇ ରହିଥିବ ? ଏଥର ନିଦ ଭାଙ୍ଗ, ଉଠ, ଜାଗ । ଆଲୁଅ ଜାଳ । ଅନ୍ଧାର ଘୁଞ୍ଚାଅ, ନୋହିଲେ ବିଫଳ ହୋଇ ଚିରଦିନ ପାଇଁ ଆଖି ବୁଜିଦିଅ ।

Image

 

ମନ୍ତ୍ରୀ ଫିସାଦ

 

ପ୍ରଜାବତ୍ସଳ ଶ୍ରୀରାମଚନ୍ଦ୍ର ପ୍ରଜାପୁଞ୍ଜକୁ ସନ୍ତୁଷ୍ଟ କରିବାପାଇଁ ନିଷ୍କଳଙ୍କ ନିର୍ଦ୍ଧୋଷ ବୋଲି ଜାଣି ସୁଦ୍ଧା ପ୍ରିୟତମା ପତ୍ନୀ ବୈଦେହୀଙ୍କୁ ନିର୍ବାସିତ କରିଥିଲେ । ସେ ଯୁଗରେ ଲୋକଙ୍କର ଧାରଣା ଥିଲା ଯେ ରାଜା ପ୍ରଜାର ରକ୍ଷକ । ରାଜାର ଜୀବନ ପ୍ରଜାର ମଙ୍ଗଳପାଇଁ । ରାଜାର ଧନ ପ୍ରଜାର ରକ୍ତ । ଯେଉଁ ରାଜା ପ୍ରଜାର ଧନକୁ ନିଜସ୍ୱ ବୋଲି ଗ୍ରହଣ କରେ, ସେ ଆଦର୍ଶ ରାଜା ନୁହେଁ । ତା’ର ସ୍ଥାନ ମୃତ୍ୟୂ ପରେ ନର୍କରେ ।

 

ମହାରାଜା ପ୍ରପଞ୍ଚ ସିଂହଙ୍କର ଧାରଣା ଭିନ୍ନ ପ୍ରକାର । ମନ୍ତ୍ରୀ ଫିସାଦ ତାଙ୍କୁ ଆରମ୍ଭରୁ ବୁଝାଇ ଆସୁଛନ୍ତି ଯେ, ପୂର୍ବଜନ୍ମର କଠୋର ତପସ୍ୟା ଫଳରେ ମନୁଷ୍ୟ ରାଜପୁତ୍ର ହୋଇ ଜନ୍ମ ହୁଏ-। ଦୁଃଖ ପରେ ସୁଖ, ସୁଖ ପରେ ଦୁଃଖ ଆସେ ।

 

ସୁଖ ଲାଭ କରିବାକୁ ଇଚ୍ଛା ଥିଲେ, ପ୍ରଥମେ ସ୍ୱାର୍ଥକୁ ଖୋଜିବାକୁ ହେବ । ସ୍ୱାର୍ଥ ଆଗରେ ପ୍ରଜାଙ୍କ ଦୁଃଖ ତ ଦୂରର କଥା, ଏପରିକି ଦରକାର ପଡ଼ିଲେ ଆତ୍ମୀୟ ସ୍ୱଜନଙ୍କର ମୁଣ୍ଡ ଛିଣ୍ଡାଇବାକୁ ପଛାଇବ ନାହିଁ । ତାହାହେଲେ, କର୍ତ୍ତବ୍ୟହାନି ହେବ । ବିଶ୍ୱଟା ଯେପରି ବିଷ୍ଣୁଙ୍କର ଖେଳଘର, ରାଜ୍ୟଟି ସେହିପରି ରାଜାର ଖେଳଘର । ରାଜା ଯେ ଚଳନ୍ତି ବିଷ୍ଣୁ । ସୃଷ୍ଟି, ସ୍ଥିତ, ପ୍ରଳୟ ଯେପରି ବିଷ୍ଣୁଙ୍କର ଲୀଳା, ସେହିପରି ରାଜାର ମଧ୍ୟ ଲୀଳା ହେବା ଦରକାର । ରଜାକୁ ନିତ୍ୟ ନୂତନ ସୃଷ୍ଟି କରିବାକୁ ହେବ । ସୃଷ୍ଟିର ମୂଳମନ୍ତ୍ର ଶ୍ରୀକୃଷ୍ଣଙ୍କ ଚରିତ୍ରରୁ ଶିକ୍ଷା କରିବାକୁ ହେବ । ସ୍ଥିତି କଥା ସେତେ କାମିକା ନୁହେଁ । ପ୍ରଳୟ ତ ସବୁଠୁଁ ସହଜ । ଆଦେଶ ଦେଲେ ଘଡ଼ିକୁ ନିଅଣ୍ଟ ।

 

ମନ୍ତ୍ରୀବର ଶ୍ରୀଯୁକ୍ତ ଫିସାଦ, ରାଜା ପ୍ରପଞ୍ଚଙ୍କର ଅତି ବିଶ୍ୱାସୀ । ଶ୍ରୀମୁଖରୁ ଯେଉଁ ବଚନ ବାହାରେ, ଫିସାଦ ସେତକ କାର୍ଯ୍ୟରେ ପରିଣତ କରିବାକୁ ମୁହୂର୍ତ୍ତେ ବିଳମ୍ୱ କରନ୍ତି ନାହିଁ ।

Image

 

ବିଦ୍ରୋହ ବିଶ୍ୱାଳ

 

ମନ୍ଦାକିନୀ ନଦୀ କୂଳରେ ଗୋଟିଏ ଛୋଟ ପାହାଡ଼ ତଳେ ଅବସ୍ଥିତ ଯାତନା ଗ୍ରାମ । ଏ ପାଖେ ପାହାଡ଼ ଏ ପାଖେ ନଦୀ, ମଝିରେ ଗ୍ରାମ । ଅନ୍ଧାରୀ ମୁଲକର ଗ୍ରାମମାନଙ୍କ ତୁଳନାରେ ଏହି ଗ୍ରାମଟି ବଡ଼ । ମଝି ଦାଣ୍ଡର ଦୁଇ ପାଖରେ ଲଗାଲଗି ହୋଇ ଦୁଇଧାଡ଼ି ଖଡ଼ ଘର । ପ୍ରାୟ ସବୁ ଜାତିର ଲୋକେ ବସବାସ କରନ୍ତି । ପଶ୍ଚିମ ପାଖେ ଅରଣ୍ୟ ଆଡ଼କୁ ଶଅର, ଗଣ୍ଡା ଓ କେଇ ଘର କୁକୁରିଆଙ୍କର କୁଡ଼ିଆ ।

 

ଗାଁର ପୂର୍ବ ଭାଗରେ ପଡ଼ାକୁ ଛାଡ଼ି ବିଦ୍ରୋହ ବିଶ୍ୱାଳଙ୍କ ଘର । ଗାଁ ରାସ୍ତା ବଙ୍କେଇ ହୋଇ ଶେଷକୁ ବିଶ୍ୱାଳଙ୍କ ବଗିଚାର ଅନ୍ଧାର ଫାଟକ ଆଗରେ ଛିଣ୍ଡିଛି । ବଗିଚାର କ୍ଷେତ୍ରଫଳ ପ୍ରାୟ ବାର ବାଟି ହେବ । ଚାରି ପାଖରେ ଇଟା ପାଚେରୀ, ସାତ ହାତ ଉଚ୍ଚ । ସଦର ଫାଟକ ଫାଖରୁ କୋଡ଼ିଏ ହାତ ଛାଡ଼ି ବିଦ୍ରୋହ ବିଶ୍ୱାଳଙ୍କ କୋଠାଘର । ଘର ଓ ଫାଟକ ମଝିରେ ଥିବା ସ୍ଥାନଟିରେ ନାନା ଜାତିର ଫୁଲଗଛ ଧାଡ଼ି ଧାଡ଼ି ହୋଇ ଲଗା ହୋଇଅଛି । ଫାଟକର ବା ହାତି ଗହୀରା କୂଅ, ଆଗରେ ବାଉଁଶ ତେଣ୍ଡା ।

 

ପାଚେରୀର ଚାରିପାଖେ ଚରୋଟି ଫାଟକ । ସଦର ଫାଟକକୁ ଛାଡ଼ି ଦେଲେ ପୂର୍ବ, ଉତ୍ତର ଓ ଦକ୍ଷିଣ ଫାଟକଗୁଡ଼ିକ ଛୋଟ । ଉତ୍ତର ଫାଟକ ବାଟ ଦେଇ ଗୋଟିଏ ପକ୍‌କା ରାସ୍ତା ଜଙ୍ଗଲ ଭିତରେ ପଶି ପାହାଡ଼ କଡ଼େ କଡ଼େ ଯାଇ ସୁରଙ୍ଗଗଡ଼ ରାସ୍ତା ସଙ୍ଗେ ମିଶିଛି । ଦକ୍ଷିଣ ଫାଟକ ଖୋଲିଦେଲେ ନଦୀ କୂଳକୁ ଯିବାକୁ ବାଟ ଦେଖାଯାଏ । ଲୋକେ କହନ୍ତି, ଆଗେ ବିଶ୍ୱାଳ ଘରର ପିଲାକୁଟୁମ୍ୱ ଏହି ବାଟେ ସକାଳୁ ନଈକୁ ଗାଧୋଇ ଯାଉଥିଲେ । ବିଦ୍ରୋହଙ୍କ ଅଜା ବେଅକଲ ନଈ ଭିତରକୁ ଯିବାକୁ ପଥର ପାହାଚ କରାଇଥିଲେ । କାଳକ୍ରମେ ମନ୍ଦାକିନୀର ଅପାର କରୁଣାରୁ ତାହା ଲୋପ ପାଇଛି । ପାହାଚ ପରିବର୍ତ୍ତରେ ବର୍ତ୍ତମାନ ପାହାଡ଼ ପରି ଖଣ୍ଡି ଉପରୁ ଚାହିଁଲେ ମୁଣ୍ଡ ବୁଲାଇଦିଏ ।

 

ପାଣି ଦରଜା ବା ପଛ ଦରଜା ପାଖରୁ ଶଗଡ଼ ଯିବାପାଇଁ କଚ୍ଚା ରାସ୍ତା ପୂର୍ବ ଦରଜା ଯାଏ ପଡ଼ିଛି । ଏହି ଦରଜା ବାଟେ ତାଙ୍କର କୋଠିଆମାନେ ହଳ ଲଙ୍ଗଳ ନେଇ ବିଲକୁ ଯାତାୟାତ କରନ୍ତି । ଶଗଡରେ ଫସଲ ଲଦି ଘରକୁ ଆଣନ୍ତି । ତାଙ୍କ ବଗିଚାର ଗୋଟିଏ ପାଖରେ ଖଳା । ଖଳାକୁ ଲାଗି ଅମାର । ଅମାର ପଛକୁ ଦି ଧାଡ଼ି ଗୁହାଳ ଘର ।

 

ବାରବାଟି ଖାନବାଡ଼ି ଭିତରେ ଠାଏ ଠାଏ ବୁଦିବୁଦିକା ଜଙ୍ଗଲ । ଘର ପାଖରେ ପ୍ରକାଣ୍ଡ ପୋଖରୀ, ସୁଗଭୀର । ବେଶି ଲୋକଙ୍କର କାରବାର ନ ଥିବାରୁ ଜଳ ପରିଷ୍କାର । ପୋଖରୀ ଆଡ଼ିରେ ନାନା ଜାତି ବଣୁଆ ଗଛ । କେତେକ ସ୍ଥାନରେ ବେଅକଲ ବିଶ୍ୱାଳ ନଡ଼ିଆ ଗଛ ଲଗାଇ ଯାଇଛନ୍ତି । ଗଛଗୁଡିକ ଦି’ ପୁରୁଷ ଅଢ଼େଇ ପୁରୁଷ ହେଲାଣି, ତଥାପି ତାଙ୍କ ଦେହରେ ଜୀବନ ନାହିଁ-। ଅତି କଷ୍ଟରେ ଚଅଁର ଉଡ଼ାଇ ଗୋଟମା ଧରେ, କିନ୍ତୁ କେହି କେବେ ଅକାଳେ ସକାଳେ ମୁନ୍ଦାଏ ପଇଡ଼ ପାଣି ସୁଦ୍ଧା ପିଇ ନାହିଁ ।

 

ଖାନାବାଡ଼ିର ଅନତିଦୂରରେ ମୁଣ୍ଡିଆ ପାହାଡ଼ । ପାହାଡର ମୁଣ୍ଡ ଉପରେ ଚାରିଟି ଗୁରୁଡ଼ି ଆମ୍ୱଗଛ । ଖରାଦିନେ ବରଫଳ ପରି ପାଚି ଆମ୍ୱ ତଳେ ଗଦା ହୁଏ । ମୁଣ୍ଡିଆ ତଳେ ଛୋଟ ପଥର ଗୁହା ଭିତରେ ମଙ୍ଗଳା ଠାକୁରାଣୀ । ଦେହଯାକ ସିନ୍ଦୂର ଲେପା । ସେ ଗୋଟିଏ ଜାଗାରେ ତୁନି ହୋଇ ବସିଥାନ୍ତି । ସିନ୍ଦୂରର ପ୍ରଭାବରୁ ତାଙ୍କର ମୁହଁ, ଗୋଡ଼, ହାତ ଠଉରାଇବା କଷ୍ଟ । ତାଙ୍କର ବାହନ ମାଟିର ଏକ ପ୍ରକାର ଅଦ୍ଭୁତ ଜନ୍ତୁ । ଗୋଡ଼ହାତ ଭାଙ୍ଗି ମୁହଁ ମାଡ଼ି ଉପାଧିଆ ପଡ଼ିଥାନ୍ତି ।

 

ବିଶ୍ୱାଳଙ୍କର ବାରବାଟି ଖାନାବାଡ଼ି ଛାଡ଼ିଦେଲେ ଆହୁରି ପ୍ରାୟ ବାରବାଟି ଚାଷ ।

ଗାଲୁଆ ଗଣ୍ଡା, ବିଶ୍ୱାଳଙ୍କ ପ୍ରଧାନ କୋଠିଆ କହେ, ଏହାଛଡ଼ା ମହାରାଜାଙ୍କ କରୁଣାରୁ ତାଙ୍କ ବାପାଙ୍କୁ ବାରଖଣ୍ଡି ମଉଜାର ଗଉଁତି ମିଳିଥିଲା । ପ୍ରଭୁର ବଡ଼ତି ଗାଇ ବୁଲିବା ଗାଲୁଆର ପ୍ରକୃତି ।

 

ଘୋରତିଆ ଘାସି, ଅନ୍ୟତମ କୋଠିଆ କହେ, ଯାହା ବା ଗଉଁତି ଅଛି, ସେ ସବୁ ତାଙ୍କ ସାତପୁରୁଷୀ । ବିଦ୍ରୋହଙ୍କ ଅର୍ଜିତ କିଛି ନାହିଁ ।

 

କହୁଁ ବା ଆସିବ ? ଏଡ଼େ ବଡ଼ ଗଉତିଆ ହୋଇ ମଧ୍ୟ ଅବସ୍ଥା ସେପରି ଭଲ ନୁହେଁ । ତାଙ୍କର ଧାରଣା, ମା ପେଟରୁ ଆସିଲାବେଳେ କେହି କେବେ ବେକରେ ସମ୍ପତ୍ତି ବାନ୍ଧି ଆଣି ନ ଥାଏ, କି ଗଲାବେଳକୁ କାନିରେ ବାନ୍ଧି କିଛି କେହି ନେଇଯାଏ ନାହିଁ । ଏହି ବିଶାଳ ଦୁନିଆଁ ସେମିତି ଜଡ଼ ପରି ପଡ଼ି ରହିଥାଏ । କେତେଦିନ ରହିବ କେହି କହି ପାରିବ ନାହିଁ । ଆମେ ଆସି ଦୁଇ ଦିନପାଇଁ ମୋର ମୋର କହି ସମସ୍ତଙ୍କ ଅଜାଣତରେ କୁଆଡ଼େ ଖସି ଚାଲିଯାଉ । ଦୁଇ ଦିନପାଇଁ ଏତେ ହିଂସାବାଦ, ଏତେ ତୋର ମୋର କରି ବାଡ଼ିଆପିଟା ହୋଇ ଅଶାନ୍ତିରେ ବେଳକାଟିବା କାହିଁକି ? ଧନ ଅଛି ବୋଲି ପ୍ରତ୍ୟକ୍ଷରେ ହେଉ କି ପରୋକ୍ଷରେ ହେଉ, ଭାଇର ପ୍ରାଣ ନେଇ ତା ରକ୍ତରେ ହାତ ଧୋଇବା ? ଯେଉଁ ଦି’ ଦିନ ରହିବା, ଭାଇ ଭାଇ ମିଳି ଆନନ୍ଦରେ ହସିଖେଳି ବେଳ କାଟିବା । ପରର ଦୁଃଖରେ ଦୁଃଖୀ, ସୁଖରେ ସୁଖୀ ହୋଇ ଚାରିଆଡ଼କୁ ନିଘା ରଖି ଚଳିଲେ ମଣିଷ ଜନ୍ମ ସାର୍ଥକ ହୁଏ ।

 

ମଣିଷର ନିଜ କର୍ମ ଉପରେ ଅଧିକାର ଅଛି । ସେ ନିଜେ ପରିଶ୍ରମ କରି ଖାଇ ପିନ୍ଧି ମଉଜ କରୁ ସେଥିକି ବିଦ୍ରୋହଙ୍କର ଆପତ୍ତି ନାହିଁ; କିନ୍ତୁ ହାଡ଼ଭଙ୍ଗା ପରିଶ୍ରମ କରି, ପେଟରେ ଓଦା କନା ଦେଇ ଯେଉଁମାନେ ପୁଅ ନାତିଙ୍କ ପାଇଁ ସେହି ପରିଶ୍ରମକୁ ଧନ ସମ୍ପତ୍ତି ଆକାରରେ ସଞ୍ଚି ଯାନ୍ତି, ତାଙ୍କ ଉପରେ ବିଶ୍ୱାଳଙ୍କର ରାଗ । ସେ ବୁଝିଛନ୍ତି, ଭବିଷ୍ୟତରେ ଏହି ଗଛିତ ସମ୍ପତ୍ତିର ଫଳ ବିଷମୟ । ଯାହାଙ୍କ ପାଇଁ ସଞ୍ଚି ରଖା ହୁଏ, ସେମାନେ ପରିଶ୍ରମ ନ କରି ଅମଣିଷ ହୋଇ ପଥର ପାଲଟିଯାନ୍ତି । ଅଳସରେ ଦିନ କାଟନ୍ତି । ଧନ ସମ୍ପତ୍ତି ପ୍ରଭାବରେ ମଣିଷମାନେ ସେମାନଙ୍କ ଆଖିକୁ କୁଟାକାଠି ପରି ଦିଶନ୍ତି । ତେଣିକି ତାଙ୍କ ଉପରେ ଅତ୍ୟାଚାର କଲେ ପିଠିରେ ପଡ଼ିବାକୁ କିଏ ଅଛି-?

 

ଦୁଃଖୀ ରଙ୍କିଙ୍କ ପାଇଁ ବିଶ୍ୱାଳଙ୍କ ଭଣ୍ଡାର ସବୁବେଳେ ଖୋଲା । ଦାଣ୍ଡ ଦୁଆରକୁ କେହି ଭିକ ମାଗିବାକୁ ଆସିଲେ, ବିଶ୍ୱାଳେ ନିଜେ ଯାଇ ଦେଖନ୍ତି । ବିନା ବାକ୍ୟ ବ୍ୟୟରେ ଛୋଟା, କଣା, କୁଜା, ରୋଗୀ ଏମାନଙ୍କୁ ଭିକ ଦିଅନ୍ତି । ଏପରିକି, ତାଙ୍କର ବାରଖଣ୍ଡି ଗଉନ୍ତି ଭିତରେ ଯେତେ ଲୋକ ଅପାରାଗ, ସଭିଙ୍କୁ ସେ ପୋଷନ୍ତି ।

 

ବିଶ୍ୱାଳେ ଗଉନ୍ତିଆ, କିନ୍ତୁ ଗଉନ୍ତିଆ ପୁଅର କୌଣସି ଲକ୍ଷଣ ତାଙ୍କଠାରେ ନାହିଁ । ନିଜେ ଛ’ ହାତି କୋଚଟ ମଇଳା କରିଆ ଖଣ୍ଡେ ପିନ୍ଧି ମୂଲିଆଙ୍କ ସଙ୍ଗେ ମିଶି ମୂଲିଆ ପରି କାମ କରନ୍ତି । କାମ କରିବାକୁ ତାଙ୍କୁ ଭଲ ଲାଗେ । ସେ ଭାବନ୍ତି, କାମ ମଣିଷ ଜୀବନର ଅମୃତ । ମନରେ ଦୁଶ୍ଚିନ୍ତା ପୂରାଇ ଦିଏ ନାହିଁ । କାମିକା ଲୋକର ଦିନଗୁଡ଼ିକ ନିର୍ବିଘ୍ନରେ ସ୍ୱଚ୍ଛନ୍ଦରେ କଟିଯାଏ ।

 

ସଞ୍ଜହେଲେ ଯେତେବେଳେ ଗାଁ ଭାଗବତ ଟୁଙ୍ଗୀରେ ପାଞ୍ଚ ସାତ ବସି ପୁରାଣ ପଢ଼ନ୍ତି କି ଧର୍ମ ଆଲୋଚନା କରୁଥାନ୍ତି, ବିଶ୍ୱାଳେ ସେତେବେଳେ ଗୁହାଳ କାମରେ ବ୍ୟସ୍ତ ଥାନ୍ତି । ଗୁହାଳ କାମ ସରିଲେ, ଘର କାମରେ ବରାଦ କରି ଗାଁ ବୁଲି ବାହାରନ୍ତି । ୟା ଘରେ ଡାକ୍‌, ତା’ ଘରେ ଡାକ୍‌, କାହା ପୁଅ ନାକରୁ ପାଣି ବୋହୁଛି ତାକୁ ତୁଟୁକା ବତା, କାହା ଅଣ୍ଟାରେ ରକ୍‌କା ପଣିଛି ତାକୁ ପଦ ପଢ଼ି ଝାଡ଼ି ଦେ, ଏହିପରି ଗାଁସାରା ବୁଲି ଆସନ୍ତି ।

 

ବିଶ୍ୱାଳେ ଭାଗବତ ଟୁଙ୍ଗୀ ଆଗରେ ଯିବାକୁ ମନ କରନ୍ତି ନାହିଁ । ଧର୍ମୁ ବୁଢ଼ାଙ୍କ ହାବୁଡ଼େ ପଡ଼ିଲେ ସେ ଛାଡ଼ିଦେବେ ନାହିଁ । ଟାଣି ନେଇ ବସାଇବେ । କୌଣସି ପ୍ରତିବାଦ ଶୁଣିବେ ନାହିଁ । ଗାଁର ମୁଖିଆ ମୁଣ୍ଡ ବୁଢ଼ାମାନେ ଯେଉଁଠି ବସି ଗଞ୍ଜେଇ ଧୂଆଁ ଉଡ଼ାଇ ଧର୍ମ ଚର୍ଚ୍ଚା କରନ୍ତି, ସେଠାକୁ ଯିବାକୁ ବିଶ୍ୱାଳଙ୍କ ମନ ଡାକେ ନାହିଁ । କଅଣ ମିଳିବ ସେଥିରୁ ? କେଉଁ ରଜାପୁଅ ଭାଇ ମାଇପଙ୍କୁ ସେଙ୍ଗରେ ଧରି ମଣକୁ ଗଲା, ସମୁଦ୍ରରେ ବନ୍ଧ ବାନ୍ଧି ରାବଣକୁ ମାରି ସୀତାଙ୍କୁ ଉଦ୍ଧାର କଲା, ସେଥିରୁ ବିଦ୍ରୋହଙ୍କୁ ମିଳିବ କଅଣ ?

 

ଗୋଟାଏ ଟୋକାର ଫାନ୍ଦରେ କୁଆଡ଼େ ଷୋଳ ହଜାର ମାଇକିନିଆ ପଡ଼ି ପାଗଳ ହୋଇଥିଲେ । ସେ କୁଆଡ଼େ ହୁଣ୍ଡା ଜେନାର ପଣଅଜାଙ୍କ ଅଣଅଜାର ସାତ ପଣଅଜା ନନ୍ଦ ଜେନାର ପୁଅ । ମଞ୍ଚାରୁ ଠେଲି କଂସ ମାମୁଁଙ୍କୁ ମାରି ପକାଇଲା ।

 

କିରେ ବାପ, କିଏ କେବେ କେଉଁଠି କଅଣ କରିଥିଲା, ସେ ଖବର ଜାଣିବାକୁ ଆମେ କାହିଁକି ବାଡ଼ିଆ ପିଟା ହୋଇ ମୁଣ୍ଡ ଫଟାଇ ମରିବା ? ଆମ ଦୁଃଖସୁଖକୁ ହାରି ଗୁହାରି ନାହିଁ, ପର କଥା ଚର୍ଚ୍ଚା କଲେ ତ ପେଟ ପୂରେ ନାହିଁ ।

Image

 

ଧର୍ମୁ ବୁଢ଼ା

 

ଧର୍ମୁ ବୁଢ଼ା ଧରିନେଇ ବିଶ୍ୱାଳଙ୍କୁ ଟୁଙ୍ଗୀରେ ବସାଇଲେ ।

କହିଲେ, ଆରେ ବାପ, ଜୀବନର ଅଢ଼େଇପା ବଅସ ଆସି ଭୋଗ ହେଲା । ଏମିତି ଜଳକା ହୋଇ ବସି ତୋର ମୋର ହେଉଥିବା, ବାକି ଦେଢ଼ ପା ଭୋଗ ହୋଇ ଚାଲିଯିବ । ପର ପାଇଁ ଏ ଅନିତ୍ୟ ଦୁନିଆରେ ଖାଲି ମୋର ମୋର ହୋଇ ଦହଗଞ୍ଜରେ ଘାଣ୍ଟି ଚକଟି ହୋଇ ମରିବା କଥା ସିନା ! କିରେ, ପୋଥି ବୋଇଲା, ଘର ଘରଣୀ ଦେହ କିଳାଉଥିବେ, ଘଟ ଛୁଟିଲେ ତୋତେ ଭୂତ ବୋଲିବେରେ । ଏଇଥିରୁ ସବୁ ବୁଝିବୁ । ଏହି ଅଢ଼େଇଦିନିଆ ବସାଘର ଛାଡ଼ି ଯେତେବେଳେ ନିଜଘରକୁ ଯିବାକୁ ବାଟ ଧରିବୁ, ବାଟଖର୍ଚ୍ଚ ଆସିବ କେଉଁଠୁଁ । ଆଗରୁ ପୁଣ୍ୟ ସଞ୍ଚୟ-କରିଥିଲେ--?

 

ବିଶ୍ୱାଳ କହିଲେ, ଅଇଲାବେଳକୁ ଯେ ବାଟଖର୍ଚ୍ଚ ଦେଇଥିଲା, ସେହି ଦେବ । ଯଦି ନ ଦିଏ, ବାଟରେ ହଇରାଣିଆ ପଡ଼ିଲେ ସାଙ୍ଗେ ସାଙ୍ଗେ ଅର୍ଜି ନେବା । ବୁଝିଲ ନାଁ, ମୋତେ ସେ ସବୁ ଗତ କଥା କି ଆଗତ କଥା ଭାବିବାକୁ ତର ନ ଥାଏ ।

 

କହୁଥା କେତେ କହୁଛ । ବେଳ ଆସି ନାହିଁ, ଆଉ ବର୍ଷ ଦଶଟା ଦମ୍ଭ ଧରି ଟିକିଏ ଦମ୍‌ ମାରିଗଲେ ବଳେ ମୋ କଥାର ମର୍ମ ବୁଝିପାରିବ ଯେ !

 

ଦମ୍‌ ? ବିଦ୍ରୋହ ବିଶ୍ୱାଳର କୋଷ୍ଠୀରେ ନାହିଁ । ସେ ଯଦି ତମରିମାନଙ୍କ ପରି ଆଗତ ଚଢ଼େଇକୁ ବେସର ବାଟି ବସୁଥାନ୍ତା, ତେବେ କେଜାଣି..... । ଦେଶରେ ଏତେ ଅନ୍ୟାୟ ଅତ୍ୟାଚାରର ଗୋଟାଏ ପ୍ରତିକାର ନ କରିବା ଯାଏ ମୋର ଦମ୍‌ ନେବାକୁ ବେଳ ନାହିଁ । ଆଜିଯାଏ ତ କୃଷ୍ଣ କୃଷ୍ଣ, ରାମ ରାମ ହୋଇ ତମର ମୂଲ୍ୟବାନ ସମୟ କଟାଇଛ । ଯେତେବେଳେ ପିଠିରେ ରଜାଘର ବେତବାଡ଼ି ଗର୍ଜିଯାଏ, ସେତେବେଳେ କେଉଁ କୃଷ୍ଣ ଆସି ତମ ପିଠିରେ ପଡ଼େ ? ଆରେ, ତମେଗୁଡ଼ାକ ଛେଳି, ନିରୋଳାରେ ବସି ମ୍ୟାଁ ମ୍ୟାଁ ହେବା ଲୋକ । କିନ୍ତୁ ବିଶ୍ୱାଳ, ତା ପାଇଁ ଏ ଭାଗବତ ଟୁଙ୍ଗୀରେ ସ୍ଥାନ ନାହିଁ, ଥାନ ରଜାଘର ଜେଲରେ ।

 

ବିଶ୍ୱାଳେ ଉଠିଗଲେ ।

ଧର୍ମାତ୍ମା ପୁରୁଷ ଧର୍ମୁବୁଢ଼ା ପାଖ ଲୋକଙ୍କୁ ବୁଝାଇ କହିଲେ, ସ୍ୱର୍ଗର ଇନ୍ଦ୍ର, ମର୍ତ୍ତ୍ୟରେ ରାଜା । ମାରିବେ ସେହି, ତାରିବେ ସେହି । ରାଜା ଚଳନ୍ତି ବିଷ୍ଣୁ । କେତେ ଜନ୍ମର ତପସ୍ୟା ଫଳରେ ମଣିଷ ରାଜବଂଶରେ ଜନ୍ମ ଲଭେ । ସଞ୍ଚିତ କର୍ମଫଳକୁ ଭୋଗ କରେ । ରାଜଦ୍ରୋହଠାରୁ ବଳି ଅପରାଧ ନାହିଁରେ ପିଲାଏ, ରାଜଦ୍ରୋହ ମହାପାପ !

 

ଲୋକେ ନୀରବରେ ସମ୍ମତି ଜଣାଇଲେ, ବିଶ୍ୱାଳଙ୍କୁ ଦଇବ ଛାଡ଼ିଲାଣି । ଯେତେ ବୁଝାଇ କହିଲେ ସେ ଶୁଣୁ ନାହାନ୍ତି । ରାଜାଙ୍କର କୋପଦୃଷ୍ଟି ପଡ଼ିଲାଣି ତାଙ୍କ ଉପରେ । ଏଥର ସେ ସରିଲେ । ଭଲ କଥାରେ କାନ ଦେଉ ନାହାନ୍ତି । ବଳେ ତାର ପରଭାବ ପାଇବେ । ଅନୁତାପ କରିବେ । ସେତେବେଳକୁ ନେଡ଼ିଗୁଡ଼ ଯାଇ କହୁଣିରେ ଉଠିଥିବ । ଆମର କି ଥାଏ ହୋ, ଏଥର ଭାଗବତ ଶୁଣ ।

ଧର୍ମୁ ପୋଥିକୁ ଚାହିଁଲେ ।

Image

 

କରୁଣା ଦେବୀ

 

ଦେହଟି ସେତେ ଦୁର୍ବଳ ନୁହେଁ । ଅଳ୍ପ ବୟସରୁ ଗୁଡ଼ିଏ ପିଲାଙ୍କର ମା ହୋଇ ପିଲାଦିନର ସେ ସବଳ ସୁସ୍ଥ ଅବସ୍ଥା ଅବଶ୍ୟ ଆଉ ନାହିଁ । କାଳୀ କହିଲେ ଲୋକେ ହସି ଉଡ଼ାଇଦେବେ, କିନ୍ତୁ ସେ ଗୋରୀ ନୁହଁନ୍ତି । ସୁନ୍ଦରୀ କି କୁତ୍ସିତା ଏ ବିଷୟ ସ୍ଥିର କରିବା ସହଜ ନୁହେଁ-। ସୌନ୍ଦର୍ଯ୍ୟ ମନର ବିକାର । ଜଣକ ଆଖିକି ଯାହା ସୁନ୍ଦର ଦିଶେ, ଅନ୍ୟ ଆଖିକି ତାହା ଅସୁନ୍ଦର ଦିଶିପାରେ । କରୁଣା ଦେବୀଙ୍କର ଗଠନରେ ସେପରି ବିଶେଷତ୍ୱ ନ ଥିଲା । ଉଜ୍ଜ୍ୱଳ ଆଖି ଦିଓଟି ଭାବପ୍ରବଣ, ସତେ କି ସ୍ୱର୍ଗୀୟ ଦୀପ୍ତି ଫୁଟି ଉଠୁଛି ।

ଛତିଶ ବର୍ଷ ବୟସ । ଜୀବନର ଏହି ଅଳ୍ପ କାଳ ମଧ୍ୟରେ ସେ ଛଅଟି ସନ୍ତାନଙ୍କର ମୁହଁ ଦେଖିଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ଏତେଗୁଡ଼ିଏ ପୁତ୍ରକନ୍ୟାଙ୍କର ମା ବୋଲି ଗର୍ବ କରି ମୁଣ୍ତ ଟେକି ଠିଆ ହେବାର ସାହସ ତାଙ୍କର ନ ଥିଲା । ବିଧାତାର ଅଭିଶାପରୁ ଶକ୍ତି ଓ ଶାନ୍ତି ଦୁଇଟି ଝିଅଙ୍କୁ ଛାଡ଼ି ଅନ୍ୟମାନେ ଯେପରି ଆସିଥିଲ, ସେହିପରି ବାହୁଡ଼ି ଯାଇଥିଲେ ।

ବେଳେ ବଳେ କରୁଣା ଦେବୀଙ୍କ ଆଖି ଆଗରେ ଅତୀତର ସେହି ପୁଅଝିଅଙ୍କର କଅଁଳ ସୁନ୍ଦର ମୁହଁଟିମାନ କେଉଁ ଅଜଣା ଶୂନ୍ୟ ଦେଶରୁ ଭାସି ଆସି ଦେଖା ଦିଅନ୍ତି । ତାଙ୍କର ପ୍ରାଣରେ ଦୁଃଖର ପ୍ରବଳ ତୋଫାନ ଉଠେ । ଆଖିରୁ ଲୁହ ଝରିପଡ଼େ । ମନ କହେ, ବିଧାତା, କିଏ ତୋତେ ଆକୁଳ ହୋଇ ମାଗୁଥିଲା ଭଲ ? ଦୁଇ ଦିନର ମମତା ଲଗାଇ ଡହଳ ବିକଳ କରିବାକୁ କୋଡରେ ଦେଇ ପୁଣି ଓଟାରି ନେଉ କାହିଁକି ?

ଶକ୍ତି ଓ ଶାନ୍ତିକୁ ଛାଡ଼ି କରୁଣା ଦେବୀଙ୍କର ଆହୁରି ଗୋଟିଏ ବନ୍ଧନ ଥିଲା ଅଜୟ । କିନ୍ତୁ ଅଜୟ କିଏ ଏ ବିଷୟ ନେଇ ଅନେକ ଲୋକ ଅନେକ କଥା କହନ୍ତି । କେହି କହେ ବିଶ୍ୱାଳଙ୍କ ପୋଷ୍ୟପୁତ୍ର, କେହି ବା କହେ ଗୋଟାଏ ଭିକାରୀ ଟୋକା । ସୁରଙ୍ଗ ଗଡରେ ଭିକ ମାଗି ବୁଲୁଥିଲା, ଶରଧା ପାଇ ବିଶ୍ୱାଳେ ଘରେ ରଖିଛନ୍ତି ।

ଶକ୍ତି, ଶାନ୍ତ ଓ ଅଜୟକୁ ଏକାଠି ଦେଖି କେହି କେବେ ବିଶ୍ୱାସ କରିବ ନାହିଁ ଯେ ସେମାନେ ଭିନ୍ନ ଗଛର ଫୁଲ । ଗୋଟିଏ ବୃନ୍ତରେ ତିନୋଟି ଫୁଲ ପରି ବିଶ୍ୱାଳଙ୍କ ଗୃହୋଦ୍ୟାନର ଶୋଭା ବଢ଼ାଉଥିଲେ । ସବୁ ଓଜର ଆପତ୍ତି, ସବୁ ଅଳି ଅଲିଅଳ କରୁଣା ଦେବୀଙ୍କ ପାଖରେ ।

ତିନୋଟି ପିଲାଙ୍କର ନେଞ୍ଜରାରେ କରୁଣା ଦେବୀଙ୍କର ସମୟ କଟିଯାଏ । ଶକ୍ତି ଓ ଶାନ୍ତିଙ୍କ ଶିକ୍ଷା ଓ ଶାସନ ଭାର କରୁଶା ଦେବୀଙ୍କ ଉପରେ । କିପରି ସେମାନଙ୍କୁ ଘରଧନ୍ଦା ଶିଖାଇ ଭବିଷ୍ୟତରେ ଉପଯୁକ୍ତ ଘରଣୀ କରିପାରିବେ ସେଥିକି ସେ ଦାୟୀ ।

ଅଜୟର ଶିକ୍ଷାପାଇଁ ଦାୟୀ ନିଜେ ବିଶ୍ୱାଳେ । କେଜାଣି କାହିଁକି ବିଶ୍ୱାଳେ ସ୍ୱାଧୀନ ଭାବରେ ଅଜୟକୁ ଶିକ୍ଷା ଦେବାକୁ ଟିକିଏ ପଛଘୁଞ୍ଚା ଦିଅନ୍ତି, ଯେପରିକି ସେ ତାଙ୍କର ବିବେକ ବିରୁଦ୍ଧରେ କାର୍ଯ୍ୟ କରୁଛନ୍ତି ।

ପାଠକୁ ବିଶ୍ୱାଳେ ଘୃଣା କରନ୍ତି । ତାଙ୍କର ଧାରଣା, ପାଠ ପଢ଼ିଲେ ମଣିଷ ପଶୁ ହୁଏ । ହାତ ଗୋଡ଼ ଥାଉଣୁ ନିର୍ବୋଧ ପରି ବହିକୁ ଅନାଇ ବସିବ କାହିଁକି ? ଲଙ୍ଗଳକଣ୍ଟୀ ଧରିଲେ ଦି ମାଣ ବିଲର ପଡ଼ିଆ ଦୋଷ ଭାଙ୍ଗିବ । ତଥାପି ବିଶ୍ୱାଳେ ଅଜୟକୁ ପାଠ ପଢ଼ାଇଥିଲେ ।

Image

 

ଅଜୟ

 

ଏକୁଟିଆ ପାହାଡ଼ ଉପର ଆମ୍ୱଗଛ ତଳେ କି ପୋଖରୀ ସେପାଖ ପଳାସ ବଣ ଭିତରେ ନୀରବରେ ବସି ସେ ଚିନ୍ତା କରେ । ଶୀତଦିନ ବଡ଼ି ସକାଳର ଘନ କୁହୁଡ଼ି ଭେଦି ଯେପରି ସୁଦୂର ଗଛବୃକ୍ଷଗୁଡ଼ିକ ଛାଇ ପରି ଅସ୍ପଷ୍ଟ ଦିଶନ୍ତି ଠିକ ସେହିପରି ଅତୀତ ଶୈଶବର ଘନ ଅନ୍ଧାରିଆ ସମୟ ପରଦା ଭେଦ କରି ଅଜୟର ମନରେ କେତେ ଘଟଣାର ଛାଇ ପଡ଼େ । ଅନ୍ଧାର ରାତିରେ ବୁଦା କି ଖୁଣ୍ଟ ଦେଖି ଭୂତ ବୋଲି ଭୟରେ ଡରକୁଳା ଲୋକର ଛାତିରେ ଛନକା ପଶିଲା ପରି ଭାବୁ ଭାବୁ ଅଜୟର ଛାତି ଥରି ଉଠେ । ସତେ କି ସେହି ଭୟଙ୍କର ଘଟଣା ତା’ ଆଖି ଆଗରେ ପୁଣି ଘଟିଯାଉଛି ।

 

କିଟି କିଟି ଅନ୍ଧାର ରାତି ।

ବାହାରେ ଶ୍ରାବଣର ଝର ଝର ବରଷା । ଘଡ଼ଘଡ଼ିର ଭୀଷଣ ଆର୍ତ୍ତନାଦ । ସେଥିରେ ଚମକି ପଡ଼ି ଅଜୟ ଯେପରି କାହାକୁ କୁଣ୍ଢାଇ ଧରୁଛି । କାହାର କୋଳ ଭିତରେ ମୁହଁ ଲୁଚାଇ ଦୀର୍ଘ ନିଶ୍ୱାସ ଛାଡ଼ୁଛି । ବିଜୁଳି ଘନ ଘନ ଚମକି ଉଠୁଛି । ସେହି ରାତିର ପାହାନ୍ତା ପହର । ମେଘ ଘଡ଼ିଘଡ଼ି ବିଜୁଳି ଆଗପରି ଅବିରାମ ଚାଲିଛି । ବତାସ ସାଇଁ ସାଇଁ ହୋଇ ଝରକା କବାଟ ଧଡ଼ ପଡ଼ ବାଡ଼ଉଛି । ଠିକ୍‌ ଏହିପରି ସମୟରେ ବାହାରୁ ଅନେକ ଲୋକଙ୍କର ପାଟି ଶୁଭିଲା– ମାର୍‍ ମାର୍‌, ଧର୍‌ ଧର୍‌ । ସଙ୍ଗେ ସଙ୍ଗେ କେତେଜଣ ଲୋକଙ୍କର ବିକଳ କାନ୍ଦଣା ଓ କେତେଜଣଙ୍କର ବିକଟ ହସ ଶୁଣାଗଲା ।

 

ଅଜୟକୁ ଛାତି ଉପରେ ଜାକିଧାର ମା ଉଠି ବସିଲେ । ତାଙ୍କର ଛାତି ଦାଉଁ ଦାଉଁ ପଡ଼ୁଥାଏ । ସତେ ଯେପରି ସେ ତ୍ରସ୍ତ ହୋଇ ଅନ୍ଧାରରେ କଅଣ ଦରାଣ୍ଡିବାକୁ ଲାଗିଲେ ।

 

କବାଟରେ ଏକ ସଙ୍ଗେ ଅନେକ ଲୋକ ଧକ୍‌କା ମାରିଲେ । ସଙ୍ଗେ ସଙ୍ଗେ କବାଟ ଭାଙ୍ଗି ତଳେ ପଡ଼ିଲା । ଅନେକ ଲୋକ ଘର ଭିତରକୁ ପଶି ଆସିଲେ । ମଶାଲ ଆଲୁଅରେ ଘର ଉଜ୍ଜ୍ୱଳ ଦେଖାଗଲା ।

 

ରାକ୍ଷସ ପରି ଅନେକ ଲୋକ ହାତରେ ଖଣ୍ଡା ଧରି ଠିଆ ହୋଇଛନ୍ତି । ଦେହଯାକ ରକ୍ତ-। ଜଣେ, ମାଆଙ୍କ ଆଡ଼କୁ ଅଗ୍ରସର ହେଲା । ତା’ ପରେ ..... ତା’ ପରେ.....

 

ତେଣିକି ଘୋର ଅନ୍ଧାର । ଚିନ୍ତାର ଶକ୍ତି ନାହିଁ ସେ ଅନ୍ଧାକାର ଭେଦ କରିପାରିବ ।

ଯେତେବେଳେ ଅଜୟରୁ ଆଖି ଖୋଲିଲା, ସେ ଦେଖିଲା ନୂଆ ଜଗତ୍‌, ନୂଆ ଘର, ନୂଆ ନୂଆ ଲୋକ, ନୂଆ ମା ।

Image

 

ଶକ୍ତି ଓ ଶାନ୍ତି

 

ନୂଆ ଆଜି ପୁରୁଣା ହୋଇଛି । ଅତି ପୁରୁଣା, ଅତି ପରିଚିତ । ତଥାପି ସ୍ୱପ୍ନ ଛାୟାପରି, ଗଳ୍ପପରି ଏ ଯେଉଁ ଘଟଣାଟି ସେ ବେଳେବେଳେ ଭାବି ବସେ, ଏହି ପୁରାତନତ୍ୱରେ ସେ କିପରି ନୂତନତ୍ୱ ଉପଲବ୍‌ଧି କରେ । ମନ ସେହି ଅତୀତକୁ ନୂତନ ବୋଲି ଗ୍ରହଣ କରି ଟାଣି ହୋଇଯାଏ । ସେ କିଛି ଜାଣେ ନାହିଁ, କିଛି ବୁଝେ ନାହିଁ । ତଥାପି, ତା’ର ମନ ଖରାପ ହୁଏ । ଆଖିରେ ଲୁହ ଆସେ । ସେ ଆଖି ବୁଜି ପଳାଶ ବଣ ଭିତରେ ଛାଇ ଜାଗା ଦେଖି କାନି ପାରି ଶୋଇପଡ଼େ । କେତେବେଳେ ନିଦ ହୋଇଯାଏ ସେ ଜାଣିପାରେ ନାହିଁ । ନିଦରେ ମଧ୍ୟ ଏହିପରି କେତେ ସ୍ୱପ୍ନ ଦେଖେ ।

 

ନିଦ ଭାଙ୍ଗିଲେ ଦେଖେ, ଆଗରେ ଠିଆ ହୋଇ ଶକ୍ତି ମୁହଁ ଶୁଖାଇ ଚାହିଛି । କ୍ଷଣକ ଭିତରେ ମନ ସେହି ସ୍ୱପ୍ନମୟ ଅନ୍ଧାରିଆ ଅତୀତରୁ ଫେରିଆସେ ବର୍ତ୍ତମାନର ବାସ୍ତବ ଜଗତକୁ । ସେ ସ୍ମିତ ହସି କହେ, ଏ କଅଣ ଶକ୍ତି, ଖରାରେ ବୁଲି ବୁଲି ମୁହଁ ଯେ ଝାଉଁଳି ପଡ଼ିଛି ! ଘରେ ମନ ଲାଗେ ନାହିଁ କି ?

 

ଶକ୍ତି କହେ, ନ ଖାଇ ନ ପିଇ ଖରା ତାତିରେ ପଳାସ ବଣ ଭିତରେ ଆସି ଶୋଇଛ । ଆଉ, ତେଣେ ମା ଖୋଜି ଖୋଜି ନୟାନ୍ତ ହେଲାଣି । ତମ ଲାଗି ବଉଁଶଯାକ ଉପବାସରେ ବସିଛନ୍ତି । ଆସ !

 

ଅଜୟ ଉଠି ଠିଆ ହୁଏ । ଶକ୍ତିର ଫୁର୍‌ ଫୁର୍‌ ବାଳକୁ ହାତରେ ସାଉଁଳି ତା’ର ହାତ ଧରି ଆଗେ ଆଗେ ଚାଲେ ।

 

ଦିନକର ଘଟଣା ।

ଶକ୍ତି ଭୀତିଜଡ଼ିତ କଣ୍ଠରେ ପଚାରିଲା, ତମେ ତ ଶୋଇଥିଲ, ନିଦରେ ହାତକୁ ମୁଠା ମୁଠା କରି ଦାନ୍ତ ରଗଡ଼ୁ ଥିଲ କାହିଁକି ? ମୁହଁକୁ ଚାହିଁ ଡର ମାଡ଼ିଲା ?

 

ଗୋଟାଏ ସ୍ୱପ୍ନ ଦେଖିଲି ପରା !

କହ, କି ସ୍ୱପ୍ନ ଦେଖିଲ ?

ଦୀର୍ଘଶ୍ୱାସ ଛାଡ଼ି ଅଜୟ ତାର ଜାଗ୍ରତ ସ୍ୱପ୍ନ ବୃତ୍ତାନ୍ତ ବର୍ଣ୍ଣନା କଲା । ଶେଷକୁ କହିଲା, ସ୍ୱପ୍ନ ପରି ଲାଗୁଛି ସିନା, ମୋତେ ତ ନିଦ ହୋଇ ନ ଥିଲା ଲୋ, ସ୍ୱପ୍ନ ବୋଲି କହିବି କିପରି ?

 

ଶକ୍ତି ଚିନ୍ତିତ ହେଲା ।

ଦିନେ ସେ ଓ ଶାନ୍ତି ଗମ୍ଭୀରି ଘରେ କଣ୍ଢେଇ ବାହାଘର କରି ବସିଥିଲେ । ଆର ଘରୁ ବିଶ୍ୱାଳେ କରୁଣା ଦେବୀଙ୍କୁ ଏହି ସମ୍ପର୍କରେ ଯାହା ଗୋପନରେ କହୁଥିଲେ ସେଥିର କେତେକ ଅଂଶ ତାର କାନରେ ପଡ଼ିଥିଲା । ଅଜୟର ବାଲ୍ୟ ସ୍ମୃତି ଯେ ଅଜାଣତରେ ଏହିପରି ଭାବରେ ଦିନେ ତା ମନରେ ଜାଗି ଉଠିବ, ଏକଥା ସେ କେବେ ଭାବି ନ ଥିଲା ।

 

–ଶକ୍ତି କହିଲା, ସ୍ୱପ୍ନ ନୁହେଁ, କି ଭବନା ନୁହେଁ ।

–ତେବେ କଅଣ?

–ଭଲ କରି ଜାଣେ ନାହିଁ, ଅଳ୍ପ ଶୁଣିଛି, ସେ ସ୍ୱପ୍ନର ଅର୍ଥ ଅଛି ।

–ପାଗଳ, ସ୍ୱପ୍ନର ପୁଣି ଅର୍ଥ ଥାଏ ?

ବିନା କାରଣରେ କଅଣ ହୋଇପାରେ ?

–ଜାଣୁ ଯଦି କହୁନୁ !

ଜାଣେ । କହନ୍ତି, ଅତି ଗୁପ୍ତକଥା କହିବାକୁ ମନା ଅଛି । ଆଉ, କହିଲେ ବା ତୁମେ ମୋତେ ଦେବ କଅଣ ?

 

ଶକ୍ତିର ଆଖି ଓଦା ହୋଇ ଆସିଲା । ଶୀତ ଶେଷ ନ ହେଉଣୁ ଓ ଗ୍ରୀଷ୍ମ ଆରମ୍ଭ ହେବା ଆଗରୁ ଯେଉଁ କେତୋଟି ଦିନକୁ ବସନ୍ତ ବୋଲି କହନ୍ତି, ତାର ଠିକ୍‌ପୂର୍ବରୁ ଚୋରାବସନ୍ତ ପଡ଼େ । ମଳୟାନିଳ ପ୍ରକୃତିକୁ ଯୌବନର ଶ୍ରୀରେ ମଣ୍ଡିତ କରେ । ଶକ୍ତିର ଜୀବନ ଉପରେ ଭରା ଯୌବନର ବସନ୍ତ ବାଆ ଅଦ୍ୟାପି ବୋହି ନାହିଁ; କିନ୍ତୁ ଚୋରା ମଳୟର କୋମଳ ମଧୁର ସ୍ପର୍ଶରେ ପ୍ରାଣ ପୁଲକିତ ହେଲାଣି । ଅନ୍ତର ଶିହରୀ ଉଠିଲାଣି । ନାରୀଜୀବନର ଏହି ଅମୃତ ବେଳାରେ ଶକ୍ତି ପଦାର୍ପଣ କରିଛି । ଶୈଶବର ସରଳତା ଉଭେଇ ଯାଇ ନାହିଁ କି ଯୌବନର ଲଜ୍ଜାଶୀଳତା ଉଜ୍ଜ୍ୱଳ ଚକ୍ଷୁ କୋଣରେ କଟାକ୍ଷର ଅଭିନୟ କରିନାହିଁ ।

 

ଅଜୟ ବିଭୋର ହୋଇ ଶକ୍ତିର ସୁନ୍ଦର ମୁହଁକୁ ଅନାଇ ରହିଲେ ।

–କଅଣ ଦେବି ଶକ୍ତି, ତୋର କେଉଁ କଥାର ଅଭାବ ? କାଲି ଦିନଯାକ ବସି ସାତ ହାତ ଲମ୍ୱର ଅତି ସୁନ୍ଦର ବଉଳ ମାଳ ଗୁନ୍ଥିଛି ।

 

–ମୋର କଅଣ ନାହିଁ କି ? ମୁଁ ତ କେଡ଼େ ସୁନ୍ଦର ହାର ଗୁନ୍ଥିଛି !

ଅଜୟ ଲଜ୍ଜିତ ହୋଇ ଶକ୍ତିର କପାଳରୁ ଝାଳ ପୋଛିଦେଲା । ନଇଁପଡ଼ି ତାକୁ ଛାତି ଉପରକୁ ଟାଣିଆଣି ତା’ର ଘର୍ମାକ୍ତ କପାଳରେ ଚୁମ୍ୱନ ଦେଇ କହିଲା, ଏହାଛଡ଼ା ମୋର ଆଉକିଛି ନାହିଁ, ତୋର ବି କିଛି ଅଭାବ ନାହିଁ ।

 

ଇସ୍‌, କହି ଶକ୍ତି ମୁହଁ ବୁଲାଇ ଦୁଇ ବାହୁ ଲତାରେ ଅଜୟର ବେକକୁ ଗୁଡ଼ାଇ ଧରିଲା ।

ଅଧ ଲଙ୍ଗଳା ହୋଇ ତରାଟ ବୁଦାର ପଛଆଡ଼ୁ ହସି ହସି ଶାନ୍ତି ଦଉଡ଼ି ଆସିଲା । ଲୁଗାର କାନି ତଳେ ଘୁଷୁରୁଛି, ଦୁଇ ହାତରେ ଦୁଇ ପେନ୍ଥା ତରାଟଫୁଲ । ମୁଣ୍ଡର ଫୁରୁ ଫୁରୁ ବାଳ ଉପରେ କେତେଗୁଡ଼ିଏ ଫୁଲପାଖୁଡ଼ା ଲାଖି ରହିଛି ।

 

ସେ ଆଗକୁ ଆସି ମୁହଁ ଲଦି କହିଲା, ତୁମେ ଅତି ଦୃଷ୍ଟ ଅଜୁ ଭାଇ ! ଏତେବେଳଯାଏ କେଉଁଠି ଥିଲ ?

 

ଖତେଇ ହେଲାପରି ଶକ୍ତି କହିଲା, ଓଃ ! ଭାରି ସୋହାଗ ତ ।

ଶକ୍ତିର କଥା ନ ଶୁଣି ଶାନ୍ତି କହିଲା, ମୁଁ ଜାଣେ ନାହିଁକି ? ମୋତେ କଅଣ ଦେବ କହ ମୁଁ ସବୁ କହିଦେବି ।

 

–କଅଣ ଜାଣୁ ?

–ଅପା ଯାହା ଜାଣେ, ତାଠୁଁ ବେଶି ଜାଣେ । ସେ ମା ପାଖରେ ଶୁଏ ନାହିଁ । ମୁଁ ଶୋଇ କରି ବାପା ଯାହା କହନ୍ତି ସବୁ ଶୁଣିଛି, ତମରି କଥା ।

 

–କହ ।

–ଅପାକୁ ଯାହା ଦେବାକୁ ତା କାନରେ କହିଲ ମୋତେ ଯଦି ଦେବ କହିବି ।

–ମଲା ହିଂସିକୀଟା, ଆସିଲା ବାଦ ସାଧିବାକୁ ।

–ଶାନ୍ତି ଆଖି ଲାଲ କରି କହିଲା, ମୁଁ କଅଣ ତୋତେ କହୁଛି ? ମୁଁ ତ ଅଜୁ ଭାଇକି କହୁଛି । କହ, ଦବ ତ, ଏଁ ?

 

ଅଜୟ ଶାନ୍ତିର ଭ୍ରୁଲତା ପୋଛି କହିଲା, ମୁଁ ଅପାକୁ କିଛି ଦେବାକୁ କହି ନାହିଁ । ଖାଲି ... ଶାନ୍ତିର ଚିବୁକ ଚୁମ୍ୱନ କରି ଖାଲି ତାକୁ ଏହାହିଁ ଦେଇଛି । ତୋ ପାଇଁ ଦିଟା ।

 

ଆହୁରି ଥରେ ଚୁମ୍ୱନ କଲା ।

ଶାନ୍ତି ଅଭିମାନ କରି କହିଲା, ଭାରି ତ, ମୋତେ ଠକୁଛ । ନ ଦେଲେ ନାହିଁ କହିବି ତ ଭଲା ।

 

ଧାଇଁ ଧାଇଁକା ଆଗ ସେ ଘରକୁ ଚାଲିଗଲା ।

ଶକ୍ତି ଓ ଅଜୟ ଶାନ୍ତିର ଗଲାଦୋହଲା ଦେହକୁ ଅନାଇଁ ରହିଲେ । ଶାନ୍ତି ଛପିଗଲା ବୁଦା ଉହାଡରେ । ସୂର୍ଯ୍ୟ ଦୂର ପାହାଡର ମଥା ଉପରେ ହେଲେଣି ଥର ସେ ତଳକୁ ଖସିବେ ।

 

ଅଜୟ ଶକ୍ତିର ହାତ ଧରି ତା’ ମୁହଁକୁ ଚାହିଁ ରହିଲା । ଶକ୍ତିର ମୁହରେ ରଙ୍ଗ ଉକୁଟିଲା । କହିଲା, ଆସ ମ, ବୋଉ ତୁମକୁ ଖୋଜୁଚି ପରା । ଶାନ୍ତି ଯାଇ କହିବ ଯେ–

 

କଅଣ କହିବ ?

–ମୁଁ ଜାଣେ ନାହିଁ ।

–ମୁଁ ଜାଣେ । ସେ କହିବ ଅଜୁ ଭାଇ ଶକ୍ତିକୁ ଭଲ ପାଏ, ଗେଲ କରେ ।

–ଶାନ୍ତିକୁ ଭଲ ପାଅ ନାହିଁ ?

–ଆଗ ଶକ୍ତି, ସେଇଠୁ ଶାନ୍ତି ।

ଅଜୟ ଶକ୍ତିର ହାତ ଧରି କରୁଣାଙ୍କ ପାଖକୁ ଚାଲିଲା ।

Image

 

ବାବାଜୀ ଆତ୍ମାରାମ

 

ସୁରଧୂନୀ କୂଳରୁ ହେବ ନ ହେବ ତିନି କୋଶ ଦକ୍ଷିଣକୁ ଯେଉଁ ପାହାଡ଼ମାଳ ଅଣ୍ଟାସୁତା ପରି ବଙ୍କେଇ ହୋଇ ଚାରି କୋଶ ଯାଏ ସୁରଙ୍ଗ ରାଜ୍ୟର କଟୀ ବେଷ୍ଟନ କରିଛି, ତାହାରି ଦିଓଟି ବଡ଼ ଶୃଙ୍ଗର ମଝି-ଉପତ୍ୟକାରେ କେତେଗୁଡ଼ିଏ ଗୁହା । ଖଣ୍ତଗିରି ବା ଧଉଳିପାହାଡ଼ ଦେହରେ ଯେପରି ପଥର କାଟି ଶହ ଶହ ଗୁହା ଖୋଳା ହୋଇଛି, ଏଠାରେ ସେପରି କେହି ଖୋଳି ନାହିଁ । ବିଛାମାଳ ପାହାଡର ଗୁହାଗୁଡ଼ିକ ଆପେ ଆପେ ହୋଇଛି ।

 

ଅଗନାଗ୍ନି ବନ ।

ଖରାଦିନର ଉଦୁଉଦିଆ ଦି’ପହରେ ସୁଦ୍ଧା ସୂର୍ଯ୍ୟକିରଣ ଉପତ୍ୟକା ଭିତରେ ପଶିପାରେ ନାହିଁ । ଡାହାଣହାତି ବଡ଼ ଶୃଙ୍ଗଟି ପାହାଡ଼ ଦେହରୁ ବଙ୍କେଇ ହୋଇ ରହିଛି, ସତେ କି ନିମ୍ନ ଭୂମି ଉପରେ ଅଜାଡ଼ି ହୋଇ ପଡ଼ିବ। ତଳେ ଠିଆ ହୋଇ ଉପରକୁ ଚାହିଁଲେ ମୁଣ୍ତ ବୁଲାଇ ଦିଏ । ଭୟରେ ଆଖି ବୁଜି ହୋଇଆସେ । ସେହି ପଥର ଚଟାଣ ଉପରୁ କେତେ ଲଟା ପରସ୍ପର ଛନ୍ଦାଛନ୍ଦି ହୋଇ ତଳକୁ ଓହଳି ପଡ଼ିଛନ୍ତି । ଏଡ଼େ ଘଞ୍ଚ ଯେ ଫାଙ୍କ ବାଟେ ଆର ପାଖର ଶାଳ, ପଳାଶ ବଣ ଆଦୌ ଦେଖାଯାଏ ନାହିଁ । ବେଳେ ବେଳେ ଏହି ଲଟା ଧରି ପଲ ପଲ ମାଙ୍କଡ଼ ଅକ୍ଲେଶରେ ତଳୁ ପାହାଡ଼ ଉପରକୁ ଉଠିଯାଇ ପାରନ୍ତି, ଦୋଳି ଖେଳନ୍ତି ।

 

ପଥର ଚଟାଣ କଡ଼ରୁ ଗୋଟିଏ କ୍ଷୀଣ ଜଳସ୍ରୋତ କୁଳୁ କୁଳୁ ହୋଇ ବଙ୍କେଇ ବଙ୍କେଇ ନିମ୍ନ ଉପତ୍ୟକାକୁ ଦୁଇ ଭାଗ କରି ତଳକୁ ଗଡ଼ିଯିବା ଆଗରୁ ଛୋଟ ଜଳାଶୟର ଅଙ୍ଗ ପୁଷ୍ଟ କରୁଛି-। ଜଳାଶୟରୁ ବାହାରି ପାହାଡ଼ ନିମ୍ନର ଉର୍ବର ଭୂମିର କଦଳୀବଣ ଓ ଆଖପାଖ ଘଞ୍ଚ ଲଟା, ବୁଦା, ପଣସ, ଆମ୍ୱ, ଜେଉଟ, ପଳାସ ଓ ବାହାଡ଼ା ବଣ ଭିତରେ ନିମ୍ନର ଲଟା ବରକୋଳି, କଣ୍ଟେଇ କୋଳି, ଭଇଁଚ, କ୍ଷୀରକୋଳି ଓ କାନକୋଳିର ଭିଡ଼ାଭିଡ଼ି ଅଭେଦ୍ୟ କୋଳ ଭିତରେ ଆଗମରେ ଆଶ୍ରୟ ନେଇଛି ।

 

ରାତି ପାହି ଆସୁଛି । ପାହାନ୍ତା ପହର ଗଡ଼ିଯିବା ସଙ୍ଗେ ବାବାଜୀ ଅତ୍ମାରାମ ପାହାଡ଼ କଡର ଗୁହା ଭିତରୁ ବାହାରି ବାଁହାତି ଶୃଙ୍ଗ ଉପରକୁ ଉଠିଲେ । ପଥୁରିଆ ବାଟ । ଅସମତଳ । ଆଣ୍ଠୁରେ ଭରା ଦେଇ ଉଠିବାକୁ ପଡ଼ିଲା ।

 

ବାବାଜୀ ଆତ୍ମାରାମଙ୍କର ବୟସ ଅନ୍ଦାଜ ପଚାଶ । ଦୀର୍ଘ ବପୂ, ଗୌରବର୍ଣ୍ଣ, ଦେହରେ ଅମାନୁଷିକ ଶକ୍ତି । ବଳିଲା ବଲିଲା ହାତଗୋଡ଼, ଉଜ୍ଜ୍ୱଳ ପ୍ରଦୀପ୍ତ ଚକ୍ଷୁ । ମୁଣ୍ଡରେ ସୁଦୀର୍ଘ କହରା ଜଟା, ଓଲଟ ସାପ ପରି ପିଠି ଉପରେ ଦୋଦୁଲ୍ୟମାନ । ନିଶଦାଢ଼ି ଏକାଠି ହୋଇ ଛାତି ଉପରକୁ ଲମ୍ୱି ଆସିଛି ।

ଆତ୍ମାରାମ ପାହାଡ଼ ଉପରକୁ ଉଠିଲେ ।

Image

 

ବିକ୍ରମ ଓ ନିର୍ଭୀକ

 

କେତେଜଣ ଅଶ୍ୱାରୋହୀ ଆଶ୍ରମ ଉପତ୍ୟକାରେ ଉପସ୍ଥିତ ହେଲେ । ନିରୋଳା ସ୍ଥାନ ଦେଖି ସମସ୍ତେ ଅଶ୍ୱରୁ ଅବତରଣ କଲେ । ଶାନ୍ତିହରଣ କରିବାକୁ ଜଳାଶୟରେ ମୁହଁହାତ ଧୋଇ ପଥର ଚଟାଣ ଉପରେ ବସିଲେ । ଗତ ରାତ୍ରିର ଘଟଣାରେ କାହାର କେତେ କରାମତି, ସେହି ବିଷୟରେ ତର୍କ କରିବାକୁ ଲାଗିଲେ ।

 

ସମସ୍ତେ ଯୁବକ । ଦେହରେ କଳା ପୋଷାକ, କଳା ଜଙ୍ଘିଆ, ମୁହଁରେ କଳା ଘୋଡ଼ଣୀ, ଆଖି ଆଗରେ କଣା, ନାଲମରା ଲମ୍ୱା ଜୋତା ଆଣ୍ଠୁ ତଳକୁ ଲାଗିଛି । ଅଣ୍ଟାରେ କୋଷବଦ୍ଧ ତରବାରୀ । ଝାଳରେ ପୋଷାକ ଓଦା ହୋଇଗଲାଣି । ଦେହରେ ରକ୍ତ ଛିଟା ।

 

ପୋଷକା ଓହ୍ଲାଇ ଚଟାଣ ଉପରେ ରଖିଲେ । କେହି କେହି ଶୋଇ ଅଳସ ଭାଙ୍ଗିଲେ । କେହି ଅବା ଜଳପାନ ଉଦ୍ଦେଶ୍ୟରେ ପୋଖରୀ କୂଳକୁ ଗଲେ ।

 

ବିକ୍ରମ ସିଂହ କହିଲେ, ଭାଇମାନେ ଏଥର ନିର୍ଭୟରେ ଯାହା ଇଚ୍ଛା କର । ରତାରାତ୍ କୋଡ଼ିଏ କୋଶ, ବୁଝିଲ ?

 

ନିର୍ଭୀକ ରାଉତ ବାହାସ୍ଫୋଟ ମାରି କହିଲେ, ଭୟ ଆମ ଜାତକରେ ନାହିଁ । ଥିଲେ କି ଏ ଜୀବନମୂର୍ଚ୍ଛା କାମରେ ହାତ ଦିଅନ୍ତୁ ?

 

ଦୁଡ଼ୁ ଗୁଡ଼ୁ ସ୍ୱାଇଁ ତରଙ୍ଗ ତରଙ୍ଗ ହୋଇ ଚାରିଆଡ଼କୁ ଚାହିଁ ନିମ୍ନ ସ୍ୱରରେ କହିଲେ, ହେ ଭାଇ, ଆମପାଇଁ ସଂସାରରେ କୌଣସି ଥାନ ନିରାପଦ ନୁହେଁ । ମୋ ଭାଗ ମୋତେ ଦେଲେ ମୁଁ ଚାଲିଯିବି ।

 

ସମସ୍ତେ ଏକାଠି ହେଲେ । ଲବ୍‌ଧ ଧନରତ୍ନ ବିକ୍ରମ ସିଂହ ସମାନ ଆଠଭାଗ କରି ବାଣ୍ଟିଲେ । ସୁନା ମୋହର, ସୁନା ଓ ରୂପା ଗହଣା, ମୂଲ୍ୟବାନ୍‌ ରତ୍ନ ଓ ଟଙ୍କା, ନିର୍ବିବାଦରେ ଭାଗ ହେଲା । ନିଜ ନିଜର ଭାଗ ଆଦରି ନେଇ ଯତ୍ନ ସହକାରେ ଥଳିରେ ପୂରାଇଲେ ।

 

ବିକ୍ରମ ସିଂହ କହିଲେ, ଦେଖ ନିର୍ଭୀକ, ରକ୍ତ ଦେଇ ଯେଉଁମାନେ ଏ ଧନ ସମ୍ପତ୍ତି ଭେଇଥିଲେ ଯେପରି ସେହିମାନଙ୍କ ଭଲ ପାଇଁ ଏହା ବ୍ୟୟିତ ହୁଏ । ଜଗତର ସେବାହିଁ ଆମର ଧର୍ମ ।

 

ନିର୍ଭୀକ ଉତ୍ତର ଦେବା ପୂର୍ବରୁ ସ୍ୱାର୍ଥ ସିହାଣ କହିଲେ, ନୋହିଲେ କି ତୁମକୁ ଲୋକ ନିର୍ବୋଧ ବୋଲି କହନ୍ତେ । କିରେ ବାପ ଆମେତ ଜୀବନର ଲୋଭ ଛାଡ଼ି ରକ୍ତ ଦେଇ ମନ୍ତ୍ରୀ ଫିସାଦଙ୍କ ଗୁପ୍ତଭଣ୍ଡାର ଜୂର କରି ଆଣିଲୁ, ଆମର ପରିଶ୍ରମ, ଆମର ଲାଭ । ଆମେ ଧରା ପଡ଼ିଥିଲେ କିଏ ଆସି ପିଠିରେ ପଡ଼ି ଫାଶୀକାଠରୁ ଆମକୁ ଉଦ୍ଧାର କରିଥାଆନ୍ତା କି ?

 

ଦୁଡ଼ୁଗୁଡ଼ୁ ସ୍ୱାଇଁ କହିଲେ, ଭାଗ ହୋଇଗଲା । ଏଥର ଯାହାର ଯେପରି ଇଚ୍ଛା ସେ ବ୍ୟୟ କରିବ । ଆମ ପରି ଲୋକ ଦାନ-ଧର୍ମ-ପୁଣ୍ୟ କରିବାକୁ ଗଲେ କଥା ପ୍ରଘଟ ହୋଇପାରେ । ଲୋକଙ୍କର ସନ୍ଦେହ ହେବ ।

 

ନିର୍ଭୀକ କହିଲେ, ଲୋକ ? ଆରେ ଏ ଅନ୍ଧାରୀ ରାଇଜରେ ଗୋଟାଏ ହୋଇ ତ ଲୋକ ଦେଖିଲି ନାହିଁ । ଯେଉଁମାନେ ଅଛନ୍ତି ସେମାନେ ଛେଳି । ଘରକୋଣରେ ଲୁଚିବେ । କେଇଟା ଡିହକୁତି ପଛରେ ଥାଇ ଭୁକିବେ । ଲାଲ୍ ଆଖି ଦେଖାଇ ଠେଙ୍ଗା ଟେକିଲେ ଲାଙ୍ଗୁଳ ଜାକି ମାର୍‌ ଚମ୍ପଟ୍‌ ! ସେମାନଙ୍କୁ ଖାତିର, ସେମାନଙ୍କୁ ଡର ?

 

ଛାଇ ଲେଉଟିଲା ।

ବାବାଜୀ ଆତ୍ମାରାମ ଗଛ ଆଢ଼ୁଆଳରେ ଦସ୍ୟୁମାନଙ୍କ ପ୍ରତି ନିଘା ରଖିଥିଲେ । ସେ ବୁଝିପାରିଥିଲେ ଯେ ଏମାନେ ଦସ୍ୟୁ । କୌଣସି ନିରୀହ ଲୋକର ସର୍ବନାଶ କରି ଫେରିଛନ୍ତି । ଉପତ୍ୟକାରେ ଆଶ୍ରୟ ନେଲା ଦିନରୁ ଆଜି ଏପରି ଦୃଶ୍ୟ ଦେଖିବା ପ୍ରଥମ ।

 

ସେ ସମସ୍ତଙ୍କ ଆଗକୁ ଆସିଲେ । ଦସ୍ୟୁମାନେ ବିପଦର ଆଶଙ୍କାରେ ଚମକି ତରବାରୀ ଧରି ପ୍ରସ୍ତୁତ ହେଲେ । ନିରୀହ ସନ୍ନ୍ୟାସୀକୁ ଦେଖି ଭୟ ଦୂର ହୋଇଗଲା ।

 

ଆତ୍ମାରାମ ବିନୀତ ହୋଇ କହିଲେ, ବାବୁମାନେ, ସଂସାରରେ ଜଣକ ଛଡ଼ା ଡର ଭୟ ଆଉ କାହାକୁ ନାହିଁ । ତାଙ୍କରି ଦାସାନୁଦାସ ଆମ୍ଭେମାନେ ।

 

ବାଧା ଦେଇ ନିର୍ଭୀକ ପଚାରିଲ, ସେ ଜଣକ କିଏ ମହାରାଜ ?

ସ୍ୱାର୍ଥ ସିହାଣ ଉତ୍ତର ଦେଲେ, ଉତ୍ତର ତମରି ମୁହଁରେ–ସ୍ୱୟଂ ମହାରାଜ ପ୍ରପଞ୍ଚ ସିଂହ ।

ବିକ୍ରମ ସିଂହ କହିଲେ, ନିଶ୍ଚୟ, ନିଶ୍ଚୟ !

ଆତ୍ମାରାମ ଗମ୍ଭୀର ହୋଇ କହିଲେ; ମୁଁ ପ୍ରପଞ୍ଚ ସିଂହଙ୍କ କଥା କହୁନାହିଁ, କହୁଛି ସର୍ବଶକ୍ତିମାନ୍‌ ଭଗବାନଙ୍କ କଥା । ତାଙ୍କ ରାଜ୍ୟରେ ଅନ୍ୟାୟ ଅନୀତି ଅସମ୍ଭବ । ଦୁଃଖୀର ଦୁଃଖ ଦୂର କରିବାକୁ ସବୁବେଳେ ସେ ଚକ୍ଷୁଖୋଲି ବସିଛନ୍ତି । ବାବୁମାନେ ଏପରି ଘୃଣିତ କାର୍ଯ୍ୟ କରି ଆତ୍ମାକୁ କଳୁଷିତ କରୁଛ କାହିଁକି ? ପରର କଷ୍ଟଲବ୍‌ଧ ଧନ ଓ ଜୀବନ ନେଇ କେଉଁ ସୁଖ ପାଉଛ-?

 

ବିକ୍ରମ କହିଲେ, ତାଙ୍କ ରାଜ୍ୟରେ ଯଦି ଅନ୍ୟାୟ, ଅନୀତି, ଅତ୍ୟାଚାର, ଅସମ୍ଭବ, ସୁରଙ୍ଗ ରାଜ୍ୟ କଅଣ ତାଙ୍କ ରାଜ୍ୟର ବାହାରେ ?

 

ଆତ୍ମାରାମ ପଚାରିଲେ, ସଂସାର ଜଞ୍ଜାଳରୁ ଦୂରରେ ରହିବା କଣ ଭଲ ନୁହେଁ ?

ବିକ୍ରମ କହିଲେ, ଆତ୍ମହତ୍ୟା କରି ମଲେ ଏକାଥରେ ଦୂରରେ ରହିପାରିବ ।

ନିର୍ଭୀକ କହିଲେ ଯଦି ଭଲ ବୋଲି ମନେକର, ଭଲ ମନ୍ଦ ମଥା ଆଉ କହୁଛ କାହିଁକି ?

ଆତ୍ମାରାମ କହିଲେ, ସ୍ୱାର୍ଥ ପାଇଁ ପରର ଧନ ଓ ଜୀବନ ନେବା ପରିବର୍ତ୍ତେ ସଂସାର-ବିରାଗୀ ହୋଇ ବଣରେ ପଶିବା ଭଲ ।

 

ସ୍ୱାର୍ଥ ସିହାଣ କହିଲେ, ଯଦି ସ୍ୱାର୍ଥ ପାଇଁ ହୋଇଥାଏ ଆମର ସ୍ୱାର୍ଥ ନାହିଁ ।

ବିକ୍ରମ କହିଲେ, ଜଣଙ୍କର କ୍ଷତିରେ ଯେବେ ପଚାଶ ଜଣଙ୍କର ଉପକାର ହୋଇପାରେ, ତହିଁରେ ଆପତ୍ତିର କାରଣ ନାହିଁ । ଏହି ଧନ ଦରିଦ୍ରର ଉପକାରରେ ବ୍ୟୟିତ ହେବ ।

 

ଆତ୍ମାରାମ ପୁଣି ଚିନ୍ତିତ ହେଲେ ।

ଦସ୍ୟୁମାନେ କିଛିସମୟ ଅପେକ୍ଷା କରି ସନ୍ଧ୍ୟା ପୂର୍ବରୁ ଉପତ୍ୟକା ତ୍ୟାଗ କରି ବିଛାମାଳ ପର୍ବତର କଡ଼େ କଡ଼େ ଚାଲିଗଲେ ।

 

ଆତ୍ମାରାମ କାଠ ପିତୁଳା ପରି ଅନାଇଁ ରହିଲେ । ଦେହରେ ସତେ କି ସ୍ପନ୍ଦନ ନାହିଁ । ମୁଣ୍ଡ ଭିତରେ କେତେ ଭାବନା ଛଟପଟ ହେଲା । ଅତୀତକୁ ଯେତେ ଭୁଲିବାକୁ ଚେଷ୍ଟା କଲେ ମଧ୍ୟ ସେ ତୁହାଇ ତୁହାଇ ଫଣା ଟେକି ବିବେକକୁ ଦଂଶନ କଲା । ସବୁ ସାଧନାର ଭଲପଣିଆ ପ୍ରତିହିଂସାର ତୀବ୍ର ହଳାହଳରେ ଜର୍ଜ୍ଜରିତ ହେଲା । ମନ୍ତ୍ରୀ ଫିସାଦ, ଯାହାର ଗୁପ୍ତଧନ ଏହି ଦସ୍ୟୁମାନେ ଅପହରଣ କରିଛନ୍ତି, ସେହି ରାକ୍ଷସର ଅତୀତ ରୂପ ଆଗରେ ଠିଆ ହେଲା ।

 

ସେ ଥିଲେ ନିରୀହ ନାୟକ । ଦରିଦ୍ରର ସଂସାର, ତଥାପି ଆନନ୍ଦରେ ଦିନ କାଟୁଥିଲେ । ଲକ୍ଷ୍ମୀପରି ପତ୍ନୀ ସୁନୀତି ଓ କାର୍ତ୍ତିକ ପରି ପୁଅଟିଏ ଅଜୟ । ରାଜାଘର ବେଠି କରିବାକୁ କେବ ସେ ପଛାଇ ନାହାନ୍ତି । ଯେବେ ଯାଇଛନ୍ତି ଆପ୍ରାଣ ପରିଶ୍ରମ କରିଛନ୍ତି । ବିଧା ଗୋଇଠା କି ଚାବୁକ ମାଡ଼କୁ ପିଠିରେ ସହିଛନ୍ତି ପଛେ ଆଖିରୁ ଲୁହ ଦେହରୁ ଲହୁ ବହିଛି, ତୁଣ୍ଡରୁ ବଚନ ବାହାରି ନାହିଁ ।

 

ଗସ୍ତ କରିବାକୁ ମନ୍ତ୍ରୀ ଆସିଥିଲେ । ଦିନ ରାତି ସେ ସେବା କରିଥିଲା । ନିରୋଳାରେ ପାଖକୁ ଡାକି ଧନର ଲୋଭ ଦେଖାଇ ସେ ଗୋଟାଏ ଅସନା ପ୍ରସ୍ତାବ ବାଢ଼ିଲେ । ଦେହ ଝିମି ଝିମି ହେଲା । ମୁଣ୍ଡକୁ ରକତ ଚଢ଼ିଲା । କିଏ ଯେପରି କାନରେ କହିଲା, ହାତର ଦାଆରେ ତଣ୍ଟି କାଟି ଦେଉନୁ । ଧୈର୍ଯ୍ୟ ଧରି ଉତ୍ତର ନ ଦେଇ ଘରକୁ ଫେରିଲେ । ଲାଜସରମ କଥାଟା, କାହା ଆଗରେ କହି ପାରିଲେ ନାହିଁ ।

 

ଦିନ ପନ୍ଦରଟା ନ କଟୁଣୁ ରାଜାଘର ବେଠିରେ ଗଡ଼କୁ ଡକରା ପଡ଼ିଲା । ଗଲେ ତ, ତିନି ଦିନ ଅଟକି ଗଲେ । ଗ୍ରାମକୁ ଫେରି ଘରକୁ ଫେରି ଦେଖିଲେ ଘର ଶୂନ୍ୟ । ଶୁଣିଲେ, ଡକାୟତମାନେ ରାତି ଅଧରେ ଘରେ ପଶି ସୁନୀତି ଓ ଅଜୟକୁ ନେଇ ଯାଇଛନ୍ତି । ଯେଉଁମାନେ ବାଧା ଦେଇଥିଲେ ସେମାନେ ଆହତ ହୋଇଛନ୍ତି ।

 

କାହାନ୍ତି ତାଙ୍କର ପ୍ରିୟତମା ପତ୍ନୀ ସୁନୀତି ଓ ସ୍ନେହର ପିତୁଳା ଅଜୟ ।

ଦୂର କନ୍ଦରରୁ ଗରଜି ଉଠିଲା ମହାବଳ । ଆତ୍ମାରାମଙ୍କର ଭାବନା ଫେରିଲା ।

ଆରେ, ସଞ୍ଜ ହେଲାଣି ଯେ ।

Image

 

ସୁନୀତି

 

ଛାଇ ଲେଉଟା ବେଳ ।

କରୁଣା ଦେବୀ ଘରଧନ୍ଦା ସାରି ଦି’ ପହରେ ଶୋଇ ପଡ଼ିଥିଲେ । ନିଦ ଭାଙ୍ଗି ନାହିଁ । ପୋଇଲୀ ପରିବାରୀ ଯିଏ ଯେଉଁଠି ପଡ଼ି ଯାଇଛନ୍ତି । ଏହି ସୁନୀତି ଖରାବେଳେ ଗୁହାଳ ଲିପାପୋଛା କରି କ୍ଳାନ୍ତି ହୋଇ ତଳ ଖଞ୍ଜାର କାନ୍ଥକୁ ଆଉଜି ଘୁମାଇ ପଡ଼ିଛି ।

 

ବିଶ୍ୱାଳଙ୍କ ଘରେ ଆଶ୍ରୟ ଦେବାର ପନ୍ଦର ବର୍ଷ କଟିଗଲା । ତଥାପି ତା’ର ଜାତିଗୋତ୍ର ଘରଦ୍ୱାର କଥା କେହି ଠଉରାଇ ପାରିଲେ ନାହିଁ । କେହି କିଛି ପଚାରିଲେ ସେ ମୁହଁ ଶୁଖାଇ ଚାଲିଯାଏ । କିଛି କହେ ନାହିଁ । ଅନ୍ୟାନ୍ୟ ପୋଇଲୀ ଦେଖାଇ କେତେ ଟାହି ଟାପରା କରି ପଚାରନ୍ତି, ଆଲୋ, ଦରବୁଢ଼ୀ ହେଲେ ବି ରୂପର ଝଟକ ତ୍ରିପୁର ମୋହୁଛି, କାହାର ତୁ କଅଣ ଥିଲୁ ବା, କହୁନୁ ?

 

କାହାରି କଥାରେ ସେ ଛଳ କରେ ନାହିଁ । କାହାରିକୁ ପଦେ ଓଲଟି ଜବାବ ଦିଏ ନହିଁ । ନିଜ ଘର କାମ ପରି ଏ ଘର କାମରେ ଦିନରାତି ଲାଗିଥାଏ ।

 

ପିଲାଙ୍କ ଜଞ୍ଜାଳ ସବୁ ସେ ସହେ । ଅଜୟ, ଶକ୍ତି, ଶାନ୍ତିଙ୍କର ସବୁ କାମ ସେ କରେ । ପନ୍ଦର ବର୍ଷ କଟିଗଲାଣି, ତାଆରି ଆଗରେ ଶାନ୍ତି, ଶକ୍ତିଙ୍କ ଜନମ । ସେମାନେ ମା ପରି ମାନି ଚଳନ୍ତି, ଭଲ ପାଆନ୍ତି ।

 

କରୁଣା ଦେବୀ ତାଙ୍କୁ ଶ୍ରଦ୍ଧା କରନ୍ତି । ତା’ର ଚାଲିଚଳନ, ଢଙ୍ଗଢାଙ୍ଗ ଦେଖି ସେ ଅନୁମାନ କରନ୍ତି ଯେ ସୁନୀତି ଭଲ ଘରର ଝିଅ, ଭଲ ଘରର ବୋହୂ । ଭାଗ୍ୟ ମନ୍ଦ ହେବାରୁ ପରଘରେ ଆଶ୍ରା ନେଇଛି ।

 

ସୁନୀତି ଘୁମାଇଥିବା ବେଳେ ଶାନ୍ତି ଉଠାଇଲା, ଧାଈମା, ଧାଈମା ।

ନିଦ ଭାଙ୍ଗିଗଲା । ଆଗରେ ଶାନ୍ତିକୁ ଦେଖି ସୁନୀତି କହିଲା, କଅଣ ମା, ଆଇଲୁ ଏଣିକି, ଖରାରେ ବୁଲୁଥିଲୁ କି ? ମୁହଁ ତ ଶୁଖିଲା ଦିଶୁଚି ?

 

ଉତ୍ତରକୁ ଅପେକ୍ଷା ନ କରି ଏଗାର ବର୍ଷର କଇଁଫୁଲ ପରି ଧଳା ଝିଅଟିର ହାତ ଧରି କୋଳକୁ ଟାଣି ଆଣିଲା । ଛାତିରେ ଧରି ଚୁମ୍ବନ କରି ପଚାରିଲା, ଭୋକ କଲାଣି ? ଭାଇ ଆଉ ଅପା କୁଆଡ଼େ ଗଲେ ? ପଖାଳ ଦିଟା ଖାଇ ଦେଇ ଖେଳୁଥା ପଛେ ।

 

ଶାନ୍ତି କହିଲା, ମୁଁ ଅପାକୁ ଓ ଭାଇଙ୍କୁ ଖୋଜୁଛି । କୁଆଡ଼େ ଗଲେ ? ଚାରିଆଡ଼େ ଖୋଜିଲିଣି, ତାଙ୍କର ଦେଖା ନାହିଁ ।

 

–କହିପାରିବି ନାହିଁ ମା ।

ଆଖିରୁ ଲୁହ ଝରି ପଡ଼ିଲା । କହିଲା, ଧାଈମା ମ, ଅଜୁ ଭାଇ ଅପାକୁ ଭଲ ପାଆନ୍ତି, ମୋତେ ଭଲ ପାଆନ୍ତି ନାହିଁ । ମୁଁ ତାଙ୍କୁ କଥା କହିବି ନାହିଁ ।

 

ଶାନ୍ତି ରାଗରେ ଗରଗର ହୋଇ ଚାଲିଗଲା ।

ସୁନୀତି ଭାବିବାକୁ ଲାଗିଲା, ଅଜୟ ! ଆହା ଅଜୟ ମୋର କାହିଁ ? ହାତ ଗୋଡ଼କୁ ଚାହିଁ ଘୃଣାରେ ନାକ ଟେକିଲା । ଲୋକେ କହୁଥିଲେ, ସୁନୀତି ସୁନ୍ଦରୀ, ଗର୍ବରେ ଛାତି କୁଣ୍ଢେମୋଟ ହୋଇଯାଇଥିଲା । ଚାଲିଲାବେଳେ ଗୋଡ଼ ତଳେ ଲାଗୁ ନ ଥିଲା । ଭାବିଥିଲା ସ୍ୱାମୀ ସୌନ୍ଦର୍ଯ୍ୟର ଦାସ । ସ୍ୱାମୀ ସୁନ୍ଦରୀର ଅଧୀନ । ଆହା, କେତେ ଅବମାନନା ସେ ନ ଦେଖାଇଛି, ଟିକେ କଥାରେ କେତେ ଅଭିମାନ ସେ ନ କରିଛି । କଥା କଥାକେ ରାଗ, ରୋଷ, କଥା କଥାକେ ଅଭିମାନ ।

 

ଯେତେବେଳେ ଅଜୟ ତାର ବକ୍ଷସୁଧା ପାନ କଲା, ସେ ବିରକ୍ତି ହୋଇଥିଲା, ଯୌବନ ନଷ୍ଟ ହୋଇଯିବ, ସୌନ୍ଦର୍ଯ୍ୟ ମଉଳିଯିବ । ଛିଃ, ପିଲାଝିଲା ନାରୀଜୀବନର ବନ୍ଧନ, ନାରୀ ପଥର କଣ୍ଟକ । ନା, ଆଉ ନୁହେଁ, ଆଉ ସେ ଜଞ୍ଜାଳରେ ପଶିବି ନାହିଁ ।

 

ଯେତେବେଳେ ସେ ଆସି ଆଗରେ ଠିଆହୋଇ ହସିଦିଅନ୍ତି, ଅଜୟକୁ ଗେଲ କରୁ କରୁ ତାକୁ ଆଲିଙ୍ଗନ କରନ୍ତି, ସୁନୀତି ଆଖି ବୁଜି ତାଙ୍କର ଛାତି ଉପରେ ଢଳିପଡ଼େ ।

 

ଯୌବନ ଗଲା କୁଆଡ଼େ ? ରୂପର ଝଟକ ଆଉ ନାହିଁ ? ଅଜୟ, ଯାହାକୁ ନାରୀ ଯୌବନର ବନ୍ଧନ ମନେ କରିଥିଲା, ଯାହାକୁ ନାରୀ ସୌନ୍ଦର୍ଯ୍ୟର ବିଷ ଓ ସୁଖର ଘାତକ ଭାବିଥିଲା, ସେହି ପ୍ରତିବନ୍ଧକ ଅଜୟ ତାର କାହିଁ ?

 

ଘାସଫୁଲ, କି ବିଛୁଆତି ଫୁଲକୁ କେହି ଚାହାଁନ୍ତି ନାହିଁ । ଛୁଇଁବାକୁ ଆଗ୍ରହ ହୁଏନାହିଁ । ମଲ୍ଲୀଫୁଲ କି ଗୋଲାପ ଫୁଲରେ ସଭିଙ୍କ ଆଖି ସଭିଙ୍କ ଲୋଭ । ଦେଖିଲେ ତୋଳିନେବାକୁ ସମସ୍ତେ ହାତ ବଢ଼ାନ୍ତି । ଆଦୃତ ହେଲା ବୋଲି ମଲ୍ଲୀ ବା ଗୋଲାପ ଗର୍ବ କରିପାରନ୍ତି, କିନ୍ତୁ ଘାସ ଫୁଲର ସ୍ୱାଧୀନ ଜୀବନ, ନିର୍ଭୀକ ଜୀବନ, ତାଙ୍କର ନ ଥାଏ । ନିଜେ ଫୁଟି ସୁଖ ଦୁଃଖରେ ବେଳ କାଟି ସମୟ ମିଲେ ହସି ହସି ଧୂଳିରେ ଲୋଟିଯାନ୍ତି । ଗୋଲାପ, ଫୁଲରାଣୀ ଗୋଲାପ, ଅକାଳରେ ତା’ର ମରଣ !

 

ସୁନୀତି ଜୀବନରେ ଏହି କଥା ଉପଲବ୍‌ଧି କରିଛି ।

ସେ ଦିନ କେଡ଼େ ଗର୍ବରେ ଛାତି ଫୁଲାଇ ଗାଁ-ମାଇପଙ୍କ ଆଗେ ଆଗେ, ଚାଲିଥିଲା । କେତେ ନାରୀ ତ ଥିଲେ, ବୃଦ୍ଧା, ଯୁବତୀ, ବାଳିକା । ଧନୀ, ଦରିଦ୍ର ମଧବିତ୍ତ । ସେ ଚାଲିଲାବେଳେ ସତେକି ମେଦିନୀ ଦୁଲୁକି ଉଠୁଥିଲା । ହସର କଲ୍ଲୋଳରେ ବନପଥ ଥରି ଉଠୁଥିଲା ।

 

ଆକାଶରେ ଘୋଟି ଆସିଲା ମେଘ । ଆଉ ଆସିଲା ତା’ ସାଥିରେ ବଜ୍ର । ଆଖିରେ ତ ସମସ୍ତେ ପଡ଼ିଲେ; ଘାସଫୁଲ ମନରେ ଲାଖିଲେ ନାହିଁ । ନିରୋଳାରେ ଫୁଟି ପବନରେ ଝଡ଼ିବା ପଦାର୍ଥ । ଫୁଲରାଣୀ ଗୋଲାପର ସ୍ମୃତି ତାଙ୍କର ମନରେ ଲାଖିଗଲା ପରା । ମନ୍ତ୍ରୀ ସେ, ରାଜା ଅକାରଣଙ୍କର ଡାହାଣ ହାତ । ତାଙ୍କ ପ୍ରତାପରେ ଅନ୍ଧାରି ମୁଲକ ଥରହର କମ୍ପେ । ତାଙ୍କ କୋପଦୃଷ୍ଟିରେ ପ୍ରଳୟ ନିଆଁ ଜଳିଉଠେ ।

 

ବସନ୍ତ ଆସିଲା ମଳୟ ପରଶି, କୋକିଳ ଆସିଲା ସ୍ୱରଲହରୀ ବରଷି, କେହି ତା’ର ମନ ସରସି ପାରିଲେ ନାହିଁ । ସେତେବେଳେ ସେ ବୁଝିଲା ଯୌବନର, ସୌନ୍ଦର୍ଯ୍ୟର ବିଷମୟ ଫଳ-। ବସନ୍ତର ମଳୟ ବିଷପରି ଲାଗିଲା । କୋକିଳର କୁହୁରେ ପ୍ରାଣ ଥରିଠିଲା । ସେ ଖୋଜିଲା ନିଦାଘର ତାପ । ବସନ୍ତକୁ ମଳୟକୁ କୋକିଳକୁ ଗୋଡରେ ଠେଲିଦେଲା ।

Image

 

ରୂପର ଅଭିଶାପ

 

ଖୁସିବାସିଆ ରଇତ ସେ ନିରୀହ ନାୟକ । ରୂପ, ସ୍ୱାସ୍ଥ୍ୟ, ଢଙ୍ଗରେ କେହି ତାଙ୍କୁ ବଳିବେ ନାହିଁ ।

ରଜାଘର ବେଠିରେ ସେ ତିନିଦିନ ଆଗରୁ ଗଡ଼କୁ ଯାଇଥିଲେ । ସୁନୀତି ପିଲାଟିକୁ ଧରି ହନ୍ତସନ୍ତରେ ବେଳ କାଟୁଥାଏ । ରାଜାଘର ବେଠି ନାଁ ପଡ଼ିଲେ ଛାନିଆ ହେବାର କଥା । ମନ ଦକଦକ ହେଉଥାଏ । ଗଲାବେଳେ କାହିଁକି ସେ ଆଖି ଛଳ ଛଳ କଲେ । ଅଜୟକୁ ଛାତିରେ ଧରି ଗେଲ କଲେ । ସୁନୀତିକୁ ଗେଲକରି କହିଲେ, ସାବଧାନ ଥିବ । ଏ ରାଜ୍ୟରେ କହାରିକୁ ବିଶ୍ୱାସ ନାହିଁ । ଆପଣାର ବୋଲି ଯାହାକୁ ମଣିବ, ପ୍ରାଣ ବିକଳରେ ସେଇ ଠେଲିଦେବ ନିଆଁ ମଝିକି । ସାବଧାନ ଥିବ ।

କାହିଁକି ଏପରି କହିଲେ, ସେଇ କଥା ସୁନୀତି ମନେ ମନେ ଗୁଣି ହେଉଥାଏ ।

ଧାରାଶ୍ରାବଣର କିଟି କିଟି ମେଘ ଅନ୍ଧାର ରାତି । ବାହାରେ ଝଡ଼ବରଷା । ବିଜୁଳି ଆଲୁଅ ଘର ଫାଙ୍କ ବାଟେ ଦପ୍‌କରି ଜଳିଉଠି ପୁଣି ଲିଭି ଯାଉଥାଏ । କୋଳରେ ମୁହଁ ଲୁଚାଇ ଅଜୟ ଚୁପ୍‌ ହୋଇ ଶୋଇଛି । ବିଛଣାରେ ପଡ଼ି ସୁନୀତି ଛଟପଟ ହେଉଥାଏ । ଆଖିକୁ ନିଦ ନାହିଁ-। ଭାବୁଥାଏ, ଆହା ଏ ଦୁର୍ଗମ ରାତିରେ ରଜାଘର ବେଠିକି ଯାଇ ସେ କଅଣ କରୁଥିବେଟି ! କାହା ପିଣ୍ଡାରେ ପାଣି ସରସର ହୋଇ ବସି ଶୀତରେ ଥରୁଥିବେ ।

ସୁନୀତିର ଆଖିରୁ ଲୁହ ଗଡ଼ିପଡ଼ିଲା ।

ଏ କଅଣ, ରାତିଟାରେ ବାହାରେ ଏତେ ଲୋକଙ୍କର କୋଳାହଳ ?

ସୁନୀତି ଅଜୟକୁ ଏକୁଟିଆ ଛାଡ଼ି ଖଟ ଉପରୁ ତଳକୁ ଡେଇଁ ପଡ଼ିଲା ।

ହାତରେ ମଶାଲ ଧରି ଏତେ ଲୋକ ଓଦା ସରସର ହୋଇ ଘର ଭିତରକୁ ପଶି ଆସିଲେ ।

କାକୁତି ମିନତି, କନ୍ଦାକଟା, ଗୋଡ଼ଧରା, ବିଫଳ ହେଲା । ତାକୁ ଟାଣି ଟାଣି ପଦାକୁ ନେଇଗଲେ ।

ପନ୍ଦର ବର୍ଷ କଟିଗଲାଣି ।

ସେ କାହାନ୍ତି, ଅଜୟ କାହିଁ ?

ସୁନୀତି କାନ୍ଥରେ ମୁଣ୍ଡ ପିଟିଦେଲା । ଆହା, ତା’ର ହୃଦୟର ମଣି ! ନାକ ଆଗରେ ଖସା ଚିହ୍ନ । ପିଠିରେ କଳାଜାଇ ମନ୍ଦା । ଅବିକଳ ସେହିପରି ମୁହଁଟି ।

ପଥହରା, ଅତ୍ୟାଚାରିତା ସୁନୀତି, ରାଜ୍ୟେଦ୍ୟାନର ମଉଳା ଫୁଲ ।

ରାଜା ଅକାରଣ ସିଂହ ସ୍ୱାମୀ ଓ ପୁତ୍ର ପାଖରୁ ଛଡ଼ାଇ ନେଇ ରାଜପ୍ରସାଦ ଭତରେ ତାଙ୍କୁ ବନ୍ଦିନୀ କରି ରଖିଥିଲେ । ବହୁ ମୂଲ୍ୟରେ ବସନ-ଭୂଷଣ ଦେଇ ସେ ରୂପର ମଦିରା ପାନ କରିଥିଲେ । ମୁହଁରେ ହସ ଫୁଟାଇ ରାଣୀ ପଦବୀ ଯୋଡ଼ି ଦେଇଥିଲେ ନାମ ଶେଷରେ । ସୋହାଗିନୀ, ସୌଭାଗିନୀ ବୋଲି ପଚାଶ ବର୍ଷର ବୃଦ୍ଧାରୁ ଆରମ୍ଭ କରି ବାର ତେର ବର୍ଷିୟା ଅଭାଗିନୀ ରାଣୀମାନେ ଈର୍ଷାଜର୍ଜରିତ କଟାକ୍ଷ ହାଣୁଥିଲେ ।

ବଧୂ ଶ୍ରୀମତି କୁଟିଳା ଦେବୀଙ୍କର କଥା ସୁନୀତି ମାନିଥିଲା । ଯେଉଁ ବୃଦ୍ଧ ତାର ସର୍ବନାଶ କରିଥିଲା, ତାକୁ ସେ ପିଆଇଲା ହଳାହଳ ।

ରାଜା ଅକାରଣଙ୍କର ମରଣ ।

ଦୁନିଆଁ ଜାଣିବା ଆଗରୁ ରାଜରାଣୀର ଆଭରଣ ଦେଇ ସେ କଲା ପଳାୟନ ।

ଅଜୟ ଆସି ପାଖରେ ଠିଆ ହୋଇଛି । ପାଖରେ ଶକ୍ତି ।

ସୁନୀତିର ଆଖି ଲୁହରେ ପୂର୍ଣ୍ଣ ହୋଇଥିଲା । ସେ ଚମକି ଚାହିଁଲା, ଆଗରେ ଗୋଟିଏ ଯୁବକର ମୂର୍ତ୍ତି, ବଦ୍ଧ ଅନ୍ଧାର ଭେଦକରି ଦିଶୁଛି । ଅବିକଳ ତାଙ୍କରି ପରି ।

ତାର ଛାତି ଆନନ୍ଦରେ ନାଚି ଉଠିଲା । ଦାସୀ ସୁନୀତି ଭାସିଆସି ଲାଗିଥିଲା ଏଇ କୂଳରେ । ଅଜୟ, ଯାହାକୁ ସେ ଜନମ ଦେଇଥିଲା, ତାରି ଛିଟିକା ଦିଶିଯାଉଛି । ନାମଟି ବି ସେଇଆ ।

ଏ ଅଜୟ କରୁଣାଙ୍କ ପୁତ୍ର !

ଭିନ୍ନକଣ୍ଠରେ ପଚାରିଲା, ମା ଶକ୍ତି ଶାନ୍ତି କାହିଁ ?

ତୁ କାନ୍ଦୁଛୁ ? ଶକ୍ତି ପଚାରିଲା ।

ଆଖିର ଲୁହ ପୋଛି ସୁନୀତି ଶକ୍ତିକୁ କୋଳକୁ ଟାଣି ନେଲା ।

Image

 

ରଜାଘର ଡାକରା

 

ବିଶ୍ୱାଳେ ଆଗେ ଆଗେ ଚାଲିଛନ୍ତି । ପଛରେ କୋଠିଆ ଗାଲୁଆ ଗଣ୍ଡା । ଲୁଗା ପିନ୍ଧିଛନ୍ତି ଯେ ଆଣ୍ଠୁ ଲୁଚୁନାହିଁ । କୋଚଟ ମଇଳା ଗାମୁଛା ଖଣ୍ଡି କାନ୍ଧରେ ପଡ଼ିଛି । ଗାଲୁଆର ମଧ୍ୟ ଅବସ୍ଥା ସେହିପରି । କିଏ ଖାମିଦ, କିଏ କୋଠିଆ ଠଉରାଇବା କଷ୍ଟ । ବଳିଷ୍ଠ ଅଙ୍ଗ ଦୁହିଁଙ୍କର । ଚାଲିଛନ୍ତି ମଣିଷ ପରି ।

ଦୁହେଁ ଭାଗବତ ଟୁଙ୍ଗୀ ପାଖକୁ ଆସିଲେ ।

ଆଗରୁ ଗାଁ ଲୋକେ ସେଠାରେ ଜମା ହୋଇଥିଲେ । ତୁଣ୍ଡରେ କଥା ନାହିଁ । ବିଷାଦର ଛାୟା ସମସ୍ତଙ୍କ ମୁହଁକୁ ଘୋଡ଼ାଇ ରଖିଛି ।

ପାଖକୁ ଆସି ବିଦ୍ରୋହ ଦେଖିଲେ, ଟୁଙ୍ଗୀ ପିଣ୍ଡାରେ ବସିଛନ୍ତି ଜଣେ ସିପାହୀ । ଘୋଡ଼ାଟି ଛାଇରେ ବରଗଛ ମୂଳେ ବନ୍ଧା ହୋଇଛି । ବନ୍ଧୁକଟା କାନ୍ଥକୁ ଡେରା ହୋଇଛି ।

ବିଦ୍ରୋହିଙ୍କୁ ସମସ୍ତେ ବାଟ ଛାଡ଼ିଦେଲେ ।

ଆଗକୁ ଯାଇ ସେ ପଚାରିଲେ, ଡକାଇଲେ ?

ଆଶ୍ଚର୍ଯ୍ୟର କଥା ! ବିଶ୍ୱାଳେ ଗୋଟିଏ ଜୁହାର ବି କଲେ ନାହିଁ । ଏଥିରେ କି ସିପେଇ ମଣିମାଙ୍କର ଧୈର୍ଯ୍ୟ ରହିପାରେ ? ସେ ରାଗି ଯାଇ କହିଲେ ହଁ । ତୁମେ ଏ ଗାଁର ଗଉନ୍ତିଆ ପରା-

–ହଁ ।

ଶ୍ରୀମାନ ମନ୍ତ୍ରୀଙ୍କ ଘରୁ ଦୁଇମାସ ତଳେ ଯେଉଁ ଚୋରି ହୋଇଥିଲା ସେ ବିଷୟ ବୋଧହୁଏ ତୁମକୁ ଅଜଣା ନାହିଁ ?

–ମୁଁ ଶୁଣିଛି ।

ଶ୍ରୀଛାମୁ ଖବର ପାଇଛନ୍ତି ଯେ ଚୋରମାନେ ବିଛାମାଳ ପର୍ବତରେ ଅନେକ ଦିନ ଲୁଚି ଶେଷରେ ଏଠାରେ ଆଶ୍ରୟ ନେଇଛନ୍ତି । ସେମାନଙ୍କୁ ତୁମେ ଜାଣ, ପ୍ରମାଣ ମିଳିଛି ।

–ଯଦି ପ୍ରମାଣ ମିଳିଛି, ମୁଁ ଜାଣେ ନାହିଁ ବୋଲି ତମ ଆଗରେ କହିଲେ ମଣିମାଙ୍କର ମନ ମାନିବ ? ବିଚାରଣା ହେଲେ ମୋର ଯାହା କହିବାର ଅଛି ମୁଁ କହିବି ।

–ତୁମେ ଏଥିରେ ସେମାନଙ୍କୁ ସାହାଯ୍ୟ କରିଥିଲ ବୋଲି ମଣିମାଙ୍କର ବିଶ୍ୱାସ ।

–ମୋ ପ୍ରତି ମଣିମାଙ୍କର ଏତେ ଦୟା କାହିଁକି ?

ସେ କଥା ମୁଁ କହିପାରିବି ନାହିଁ । ଶ୍ରୀଛାମୁଙ୍କ ଶ୍ରୀମୁଖରୁ ବଳେ ଶୁଣିବ । ସେଇଠି ଉତ୍ତର ଦେବ । ତୁମକୁ ମୋ ସଙ୍ଗେ ଶ୍ରୀଛାମୁଙ୍କ ଦର୍ଶନପାଇଁ ଯିବାକୁ ହେବ । ଶ୍ରୀମୁଖରୁ ଆଦେଶ ହୋଇଛି-

ବିଶ୍ୱାଳେ କହିଲେ, ଯିବି, ଆଦେଶ ଅମାନ୍ୟ କରିବାକୁ ମୋର ସାହସ ନାହିଁ । ଖରାବେଳ ଗଡ଼ିଯାଉ । ତୁମେ ବି ଘୋଡ଼ାରେ ଚଢ଼ି ଆସିଛ, ଥକି ଯାଇଥିବ । ଗାଧୋଇପଡ଼ି ଦି ଦିଟା ଖାଇଦେଇ ଯିବା ।

ସିପେଇ ଉତ୍ତର ଦେଲା ନାହିଁ ।

ବିଶ୍ୱାଳେ ଘରକୁ ଫେରିଲେ ।

ଏ ସମ୍ବାଦ ଘଡ଼ିକରେ ରାଷ୍ଟ୍ର ହୋଇଗଲା । ଲୋକେ ହାହାକାର କରିବାକୁ ଲାଗିଲେ । ରଜାଘର ଡାକରା । ନ ଗଲେ ନ ଚଳେ । ଗଲେ ସୁରୁଖୁରୁରେ ଘରକୁ ଫେରି ଆସିବା କାଠିକର ପାଠ । ଶନିସପ୍ତା ନ ପଡ଼ିଲେ ଭାଗ୍ୟରେ ଏପରି ଦୁର୍ଯ୍ୟୋଗ ଘଟେ ନାହିଁ ।

ସିପେଇର ଆଗମନ ବାର୍ତ୍ତା ଶୁଣି ଲୋକେ ଆଗରୁ ଯେଉଁ ପ୍ରମାଦ ଗଣିଥିଲେ, ତାହାହିଁ ହେଲା ।

ଯାତନା ଗାଁର ଚଉଡ଼ା ଦାଣ୍ଡରେ ସବୁଦିନେ ଏତିକିବେଳେ ଗାଁ-ପିଲାଏ ଏକାଠି ହୋଇ ଖେଳନ୍ତି । ସେଦିନ ଗୋଟିଏ ପିଲାର ବି ଦେଖା ନାହିଁ । ରଜାଘର ଲୋକ ଧରିନେବ ବୋଲି ଯେ ଯାହାର ଘରେ ଲୁଚି ରହିଛନ୍ତି । ବୁଦ୍ଧିହୀନ ଉତିଆଣି ପିଲା ଗୁରୁଣ୍ଡି ଗୁରୁଣ୍ଡି ଦାଣ୍ଡକୁ ଆସିବାକୁ ବସିଲେ ମା’ମାନେ ଭୟରେ ହାତେ ଜିଭ କାଢ଼ି କାଖ କରି ନେଇ କବାଟ କିଳୁଛନ୍ତି ।

ନଈ ଘାଟ ଆଜି ଶୁନ୍ୟ । କାଳେ କିଏ ରଜାଘର ଲୋକର ହାବୁଡ଼େ ପଡ଼ିଯିବ । ଥରେ ହାବୁଡ଼େ ପଡ଼ିଲେ ଆଉ ରକ୍ଷାରକ୍ଷଣ ନାହିଁ ।

ସେ ଦିନ ହଳକୁ ବି କେହି ବାହାରିଲେ ନାହିଁ ।

ଘଡ଼ିକ ମଧ୍ୟରେ ଗାଁରେ କୋକୁଆ ଭୟ ବ୍ୟାପିଗଲା । ଦାଣ୍ଡର ଦି’ପାଖେ ଦି’ଧାଡ଼ି ଘର ମୁଣ୍ଡ ଟେକି ଠିଆ ହୋଇଛି । ଭିତରେ ଜୀବିତ ବ୍ୟକ୍ତି କେହି ଥିଲା ପରି ଜଣାପଡ଼ୁ ନାହିଁ ।

ରଜା ଘର ସିପେଇ, ସାକ୍ଷାତ୍‌ ଯମ ସେ !

ବିଶ୍ୱାଳେ ଘରେ ପହଞ୍ଚିଲେ ।

ଆଗରୁ କରୁଣା ଦେବୀଙ୍କ ନିକଟରେ ଖବର ପହଞ୍ଚିଲା । ସେ ଉଦ୍‍ବିଗ୍ନ ହୋଇ ବାଟ ଚାହିଁ ବସିଥିଲେ । ଭିତର ଅଗଣାରେ ବିଶ୍ୱାଳଙ୍କ ଚାରିପାଖେ ଚାକର-ବାକର, ପୋଇଲି-ପରିବାରୀ ଜମା ହୋଇଗଲେ । ବିଶ୍ୱାଳେ ସବୁ କଥା କହିବାରୁ ସମସ୍ତଙ୍କ ମନରେ ଚାଞ୍ଚଲ୍ୟ ଘୋଟିଗଲା ।

କରୁଣା କହିଲେ, ଚାଲ, ଘରଦ୍ୱାର ଛାଡ଼ି ପିଲାପିଲିଙ୍କ ନେଇ ଆଉ କେଉଁଠିକି ଚାଲିଯିବା-। ହାତ ଥିଲେ ଭାତ ଦିମୁଠା ଅଭାବ ହେବ ନାହିଁ ।

ବିଦ୍ରୋହ କହିଲେ ଯୁଆଡ଼େ ଗଲେ ସବୁଠାରେ ଏକ ଦଶା । ଅନ୍ଧାରି ମୁଲକର ଯେ କୌଣସି ଜାଗାକୁ ଯାଅ ଅନ୍ୟାୟ ଓ ଅତ୍ୟାଚାର ଛଡ଼ା ଆଉ କିଛି ପାଇବ ନାହିଁ ।

ଶକ୍ତି କହିଲା, ଆଲୁଅ ମୁଲକକୁ ଗଲେ ଭଲ ହୁଅନ୍ତା ।

ବିଦ୍ରୋହ କହିଲେ, ଯୁଆଡ଼େ ଗଲେ ଏକା ଦଶା ଲୋ ମା, ଏକା ଦଶା । ଅନ୍ଧାରି ଦେଶରେ ଜଣାଇ ଶୁଣାଇ କଞ୍ଚା ଡାଆଣୀ ମଇଳା ଖାଏ, ଭୂତପ୍ରେତ ପୁଳା ପୁଳା କରି ମାଂସ ଖାଇଯାନ୍ତି, କିନ୍ତୁ ଆଲୁଅ ଦେଶରେ ଗୋଟିଏ ବଡ଼ ଦୋଷ ଅଛି । ସଭ୍ୟତା ଆଲୁଅର ତେଜ ଏଡ଼େ ପ୍ରଖର ଯେ, କୂଅ ପୋଖରୀ, ବିଲବାଡ଼ି ଖରାରେ ତାତି ଫାଟି ଆଁ କରି ଅନାଇଁଛନ୍ତି । ଯେଉଁଠି ଦି’ଚଳା ପାଣି ଅଛି, ସେଠି ମାଳ ମାଳ ଜୋକ । ପାଣିରେ ପଶିଲେ ଜୋକଗୁଡ଼ାକ ସଲ ସଲ ହୋଇ ଦେହରେ ଲାଗିଯାନ୍ତି । ଉଠିଲାବେଳକୁ ରକ୍ତ ଶେଷ । ସବୁ ଶୋଷି ନେଉଛନ୍ତି । ଅଜୟ କାହିଁ ?

କେହି କହିପାରିଲେ ନାହିଁ ।

ଶାନ୍ତି କହିଲା ସେ ଘୋଡ଼ା ଚଢ଼ି ସକାଳେ କୁଆଡ଼େ ଯାଉଥିଲେ । ମୁଁ ସଙ୍ଗରେ ଯିବାକୁ କହିଲି, ମନା କଲେ । ବାପା ମା, ଅଜୁଭାଇ ମୋତେ ମୋଟେ ଭଲ ପାଆନ୍ତି ନାହିଁ, ଅପାକୁ ଭଲ ପାଆନ୍ତି । ଅପା କହିଥିଲେ କଅଣ ସେ ମନା କରିଥାନ୍ତେ ।

ବିଶ୍ୱାଳେ ତା’ର ଗଣ୍ଡ ଚୁମ୍ବନ କଲେ ।

ଶକ୍ତି ରାଗିଯାଇ କହିଲା, ଝରସରୀଟା ।

ତାକୁ ଲାଜ ମାଡ଼ିଲା । ସେଠାରୁ ଯାଇ ସୁନୀତିର ପଛଆଡ଼େ ଠିଆ ହେଲା ।

ବିଶ୍ୱାଳେ କହିଲେ, ଡେରି କରି ଲାଭ ନାହିଁ । ରୋଷାଇବାସର ଖବର ବୁଝ । ଯାହା ହେବାର ତ ହେବ, ଚିନ୍ତା ନାହିଁ । ଡରିହରି ପଛାଇ ରହିଲେ ଏଇ ଉଁଆସୀ ଅନ୍ଧାର ସେମିତି ଘୋଟି ରହିଥିବ । ଗୋଳିଆପାଣିରେ କଙ୍କଡ଼ା ପଲମାନ ମଉଜରେ ଚରି ବୁଲୁଥିବେ । କେତେ ଲୋକଙ୍କ ଉପରେ ଅତ୍ୟାଚାର ହେଉଛି, ଧନଜନ ଜୀବନ ସବୁ ଯାଉଛି । ଦିଅଁ ଦେବତାଙ୍କୁ ଗୁହାରି କଲେ ସେମାନେ ମଳିମୁଣ୍ଡିଆଙ୍କ କଥା ଶୁଣୁ ନାହାନ୍ତି । ଆଖି ବୁଜି ରହୁଛନ୍ତି । ରଜାଘର କ୍ଷିରୀ ପୁରି ପାଇଁ ସେଇଠି ସେମାନେ ଟାକି ରହିଛନ୍ତି । ସେମାନେ ବି ପେଟବିକଳା, ଲାଞ୍ଚଖିଆ ହେଲେଣି । ହେଉନ୍ତୁ, ଆମ କଥା ଆମେ କରିବା, ନୋହିଲେ ମରିବା ।

Image

 

ବିଶ୍ୱାଳଙ୍କ ପ୍ରସ୍ଥାନ

 

ସିପାହୀ ପାଞ୍ଚପା ଚାଉଳରେ ଭାତ ଶ୍ରାଦ୍ଧ କରିନେଲା ।

ଛାଇ ଲେଉଟାବେଳ । ବାହାର ଘରେ ଶତରଞ୍ଜ ବିଛାଇ ବିଶ୍ରାମ ନେବାକୁ ବିଶ୍ୱାଳେ ତାକୁ ଅନୁରୋଧ କଲେ । ସେ କହିଲେ, ଶୀଘ୍ର ଯିବାକୁ ପ୍ରସ୍ତୁତ ହୋଇଯାଅ ବିଶ୍ୱାଳେ ! ଡେରି ହେଲେ ଆମକୁ ଜବାବ ଦେବାକୁ ପଡ଼ିବ । ନୌକରି କରିଛୁ, ଆଦେଶ ପାଳିବା ଆମ କାମ ।

ବିଶ୍ୱାଳେ କିଛି ନ କହି ଚାଲିଗଲେ ।

ଖିଆ ପିଆ ସରିଲା । ବିଶ୍ୱାଳେ ଖଣ୍ଡେ ଆଠହାତି ଦରସଫା ଲୁଗା ପାଲଟିଲେ । ପାଚଲା ଗାମୁଛା କାନ୍ଧରେ ପକାଇଲେ । କରୁଣା ଦେବୀ ଗଣ୍ଠିରାରେ ଦିଖଣ୍ଡ ଲୁଗା, ଖଣ୍ଡେ ବିଛଣା ଚାଦର, ଖଣ୍ଡିଏ ଛୋଟ ଛୁରୀ ଓ ଚାରି ପାଞ୍ଚ ଗଣ୍ଡା ଖସାଲଡ଼ୁ ବାନ୍ଧିଦେଲେ । ବିଶ୍ୱାଳେ ଯିବାକୁ ପ୍ରସ୍ତୁତ ହେଲାରୁ ତାଙ୍କ ହାତକୁ କେତୋଟି ସୁନା ମୋହରୀ ଓ ରେଜା ଟଙ୍କା ବଢ଼ାଇଦେଲେ ।

ବିଦ୍ରୋହ ସେତକ ଅଣ୍ଟାରେ ଖୋସିଲେ । ଖଣ୍ଡେ ଚାରିହାତ ତେଲମରା ପାଚିଲା ଠେଙ୍ଗା କାନ୍ଥକୁ ଡେରି କହିଲେ, ଯିବାବେଳେ କନ୍ଦାକଟା କରିବା ଅନ୍ୟାୟ । ଘରଦ୍ୱାର ପ୍ରତି ନଜର ରଖିଥିବ-। ଚାକର ବାକର, ପୋଇଲୀ-ପରିବାରୀଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ କରିବା ଏ ରାଜ୍ୟରେ ନିରାପଦ ନୁହେଁ । ଅଜୟ କୁଆଡ଼େ ବୁଲି ଯାଇଚି । ଆସିଲେ କହିଦେବ, ମୁଁ ଘରକୁ ନ ଫେରିବା ଯାଏ ଘର ଛାଡ଼ି ସେ ଅନ୍ୟ କୁଆଡ଼େ ଯିବ ନାହିଁ । ରାଜା ରାଇଜରେ ଘର, ସବୁବେଳେ ସତର୍କ ରହିବା ଭଲ ।

ସିପାହୀର ତର ସହିଲା ନାହିଁ । ସେ ଦାଣ୍ଡଘରୁ ଘନ ଘନ ଚିତ୍କାର କରିବାକୁ ଲାଗିଲା ।

ବିଶ୍ୱାଳେ ସଭିଙ୍କ ପାଖରୁ ବିଦାୟ ନେଇ ଆସିବାରୁ ରାଜଦୂତ ରାଗି ଗର୍ଜନ କରି କହିଲା, ବେଳ ଆସି ରତ ରତ ହେଲାଣି, ସଜବାଜ ହୋଇ ଆସୁଣୁଁ ଏତେ ଡେରି କଲ । ଗଡରେ ପହଞ୍ଚିଲାବେଳକୁ ରାତି ଦି’ ଘଡ଼ି ହେବ । କଟୁଆଳ ସାଆନ୍ତେ ଅପେକ୍ଷା କରି ବସିଥିବେ । ରାଜାଙ୍କ ଅପେକ୍ଷା ତାଙ୍କ ତୋଡ଼ ଅଧିକ । ତାଙ୍କୁ ଦେବାଦେବୀ ଡରନ୍ତି । ଭାଗ୍ୟରେ କଅଣ ଅଛି କେଜାଣି । ଶୀଘ୍ର ଆସ ।

ବିଶ୍ୱାଳେ ଆଗେ ଆଗେ ଚାଲିଲେ । ହୁଣ୍ଡା ଜେନା, ଗାଲୁଆ ଗଣ୍ଡା, ଥୋବରା ଥଟାରି ଓ ଯୋହୁକୁମୁ ବାରିକ ପ୍ରମୁଖ କେତେଜଣ ଗାଁଲୋକ ପାଞ୍ଚହାତି ଠେଙ୍ଗା କାନ୍ଧରେ ପକାଇ ବିଦ୍ରୋହ ବିଶ୍ୱାଳଙ୍କ ପଛେ ପଛେ ଗଲେ । ସିପାହୀ ଘୋଡ଼ା ସମସ୍ତଙ୍କ ପଛରେ ଧୀରେ ଧୀରେ ଗଲା ।

ଗାଁ ମୁଣ୍ଡ ହେଲା । ସଦର ରାସ୍ତା ପାଏ ବାଟ ଅଛି । ସିପାହୀ କହିଲା, ତୁମେ ସବୁ ଫେରିଯାଅ, ଡେରି ହେବ ।

ସମସ୍ତେ ବିଶ୍ୱାଳଙ୍କ ମୁହଁକୁ ଚାହିଁଲେ ।

ବିଶ୍ୱାଳେ କହିଲେ, ମୋ ସାଙ୍ଗରେ ଆସିବା ଆବଶ୍ୟକ ନାହିଁ । ଘର ପ୍ରତି ନିଘା ରଖିଥିବ-। ସମସ୍ତେ ଫେରିଯାଅ ।

ପ୍ରଣାମ କରି ସେମାନେ ଗ୍ରାମକୁ ଫେରିଲେ । ବିଶ୍ୱାଳେ ଘୋଡ଼ା ପଛେ ପଛେ ଚାଲି ରାସ୍ତା ଉପରକୁ ଆସିଲେ । ପଛକୁ ଚାହିଁ ଦେଖିଲେ, ଗାଁ ଲୋକେ ମୁଣ୍ଡିଆର ଆର ପାଖେ କେତେବେଳୁ ଳୁଚି ଗଲେଣି ।

ସିପାହୀ କହିଲା, କଇଁଛ ପରି ଗୋଟିଏ ଗୋଟିଏ ଚାଲିଲେ ତ ହେବ ନାହିଁ । ମୁଁ ଘୋଡ଼ାକୁ ଟିକିଏ ଜୋର୍‌ରେ ଚଳାଉଛି ତୁ ପଛରେ ଧାଇଁ ଧାଇଁ ଆ ।

ବିଶ୍ୱାଳେ ପ୍ରତିବାଦ କରି କହିଲେ, ମୁଁ ପଶୁ ନୁହେଁ ଯେ ପଶୁ ସଙ୍ଗେ ଦଉଡ଼ି ପାରିବି ।

ସିପାହୀ ଶୁଣିଲା ନାହିଁ । ଘୋଡ଼ାର ଲଗାମ୍‌ ହୁଗୁଳାଇ ଦେଲାରୁ ସେ ଜୋର୍‍ରେ ଚାଲିଲା-। ବିଶ୍ୱାଳେ ଯଥା ଶକ୍ତି ପଛେ ପଛେ ଯିବାକୁ ଚେଷ୍ଟା କଲେ, କିନ୍ତୁ ପଛରେ ପଡ଼ି ଯାଉଥାନ୍ତି-। ସିପାହୀ ଖଣ୍ଡେ ଦୂରରୁ ଡକାପକାଏ । ବିଶ୍ୱାଳେ ଶୁଣି ନ ଶୁଣିଲା ପରି ଅବିଚଳିତ ଚିତ୍ତରେ ଚାଲିବାକୁ ଲାଗନ୍ତି । ବାଧ୍ୟ ହୋଇ କିଛିଦୂର ଯାଇ ତାକୁ ଅପେକ୍ଷା କରିରବାକୁ ପଡ଼େ ।

ଦୁଇ ପାଖେ ଘୋର ଜଙ୍ଗଲ । ବଡ଼ ବଡ଼ ଗଛର ଲହକା ଡାହି ଓହଳି ସଂକୀର୍ଣ୍ଣ ରାଜପଥଟିକୁ ଘୋଡ଼ାଇ ପକାଇଛି । ବାଁ ହାତି ପାହାଡ଼ ଧାଡ଼ି ଅନ୍ଧାରିଆ ହୋଇ ଆସୁଛି । ନିଛାଟିଆ ଜାଗା । ମଣିଷର ତୁଣ୍ଡ ଶୁଭୁନାହିଁ । ବେଳେ ବେଳେ ପଶୁପକ୍ଷୀଙ୍କର କୋଳାହଳ କାନରେ ପଡ଼ୁଛି । ରାଜପଥଟି ସାପ ପରି ବଙ୍କେଇ ହୋଇ ପଡ଼ି ଉଠି ଗଡ଼ମୁହାଁ ଚାଲିଛି । ତାହାରି ଉପରେ ସିପାହୀ ଓ ବିଶ୍ୱାଳେ ନୀରବରେ ଚାଲିଛନ୍ତି ।

କିଛିଦୂର ଗଲାପରେ ସେମାନେ ଶୁଣିପାରିଲେ, ଦୂରରେ କେତେଜଣ ଲୋକ କଥାଭାଷା ହେଉଛନ୍ତି । ଦେଖିଲେ, ଯେଉଁଠାରେ ପ୍ରଧାନ ରାଜପଥରୁ ବାଁ ହାତି ଅନ୍ୟ ଗୋଟିଏ ରାଜପଥ ଜଙ୍ଗଲ ଭିତର ଦେଇ ବିଛାମାଳ ପର୍ବତ ଆଡ଼କୁ ପଡ଼ିଛି, ତାହାରି ନିକଟରେ ଖଣ୍ଡେ ପଥର ଚଟାଣ ଉପରେ ଉପବିଷ୍ଟ ଚାରିଜଣ ସିପାହୀ । ଘୋଡ଼ାଗୁଡ଼ିକ ଅଦୂରସ୍ଥ ଗଛ ଦେହରେ ବନ୍ଧା ହୋଇଛନ୍ତି ।

ସିପାହୀମାନେ ଆଗନ୍ତୁକ ଦୁଇଜଣଙ୍କୁ ଦେଖି ଠିଆ ହେଲେ । ଜଣେ କହିଲା, କଅଣ କହିବି ବାଭେ, ଯେଉଁ ଶିକାର, ତୁମେ ତ ଆମକୁ ଏଠି ଅପେକ୍ଷା କରିବାକୁ କହିଯାଇଥିଲ, ବସି ବସି ଅତି ବିରକ୍ତ ଲାଗିଲା । ଶିକାର ଖୋଜି ବାହାରି ପଡ଼ିଲୁଁ ।

ଆଗନ୍ତୁକ ସିପାହୀ ପଚାରିଲା, କି ଶିକାର ବାଭେ, ବାଘ ନା ଭାଲୁ, କି କୁଟୁରା, କି ମିରିଗ ?

ଜଣେ ଉତ୍ତର ଦେଲା, ଆରେ ରାମ ରାମ, ସେଗୁଡ଼ାଏ ଏ ଜଙ୍ଗଲରେ କି ହେବ । ସଦ୍ୟ ଭୋଗ କରିବା ମାଲ । ଦି ଗୋଡ଼ିଆ ଜନ୍ତୁ । ପତର ଛିଣ୍ଡାଉ ଥିଲେ, କାଠ ଭାଙ୍ଗୁଥିଲେ । ଯେଉଁ ଖିଲି ଖିଲି ହସ, ମନ ମଉଜିଆ ଗୀତ । ଝରଣା କୂଳରେ ହାବୁଡ଼ି ଗଲେତ । ପଳାଇବାକୁ ବାଟ ପାଇଲେ ନାହିଁ । ପିଠିରେ ଦି ଦି ପାହାର ପାଇଲାରୁ ଧରା ଦେଲେ । ମୋହ ହୋଇ ପଡ଼ିଛି ସେଥିରୁ ଜଣେ ।

ଜଣେ ଘଡ଼ଘଡ଼ିଆ ପାଟିରେ କହିଲା, ଆଉ ଡେରି କାହିଁକି ? ଉଠ । ଏ ଲୋକଟାକୁ ଘୋଡ଼ା ଆଗରେ ବାନ୍ଧି ନ ଦେଲେ ଚଳିବ ନାହିଁ । ଘୋଡ଼ା ସାଙ୍ଗରେ ସେ ଚାଲି ପାରିବ ନାହିଁ ।

ବିଶ୍ୱାଳେ ଯେତେ ଆପତ୍ତି କଲେ କେହି ଶୁଣିଲେ ନାହିଁ । ଜଣ ଜଣ କରି ସେମାନଙ୍କର ଗୋଡ଼ ତଳେ ପଡ଼ିଲେ । କାହାରି ପଥର ଛାତି ତରଳିଲା ନାହିଁ । ଟଙ୍କାର ଲୋଭ ଦେଖାଇଲେ । ସିପାହୀମାନେ ଉତ୍ତର ଦେଲେ, ଟଙ୍କା ତ ଆମର, ଲୋଭ ଦେଖାଉଛୁ କାହାକୁ ? ଲାଲୁ ବାହାଦୂରଙ୍କ ହୁକୁମ୍‌ ତାମିଲ୍‍ କଲେ ଆମର କେଉଁ କଥାର ଅଭାବ ରହେ ନାହିଁ ।

ବିଦ୍ରୋହ ବିଶ୍ୱାଳଙ୍କୁ ବୁଦ୍ଧି ଦିଶିଲା ନାହିଁ । ଆହା, ନିଜ ଆଖି ଆଗରେ ସେ ଏପରି କେତେ ଘଟଣା ଦେଖିଛନ୍ତି । ଏଗୁଡ଼ାକ ମଣିଷ ନା ରାକ୍ଷସ ! ଏଇଥିପାଇଁ କଅଣ ସେ କହିଥିଲେ, ଆଲୁଅ ମୁଲକରୁ ଅନ୍ଧାର ମୁଲକ ଭଲ ? ବଡ଼ରୁ ଛୋଟ ପର୍ଯ୍ୟନ୍ତ ଯଦି ସମସ୍ତେ ଏହିପରି ନିର୍ମମ ହେବେ, ଗୁହାରି କାହା ଆଗରେ ? ଗୁହାରି କଲେ ଶୁଣୁଛି କିଏ ? ଓଲଟି ପିଠିରେ ବେତ ବାଡ଼ି ଗର୍ଜିଯିବ ।

ବିଶ୍ୱାଳେ ପ୍ରାର୍ଥନା କରି କହିଲେ, ଭାଇମାନେ, ତମର କଅଣ ମନ ନାହିଁ, ହୃଦୟ ନାହିଁ-? ତୁମେ ତ ମଣିଷ, ସ୍ୱର୍ଗରୁ ଗଳିପଡ଼ି ନାହଁ, ତୁମର ତ ପୁଣି ଭାଇ ବନ୍ଧୁ କୁଟୁମ୍ଭ ଅଛନ୍ତି ! ଆଖି ଥାଉଁଣୁ ଅନ୍ଧ ହୋଇ ପରକଥାରେ ଭୁଲି ଭାଇ ଉପରେ ଏପରି ଅତ୍ୟାଚାର କରୁଛ କାହିଁକି ?

କେହି ଜଣେ କହିଲା, ରଜାଘର ଗୋଲାମ ଆମେ ।

ବିଶ୍ୱାଳେ କହିଲେ, ଏପରି ଗୋଲାମ୍‌ଗିରି ମୁହଁରେ ନିଆଁ ଜାଳ । ପେଟ ବିକଳରେ ଯଦି ଗୋଲାମି କରୁଥାଅ, ଆଜି ସେହି ଗୋଲାମିକୁ ଗୋଡରେ ଠେଲି ଚାଲି ଆସ । ଦେହରେ ତାକତ୍‌ ଅଛି । କେଉଁଠି ମୂଲ ଲାଗି ବିଲମାଟି ହିଡରେ ଲଦି ପେଟ ପୋଷିବାର ବ୍ୟବସ୍ଥା କର ।

କେହି ଜଣେ କହିଲା, ଏ ଗୋଲାମିରେ ଯେଉଁ ମଉଜ, ତୁ ତା ବୁଝିପାରିବୁ ନାହିଁରେ ମୂର୍ଖ ଅଲାଜୁକ ।

ବିଦ୍ରୋହ କହିଲେ, ମଉଜ ? ଅତ୍ୟାଚାରକୁ ମଉଜ କହ ? ପରର ରକ୍ତ ଦେଖିଲେ ଆନନ୍ଦରେ ତାଳି ମାର ? ଦୁଃଖ କଷ୍ଟ ଦେଖିଲେ ଖୁସି ହୁଅ ? ତମ ଉପରେ ଯଦି କେହି ସେପରି ଅତ୍ୟାଚାର କରେ କହିଲ ଭଲା କେଡ଼େ ମଉଜ ଲାଗିବ ?

ସମସ୍ତେ ହସି ଉଠିଲେ । ବିଶ୍ୱାଳଙ୍କ କଥାରେ କେହି ମନ ଦେଲେ ନାହିଁ ।

ସଞ୍ଜ ହୋଇ ଆସୁଛି । ତାଙ୍କ ଅଣ୍ଟାରେ ଦଉଡ଼ି ବାନ୍ଧି ଦଉଡ଼ିର ଶେଷଟି ଗୋଟିଏ ଘୋଡ଼ାର ବେକରେ ବାନ୍ଧି ଦେଲେ । ଦୁଇ ହାତ ପଛଆଡ଼େ ଏକାଠି ବନ୍ଧା ହେଲା । ବିଶ୍ୱାଳ ବାଧା ଦେବାକୁ ଚେଷ୍ଟା କରି ବିଫଳ ହେଲେ । ଜଣେ ଲୋକ ଏତେ ଲୋକଙ୍କ ବିରୁଦ୍ଧରେ କରନ୍ତେ କଅଣ-?

ବିଶ୍ୱାଳେ ଆଖି ବୁଜି ଦୀର୍ଘ ଶ୍ୱାସ ଛାଡ଼ିଲେ । ନୟନରୁ ଲୋତକ ଝରି ପଡ଼ିଲା । ଆଉ କେହି ତାଙ୍କର ସାହା ଭରସା ନାହିଁ । ଏକମାତ୍ର ଭଗବାନହିଁ ରକ୍ଷାକର୍ତ୍ତା । ଧର୍ମୁ ବୁଢ଼ାଙ୍କର କଥା ତାଙ୍କର ମନେପଡ଼ିଲା । ମନ ଆନ୍ଦୋଳିତ ହେଲା ।

ଜଣେ ସିପାହୀ ଅନ୍ୟମାନଙ୍କୂ କହିଲା, ଆରେ ବିଶ୍ୱାଳକୁ ମନ୍ତ୍ରୀଙ୍କ ଆଗରେ ଉପସ୍ଥିତ କରାଇବାକୁ ହେବ । ତଳେ ଘୁଷୁରି ଯଦି ତା’ର ପ୍ରାଣ ଛାଡ଼ିଯାଏ, ସମସ୍ତେ ଆମେ ଦଣ୍ଡିତ ହେବା । ଘୋଡ଼ାକୁ ଧୀରେ ଧୀରେ ଚଲାଅ ।

ଗଡରେ ପହଞ୍ଚିଲାବେଳକୁ ଯଦି ରାତି ହୁଏ ? ଜଙ୍ଗଲ ବାଟ । ବାଘ ଭାଲୁ ପଲ ପଲ ।

ଆଉ ଜଣେ କହିଲା, ରାତି ହେଲେ ହେଉ । ରାଜାଙ୍କ ସିପାହୀ ପାଖରେ ଯମ ପଶିବାକୁ ଡରିବ, ବାଘ ଭାଲୁକୁ ପଚାରେ କିଏ ?

ସେମାନେ ପ୍ରସ୍ଥାନ କଲେ ।

Image

 

Unknown

ପିତା ପୁତ୍ର

 

ବେଳ ରତ ରତ । ସୂର୍ଯ୍ୟାଲୋକ ଦୂର ପାହାଡର କପାଳରେ ଶେଷ ଚୁମ୍ବନ ଦେଇ ବିଦାୟ ନେବାକୁ ଅନୁମତି ମାଗୁଛି । ଉପତ୍ୟକା ଅନ୍ଧାରିଆ ହୋଇ ଆସିଲାଣି ।

 

ଆତ୍ମାରାମ ପଥର ଚଟାଣ ଉପରେ ବସି ନୀରବରେ ଅଶ୍ରୁତ୍ୟାଗ କରୁଛନ୍ତି । ନିକଟରେ ତେର ଚଉଦ ବର୍ଷର ବାଳିକାଟିଏ, ସତେ କି ମୋହ ହୋଇପଡ଼ିଛି । ରକ୍ତରେ ଚଟାଣ ଭିଜି ଯାଇଛି । ବାଳିକାର ଦେହଟି ମଧ୍ୟ ରକ୍ତରେ ଜୁଡ଼ୁବୁଡ଼ୁ ।

 

ଆଖି ଆଗରେ ଯେଉଁସବୁ ଘଟଣା ଘଟିଗଲା, ସେହିକଥା ଭାବି ଆତ୍ମରାମ ବ୍ୟସ୍ତ ହୋଇପଡ଼ିଲେ । ଓହୋ, ଏଗୁଡ଼ାକ ମଣିଷ ନା ରାକ୍ଷସ ! ଉତ୍ତେଜନାରେ ଅନ୍ଧ ହୋଇ କଅଣ ନ କରିପାରନ୍ତି ! କାହାର କୋଳର ପିଲାଟିକୁ ବଳାତ୍କାରରେ ଓଟାରି ଆଣିଛନ୍ତି କେଜାଣି ! ପିଲାଖେଳ ତା’ର ଭାଙ୍ଗି ନ ଥିଲା । ଶିରୀଷ ଫୁଲ ଉପରେ ବଜ୍ରପାତ ! ଭଗବାନ୍‌, ଏତେ ଅନ୍ୟାୟ ସହୁଛି କିପରି-?

 

ଆତ୍ମାରାମ ଲୁହ ପୋଛିଲେ । ବାଳିକାର ରକ୍ତବୋଳା ମୁହଁରେ ହାତ ବୁଲାଇ କହିଲେ, ମା, ଏ ନିର୍ମମ ଦେଶରୁ କଅଣ ସତେ ମୁକ୍ତି ଲାଭ କରି ଚିର ସୁନ୍ଦର, ଚିର ଆନନ୍ଦମୟ, ଅଜଣା, ଅଜ୍ଞେୟ ସ୍ୱର୍ଗରାଜ୍ୟକୁ ଚାଲି ଯାଇଛୁ ? କେଡ଼େ କାକର ଲାଗୁଛି ଦେହଟି । ହଁ ମା, ସେ ଦେଶରେ ଦୁଃଖ ନାହିଁ, ଅତ୍ୟାଚାର ନାହିଁ, ଅଶାନ୍ତି ନାହିଁ, ଅଛି ଖାଲି ଆନନ୍ଦ ଓ ତୃପ୍ତି ।

 

ଆତ୍ମାରାମ ଦୀର୍ଘଶ୍ୱାସ ଛାଡ଼ିଲେ । କପାଳରେ ହାତ ଦେଇ ପୁଣି କେତେ କଥା ଭାବିଲେ-। ଅନ୍ଧାରିଆ ଅତୀତ କଥା । ତାଙ୍କର ଜୀବନ ଉପରେ ଦୁଃଖ, ଅତ୍ୟାଚାର ଓ ନୈରାଶ୍ୟର କେତେ ଝଡ଼ଝଞ୍ଜା ବହି ଯାଇଛି । ଭୁଲି ଯିବାକୁ ଚେଷ୍ଟାକଲେ ମଧ୍ୟ ଗତ କଥା ଭୁଲି ହେଉ ନାହିଁ । ତୁହାଇ ତୁହାଇ ମନକୁ ଆସୁଛି । ତୁହାଇ ତୁହାଇ ମନକୁ ଘାଣ୍ଟି ଚକଟି ଆକୁଳ ବିକଳ କରି ଅତି କଲବଲ କରୁଛି ।

 

ଅତି ଭୟଙ୍କର ଅନ୍ଧାରୀ ଅତୀତର କଥା–

ରଜାଘର ବେଠି । ଟିକିଏ ଖଇଚା ହେଲେ ପିଠିରେ ବେତବାଡ଼ି ଗର୍ଜିଯାଏ । ପୁଷମାସର ହାଡ଼ଭଙ୍ଗା ଶୀତ କି ଧାରା ଶ୍ରାବଣର ସାତ ଦିନିଆ କୋହଲା ଝଡ଼ିରେ ଲୋକେ ଘରୁ ପଦାକୁ ଗୋଡ଼ କାଢ଼ିଲେ ହେମାଳି ହୋଇଯାଏ, ସନ୍ନିପାତ ହୁଏ । କିନ୍ତୁ, ରଜାଘର ବେଠିଆଙ୍କ ଜୀବନ ପଥରରେ ଗଢ଼ା । ଖରା, ଶୀତ, ବର୍ଷା ସବୁଥିକି ପିଠି ଦେଖାଇ ଦେବାକୁ ହେବ । ବଜ୍ର ପଡ଼ିଲେ ବି ପିଠିରେ ସହିବାକୁ ହେବ ।

 

ଏକୁଟିଆ ଲୋକ । ଘରେ ସ୍ତ୍ରୀ ପୁତ୍ରକୁ ଛାଡ଼ି ସେ ବେଠି କରିବାକୁ ଯାଇଥିଲେ । ଆଉ କେହି ନ ଥିଲେ । ତାଙ୍କ ପ୍ରାଣର ସୁନୀତି, ତାଙ୍କ ହୃଦୟର ମଣି ଅଜୟକୁ ଛାଡ଼ି ସେ ବେଠିକି ବାହାରିଥିଲେ । ଏତେ ଦୁଃଖକଷ୍ଟ ସେ ସହିଥିଲେ କାହାପାଇଁ ?

 

ବେଠିରୁ ଫେରି ଦେଖିଲେ, ଘର ଶୂନ୍ୟ । ସୁନୀତିକୁ ରଜାଘର ଲୋକେ ଧରି ନେଇଛନ୍ତି-। ଅଜୟର କଥା କେହି କହିପାରିଲେ ନାହିଁ । ତଳେ ମୁହଁ ମାଡ଼ି ପଡ଼ଚି ସେ କେତେ କଥା କେହି କହି ପାରିଲେ ନାହିଁ । ତଳେ ମୁହଁ ମାଡ଼ି ପଡ଼ି ସେ କେତେ କାନ୍ଦିଲେ । ଅରାଣ୍ୟରେ ଘର, ଅରଣ୍ୟରୋଦନ ।

 

ପାଗଳ ପରି ଛୁଟି ଆସିଲେ । ଗାଁ ଲୋକ ଯିଏ ଯେତେ ବୁଝାଇଲେ ସେ ବୁଝିଲେ ନାହିଁ-

 

ଜଳସ୍ରୋତ ପରି ସମୟରେ ସ୍ରୋତ ଅନନ୍ତକାଳ ସିନ୍ଧୁ ଆଡ଼କୁ ବହି ଚାଲିଗଲା । ଜୀବନର ପନ୍ଦର ବର୍ଷ ଆଖିପିଞ୍ଛଡ଼ା ପରି କଟିଗଲା ।

 

କେତେ ଖରା, ବର୍ଷା, ଶୀତ ତାଙ୍କରି ପିଠି ଉପରେ ନାଚିଗଲେ । କଳା ବାଳ ଧଳା ହେଲା । ତଥାପି ତାଙ୍କ ପ୍ରାଣର ସୁନୀତି ଓ ଅଜୟକୁ ଭୁଲି ପାରିଲେ ନାହିଁ ।

 

ଶ୍ରୀକ୍ଷେତ୍ର, ପ୍ରୟୋଗ, କାଶୀ, ହରିଦ୍ୱାର, ରାମେଶ୍ୱର, ଦ୍ୱାରକା କେତେ ତୀର୍ଥ, କେତେ ଦେଶ ବୁଲିଲେ, କେତେ ସାଧୁସନ୍ଥ, ମହାପୁରୁଷମାନଙ୍କଠାରୁ ସଦୁପଦେଶ ଲାଭ କଲେ, ତଥାପି ଅବୋଧ ମନରୁ ସ୍ମୃତିର ଛାୟା ପୋଛି ପାରିଲେ ନାହିଁ ।

 

ସଂସାରରେ ଏତେ ବଣ ପାହାଡ଼ ଥାଉଁଣୁ ସେ ସୁରଙ୍ଗ ଦେଶର ବିଛାମାଳ ପର୍ବତରେ ଆଶ୍ରୟ ନେଇଛନ୍ତି କାହିଁକି? କେବେ କେଉଁଠି ସୁନୀତି ଓ ଅଜୟର ଦେଖା ପାଇବେ ବୋଲି ପରା !

 

ବାବାଜୀ ମହାରାଜ, ବଜ୍ରଗମ୍ଭୀର ସ୍ୱରରେ ଅଜୟ ଡାକିଲା ।

ବାବଜୀ ମୁଣ୍ଡ ଟେକି ଚାହିଁଲେ ।

ପୁଣି ସେହି ଯୁବକ ଫେରି ଆସି ଆଗରେ ଠିଆ ହୋଇଛି । କି ସୁନ୍ଦର ମୁହଁ । ଆଖିର ଉଜ୍ଜ୍ୱଳ ତେଜରେ ମୁହଁଟି ଆହୁରି ସୁନ୍ଦର, ଆହୁରି ପ୍ରଦୀପ୍ତ ଦେଖାଯାଉଛି ।

 

ଆତ୍ମାରାମଙ୍କର ଆତ୍ମା ବ୍ୟାକୁଳ ହୋଇ ଉଠିଲା । ମନ ଯୁବକ ଆଡ଼କୁ ଧାଇଁଲା । ସେ ଏକ ଦୃଷ୍ଟିରେ ଚାହିଁ ରହି ଧୀରେ ଧୀରେ ଭଙ୍ଗା ସ୍ୱରରେ କହିଲେ, ପୁଣି ଫେରିଲେ କାହିଁକି ବାବୁ, ସଞ୍ଜ ହୋଇ ଆସୁଛି, ବଣ ଜଙ୍ଗଲ କଥା, ବାପ ମା ତେଣେ ଦକ ଦକ ହେଉଥିବେ । ବେଳ ଥାଉଣୁ ଘରକୁ ଫେରିଯାଅ ।

 

ଅଜୟର ଆଖିରେ ଲୁହ ଛଳ ଛଳ ହେଲା । ସେ କହିଲା, ଖୋଜି, ଖୋଜି ପାଷଣ୍ଡକୁ ପାଇଲି ନାହିଁ ।

 

ଯମଦୂତ ପରି ଚାରିଜଣ ଲୋକ । ସଙ୍ଗରେ ନଳୀ ଅଛି ।

–ମୁଁ ତୁମ ପରି କାପୁରଷ ନୁହେଁ । ବାବଜୀ ମାହାରାଜ । ଆଖି ଆଗରେ ନିରୀହ ଗ୍ରାମ ବାଳିକା ଉପରେ ଅତ୍ୟାଚାର । ଶେଷରେ ତାଙ୍କରି ହାତରେ ତା’ର ମରଣ । ତମର ଛାତି ସହିଲା କିପରି ? ତମର ଆଖି ଫୁଟିଗଲା ନାହିଁ ।

 

ବାବାଜୀ କୁଣ୍ଠିତ ହୋଇ କହିଲେ ! ଯେତେ ବୁଝାଇଲେ ସେମାନେ ଶୁଣିଲେ ନାହିଁ । ଗୋଡ଼ ତଳେ ପଡ଼ିଲେ ବି ଅନାଇଲେ ନାହିଁ ।

 

ଅଜୟ ଉତ୍ତେଜିତ ହୋଇ କହିଲା, ତୁମ୍ଭେ ମୂର୍ଖ । ଏ ମୂଲକରେ ତର୍କର ସାହାଯ୍ୟ ଯେ ଲୋଡ଼େ, ସେ ନିର୍ବୋଧ । ତର୍କରେ ଘାସପତ୍ରଟିଏ କେହି କେବେ ଛିଣ୍ଡାଇ ପାରିନାହିଁ । ଅଭିଶାପ ଦେଲେ, ଅକଲ୍ୟାଣ କଲେ, କେଉଁ ଦୁର୍ବୃତ୍ତର ଅଗଗୋଡରେ କଣ୍ଟାଟିଏ ଭୁକେ ନାହିଁ । ହାତ ଗୋଡ଼ ଛିଣ୍ଡି ନ ଯାଉଣୁ ତୁଣ୍ଡର କଥାରେ ସେ କାର୍ଯ୍ୟ ସାଧନ କରିବାକୁ ବସେ, ସେ ନିର୍ବୋଧ । ତୁମେ ତାଙ୍କୁ ବାଧାଦେଇ ପାରିଥାନ୍ତ ।

 

ସେମାନେ ରାଜଦୂତ, ଲଜ୍ଜିତ ହୋଇ ବାବାଜୀ କହିଲେ ।

ସ୍ୱୟଂ ରାଜା ପ୍ରପଞ୍ଚ ସିଂହ ହୋଇଥିଲେ ମଧ୍ୟ କ୍ଷତି ନାହିଁ । ଅନ୍ୟାୟ ବିରୁଦ୍ଧରେ ହାତ ଉଠାଇବାର ଅଧିକାର ସମସ୍ତଙ୍କର ଅଛି ।

 

ବାବା, କ୍ଷମତା ଅଛି କେତେଜଣଙ୍କର ? କ୍ଷମତା ନାହିଁ ବୋଲି ଅନ୍ୟାୟ ଅତ୍ୟାଚାର ଓ ଅବିବେକତା ବିରୁଦ୍ଧରେ ପଦେ କହିବାକୁ ସୁରଙ୍ଗ ରାଜ୍ୟରେ କାହାରି ସାହସ ହେଉନାହିଁ । ମୋ କଥା କହିଲ ଯେ, ମୋର କି ଶକ୍ତି ଅଛି ? ସଂସାର ବିରାଗୀ ସାଧୁ ସନ୍ୟାସୀଙ୍କର ସଂସାର ଜଞ୍ଜାଳ ସଙ୍ଗେ ସମ୍ବନ୍ଧ କଅଣ ?

 

ଅଜୟ କହିଲେ, ଭଗବାନ ଆପଣଙ୍କୁ ମଣିଷ କରି ସଂସାରକୁ ପଠାଇଲେ କାହିଁକି ? ଯେଉଁ ଲୋକ ସମାଜ ସଂସାରରୁ ବହୁ ଦୂରରେ ବଣଜଙ୍ଗଲରେ ବାସକରେ, ତାକୁ ମୁଁ କହେ ପଶୁ । ସେ ଭୀରୁ, କାପୁରୁଷ । ତାର ମରଣ ଭଲ ।

 

ଭଗବାନଙ୍କର ସେବା କରିବ କିଏ ?

ଭଗବାନ କ’ଣ ଏଡ଼େ ଛୋଟ, ଏଡ଼େ ହୀନ ଓ ଦୁର୍ବଳ ଯେ ସେ ଚାହାନ୍ତି ମଣିଷର ସେବା ? ଯେ ମଣିଷ ଜାତିର ସେବା କରି ନ ଶିଖିଛି, ସେ ସେବକ ନୁହେଁ । ଆଉ ଭଗବାନଙ୍କର କିପରି ସେବା ତୁମେ କର ? ଦେଖିଛି, ଅନେକ ଲୋକ ଭଗବାନ ବୋଲି କାଠ ପଥରକୁ ପୂଜା କରନ୍ତି । କେହି କେହି ଗୀତ, ଶ୍ଳୋକ ବୋଲି ତାଙ୍କର ପ୍ରଶଂସା କରନ୍ତି । ଏହାରି ନାମ ପୂଜା ?

 

ଏସବୁ କରାଯାଏ ମନରେ ପବିତ୍ରତା ଆଣିବାପାଇଁ, ଆତ୍ମାର ମଙ୍ଗଳ ପାଇଁ । ସଦୁପଦେଶଦ୍ୱାରା ଲୋକଙ୍କୁ ଅନ୍ୟାୟ ପଥରୁ ନ୍ୟାୟ ଏବଂ ସତ୍ୟପଥକୁ ଟାଣି ଆଣିବାହିଁ ସନ୍ୟାସୀର କର୍ତ୍ତବ୍ୟ । ମୁଁ ଭାବେ, ତାହାହିଁ ଭଗବାନଙ୍କର ପ୍ରକୃତ ସେବା ।

 

ଅତି ଦୁର୍ବଳତମ ସେବାର ଧାରଣା । ଉପଦେଶଦ୍ୱାରା ଯଦି ଲୋକଙ୍କୁ ସତ୍ୟପଥକୁ ଆଣି ପାରୁଥାନ୍ତ, ତମରି ଆଖି ଆଗରେ ଏପରି ଘଟଣା ଘଟି ନ ଥାନ୍ତା । ସୁରଙ୍ଗ ରାଜ୍ୟରୁ ଅତ୍ୟାଚାର କେବେଠୁ ଲୋପ ହୋଇସାରନ୍ତାଣି । ଉପଦେଶ ସଙ୍ଗେ ଆହୁରି କିଛି ଲୋଡ଼ା ଅଛି । ସେତକ, ସେହି ସାହସଟିକର ଯଦି ତୁମଠାରେ ଅଭାବ ନ ଥାନ୍ତା, ଆଜି ତୁମେ ନାରୀଘାତକ ହୋଇ ବସି ନ ଥାନ୍ତ-

 

ଆତ୍ମାରାମ ନୀରବ, ଚିନ୍ତାମଗ୍ନ ।

ଅଜୟ ପୁଣି କହିଲା, କହିପାର ସଂସାରର ଭଲ ମନ୍ଦରେ ତୁମେ ନ ଥାଅ । ତୁମର ଶରୀର, ମନ ଓ ଜୀବନପାଇଁ ସମାଜ ନିକଟରେ ତୁମେ ଋଣୀ । ଜୀବନ ଦେଇ ଯଦି ସମାଜରେ ସେହି ଋଣ ଶୁଝାଇ ପାରନ୍ତ, କିମ୍ବା ଶୁଝିବାକୁ ଚେଷ୍ଟା କରନ୍ତ, ତେବେ ତୁମର ଜୀବନ ସାର୍ଥକ ହୁଅନ୍ତା-

 

ଆତ୍ମାରାମ ଦୀର୍ଘଶ୍ୱାସ ଛାଡ଼ିଲେ ।

ଅଜୟ କହିବାକୁ ଲାଗିଲା, କାହିଁକି ଲୋକେ ଏହିପରି ସନ୍ୟାସୀମାନଙ୍କର ପୁଜା କରନ୍ତି-? ଯେଉଁ ଲୋକ ସକାଳୁ ସଞ୍ଜଯାଏ ବିଲରେ ପଡ଼ି ମୂଲ ଲାଗେ, ତା’ର ସମୟ ଓ ଜୀବନର ମୂଲ୍ୟ ଏମାନଙ୍କଠାରୁ ଅଧିକ । ଉଠ ବାବାଜୀ, ଏତେ ଆଉ ଭାବୁଛ କଅଣ ? ନିଲଠା ମୁହଁରେ ଲୁହ ଗଡ଼ାଇଲେ କିଛି ଫଳ ହେବ ନାହିଁ । ତୁମର ସ୍ୱର୍ଗବାସନା, ତୁମର ଭଗବାନଙ୍କୁ ତୁମେ ମନରେ ସବୁବେଳେ ରଖିଥାଅ । କେହି ତୁମକୁ ମନା କରୁନାହିଁ । କିନ୍ତୁ ହାତ ଯୋଡ଼ିକ କାମରେ ଲାଗିଥାଉ ।

 

ଆତ୍ମାରାମ କହିଲେ, କି କାମ କରିବାକୁ କହୁଛ ?

–ଯାହା ଇଚ୍ଛା । ଅଳସୁଆ ହୋଇ ବସିବାଠାରୁ ଚୋରି କରିବା ଭଲ; କିନ୍ତୁ ଚୋରି କରିବାକୁ ମୁଁ ତୁମକୁ କହୁ ନାହିଁ । ଆଉ ଏ ମଲା ଦେହଟାକୁ କୋଡରେ ଧରି ବସି କାନ୍ଦ ନାହିଁ । ଚାଲ, ଭବିଷ୍ୟତରେ ଯେପରି ଏପରି ଘଟଣା ନ ଘଟେ ତାର ଚେଷ୍ଟା କର ।

 

–କଅଣ କରିବାକୁ କହୁଛ ? ଯେ ଯେପରି ବୁଝେ ସେ ସେପରି କରିବାକୁ ଭଲ ପାଏ । କିନ୍ତୁ ବାବୁ, ତୁମରି କଥା ଶୁଣି ମନ ଘାଣ୍ଟି ଚକଟି ହେଉଛି ।

 

–ଏ ଅରଣ୍ୟରେ ତୁମକୁ ଆଉ ରହିବାକୁ ହେବ ନାହିଁ । ଆଖି ଆଗରେ ଯାହା ଦେଖିଛ, ଯାଅ, ରାଜାଙ୍କ ଆଗରେ କହିବ । ମୁଁ ତୁମର ପଛରେ ଥିବି । ଦେଖାଯାଉ, ସେ ଏହାର କି ବିଚାର, କି ପ୍ରତିକାର କରୁଛନ୍ତି ।

 

ବିଚାର କଅଣ ହେବ ଆତ୍ମାରାମଙ୍କୁ ଅଜଣା ନାହିଁ ।

ଦିନକର ଘଟଣା ମନେପଡ଼ିଲା–

ତାଙ୍କ ଗାଁରେ ଗୋଟିଏ ପାଗଳ ବୁଲୁଥାଏ । ତା ନାଁ ଜଗା । ଏ ଖବର ରାଜାଙ୍କ କାନରେ ପଡ଼ିଲା । ତାଙ୍କ ଦେହ ସହିଲା ନାହିଁ । କିଏ ଦିନେ ଜଗୁ କୁ ଦି ଚାପୁଡ଼ା ମାରିବାରୁ ସେ କାନ୍ଦିଲା । ରାଜାଘର ସିପାହୀ ଏ ଖବର ପାଇ ଗୋଟି ଗୋଟି କରି ବାଛି ଗାଁର ବଡ଼ମୁଣ୍ଡିଆଙ୍କୁ ଧରି ନେଇଗଲେ । ଜଗାକୁ ମଧ୍ୟ ଗଡ଼କୁ ନେଇଗଲେ ।

 

ଫିସାଦ ମନ୍ତ୍ରୀଙ୍କ ଇଜ୍‍ଲାସରେ ବିଚାର ହେଲା । କିଏ ମାରିଛି ଜଗାକୁ ପଚରାଯିବାରୁ ସେ କେତେବେଳେ କାହାକୁ ଦେଖାଇଲା । ଦୋଷ ହେଲା ଗାଁ ଯାକର । ଗାଁ ଯାକର ତିନି ଶହ ଲୋକ ମିଳି ଗୋଟାଏ ପାଗଳକୁ ଦି ଚାପୁଡ଼ା ମାରିଥିଲେ ! ମନ୍ତ୍ରୀ ମହାଶୟ ବିଚାର କରି ଅବସ୍ଥା ଦେଖି ଜୋରିମନା କଲେ ଯେପରି ତିନି ପୁରୁଷଯାଏ କେହି ମୁଣ୍ଡ ଟେକି ଚାଲି ପାରିବେ ନାହିଁ ।

 

ଆତ୍ମାରାମ କହିଲେ, ବିଚାର ହେବ, ମୁଦେଇର ଶୂଳି ଖୁଣ୍ଟ । ମୋର ଆଖି ଦୁଇଟି ଛଡ଼ା ଆଉ କିଛି ପ୍ରମାଣ ନାହିଁ ।

 

ଅଜୟ କହିଲା ସତ କହି ଯଦି ଶୂଳ ଖୁଣ୍ଟରେ ଚଢ଼ିବାକୁ ହୁଏ ତ ତାହାହିଁ ହେଉ । ଦେଶ ଓ ଦଶର ଭଲ କରିବାକୁ ଯାଇ ରକ୍ତ ଢାଳି ଦେଲେ ଆତ୍ମାର ସଦ୍‌ଗତି ହେବ। ଜୀବନ ସାର୍ଥକ ହେବ-

 

ଆତ୍ମାରାମ କହିଲେ, ହେଉ ବାବା । ତୋରି କଥା ମାନି ମୁଁ ରାଜା ଆଗକୁ ଯିବି । ତୁ ମୋର ପଛରେ ଥିବୁ । ଚାଲ-

 

ସଞ୍ଜ ଅନ୍ଧାର ଘୋଟି ଆସୁଥାଏ ।

ଆତ୍ମାରାମଙ୍କର ପଛେ ପଛେ ଅଜୟ ବାଙ୍କୁଲି ବନପଥରେ ଚାଲିବାକୁ ଲାଗିଲା । ସେ ଜାଣେ ଅଦୂରରେ ତାର ବନ୍ଧୁମାନେ ତାକୁ ଅପେକ୍ଷା କରି ରହିଥିବେ । ମୃତ ବାଳିକାର ଶବଟି ସେଇଟି ପଡ଼ି ରହିଲା । କେଉଁ ଅଜଣା ଦରିଦ୍ର କୋଳର କନ୍ୟା ସେ । ତା ପାଇଁ ଦୁଃଖ କରି ଆଉ ଲାଭ ନାହିଁ । ରାତି ପାହିଲାବେଳକୁ ତା’ର ଅବଶେଷ ନ ଥିବ । ପ୍ରତିକାର କରିବାହିଁ ପ୍ରଧାନ କର୍ତ୍ତବ୍ୟ ।

Image

 

ଆଖି ଖୋଲିଲା

 

ଉଦୁଉଦିଆ ଦି ପହର । କୁଆ-କୋଇଲିର ରାବ ନାହିଁ । ଗାଁଟିକୁ ନୈରାଶ୍ୟ ଘୋଡ଼ାଇ ରଖିଛି । ଭାଗବତ ଟୁଙ୍ଗୀର ଦ୍ୱାର ବନ୍ଦ । ଧର୍ମୁ ବୁଢ଼ାଙ୍କର ଧର୍ମଝୁଙ୍କ ମିଳାଇ ଯାଇଛି । ବିଦ୍ରୋହ ବିଶ୍ୱାଳେ ସିପାହୀ ସଙ୍ଗରେ ଗଲାବେଳରୁ କାହାରି ମନରେ ସରାଗ ନାହିଁ । କିଏ କେତେ ପ୍ରକାର ଅମଙ୍ଗଳ କଥା ବିଚାରୁଛନ୍ତି ।

 

ସେହି ଝାଳବୁହା ଉଦଚୁଉଦିଆ ଦି’ ପହରେ ବାବାଜୀ ଆତ୍ମାରାମ ଓ ଅଜୟ ଗାଁ ଭିତରେ ପଶିଲେ । ନିଆଁ ବାଣ ପରି ଖରାତାଉ । ଚାଲି ଚାଲି କ୍ଳାନ୍ତ । ଭାଗବତ ଟୁଙ୍ଗୀରେ କାହାକୁ ନ ପାଇ ସିଧା ବିଶ୍ୱାଳଙ୍କ ଘରମୁହାଁ ହୋଇ ଚାଲିଲେ । ଘୋଡ଼ାର ଲଗାମ ଧରି ଅଜୟ ଆଗରେ । ପଛରେ ବାବାଜୀ ଆତ୍ମାରାମ ।

 

ବିଶ୍ୱାଳଙ୍କ ଘର ଆଗରେ ।

ଲୋକବାକର ଦେଖା ନାହିଁ । ଛାଇ ଜାଗା ଦେଖି ଯିଏ ଯେଉଁଠି ପଡ଼ିଯାଇଛନ୍ତି । ଘୋଡ଼ାଟିକୁ ଗଛ ଛାଇରେ ବାନ୍ଧି ବାବାଜୀଙ୍କ ସଙ୍ଗେ ଅଜୟ ଘରେ ପଶିଲା । ଦାଣ୍ଡଘରେ ଖଣ୍ଡେ ମଶିଣା ଉପରେ ତାଙ୍କୁ ବସାଇ ଘର ଭିତରକୁ ଗଲା ।

 

ଶାନ୍ତି ତା’ ପାଖକୁ ଧାଇଁ ଆସିଲା । ଅଜୟର ଝାଳୁଆ ଦେହକୁ ଦୁଇ ହାତରେ କୁଣ୍ଢାଇ ଧରି ପଚାରିଲା, କୁଆଡ଼େ ରହିଲ କାଲି ?

 

ଅଜୟ ସ୍ନେହରେ ତାର ଦରଫୁଟା ପଦ୍ମଫୁଲ ପରି ସୁନ୍ଦର ମୁହଁରେ ଗେଲ କରି ପଚାରିଲା ଶକ୍ତି କାହିଁ ?

 

ଶାନ୍ତିର ମୁହଁ ମଉଳିଗଲା । ଅଭିମାନରେ ଆଖି ଓଦା ହୋଇ ଆସିଲା । ସେ ଭାବିଲା, ଅଜୁଭାଇ ତାକୁ ଭଲ ପାଆନ୍ତି ନାହିଁ । ସବୁବେଳେ ଶକ୍ତି ଶକ୍ତି ହେଉଛନ୍ତି ।

 

ସେ ଛାଟିପିଟି ହୋଇ ତାଙ୍କ ପାଖରୁ ଦୂରେଇଯାଇ କହିଲା, କେଜାଣି ଲୋ, ତୁମ ଶକ୍ତିକୁ ତୁମେ ଜାଣିଥିବ ସିନା, ମୁଁ କିପରି ଜାଣିବି ?

 

ଦଉଡ଼ି ଦଉଡ଼ି ସେ ତଳ ଖଞ୍ଜାକୁ ଚାଳିଗଲା ।

ଆର କଡ଼ ପିଣ୍ଡା ଉପରେ ବସି ଶକ୍ତି ସବୁ ଦେଖୁଥିଲା । ତାର ଅଭିମାନର ସୀମା ନାହିଁ-। ଭଲାରେ ଭଲା, ଅଜୁଭାଇ କାହିଁକି ଶାନ୍ତିକି ଗେଲ କଲା ? ସେ ମତେ ଭଲ ପାଏ ନାହିଁ । ରାଗରେ ତାର ଓଠ ଥରିବାକୁ ଲାଗିଲା । ସେ ଚଙ୍କିଲା ନାହିଁ ।

 

ଅଜୟ ତା ପାଖକୁ ଆସି ପଚାରିଲା, ଶକ୍ତି କଅଣ କରୁଛୁ କି ?

ଶକ୍ତି ଓଢ଼ଣା ଟାଣିଲା ।

 

ଅଜୟ ନଇଁପଡ଼ି ତାର ମୁଣ୍ଡ ଟେକିବାକୁ ଦୁଇ ହାତ ବଢ଼ାଇବାରୁ ସେ ଅଭିମାନିଆ ସ୍ୱରରେ କହିଲା, ଶାନ୍ତିକୁ ଗେଲ କରିବ ଯା, ତୁମେ କଅଣ ମୋତେ ଭଲପାଅ କି ?

 

ଖଞ୍ଜାର ଲୋକେ ଜମା ହୋଇପଡ଼ିଲେ । କରୁଣା ଦେବୀ ଆଖି ଛଳ ଛଳ କରି ଖଣ୍ଡେ ଗାମୁଛାରେ ପୁଅ ଦେହରୁ ଝାଳ ପୋଛିବାକୁ ଲାଗିଲେ । ଶକ୍ତି ବିଛଣା ଧରି ବିଞ୍ଚିବାକୁ ଲାଗିଲା । ସୁନୀତି ଢାଳେ ଥଣ୍ଡା ପାଣି ଆଣି ଗୋଡ଼ ଧୋଇବାକୁ ରଖିଦେଲେ । ଶାନ୍ତିର ମନ ଛକପକ ହେଉଥାଏ । ବାପାଙ୍କୁ ରାଜାଘର ଲୋକେ ଧରି ନେଇଛନ୍ତି, ଏହି ଖବର ସେ କିପରି ଆଗତୁରା ଜଣାଇବ, ସେଇଥିପାଇଁ ସେ ଚିନ୍ତିତା । ମା ମନା କରିଛନ୍ତି, ଅଜୟ ଖାଇ ପିଇ ନ ସାରିବାଯାଏ ସେ କଥା ତାକୁ କେହି କହିବେ ନାହିଁ ।

 

ଅଜୟ ସୁନୀତିକୁ କହିଲା, ଧାଈମା, ଦାଣ୍ଡ ଘରେ ବାବାଜୀ ଆତ୍ମାରାମ ଅଛନ୍ତି । ତୁମେ ତାଙ୍କ ଖବର ବୁଝ । ସେ କେବଳ ଫଳମୂଳ ଖାଆନ୍ତି ।

 

ସୁନିତି ଦାଣ୍ଡ ଘରକୁ ଚାଲିଗଲା ।

ଖିଆପିଆ ସାରି ଅଜୟ ବିଶ୍ରାମ ନେଲା । ଗୋଡ଼ତଳେ ଶାନ୍ତି ବସି ଆଙ୍ଗୁଠି ଫୁଟାଉଛି । ବାପାଙ୍କୁ ରଜାଘର ଲୋକେ ଧରି ନେଇଛନ୍ତି, ଏହି କଥାଟି କହିବାକୁ ମନ ଛକପକ ହେଉଛି, ମା’ଙ୍କ ଡରରେ କହିବାକୁ ସାହସ ହେଉନାହିଁ । ଶକ୍ତି ମୁଣ୍ଡ ଉପରେ ବସି ବିଞ୍ଚୁଚି, କରୁଣା ଦେବୀ ଶୋଇ ପଡ଼ିଛନ୍ତି ।

 

ଶାନ୍ତି ଆଉ ସମ୍ଭାଳି ପାରିଲା ନାହିଁ । ଡରରେ ମାଆଙ୍କ ନିଦ୍ରିତ ମୁହଁକୁ ଚାହିଁ ଧୀରେ କହିଲା, ବାପା କାହାନ୍ତି କହିଲ ?

 

ଅଜୟ ଶକ୍ତିର ବାଁ ହାତଟିକୁ ଟାଣି ଅନ୍ୟମନସ୍କ ହୋଇ କହିଲା, ମୁଁ ଜାଣେ ନାହିଁ ।

ସରମରେ ଶକ୍ତିର ମୁହଁ ଲାଲ ହେଲା । ଶାନ୍ତି ଗୋଡ଼ଘଷା ଛାଡ଼ି ଶକ୍ତି ପାଖକୁ ଘୁଞ୍ଚି ଆସି ଅଭିମାନିଆ ସ୍ୱରରେ କହିଲା, ତୁମେ ଭାରି ଦୁଷ୍ଟ । ଅପାର ହାତକୁ ଟାଣୁଛ କାହିଁକି ?

 

ଅଜୟ କହିଲା, ଆଉ କଣ ତୋ ହାତଟା ଟାଣିବାକୁ କହୁଛୁ ? ଉତ୍ତରକୁ ଅପେକ୍ଷା ନ କରି ଶାନ୍ତିକୁ ପାଖକୁ ଟାଣି ଆଣିଲା ।

 

ଶାନ୍ତି କହିଲା, ଅଜୁଭାଇ, ବାପାଙ୍କୁ ରଜାଘର ଲୋକେ–

–ଚୋପ୍‌ ଡବ୍‌ଡବି, ମାଆଙ୍କୁ ଉଠାଇ ଦେବି ଯେ !

 

ରାଗରେ ଶକ୍ତିର ଆଖି ରଙ୍ଗ ହୋଇଗଲା । ପୁଣି କହିଲା, ମରଣ ନାହିଁ ବୁଢ଼ୀ ନିର୍ଲଜ୍ଜୀଟା-!

 

ଅଜୟ ହସି ହସି କହିଲା, ଉଠିଲୁ ଶାନ୍ତି, ଟୋକୀ ଲାଜକୁଳୀ ଲତାକୁ ଝାଉଁଳେଇ ଦିଏଁ ।

 

ଶାନ୍ତିକୁ ଆଗକୁ ଠେଲି ସେ ଶକ୍ତିକୁ ଛାତି ଉପରକୁ ଆଉଜାଇ ଆଣିଲା । ସତକୁ ସତ ଛୁଇଁଦେଉଣୁ ଲାଜକୁଳୀ ଲତାଟି ପରି ଆଖି ବୁଜି ନଇଁ ପଡ଼ିଲା । ଶକ୍ତିର ଚିବୁକ ଚୁମ୍ବନ କରି ଶାନ୍ତିକୁ ପଚାରିଲା, କଅଣ ରଜାଘର ଲୋକେ– ?

 

ତା’ର ଛାତି ଭିତରେ ବିଜୁଳି ଖେଳିଗଲା । ସେ ଚମକିଲା ପରି ଶକ୍ତିକୁ ଠେଲି ଉଠି ବସିଲା । ସନ୍ଦିଗ୍‌ଧ ନେତ୍ରରେ ଥରେ କରୁଣା ଦେବୀଙ୍କର ପ୍ରଫୁଲ୍ଲ ମୁହଁକୁ ଚାହିଁ ଚକ୍ଷୁ ନତ କଲା ।

 

ଶାନ୍ତି କହିଲା, ରଜାଘର ଲୋକ କାଲିଠାରୁ ବାପାଙ୍କୁ ଧରି ନେଇଛନ୍ତି ।

କରୁଣା ଦେବୀ ଉଠି ବସିଲେ । ତାଙ୍କର ଅଧରଟି ନୂଆ ହସରେ ବିମଣ୍ଡିତ । ଶକ୍ତି ବାଆଁରେଇ ହୋଇ ଉଠି ଚାଲିଗଲା । ତ୍ରସ୍ତ ହୋଇ ଅଜୟ ପଚାରିଲା, ଶାନ୍ତି କଅଣ ସତ କହୁଛି ମା-?

 

କରୁଣା ଦେବୀ କହିଲେ, ହଁ, ଉତ୍ତେଜିତ ହେଲେ ଲାଭ ନାହିଁ । ଆଜି କିଛି ନୂଆ ନୁହେଁ । ତୋର ବାପା ତ କିଛି ଏକା ଯାଇ ନାହାନ୍ତି ।

 

–କାହିଁକି ବାପାଙ୍କର ଅପରାଧ କଅଣ ?

–ଅପରାଧ ଖୋଜୁଛି କିଏ ? ରାଜାଙ୍କର ଇଚ୍ଛାହିଁ ତୋ ବାପାର ଅପରାଧ ।

 

–ଖାଲି ରାଜାଙ୍କର ଇଚ୍ଛା ଅଛି ? ଆମେ କଅଣ ମଣିଷ ନୋହୁ ମା, ଆମର କଅଣ ଇଚ୍ଛା ନାହିଁ ?

 

–ତୁନି ହ ବାପ, ତୁନି ହ ! ଏ ରାଇଜରେ କାନ୍ଥବାଡର ଆଖିକାନ ଅଛି ।

 

ଦୁଇ ଆଖିରୁ ଝରି ଆସିଲା ଲୋତକର ଧାର । କରୁଣା ଦେବୀ କହିବାକୁ ଲାଗିଲେ, ରାଜା ଛାମୁକୁ ସେ ନିର୍ଭୟରେ ଯାଇଛନ୍ତି । ମୁଁ ଜାଣେରେ ବାପ, ତାଙ୍କର ଉପରି ମୁହଁ ତଳକୁ ହେବ ନାହିଁ । ଟେକିଲା ମଥା ବେକରୁ ଖସି ତଳେ ଲୋଟିବ ପଛେ, ଅନ୍ୟାୟ ଓ ଅତ୍ୟାଚାର ପାଖେ ନଇଁ ପଡ଼ିବ ନାହିଁ । ସେ ନିଜେ ଏହା ଜାଣନ୍ତି ଯେ ରାଜାର କୋପ ମରଣକୁ ଡାକି ଆଣେ । କହିଗଲେ, ଅଜୟକୁ କହିବ, ମୋ ପକ୍ଷରେ ଶରଣ ପଶିବା ମରଣଠାରୁ କଷ୍ଟପ୍ରଦ । ସେ ଅପେକ୍ଷା କରିବ, ଦେଖିବ, ଧୈର୍ଯ୍ୟ ଧରି କାମ କରିବ । ପଛରେ ତୁମେ ଅଛ । ଦୁଇ ପାଖେ ଶକ୍ତି ଓ ଶାନ୍ତି ।

ଅଜୟ ହାତ ମୁଠା କରି ଉଠିଲା । କହିଲା, କ୍ଷମା କର, ମୁଁ ତାଙ୍କର ଅବାଧ୍ୟ ପୁତ୍ର । ଯେଉଁ ଦୃଶ୍ୟ କାଲି ଦେଖିଲି, ସେଥିରେ ମୋର ଆଖି ଖୋଲିଗଲା । ଆଉ ମୁଁ ପାରିବି ନାହିଁ । ଅନ୍ଧ ଜନତାର ଆଖି ଖୋଲିବି, ନୋହିଲେ ଆଖି ଫୁଟାଇ ସତକୁ ସତ ଅନ୍ଧ କରିବି । ରାଜାର କୋପକୁ ଲୋପ କରିବାକୁ ହାତ ଟେକି ମୁଁ ପଛେ ଟଳି ପଡ଼ିବି ମା, ହଟିବି ନାହିଁ ।

କରୁଣା କହିଲେ, ବାଇଆ ହଅନା ବାପ ।

ଆଖିରୁ ଲୋତକ ପୋଛି ଅଜୟ କହିଲା, ବାଇଆ ନ ହେଲେ ଜୀବନ ଥାଇ ନିର୍ଜୀବ ପଥର ପରି ପଡ଼ି ରହିବାକୁ ହେବ । ମା, ଯାହା କାଲି ଦେଖିଲି ତୁ ଯଦି ଶୁଣି ଧୈର୍ଯ୍ୟଧରି ରହିପାରିବୁ ତେବେ ତୋର କଥା ମାନି ଘରେ କୋଣରେ ମୁଁ ଲୁଚି ରହିବି । ତୋରି ଶକ୍ତି ପରି ଝିଅଟିଏ, ରଜାର କୁକୁର ଦଳ ଏଇ ରାଇଜର ସିପାହୀ ତାକୁ ଭିଣି ପକାଇଛନ୍ତି । ତାର ଲହୁ ଲୁହାଣ ଶବକୁ ଅରଣ୍ୟ ଭିତରେ ବିଲୁଆ ଓ ଗଧିଆ ପଲ ଏବେ କେଣ୍ଟା କେଣ୍ଟା କରି ଭିଡ଼ିଓଟାରି ଖାଉଥିବେ-। ସେ ଘରକୁ ଚାଲ, କହିବି ।

ନିର୍ଜୀବ ପଥର ମୂର୍ତ୍ତିପରି କରୁଣା ଅଜୟର ପଛେ ପଛେ ଗଲେ ।

Image

 

ମିଳନ

 

ସୁନୀତା ବାବାଜୀ ଆତ୍ମାରାମଙ୍କର ପରିଚର୍ଯ୍ୟାରେ ବ୍ୟସ୍ତ । କି ପରିଚର୍ଯ୍ୟା ବା ସେ କରିବ ? ତାଙ୍କୁ ଦେଖିଲାବେଳକୁ ପେଟ ଭିତରେ ଘାଣ୍ଟି ଚକଟି ହେଉଛି । ତାର ଧାରଣା, ମହାତ୍ମାମାନଙ୍କର କଥା ବେଦର ଗାର । ଯାହା କହିଦେବେ; ଅବିଳକ ଫଳିଯିବ । ଯେତେବେଳେ ବାବାଜୀଙ୍କର ଚରଣ ଧରି ସେ ଭକ୍ତି ଗଦ୍‌ ଗଦ୍ ହୋଇ ପ୍ରଣାମ କଲା, ବାବାଜୀ କଲ୍ୟାଣ କରି କହିଲେ, ପୁତ୍ରବତୀ ହୁଅ ମା !

ମହାତ୍ମାର କଥା, ଟଳିବାର ନୁହେଁ । ପୁତ୍ରବତୀ ହେବ ସେ-ପୁତ୍ରହରା, ସ୍ୱାମୀ ସୁଖ ବଞ୍ଚିତା ଅନାଥ ?

ସୁନୀତିକୁ ଦେଖିଲାବେଳୁଁ ଆତ୍ମାରାମଙ୍କର ମନ ବିଚଳିତ ହୋଇଛି । ସୁଦୀର୍ଘ ପନ୍ଦର ବର୍ଷ ପରେ ଭାଗ୍ୟର, କି ଭାବନାର ଏ କି ବିଦ୍ରୁପ !

ପରୀକ୍ଷା, ନୈତିକ ବଳର ପରୀକ୍ଷା ! ଧୈର୍ଯ୍ୟ, ସହିଷ୍ଣୁତା ଓ ଭକ୍ତିର କଠୋର ଅଗ୍ନି-ପରୀକ୍ଷା ! ମାତ୍ର ଅବିକଳ ସେହିପରି ମୁଖଟି । ପ୍ରଭେଦ, ସମୟର ମଳିନତାର ଅଲକ୍ଷ୍ୟ ପରଶ ! ଚିନ୍ତା ଓ ବିଷର୍ଣ୍ଣତାର ଅଜ୍ଞାତ ମସୀଦାଗ !

ବାବାଜୀଙ୍କ ଆଖିରୁ ଲୁହଧାର ଝରିପଡ଼ିଲା । କିଛି ପଚାରିବାକୁ ସାହସ ହେଲା ନାହିଁ । ବାଦଲଭରା ନୈଶ ଆକାଶରେ ବିଜୁଳିର ଘନ ଘନ କମ୍ପନ ପରି ବାବାଜୀଙ୍କର ଦୁଃଖ ନୈରାଶ୍ୟଭରା ଗଭୀର ଅନ୍ଧାରିଆ ଛାତି ଭିତରେ ଉଦ୍‌ବିଗ୍ନତାର ବିଦ୍ୟୁତ୍ ଘନ ଘନ ଚମକି ଉଠିଲା । ପଚାରିବାକୁ ଆଗ୍ରହ ହେଲା, କିଏ ତୁମେ ମା, କାହାର ପତ୍ନୀ, କାହାର ଜନନୀ, ନାମଟି କଅଣ ?

ତୁଣ୍ଡ ଖୋଲିଲା ନାହିଁ । ଅତୀତ ସ୍ମୃତିର ରୁଦ୍ଧଦ୍ୱାର ଖୋଲିଗଲା । ଆଚମନ ସାରି କଣେଇଁ ଚାହିଁଲେ । ଦେଖିଲେ, ସେ ଏକ ଦୃଷ୍ଟିରେ ଅନାଇଁ ରହିଛି । ଦୁଇଧାର ଅଶ୍ରୁ ମୁଖ ପ୍ଳାବିତ କଲାଣି ।

ସାରା ଶରୀର ଥର ଥର ହୋଇ କମ୍ପୁଛି । ମୁହଁ ଟେକି ଭଲ କରି ଚାହିଁଲେ । ଆଖି ବୁଝିଲା, ମନ ବୁଝିଲା, ଏଇ ତାଙ୍କ ପ୍ରାଣର ସୁନୀତା । ଅଜୟ ଜନନୀ, ତପସ୍ୱିନୀ, ମଉଳା ମଲ୍ଲିକା ସୁନୀତି ! ଅକାରଣ ସିଂହଙ୍କର ରୂପସୀ ରାଇଜର ମନୋହରିଣୀ ମେନକା ସୁନୀତି ! ନା, ସେ ସୁନୀତିର ପ୍ରେତାତ୍ମା । ସନ୍ନ୍ୟାସୀର ସବୁ ତପସ୍ୟାର ଫଳ ଅନଳ ଲଗାଇ ଜାଳିପୋଡ଼ି ଭସ୍ମ କରିବାକୁ ଆଗରେ ଉଭା । ତାଙ୍କର ସୁନୀତି, ସତୀ, ସାଧ୍ୱୀ, ଅମଳିନ ସଜ ସତେଜ ମଲ୍ଲିକା, ଅଜୟ ଜନନୀ, ତାଙ୍କର ହୃଦୟ ମଝିରେ ଆତଯାତ ହେଉଛି ।

ଆତ୍ମାରାମ ଆଖି ବୁଜିଲେ । କାହିଁ, ଭିତରେ ସେ ଦିଶୁନାହିଁ ତ । ସେ ବାହାରେ ଉଭା । ଅତ୍ୟାଚାରିତା କୁଳକାମିନୀ, ପତ୍ନୀ ଓ ଜନନୀ ।

ଆତ୍ମାରାମ ଆଖି ଖୋଲିଲେ । ସେ ନାହାଁନ୍ତି । ସେ ଉଭେଇ ଗଲେଣି । ସେ କହିଗଲେ ସତେକି, ମୁଁ ପତ୍ନୀ ନୁହେଁ, ମୁଁ ଉପାସୀ, ଉଦାସୀ, ଦାସୀ । ଅନୁଶୋଚନା ମୋର କର୍ମ । ସେବା ମୋର ଧର୍ମ । ମୁଁ ପତ୍ନୀ ନୁହେଁ, ମୁଁ ଜନନୀ, କେବଳ ଜନନୀ !

Image

 

ପାଳବିଣ୍ଡା ମନ୍ତ୍ରୀ

 

ମନ୍ତ୍ରୀ ଫିସାଦଙ୍କର ବିଚାରାଳୟରେ ଶ୍ରୀଛାମୁଙ୍କର ବିଜେ ।

ଅନେକ ଗୁରୁତର ଘଟଣାର ମୀମାଂସ ହେବ । ରଜ୍ୟ ଲୋକେ ଦିନୁ ଦିନ ଉଦ୍‍ବାର୍ଯ୍ୟ, ନିର୍ଭୀକ ଓ ବିଦୋହପ୍ରିୟ ହୋଇପଡ଼ୁଛନ୍ତି । ଏହାର ଆଶୁ ପ୍ରତିକାର ନ କଲେ ଅଚିରେ ବିପଦରେ ପଡ଼ିବାକୁ ହେବ । ଲୋକଙ୍କୁ ଚିରଦିନ ରାଜଭକ୍ତ କରି ରଖିବାର ଅନେକଗୁଡ଼ିଏ ଉପାୟ ସ୍ଥିର କରାହୋଇଛି । ମନ୍ତ୍ରୀଙ୍କ ମସଲାଭରା ମଗଜ୍‌ରୁ ଯେଉଁ ସୁଚିନ୍ତିତ ପ୍ରସ୍ତାବ ବାହାରେ, ତାହା ବିରୁଦ୍ଧରେ ପ୍ରତିବାଦ କରି କହିବାକୁ କାହାରି ମୁଣ୍ଡ ନାହିଁ । କହିଲେ ମୁଣ୍ଡ ରହିବ ନାହିଁ । ତେବେ ବୁଦ୍ଧିମାନ ମନ୍ତ୍ରୀ ଜାଣନ୍ତି, କୌଣସି କାମରେ ତରବର କରି ହାତ ପକାଇବା ସୁବିଧାଜନକ ନୁହେଁ କିମ୍ବା ସେପରି ଫଳପ୍ରଦ ହେବ ନାହିଁ ।

 

ଲୋକଙ୍କର ରାଜଦରବାର ପ୍ରତି ଅଶ୍ରଦ୍ଧା ଓ ବିଦ୍ରୋହ ପ୍ରତି ଝୁଙ୍କ ହେବାର ପ୍ରଧାନ କାରଣ ଶିକ୍ଷା । ଲୋକେ ଶିକ୍ଷିତ ହେଲେ ତାଙ୍କର ଆଖି ଫିଟିବ । ବୁଝିବାର ଓ ନ୍ୟାୟଅନ୍ୟାୟ ବିଚାର କରିବାର ଶନ୍ତି ବଢ଼ିବ । ଚିଠିପତ୍ରଦ୍ୱାରା ମନର ଭାବ ବ୍ୟକ୍ତ କରି ଭାବ ଓ ମତାମତ ଆଦାନପ୍ରଦାନ କରିପାରିବେ । ବିଦେଶରୁ ଆସୁଥିବା କାଗଜ ପଢ଼ି ଅନ୍ଧାରି ମୁଲକର ବାହାର ଦେଶମାନଙ୍କରେ ଘଟୁଥିବା ଘଟଣା ପ୍ରକାଶ କରି ବାହାର ଲୋକଙ୍କର ସହାନୁଭୂତି ଆକର୍ଷଣ କରିପାରିବେ । ଅତଏବ, ଏହି ସମସ୍ତ ବିପଦରୁ ରକ୍ଷା ପାଇବାକୁ ଅନ୍ଧାର ମୁଲକରୁ ଅଧିକାଂଶ ବିଦ୍ୟାଳୟ ଉଠାଇ ଦିଆଗଲା । ବିନାନୁମତିରେ ଲୋକେ ପାଠଶାଳା ସ୍ଥାପନ କରିପାରିବେ ନାହିଁ ବୋଲି ଆଦେଶ ହେଲା ।

 

କୌଣସି ଲୋକ ଅନ୍ଧାରି ମୁଲକରୁ ବାହାରକୁ ଯାଇପାରିବ ନାହିଁ କିମ୍ବା ବାହାରର କେହି ବିନାନୁମତିରେ ଦେଶ ଭିତରକୁ ଆସିପାରିବ ନାହିଁ ।

 

ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଏହିପରି କଡ଼ା ଆଇନ ଜାରି । ଲୋକଙ୍କର ଢଙ୍ଗଢାଙ୍ଗ ବୁଝି ଗୁପ୍ତ ବିଭାଗକୁ ଖବର ଦେବାପାଇଁ ଅନେକ ଗୁଇନ୍ଦାମାନଙ୍କ ନିଯୁକ୍ତି । ବିନା ପ୍ରମାଣରେ, ବିନା ବିଚାରରେ ଗୁଇନ୍ଦାମାନଙ୍କର କଥାକୁ ବିଶ୍ୱାସ କରି ରାତି ଦି’ପହରେ ନିର୍ଦ୍ଧୋଷକୁ ଶୁଳିଖୁଣ୍ଟରେ ଚଢ଼ାଇବାକୁ ମଣିମା ପଛଘୁଞ୍ଚା ଦିଅନ୍ତି ନାହିଁ । ଏପରି ସୁବିଧା ପାଇ ଖଳଲୋକେ ସ୍ୱାର୍ଥସିଦ୍ଧିପାଇଁ ଗୁଇନ୍ଦା ହେବାକୁ ଲାଳାୟିତ । ଦଶ ପଚାଶ ଲାଞ୍ଚ ଦେବାକୁ ପଡ଼ିଲେ ମଧ୍ୟ ଘରଣୀମାନଙ୍କ ହାତରୁ କଂସାଖଡ଼ୁ ବନ୍ଧା ପକାଇବାକୁ କୁଣ୍ଠିତ ହୁଅନ୍ତି ନାହିଁ ।

 

ପ୍ରଭୁଭକ୍ତ ବଳବନ୍ତ ସା ଗୁପ୍ତ ବିଭାଗର ଚାଳକ ଓ ସର୍ଦ୍ଦାର ହୋଇଛନ୍ତି । ଅକାରଣଙ୍କ ଅମଳରୁ ଦକ୍ଷତାର ଓ ବିଶ୍ୱାସର ବହୁ ପ୍ରଣାମ ସେ ଦେଇସାରିଛନ୍ତି ।

 

ସମସ୍ତେ ଦେଲେ ଟାଙ୍ଗିଆ ଦୋଷ ।

ସେହି ପାତିମୁହାଁ ଲୁହା ଚାଖଣ୍ଡକ ଜଙ୍ଗଲର ସବୁ ଗଛଙ୍କର ବଂଶନାଶ କରୁଛି । ଦୟାମାୟା ଟିକିଏ ହୋଇ ନାହିଁ । ଟାଙ୍ଗିଆ ବିଚରା ଶୁଖିଲା ହସି ହସି କହିଲା, ଆରେ ବାପା, ମୋ ଦୋଷ ଦେଉଛ କାହିଁକି ? ମୋ ଦାନ୍ତ ପୋକ କାଟିଲେ ମୁଁ ମୋର କାନ୍ଦି ବୋବାଇ କର୍ମକୁ ଆଦରି ପଡ଼ି ରହନ୍ତି । ତମରି ଭାଇ ଭିତରୁ ତ ଜଣେ ମୋ ଗଣ୍ଡିରେ ଲାଗି ବିଭୀଷଣତ୍ୱ କରୁଛି ।

 

ସତକଥା । ସବୁ ଯୁଗରେ, ସବୁ ଦେଶରେ ଏହି ବିଭୀଷଣଗୁଡ଼ା ସର୍ବନାଶର ମୂଳ । ବିଭୀଷଣପାଇଁ ଲଙ୍କା ଧ୍ୱଂସ ହେଲା । ବିଭୀଷଣ ପାଇଁ କେତେ ସୁଖର ସଂସାର ପୋଡ଼ି ଜଳି ଧୂଳିରେ ମିଶିଲା ।

 

ଧନହିଁ ପ୍ରଭୁତ୍ୱ ଏବଂ ଶକ୍ତିର ପ୍ରଧାନ କାରଣ । ଧନସମ୍ପତ୍ତି ଗର୍ବରେ ଲୋକେ ଠାକୁରଙ୍କ କଥା ତ ନିଆରା, ଏପରି କି ବାପାକୁ ମଧ୍ୟ ପାଶୋରି ପକାନ୍ତି । ଧନୀ ହେଲେ ଧନର ପ୍ରଭାବରେ ଲୋକେ ବିପକ୍ଷରେ ଉଠିବେ । ଅତଏବ ଯେ କୌଣସି ଉପାୟରେ ଲୋକଙ୍କୁ ନିର୍ଦ୍ଧନ କରି ଦୁର୍ବଳ କରିବା ଦରକାର । ତେଣୁ ଲୋକଙ୍କୁ ଦରିଦ୍ର କରିବାର ଅନେକ ଉପାୟ ସ୍ଥିର କରାଗଲା ।

 

ନାନାଦି ପ୍ରକାର କର ଖଞ୍ଜାଗଲା ।

ବ୍ୟବସାୟକ୍ଷେତ୍ରରେ ମନ୍ତ୍ରୀ ମହାଶୟଙ୍କର ବୁଦ୍ଧି ତୀକ୍ଷ୍‌ଣ । ଭିତିରିଆ ଲୋକଙ୍କଦ୍ୱାରା ଭାଉକୁ ଅଭାଉ କରି ପ୍ରଜାଙ୍କଠାରୁ ନାମମାତ୍ରକ ମୂଲ୍ୟ ଦେଇ ଧାନ, ଚାଉଳ ପ୍ରଭୃତି ଫସଲ କ୍ରୟ କରାଯାଏ ଏବଂ ଚଢ଼ା ମୂଲ୍ୟରେ ରପ୍ତାନୀ କରି ପ୍ରଚୁର ଅର୍ଥ ଲାଭ କରାଯାଏ । ଲୋକେ କହନ୍ତି, ବ୍ୟବସାୟଲବ୍‌ଧ ଧନଟା ମନ୍ତ୍ରୀ, ଅନ୍ୟାନ୍ୟ ରାଜକର୍ମଚାରୀ ଏବଂ ସେମାନଙ୍କର ପାର୍ଶ୍ୱଚରମାନଙ୍କର ଭଣ୍ଡାର ପୂର୍ଣ୍ଣ କରେ ।

 

ଏତେ ଉପାୟ ସତ୍ତ୍ୱେ ଲୋକେ ଧନୀ ହେବାକୁ ବସିଲେ ଗୁପ୍ତଚର ଏବଂ ଗୁଇନ୍ଦାମାନଙ୍କ ଅପାର କରୁଣାରୁ ସେମାନଙ୍କୁ ମିଛ ମୋକଦ୍ଦମାରେ ସମ୍ପୃକ୍ତ କରି ଜୋରିମାନାସ୍ୱରୂପ ସର୍ବସ୍ୱ ଅପହରଣ କରାଯାଏ । ବାଘ ନେବା ଅପେକ୍ଷା ଘୋଷରାଟା ବାଧେ ବେଶି ।

Image

 

ହଳଧରଙ୍କ ବିଚାର

 

ଆଜି ଚାରିନମ୍ବର ମକଦ୍ଦମା । ପନିକି ପକାଇ ବୁଢ଼ୀମାଇପିଙ୍କ ପରିବାକଟା ପରି ମନ୍ତ୍ରୀଙ୍କ ବିଚାର । ସାକ୍ଷୀ ଗୁହା ଦରକାର ନାହିଁ । ଆଇନ୍‌କାନୁନ୍ ଜାଣନ୍ତି ନାହିଁ । ଆଇନ୍ ଏହି ମଣିଷ ଗଢ଼ିଛି । ମନ୍ତ୍ରୀଙ୍କ କଲମର ଗାର ଯେ ବେଦର ଗାର । ସେଇତ ଆଇନ୍‍ କାନୁନ୍‍ । ଯେତେବେଳେ ଯେପରି ଲୋଡ଼ା ।

 

ହଳଧର ବିଶୋଇ ନିହାଲ ଗାଁର ଜଣେ ନାମଜାଦା ଚାଷୀ । ସାତ ପୁରୁଷରୁ ଶ୍ରୀଛାମୁଙ୍କର ଅତି ଅନୁଗତ ପ୍ରଜା । ଯାହା ଆଦେଶ ହୁଏ, ବିନା କାଳବ୍ୟୟରେ ହଳଧର ଛାମୁରେ ହାଜର କରନ୍ତି । ନିଜେ ପଛେ କଷ୍ଟ ପାଉନ୍ତୁ, ବଡ଼ରୁ ଛୋଟଯାଏ ସଭିଙ୍କୁ ସେ ସନ୍ତୋଷ କରି ରଖିଥାନ୍ତି । କାହାକୁ ଧନ ଦଉଲତ ଦେଇ, କାହାର ହାତ ଓଠ ଧରି, କାହା ପାଇଁ ଉପରେ ପଡ଼ି ଚାରି ପାଇଟି କରି ଶରଣ ପଶିବା ତାଙ୍କର ଲକ୍ଷଣ । ଝଡ଼ ତୋଫାନ ଆସିଲେ ଆଖି ବୁଜି ମୁଣ୍ଡ ନୂଆଁଇ ପିଠିରେ ମାଡ଼ ସହିବା ତାଙ୍କର ପ୍ରକୃତି ।

 

ହଳଧରଙ୍କ ଗୃହୋଦ୍ୟାନରେ ଫୁଟିଥିଲା ଫୁଲରାଣୀ ଗୋଲାପ । ଗୋଟିଏ ବୋଲି ଝିଅ-। ଦଶଦିଗ ମହକି ଉଠିଲା ।

 

ରାଜା ପ୍ରପଞ୍ଚ ଯେତେବେଳେ ଫୁଲରାଣୀ ଗୋଲାପର ସୌରଭାକୃଷ୍ଟ ହେଲେ ଏବଂ ସୌନ୍ଦର୍ଯ୍ୟ ବିମୋହିତ ହେଲେ, ସେ ଆଉ ପ୍ରାଣର ଉଦ୍‌ବେଗ ସମ୍ଭାଳି ପାରିଲେ ନାହିଁ । ଆହା ପ୍ରପଞ୍ଚଙ୍କର ହୃଦୟର କୁସୁମହାର ମଧ୍ୟରେ ଯଦି ସେ ପଦକ ପରି ଝୁଲନ୍ତା ।

 

ହଳଧର ଏଥିରେ ରାଜି ହୁଅନ୍ତେ କିପରି ? ହୃଦୟର ପ୍ରୀତି ଢାଳିଦେଇ ଯେଉଁ ବାଳିକାଟିକୁ ବଢ଼ାଇ ଆଣିଛନ୍ତି, ନିଜ ହାତରେ ତାକୁ ଛିଣ୍ଡାଇ ନିଆଁରେ ପକାଇବେ ? ଛାତି ଦେଖାଇ ଦମ୍ଭ ହୋଇ ଏକୁଟିଆ ଗଛ, ପ୍ରବଳ ତୋଫାନରେ ବିପକ୍ଷରେ କେତେକାଳ ଠିଆ ହୋଇପାରିବ ? ଶେଷକୁ ଭାଙ୍ଗିଗଲା । ଫୁଲଟିକୁ କିଏ କାହିଁ ଛିଣ୍ଡାଇ ନେଇଗଲା । ଅଭିଯୋଗ କରିବାକୁ ଆସି ଆଜି ସେ ନିଜେ ଅଭିଯୁକ୍ତ ହୋଇ ଠିଆ ।

 

ହଳଧର ଦୋଷୀ, ଏ ବିଷୟ ଅତି ସହଜରେ ସାବ୍ୟସ୍ତ ହେଲା । କିଏ ତାଙ୍କର ସ୍ନେହବର୍ଦ୍ଧିତ ଗୋଲାପ ଫୁଲଟିକୁ ଛିଣ୍ଡାଇ ନେଇ କାହିଁ କେଉଁଆଡ଼େ ପଳାଇଛି, ଅଥଚ ସେ ରାଜାଙ୍କର ପବିତ୍ର ନିଷ୍କଳଙ୍କ ଚରିତ୍ର ଉପରେ ଦୋଷାରୋପ କରି ଦୁର୍ନାମ ରଟନା କରିଅଛନ୍ତି । ଏହାଠାରୁ ବଳି ଗୁରୁତର ଦୋଷ ଆଉ ହୋଇ ନ ପାରେ ।

 

ମନ୍ତ୍ରୀ ଆଦେଶ ଶୁଣାଇଦେଲେ ଯେ ଦୁଇଜଣ ସିପାହୀ ରାଜଦରବାର ଆଗରେ ସଣ୍ଡୁଆସି ସାହାଯ୍ୟରେ ବିଶୋଇଙ୍କର ନିଶଦାଢ଼ି ଉପାଡ଼ି ପକାଇବେ ।

 

ବିଶୋଇଙ୍କର ଦୁଇହାତ ପଛକୁ ବୁଲାଇ ଲଙ୍ଗଳ ଦଉଡରେ ବାନ୍ଧି ଦିଆଗଲା । ପଳାଇ ନ ପାରିବେ ବୋଲି ଗୋଡରେ ଲୁହା ବେଡ଼ି ପିନ୍ଧାଇ ଦେଲେ । ତତ୍‌ପରେ ଶହ ଶହ ଲୋକଙ୍କ ଆଖି ଆଗରେ ତାଙ୍କର ନିଷ୍ଠୁର ଶାସ୍ତି ଆରମ୍ଭ ହେଲା ।

 

କେହି ତାଙ୍କର ବିକଳ କାନ୍ଦଣାରେ କାନ ଦେଲେ ନାହିଁ । କେହି ତାଙ୍କର ଆକୁଳ ଅନୁରୋଧ ବା ଯନ୍ତ୍ରଣାକୁଳ ପ୍ରାର୍ଥନା ଶୁଣିଲେ ନାହିଁ । ସେ ଯନ୍ତ୍ରଣାର ତୀବ୍ରତା ସହି ନ ପାରି ଜ୍ଞାନଶୂନ୍ୟ ହୋଇ ପଡ଼ିଗଲେ । ତଥାପି, କାହାରି ଦୟା ମାୟା ଆସିଲା ନାହିଁ ।

 

ମୋହ ଭାଙ୍ଗିଲା । ପାଣି ମୁନ୍ଦାଏ ପିଇବାକୁ ମାଗିଲେ । ତଣ୍ଟି ଶୁଖିଯାଇଛି । ଦିଆଗଲା ଗାଈ ମୂତ । ଯେଉଁ ଅପବିତ୍ର ତୁଣ୍ଡରେ ସେ ରାଜାଙ୍କର ଦୁର୍ନାମ ରଟନା କରିଛନ୍ତି ଗୋମୂତ୍ର ବାଜିଲେ ସେ ତୁଣ୍ଡ ପବିତ୍ର ହେବ ।

 

ଅନ୍ଧାରି ମୁଲକ ସୁରଙ୍ଗ ରାଇଜରେ ଯେତେପ୍ରକାର ଦଣ୍ଡର ବ୍ୟବସ୍ଥା ଅଛି ଲୋକଙ୍କୁ ଅବିଦିତ ନାହିଁ । ସେ ସବୁ ପୁରାଣ ସମ୍ମତ, ଯମପୁରର ଦଣ୍ଡ ଅନୁରୂପ ।

 

ନାକ କାନ କାଟିବା, ଲୁହା ତତାଇ ଦେହରେ ଚିଆଁ ଦେବା, ଆଖିରେ କଣ୍ଟା ମାରି ଆଖି ଫୁଟାଇବା, କୌଣସି ରମଣୀ ଅନ୍ଧାର ମୁଲକର ଶାସନ କିମ୍ବା ଶାସକମାନଙ୍କର ବଂଶଧରଙ୍କ କଟାକ୍ଷର ପ୍ରତ୍ୟୁତ୍ତର ନ ଦେଲେ ସେମାନଙ୍କୁ ଧରାଇ ଆଣି ଆଖି ଆଗରେ ସେମାନଙ୍କ ଉପରେ ଅତ୍ୟାଚାର, ଇତ୍ୟାଦି ।

 

ଗୋଟିଏ ରମଣୀ ଉପରେ ଆଦେଶକ୍ରମେ ଜଣ ଜଣ ହୋଇ ପାଞ୍ଚ ସାତଙ୍କର ପାଶବିକ ଅତ୍ୟାଚାର । ସବୁ ତ ସ୍ୱପ୍ନ ପରି ଲାଗୁଛି, ଅନ୍ଧାରି ମୁଲକର ଯମପୁରର ବିଚାରର ପ୍ରଣାଳୀ । ସେ ଦେଶ ଏ ଦୁନିଆଁରେ କି, ଏ ଦୁନିଆ ବାହାରେ, ସପନ ରାଜ୍ୟରେ କି ଜାଗ୍ରତ ରାଜ୍ୟରେ, ଆଖି ବୁଜି ବିଚାର କଲେ ମଣିଷ ଅନୁମାନ କରିପାରେ ।

 

ହଳଧର ପୁଣି ମୁର୍ଚ୍ଛିତ ହେଲେ ।

Image

 

ବିଦ୍ରୋହଙ୍କ ବିଚାର

 

ବିଦ୍ରୋହ ବିଶ୍ୱାଳଙ୍କ ବିରୁଦ୍ଧରେ ଅନେକ ଅଭିଯୋଗ । ସେ କାହାକୁ ମାନନ୍ତି ନାହିଁ ରାଜା ଓ ରାଜକର୍ମଚାରୀମାନଙ୍କ ବିରୁଦ୍ଧରେ ମିଥ୍ୟା ପ୍ରଚାର କରି ଲୋକଙ୍କୁ ଉତ୍ତେଜିତ କରନ୍ତି, ମେଳି କରିବାକୁ ଶିଖାନ୍ତି । ବିନା ଅନୁମତିରେ ତଇଲା ତାଡ଼ି ଜମି ଆବାଦ୍ କରନ୍ତି । ବିଦେଶୀଙ୍କୁ ଘରେ ଆଶ୍ରୟ ଦିଅନ୍ତି । ଛାଡ଼ ନ ଆଣି ଲୁଚାଇ କରି ଧାନ ଚାଉଳ ରପ୍ତାନି କରନ୍ତି । ବେଠି କରିବାକୁ ଆଦେଶ ଦେଲେ ବାଁଖାଡ଼ିଆ ଦେଇ ବୁଲନ୍ତି । ଏହାଛଡ଼ା ତାଙ୍କ ବିରୁଦ୍ଧରେ ଆହୁରି ଗୋଟିଏ ଅତି ଗୁରୁତର ଅଭିଯୋଗ ଯେ ବିଛାମାଳ ପର୍ବତରେ ଯେଉଁସବୁ ଚୋର ଡକାୟତ ଲୁଚିରହି ଦେଶରେ ଡକାୟତି କରନ୍ତି ସେମାନଙ୍କୁ ବିଶ୍ୱାଳେ ସାହାଯ୍ୟ କରନ୍ତି ।

 

ରାଜା ଅବିଚଳିତ ଚିତ୍ତରେ ସବୁକଥା ଶୁଣିଲେ । ଏତେଗୁଡ଼ାଏ ଗୁରୁତର ଅପରାଧ ଯେଉଁଠି ଏକାଠି ହୋଇଛି, ତାର କି ସମୁଚିତ ଦଣ୍ଡ ସେ ବିଶ୍ୱାଳଙ୍କୁ ଦେଇପାରିବେ ? ସେ ମୁଣ୍ଡ ନୂଆଁଇ ମନ୍ତ୍ରୀଙ୍କ କାନରେ କଅଣ କହିଲେ ।

 

ମନ୍ତ୍ରୀ ସ୍ମିତହସି ମୁଣ୍ଡ ହଲାଇ କହିଲେ, ଶ୍ରୀଛାମୁଙ୍କର ସୁବିଚାରର ଦୋଷ ବାହାର କରିବାକୁ ଦୁନିଆରେ ଆଉ କେହି ନାହିଁ । ତେବେ, ଏତଦ୍ଦ୍ୱାରା ଜନସାଧାରଣଙ୍କୁ ସତ୍‌ଶିକ୍ଷା ଦିଆଯାଇପାରିବ ନାହିଁ । ଜଳ ଜଳ ଆଖି ଦିଟା ଭ୍ରୁଲତା ଉପରକୁ ଟେକି କେତେ କଅଣ ଚିନ୍ତା କରି ଶ୍ରୀଛାମୁଙ୍କ କାନରେ ମନ୍ତ୍ରୀ କଅଣ କହିଲେ ।

 

ମନ୍ତ୍ରୀଙ୍କ ଉପଦେଶ ଓ ମନ୍ତ୍ରଣା ରାଜା ଗ୍ରହଣ କଲେ ଓ ମୁଣ୍ଡ ହଲାଇ ସମର୍ଥନ କଲେ ।

ମନ୍ତ୍ରୀ ଗମ୍ଭୀର ହୋଇ କହିଲେ, ବିଶ୍ୱାଳଙ୍କ ଦୋଷର ଗୁରୁତ୍ୱ ଦେଖି ଶ୍ରୀଛାମୁ ଆଦେଶ କରୁଛନ୍ତି ଯେ ତାଙ୍କୁ ପାଞ୍ଚବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ହେବ ।

 

ଆଦେଶ ଶୁଣାଇ ମନ୍ତ୍ରୀ କାରାରକ୍ଷକଙ୍କୁ ହାତ ଠାରି ପାଖକୁ ଡାକିଲେ ।

ଅନ୍ଧାରି ରାଇଜରେ ବଡ଼ବଡ଼ିଆ ହାକିମଙ୍କୁ ମଧ୍ୟରେ ତାଙ୍କର ଆସନ ବେଶି ତଳେ ନୁହେଁ-। ସେ ହେଲେ ମୁସଲମାନ ବଚ୍ଚା, ନିମକ୍‌ସଚ୍ଚା, ଚାହାପିଆ ଓ ବାହାଦୂରଙ୍କ ବଚ୍ଚା । କଚ୍ଚା’ ପଚ୍ଚା କି ଖୈଚ୍ଚା କାମ କରନ୍ତି ନାହିଁ । ବେପରଓ୍ୱା ଢଙ୍ଗ । ନାମ ଦିଲ୍‍ଦାର୍ ହୋସେନ୍ । ସାଧାରଣ କଥାରେ ଦିଲ୍‌ଦାର୍ ମିଆଁ ।

 

ଦିଲ୍‌ଦାର୍ ମିଆଁ ନଇଁପଡ଼ି ବାରମ୍ବାର ସଲାମ କରି ଛାମୁଙ୍କ ଆଗକୁ ଆସିଲେ । ସୈନିକ ଢଙ୍ଗରେ ସିଧାହୋଇ ଠିଆହୋଇ, ତରବାରୀଟା ଖୋଳରୁ କାଢ଼ି ପୁଣି ଭିତରକୁ ଠେଲିଦେଲେ ।

 

ମିଆଁ ସାହେବଙ୍କ ଭଦ୍ରତାରେ ସନ୍ତୁଷ୍ଟ ହୋଇ ଛାମୁ ନିଜକୁ ମୋଗଲ ବାଦ୍‌ଶାହା ଆଉରଙ୍ଗଜେବ୍ ମନେକରି କହିଲେ ବିଶ୍ୱାଳଙ୍କୁ ଯେଉଁ ଶାସ୍ତି ଦେବାର କଥା ହେଲା ଶୁଣିଲତ ? ଏବେ ତାଙ୍କୁ ଏଠାରୁ ନେଇଯାଅ ।

 

ଦିଲ୍‌ଦାର୍ ମନ୍ତ୍ରୀଙ୍କ ଆଡ଼କୁ ଚାହିଁଲେ । ତାଙ୍କ ଆଖିଠରାରୁ କଅଣ ଇସାରା ପାଇଲେ କେଜାଣି, ଅଣ୍ଟା ନୁଆଁଇ ସଲାମ୍ କରି କହିଲେ, ଯୋ ହୁକୁମ୍ ଖୋଦାବନ୍ଦ୍ !

 

ବୁଲିପଡ଼ି ବିଶ୍ୱାଳଙ୍କ ଆଡ଼କୁ ଅଗ୍ରସର ହେଲେ ।

ରାଜା ମନ୍ତ୍ରୀଙ୍କ ଗହଣରେ ରାଜାପ୍ରାସାଦକୁ ଫେରିଲେ ।

ଦିଲ୍‍ଦାରଙ୍କ ହୁକୁମ୍‌ରେ ଦୁଇଜଣ ସିପାହୀ ବିଶ୍ୱାଳଙ୍କୁ ହାତକଡ଼ି ଓ ଗୋଡ଼ବେଡ଼ି ପିନ୍ଧାଇଦେଲେ ।

Image

 

ନିର୍ଦ୍ଦେଶ

 

ବିଚାରାଳୟର ଚାରିପାଖେ ରୁଣ୍ଡ ହୋଇଥିବା ଜନତା ମଧ୍ୟରେ ଚହଳ ପଡ଼ିଗଲା । କେତେ ପ୍ରତିବାଦର ଓ ଅଶାନ୍ତି ଅସନ୍ତୋଷର ଭାଷା ଏକାଠି ହୋଇ ସମୁଦ୍ରର ଗର୍ଜନ ପରି ଶୁଭିଲା । ଜନତାର ଢେଉ ଆଗକୁ ମାଡ଼ି ମାଡ଼ି ଆସିଲା । ବିପଦ ଆଶଙ୍କା କରି ବିଦ୍ରୋହ ହସ ହସ ହୋଇ ଦୁଇ ହାତ ଟେକି କହିଲେ, ଛାମୁଙ୍କର ଆଦେଶ ମୋର ଶିରୋଧାର୍ଯ୍ୟ ଭାଇମାନେ-ତୁମେ ଆଗ ମଣିଷପରି ମଣିଷ ହୁଅ । ସବୁ ଅନ୍ୟାୟର ବନ୍ଧନ ଖୋଲିଯିବ । ଧୈର୍ଯ୍ୟଧର । ଫେରିଯାଅ । ମଣିଷ ହୁଅ ।

ଦିଲ୍‌ଦାର୍ ବିରକ୍ତ ହୋଇ ଦାଢ଼ିରେ ହାତ ମାରିଲେ । ସିପାହୀଙ୍କୁ କଅଣ କହିଲେ କେଜାଣି, ସେମାନେ କପିଳାସିଆ ଠେଙ୍ଗାଧରି ଜନତା ମଝିରେ ପଶିଲେ । ହଟ୍, ଭାଗ, ପଳାଅ କହି ନିର୍ମମ ଭାବରେ ଲାଠି ଚାଳନା କଲେ । ଲୋକେ ଅସ୍ତବ୍ୟସ୍ତ ହୋଇ ପଳାଇଲେ ।

ସମସ୍ତେ ଚାଲିଯିବା ପରେ ଦେଖାଗଲା ଯେ ଦୁଇଜଣ ଲୋକ ପାଖରେ ଥିବା ଗୋଟିଏ ଗଛକୁ ଆଉଜି ଏ ଭୟଙ୍କର ଦୃଶ୍ୟକୁ ସ୍ଥିର ଦୃଷ୍ଟିରେ ଚାହିଁ ରହିଛନ୍ତି । ଗୋଟିଏ ଘୋଡ଼ା ଖଣ୍ଡେ କାଠଗଣ୍ଡି ଦେହରେ ବନ୍ଧା ହୋଇଛି ।

ବିଶ୍ୱାଳଙ୍କ ଦଣ୍ଡ ଏବଂ ଲୋକଙ୍କର ଦୂରବସ୍ଥା ଦେଖି ଅଜୟ ଦାନ୍ତ ଚୋବାଇ ଉଠିଲା । ଦୀର୍ଘଶ୍ୱାସ ଛାଡ଼ି ଆଖି ଲାଲ୍ କରି କହିଲା, ଆଉ ବାଧା ଦିଅ ନାହିଁ ସନ୍ନ୍ୟାସୀ, ତୁମେ ବୁଢ଼ା, ତୁମର ରକ୍ତ ସିନା ଥଣ୍ଡା ହୋଇ ଆସିଲାଣି, ମୁଁ ଯୁବକ, ମୁଁ ଆଉ ସହିପାରିବି ନାହିଁ । ଅବିଚାର ବିରୁଦ୍ଧରେ ଖଣ୍ଡା ଟେକିବି ।

ଅତ୍ମାରାମ କହିଲେ, ଧୈର୍ଯ୍ୟଧର ବାବୁ, ଧୈର୍ଯ୍ୟଧର । ପ୍ରତିଶୋଧ ନେବାର ବେଳ ଆସୁଛି । ଅସ୍ଥିର ହୋଇ ନିଆଁ ଭିତରକୁ ଡେଇଁ ପଡ଼ିଲେ ପୋଡ଼ି ମରିବା ହିଁ ସାର ହେବ । ଜୀବନ ପ୍ରତି ଯଦି ମମତା ନାହିଁ, ଜୀବନକୁ ଅନ୍ୟ ଭାବରେ ବ୍ୟୟ କର ।

ଉତ୍ତେଜିତ ସ୍ୱରରେ ଅଜୟ କହିଲା, ଜୀବନକୁ କେଉଁ ଭବିଷ୍ୟତ ସ୍ୱର୍ଗ ଆଶାରେ ବ୍ୟୟ କରିବା ଅପେକ୍ଷା ମନ୍ତ୍ରୀଙ୍କ କାନ୍ଧରୁ ମୁଣ୍ଡଟା ଛିଣ୍ଡାଇ ଫାଶୀ ଖୁଣ୍ଟରେ ଝୁଲିବା ଭଲ । ଛାଡ଼ ମୋତେ–

ଆତ୍ମାରାମ ଅଜୟର ହାତ ଧରି କହିଲେ, ଜୀବନ ଯେବେ ଦେବାକୁ ହେବ, ଦଶ ଏବଂ ଦେଶର ମଙ୍ଗଳପାଇଁ ସେ ଜୀବନକୁ ଦେବାପାଇଁ ତୁମେ ମୋତେ ଶିଖାଇଥିଲ । ଉପାୟ ଅଛି, ଧୈର୍ଯ୍ୟଧର । ସମୟ ଆସିଲେ ସବୁ ଠିକ୍ ହୋଇଯିବ । ରାଜାଛାମୁରେ ଅଭିଯୋଗ କରିବାକୁ ଆସିଥିଲା ପରା ?

–ସୁବିଚାର ପାଇ ସାରିଛି । ଅଭିଯୋଗ କରିବାକୁ ହେଲେ ନିଜର ହୃଦୟ ପାଖରେ ଅଭିଯୋଗ କରିବି ।

ଆତ୍ମାରାମ ହସିଲେ ।

ଏହି ସମୟରେ ଦୁଇଜଣ ସିପାହୀ ବିଶ୍ୱାଳଙ୍କୁ ଟାଣି ଟାଣି ସେହି ବାଟରେ ନେଲେ । ବିଦ୍ରୋହ ଅଜୟକୁ ଜଣେ ସନ୍ନ୍ୟାସୀଙ୍କ ପାଖରେ ଠିଆ ହୋଇଥିବାର ଦେଖି ବିସ୍ମିତ ହେଲେ । ଭାବିଲେ, ସବୁ ଶିକ୍ଷା କଅଣ ବିଫଳ ହେବ ?

 

ଅଜୟ ଛଳ ଛଳ ଆଖିରେ ମୁଣ୍ଡ ନୋଇଁଲା । ଆଖିର ନୀରବ ଭାଷାରେ ଆଦେଶ ମାରିଲା ।

 

ବିଶ୍ୱାଳଙ୍କ ମୁହଁରେ ହସ ଫୁଟି ଉଠିଲା । ସେ ମନକୁ ମନ ଧୀର ସ୍ୱରରେ କହିଲେ, ଧୈର୍ଯ୍ୟ । ଧୈର୍ଯ୍ୟ । ଧୈର୍ଯ୍ୟଧରି କାର୍ଯ୍ୟ କଲେ ଲୋକ ପିତାର ନାମ ରଖେ । ନିଜ ନାମ ସାର୍ଥକ କରେ । ସେ ଶକ୍ତି ଲାଭ କରେ । ଶାନ୍ତି ବିରାଜେ ପାଖରେ । ମାତାର ଆଶୀର୍ବାଦ ଲଭେ ।

 

ଦିଲ୍‌ଦାର୍ ପଛଆଡ଼ୁ ବିଦ୍ରୋହଙ୍କ ନିତମ୍ବରେ ପଦାଘାତ କରି ଗର୍ଜିଉଠିଲା, କ୍ୟା ବକଖବକ୍ କରତାରେ, ଚଲୋ ବେଗି ।

 

ସିପେହୀ ଦୁଇଜଣ ତାଙ୍କୁ ଖଣ୍ଡେଦୂର ଘୋଷାରି ନେଲେ ।

ମୁହଁ ବୁଲାଇ ବିଶ୍ୱାଳେ ସାଶ୍ରୁ ନେତ୍ରରେ କହିବାକୁ ଲାଗିଲେ, ତଇଲା ତାଡ଼ି କ୍ଳାନ୍ତ ହୋଇ ପଡ଼ିଥିଲି । ଦିନାକେତେ ବିଶ୍ରାମ ନେବାକୁ ଚାଲିଲି । ଅନ୍ଧାର ମୁଲକରେ ଅନଳ ଲାଗିବ । ଦଶଦିଗ ଆଲୋକିତ ହେବ । ଅନ୍ଧାର ଯିବ ଅପସରି । ତେବେଯାଇଁ ବିଶ୍ୱାଳର ବିଶ୍ରାମ ଭାଙ୍ଗିବ ।

 

ଅଜୟ ମୁଣ୍ଡ ନୂଆଇଁ ସବୁ ଶୁଣିଲା । ଆତ୍ମାରାମଙ୍କୁ ସଜୋରରେ ହଲାଇ କହିଲା, ଶୁଣନ୍ତୁ ବାବା । ଆପଣଙ୍କର ଆଦେଶ ମୋର ଶିରୋଧାର୍ଯ୍ୟ । ଯେତେଦିନ ଯାଏ ଏ ଶିର ରହିଥିବ, ଅନ୍ଧାରି ମୁଲକରୁ ଅନ୍ଧାର ନ ଘୁଞ୍ଚିବା ଯାଏ ତୁମରି ନାମ, ତୁମରି ଆଦେଶ, ତୁମରି ଇଙ୍ଗିତ ବାଟ କଢ଼ାଇବ ।

 

ଆତ୍ମାରାମ ଚମକି ଉଠିଲେ ।

ଦିଲ୍‌ଦାର୍ ମୁହଁ ବୁଲାଇ ପାଟିକଲା, କ୍ୟାରେ ?

ଅଜୟ ହାତ ଉଠାଇ ମୁଣ୍ଡରେ ଲଗାଇ କହିଲା, ସଲାମ ସର୍ଦ୍ଦାର ।

ଉତ୍ତର ମିଳିଲା, ଭାଗୋ, ଭାଗୋ ।

Image

 

ମନ୍ତ୍ରଣା

 

–ଆହୁରି ଅନେକ ଦୂର ବାକିଅଛି ବାବୁ, ଏବହୁଁ କ୍ଳାନ୍ତ, ହତାଶ ଓ ଉଦ୍‌ବିଗ୍ନ ହେଲେ ଲକ୍ଷ୍ୟ ସ୍ଥାନରେ ପହଞ୍ଚି ପାରିବା ନାହିଁ ।

 

ଅଜୟ ହସି ହସି କହିଲା, ଅନ୍ଧାର ମୁଲକର ଅନ୍ଧାର ଭିତରେ ବାଟ ଦିଶୁନାହିଁ ସତ, ବାଟର ଅଭାବ ନାହିଁ । ସମସ୍ତେ ଆଲୋକର ଅନୁସନ୍ଧାନରେ ଅମଡ଼ା ମାଡ଼ି ଚାଲିଲେ ଅବାଟରେ ବାଟ ଫିଟିଯିବ ।

 

–ବାଧା ବିପଦ ଭେଟିବାକୁ ହେବ । ଅନ୍ଧାର ଭିତରୁ କେତେବେଳେ କେଉଁ ଭୂତ, ପ୍ରେତ, ବାଘ, ଭାଲୁ ଆସି କାହାର ସର୍ବନାଶ କରିଯିବେ । କେହି ଜାଣିପାରିବେ ନାହିଁ । ଅଦିନ ମେଘ । ଝଡ଼ି, ତୋଫାନ ଉଠିବ । ଚଡ଼କି ପଡ଼ିବ । ଅପନ୍ତରାରେ ପଡ଼ି ନିରୀହର ପ୍ରାଣନାଶ ହେବ ।

 

ଅଜୟ ଅବାକ୍ ହୋଇ ଆତ୍ମାରାମଙ୍କ ମୁହଁକୁ ଚାହିଁଲା । ଘୃଣାରେ, କ୍ରୋଧରେ ତା’ର ଆଖି ଲାଲ ହୋଇ ଉଠିଲା । ସେ ବିରକ୍ତ ହୋଇ ଉଚ୍ଚ ସ୍ୱରରେ କହିଲା, ପ୍ରାଣନାଶ ? ପ୍ରାଣକୁ ଏତେ ଭୟ ଯଦି ଏହି ମୁହୁର୍ତ୍ତରେ ମୋ ପାଖରୁ ଚାଲିଯାଅ । ମୋତେ ମୋର କର୍ତ୍ତବ୍ୟ ପଥରେ ଚାଲିବାକୁ ଦିଅ । ଯଦି ଏହି ଅନ୍ଧାର ଭିତରେ ଆଲୋକର ସନ୍ଧାନ କରିପାରିବ ତ ଭଲ, ନୋହିଲେ ନିଆଁ ଲଗାଇ ସବୁ ହାଲୋଳମୟ କରିଦେବି ।

 

–ଝଡ଼ତୋଫାନ ବରୁଦ୍ଧରେ କିପରି ଛାତି ଦେଖାଇ ଠିଆ ହେବ ?

–କିପରି ? ସେ କଥା ଝଡ଼ତୋଫାନ ଉଠିବା ଆଗରୁ କହି ହେବ ନାହିଁ ।

 

ପାଖରେ ପଖିଆ ନାହିଁ । ତତଲା ଅପନ୍ତରା ଏହି ରାଇଜର ମରୁଭୂଇଁରେ ଆଶ୍ରୟ ଦେବାକୁ ଗଛ ବୃକ୍ଷର ଦେଖା ନାହିଁ । ଝଡ଼ତୋଫାନର ବିପକ୍ଷରେ ଯୁଦ୍ଧ କରିବ ଏହି ଶୁଖିଲା ମରୁଭୂଇଁର ତତଲା ଖର ନିଶ୍ୱାସ ।

 

ବାବାଜୀ ଅଜୟର ଆତ୍ମବିଶ୍ୱାସରେ ମୁଗ୍‌ଧ ହେଲେ । ତାଙ୍କର ଚକ୍ଷୁ ସମ୍ମୁଖରେ କର୍ତ୍ତବ୍ୟର ଏକ କ୍ଷୀଣ ଆଲୋକ ଦେଖାଗଲା । ସେ କୌତୂହଳୀ ହୋଇ ମୃଦୁ ସ୍ୱରରେ କହିଲେ ବାପା, ଏ ଜଟିଳ ସଂସାରରେ କର୍ମବୀରଙ୍କ ତୁଳନାରେ ବାକ୍ୟବୀରଙ୍କର ସଂଖ୍ୟା ଅଧିକ । ସମସ୍ତେ ଯଦି ଅମଡ଼ା ମାଡ଼ି ବାଟୋଇ ହୁଅନ୍ତି, ଲକ୍ଷ୍ୟ ସ୍ଥାନକୁ ବାଟ ଫଟିଯିବ । କିନ୍ତୁ ସମସ୍ତେ ମଣିଷ ନୁହନ୍ତି, ଏମାନେ ପଶୁ । ପଶୁପଲକୁ ଏକାଠି କରି ବାଟକୁ ଆଣିବା ସହଜ ନୁହେଁ ।

 

–ପଲ ବାନ୍ଧି ଚାଲିବା ସହଜରେ ମଣିଷଦ୍ୱାରା ହୋଇପାରେ ନାହିଁ, ପଶୁମାନଙ୍କଦ୍ୱାରା ତାହା ସମ୍ଭବ । ସେମାନେ ନ ବୁଝି ନ ଶୁଝି ଏକ ରାହା ଧରି ଚାଲନ୍ତି ।

 

ବାବାଜୀ ଓ ଅଜୟ ସୂରଙ୍ଗଗଡର ଖାଇ ପାଖରେ ପହଞ୍ଚିଲେ ।

ଖାଇଟି ମନ୍ଦାକିନୀ ନଈରୁ ବାହାରି ଗଡ଼କୁ ଘେରି ପୁଣି ନଈରେ ମିଶିଛି । ପ୍ରାୟ ପଚାଶ ହାତ ଓସାର । ଜଳ ଗଭୀର । ଗଡ଼ ଭିତରୁ ବାହାରକୁ ଆସିବାପାଇଁ ତିନି ଜାଗାରେ କାଠର ପୋଲ ଅଛି । ପୋଲଗୁଡ଼ିକ ଏପରି ଭାବରେ ଲୁହାର ମୋଟା ମୋଟା କଡ଼ିଦ୍ୱାରା ବନ୍ଧା ହୋଇଛି ଯେ, ଆବଶ୍ୟକ ପଡ଼ିଲେ ଗଡ଼ ଭିତରେ ଥାଇ ଯନ୍ତା ମୋଡ଼ି ସହଜରେ ସେସବୁ ଉପରକୁ ଉଠାଯାଇ ପାରିବ । ପୋଲସବୁ ଉଠାହେଲେ କୌଣସି ଲୋକ ଭିତରକୁ ପଶିପାରିବ ନାହିଁ ।

 

ଅଜୟ ଓ ଆତ୍ମାରାମ ସୈନ୍ୟ ଛାଉଣୀ ନିକଟରେ ଠିଆ ହେଲେ । ଛାଉଣୀ ଆଗରେ ବସ୍ତୀର୍ଣ୍ଣ ପଡ଼ିଆ । ଏହି ପଡ଼ିଆରେ ସୈନିକମାନେ ସବୁଦିନେ ଯୁଦ୍ଧବିଦ୍ୟା ଶିଖନ୍ତି । ସେ ଦିନ ମଧ୍ୟ ସହସ୍ରାଧିକ ସୈନିକ ପଡ଼ିଆ ଉପରେ ଚାରିଭାଗ ହୋଇ ଯୁଦ୍ଧ ଶିକ୍ଷା କରୁଛନ୍ତି ।

 

ଆତ୍ମାରାମ ଅଜୟକୁ ସମାନ୍ୟ ହଲାଇ ଦେଇ କହିଲେ, ସ୍ଥିର ଚକ୍ଷୁରେ କଅଣ ଦେଖୁଛ ? ଏତେ ରକ୍ତମୁହାଁ ବାଘ ଭାଲୁଙ୍କ ଆଗରେ ଠିଆ ହେବାକୁ ସାହସ ହେଉନାହିଁ ?

 

–ବାଘ ଭାଲୁ ନୁହନ୍ତି ବାବାଜୀ, କୁହନ୍ତୁ ବିଲୁଆ କୁକୁର । ବିଲୁଆ କୁକୁର ବଳେଇ ଯିବେ ନାହିଁ । ମଣିଷର ମଢ଼ ଗଦାରେ ପୋତି ହୋଇ ପଡ଼ିବେ । ଦେଖନ୍ତୁ ତ, ନିରୀହ ଦୁର୍ବଳ ଅକ୍ଷମ ଭାଇର ରକ୍ତ ପିଇବାକୁ ଏଗୁଡ଼ାକ କେତେ ପରିଶ୍ରମ କରିପାରନ୍ତି । ଏତିକି ପରିଶ୍ରମ କରି ତଇଲା ତାଡ଼ିଲେ, ହଳ କଲେ, ଅନ୍ୟକିଛି ଭଲ କାମରେ ହାତ ଦେଲେ ଦିଟା ବର୍ଷରେ ସୁରଙ୍ଗ ରାଇଜ ଓଲଟି ପଡ଼ନ୍ତା ।

 

–ଏପରି ହୁଏ କାହିଁକି ଜାଣୁ ବାବା ? କେବଳ ପରସ୍ପର ପ୍ରତି ସନ୍ଦେହ ଓ ଅବଶ୍ୱାସ ହେତୁ । ମଣିଷର ମଣିଷ ପ୍ରତି, ଭାଇର ଭାଇ ପ୍ରତି ଏହି ସନ୍ଦେହ ଓ ଅବିଶ୍ୱାସ ନ ଥିଲେ ଏତେଗୁଡ଼ା କାମୁଡ଼ାକୁକୁର ପୋଷିବା ଦରକାର ପଡ଼ନ୍ତା ନାହିଁ ।

 

–ବାବାଜୀ ମହାରାଜ, ସ୍ୱାର୍ଥ ଏହାର ପ୍ରଧାନ କାରଣ; କାହାର ସ୍ୱାର୍ଥ ଜାଣନ୍ତି ? କେତେଜଣ ଅଳସୁଆଙ୍କର । ଦୂରରେ ଥାଇ ଏହି ଲୀଳା ଦେଖି ବାହା ବାହା କହି ତାଳି ମାରି ନାଚିବାକୁ ଲୋକର ଅଭାବ ନାହିଁ ! ଏହି ଅଳସୁଆ ସ୍ୱାର୍ଥପରଗୁଡ଼ାଙ୍କୁ ଉଚ୍ଚ ପିଣ୍ଡାରୁ ତଳକୁ ଟାଣିଆଣି ପାରିଲେ ସବୁ ସନ୍ଦେହ ଦୂର ହୋଇଯିବ । ସେମାନେ ସହଜରେ ନିଜର ପ୍ରକୃତ ମୂଲ୍ୟ ବୁଝିପାରିବେ-

 

–ଉଚ୍ଚ ପିଣ୍ଡାରୁ ଏମାନଙ୍କୁ ତଳକୁ ଟାଣି ଆଣିବା ସହଜ ନୁହେଁ ।

–ସହଜ ନୁହେଁ ଜଣାକଥା । ତେବେ ଏ ସଂସାରରେ ଅସମ୍ଭବ କିଛି ନାହିଁ । କାମୁଡ଼ା କୁକୁରକୁ ଡରି ପଳାଇଲେ ସେ ଦାନ୍ତ ଦେଖାଇ ପଛରେ ଧାଏଁ । ଜଣକ ପଛରେ ଗୋଡ଼ାଇ ଗୋଡ଼ାଇ ପାଞ୍ଚଜଣଙ୍କୁ ବାଟରେ କାମୁଡ଼ିଦିଏ । ମନରେ ସାହସ ଆଣି ଦମ୍ଭ ହୋଇ ଠିଆ ହେଲେ; ହୁଏତ କାମୁଡ଼ିଲେ ପୁଳାଏ କାମୁଡ଼ି ଦେବ ଜଣକୁ, ନୋହିଲେ ଲାଙ୍ଗୁଡ଼ ଜାକି ପଛେଇ ପଛେଇ ଆତ୍ମରକ୍ଷା କରିବାକୁ ପଳାଇବ ।

 

ଅଜୟ ଓ ଆତ୍ମାରାମ ଗଡ଼ଖାଇ ପାରହୋଇ ସୁରଙ୍ଗଗଡ଼ ବସ୍ତି ଭିତରେ ପଶିଲେ । ଛାଇ ଲେଉଟା ବେଳ । ସୁର୍ଯ୍ୟ ପଶ୍ଚିମ ପାହାଡର ପଛଆଡ଼େ ଲୁଚି ଗଲେଣି । କେତେଖଣ୍ଡ କାଳିଆ ମେଘ ସୁଦୂର ବିଛାମାଳ ପାହାଡର ମୁଣ୍ଡ ଉପରେ ଜଟା ପରି ଜମାଟା ବାନ୍ଧିଲେଣି । ସୁଲୁସୁଲିଆ ଥଣ୍ଡା ପବନ ଅଜୟ ଓ ଆତ୍ମାରାମଙ୍କର ଫୁଙ୍ଗୁଳା ଦେହରେ ଚାଉଁ ଚାଉଁ ଲୋମ ଟାଙ୍କୁରାଇ ଦେଉଛି ।

Image

 

ଅଯାଚିତ ଦୟା

 

ନାରଣ ଜେନା ଜାତିରେ ଖଣ୍ଡାୟତ । ଲେଖା ପଢ଼ାରେ ଧୁରନ୍ଧର । ବାପ ମା’ଙ୍କର ମରଣ ପରେ ମରୁଡ଼ା ଗାଁରେ ଜମି ପାଞ୍ଚମାଣ ଚାଷ କରି ନିଜର ସଂସାର ସେ ସୁରୁଖୁରୁରେ ଚଳାଇ ନେଉଥିଲେ । ମାମୁ-ମାଇଁ ଦି ପ୍ରାଣୀ । କାହାରି ହାନିଲାଭରେ ନ ଥାନ୍ତି । ବେଠି ପଡ଼ିଲେ ନିଜେ ନ ଯାଇ ୟା ତା ହାତ ଓଠ ଧରି ମୁଲ ମଜୁରି ଦେଇ ପଠାନ୍ତି ।
 

ବିଭୀଷଣ ପାତ୍ର ବି ଖଣ୍ଡାୟତ ପିଲା । ନାରାଣଙ୍କ ଘରକୁ ଚାରି ପଦିକା ଛାଡ଼ି ତାଙ୍କ ଘର-। ଘରତ ନାହିଁ, ଭଙ୍ଗାଦଦରା ହୋଇ କୁଡ଼ିଆ ଖଣ୍ଡେ । ତିନି ବର୍ଷରେ ଥରେ ଉପର ଖଡ଼ ପଡ଼ିବା କଷ୍ଟ-। ରାଣ୍ଡି ପୁଅ ଅନନ୍ତା ପରି ହୁଣ୍ଡାମି କରି, ବଗୁଲିଆଗିରି କରି ପିଲାଦିନ କଟିଗଲା । ଘରେ ବୁଢ଼ୀ ମା-। ହେଲେ ମାଆଙ୍କ ଖବର ବୁଝିବା ସେ ପାପ ବୋଲି ଘେନେ । ସିପାହୀ ଫଉଜ ଭିତରେ ସିପାହୀ ହୋଇ ପଶିଲା ଦିନରୁ ତା ଆଖି ଦିଟା ସବୁବେଳେ ଉପରକୁ ।

 

ଲମ୍ବା ଚୌଡ଼ା ମରଦ । ଦିହ ହାତ ବଳିଲା ପରି । କଳା ମୁହଁରେ ବରଗୁଡ଼ି ଚିହ୍ନ । ଗାଲ ପଶିଲା ପଶିଲା । ନିଶ ଦିଟା ବଡ଼ । ହାତ ଗୋଡ଼ ସବୁବେଳେ କଥା କହୁଥାଏ । ଗାଁ ଲୋକେ ମହତକୁ ଜଗି ଶଙ୍କି ରହନ୍ତି । ବୁଢ଼ୀ-ମା ତା ହାତକୁ ଦିହାତ କରିବାକୁ ଅନେକ ଥର ଅନୁରୋଧ କଲେ । ସେ କି ଶୁଣିବାର ଲୋକ ? ଫୁଟକି ମାରି ଉଡ଼ାଇ ଦିଏ । ତା ବୁଝିବାକୁ ତାର କେଉଁ କଥାର ଅଭାବ ଅଛି ଯେ ସେ ଗୋଟାଏ ଆଣି ବେକରେ ବାନ୍ଧିବ ? ଫୁଲ ବଗିଚାରେ କେତେ ଫୁଲ ଫୁଟିଛି । ପାଞ୍ଚଟା ପାଖରୁ ଫେରିଆସିଲେ ଆଗରେ ଆହୁରି ଦଶଟା ଦିଶୁଛି । ଉଦ୍ଧତ ସିଂହଙ୍କର ଦେହରକ୍ଷୀ ସେ, ପାଖର ଲୋକ । ଇଚ୍ଛା କଲେ ସବୁ ବଗିଚାରେ ପଶି ପାରିବ ।

 

ନାରଣ ଲେଖାରେ ଭାଇ ହିସାବ, ଛୋଟ ଭାଇ । ନାରାଣଙ୍କ ଘରଣୀ ସୀତାଦେବୀ ଭାଇବୋହୂ । ଓଢ଼ଣା ପକାଇ ଆଡ଼ ହୋଇ ରହନ୍ତି; କିନ୍ତୁ ବିଭୀଷଣର ଆଖି ଦି’ଟା ଅତି ଖରାପ ।

 

ଜେନାଙ୍କ ଅନୁପସ୍ଥିତିରେ ଦିନେ ସେ କାର୍ଯ୍ୟ ବାହାନାରେ ସଞ୍ଜବୁଡ଼ିଆ ତାଙ୍କ ଘରେ ଉପସ୍ଥିତ ହେଲା । ଫେରିଲାବେଳକୁ କପାଳ ଫାଟି ଦି’ଧାର ରକ୍ତ ଝରି ପଡ଼ୁଥାଏ । ରାଗରେ ତମ୍ପ ସାପ ପରି ଗର୍ଜୁଥାଏ । ମା-ପୋଡ଼ାକନା ମାରୁ ମାରୁ ଘଟଣା କଅଣ ପଚାରିବାକୁ ସେ ରାଗିଯାଇ କହିଲା, ଲୋକେ ଚାଳଗୁଡ଼ାକ ଏତେ ନୁଆଁଣିଆ କରିଛନ୍ତି ଯେ, ରୁଅ ବାଜି ମଣିଷର ପ୍ରାଣ ଛାଡ଼ିଯିବ-

 

ମନକଥା ମନ ଜାଣେ ।

ନାରାଣ ଜେନା ଛାମୁଙ୍କର ଅନୁଗ୍ରହରୁ ପଟୁଆରି ହୋଇ ନିଯୁକ୍ତ ହେଲେ । ଏକୁଟିଆ ମଣିଷ ବୋଲି ସେ ରାଜାନୁଗ୍ରହକୁ ପ୍ରତ୍ୟାଖ୍ୟାନ କଲେ । ଆଦେଶ ଅମାନ୍ୟ କରିଛନ୍ତି ବୋଲି ତାଙ୍କୁ ଗଡ଼କୁ ଡକାଇ ନିଆଗଲା । ଛାମୁରୁ ଫେରି ଦେହରେ ଅଫିମ ସୋରିଷତେଲ ମାଲିସ୍ କରି, ସେ ସାତଦିନ କାଳ ବିଛଣାରେ ପଡ଼ି ରହିଲେ ।

 

ସୀତା ପାଖରେ ବସି ପଦସେବା କରୁଥାନ୍ତି ଓ ଆଖିରୁ ତତଲା ଲୁହ ଗଡ଼ାଉଥାନ୍ତି । କଥା କଅଣ ବୁଝିବାକୁ କେହି ପଚାରିଲେ ଜେନାଏ ଅତି କଷ୍ଟରେ କହନ୍ତି, ନଅରରୁ ଓହ୍ଲାଇ ଆସୁ ଆସୁ ଗୋଡ଼ ଖସିଯିବାରୁ ପାହାଚ ଉପରେ ମୁହଁ ମାଡ଼ି ହୋଇ ପଡ଼ିଲେ ।

 

ଆଉ କହିବେ କଅଣ-ଚାରିଆଡ଼କୁ ଭାବିଚିନ୍ତି କହିବାକୁ ହେବ, ନୋହିଲେ କେତେବେଳେ କେଉଁ କଥା । ପଟୁଆରି କାମଟି ତାଙ୍କୁ ଗ୍ରହଣ କରିବାକୁ ହେଲା । ଲୋକ ଖୋଜିଲେ ପାଉ ନାହାନ୍ତି । ଯାଚିଲା କାର୍ଯ୍ୟକୁ ଛାମୁଙ୍କ ଦୟାକୁ ଆଡ଼େଇ ଦେବା ରାଜଦ୍ରୋହ ।

 

ମରୁଡ଼ା ଗାଁରୁ ଗଡ଼ିଆ ଗାଁ । ବାଟ ଦଶକୋଣରୁ ଉପର । ଗଡ଼ ଏପାଖେ ମରୁଡ଼ା ସେପାଖେ ଗଡ଼ିଆ । ଜେନାଏ ବାଧ୍ୟ ହୋଇ ମରୁଡ଼ା ଛାଡ଼ି ପଟୁଆରି ହୋଇ ଗଡ଼ିଆରେ ରହିଲେ । କାର୍ଯ୍ୟର ଗୁରୁତ୍ୱ ଓ ସମୟର ଅଭାବ ହେତୁ ସୀତାଙ୍କର ତତ୍ତ୍ୱ ନେଇପାରିବେ ନାହିଁ । ନେବାକୁ ଇଚ୍ଛା କଲେ ରାଜକାର୍ଯ୍ୟରେ ଅବହେଳା ହେବ, ଏହିସବୁ ବିଷୟ ଓ ଅନ୍ୟାନ୍ୟ ଅନେକ ବିଷୟ ଚିନ୍ତାକରି ସୀତାଙ୍କୁ ସଙ୍ଗରେ ନେଇଗଲେ । ଅତି ଦକ୍ଷତାର ସହିତ ଧର୍ମକୁ ସାକ୍ଷୀ ରଖି ନିଜର କାର୍ଯ୍ୟ ସୁଚାରୁରୂପେ ଚଳାଉଥାନ୍ତି । ଖାଲି ମରୁଡ଼ା କାହିଁକି ଆଖ ପାଖର ଅନେକଗୁଡ଼ାଏ ଗାଁ ଗଉଁତିର ଲୋକ ଜେନାଙ୍କୁ ଭଲ ପାଆନ୍ତି ।

 

କାର୍ଯ୍ୟ ଦକ୍ଷତା ସଙ୍ଗେ ରାଜାଙ୍କର ବା ରାଜପୁରୁଷଙ୍କର ଅନୁଗ୍ରହର କୌଣସି ସମ୍ବନ୍ଧ ନ ଥାଏ । ଖୋସାମତ୍ ଉପରେ ନିର୍ଭର କରେ ସବୁ । ଖୋସାମତ୍‍ରେ ପରା ଦେବତାଙ୍କର ମୁହଁ ବାନ୍ଧି ହୋଇଯାଏ, ରାଜପୁରୁଷ ବା କେତେର କେତେ ।

 

ଆହୁରି ଗୋଟିଏ କଥା, ପରମ ବୈଷ୍ଣବ ଯେ, ସେ ନିର୍ଲିପ୍ତ ଭାବରେ ସଂସାରର କର୍ମସ୍ରୋତରେ ଭାସିଯାଏ । ଯାହାକରେ, ସବୁ ଭଗବାନଙ୍କ ପାଇଁ, ନିଜେ ନିମିତ୍ତ ମାତ୍ର । ରାଜା ତ ସ୍ୱୟଂ ଚଳନ୍ତି ବିଷ୍ଣୁ, ଭଗବାନ ! ରାଜପ୍ରସାଦ ଲାଭ କରିବାର ଅଭିଳାଷ ଥିଲେ ନିର୍ଲିପ୍ତ ଭାବରେ ଅନ୍ଧାରି ମୁଲକରେ ସଂସାର କରିବାକୁ ହେବ । ଧନ ଜନ ମାନ ଦୂରର କଥା, ବେଳପଡ଼ିଲେ ନିଜକୁ ମଧ୍ୟ ସମର୍ପଣ କରିଦେବାକୁ ପଛଘୁଞ୍ଚା ଦେବ ନାହିଁ ।

 

ଦୁର୍ଭାଗ୍ୟବଶତଃ ଜେନାଙ୍କର ତୁଳସୀମାଳି ପିନ୍ଧି ଦେହରେ ବୈଷ୍ଣବ ଛାପା ମାରିବାର ପ୍ରବୃତ୍ତି ହେଲା ନାହିଁ । ଫଳତଃ ଛାମୁଙ୍କର ବିଷଦୃଷ୍ଟିରେ ପଡ଼ିବାକୁ ହେଲା । କଅଣ କରିବେ ? ପାଣିରେ ଘର କରି କୁମ୍ଭୀର ସଙ୍ଗେ ମନ ଦୁଃଖ କରିବା ଯେପରି ବିପଜ୍ଜନକ ତାହା ସଭିଙ୍କୁ ଜଣା । ଜେନାଙ୍କର ନିଜ ଉପରେ ଓ ସ୍ତ୍ରୀଙ୍କ ଉପରେ ଅଟଳ ବିଶ୍ୱାସ ଥାଏ । ସେ ଜାଣନ୍ତି ସୀତା ଜୀବନ ଦେବେ ପଛେ, ମନ ଓ ମାନ ହାରିବେ ନାହିଁ ।

Image

 

ବିଚଳିତା ସୀତା

 

ନଅରରୁ ଜରୁରି ଡାକରା ଆସିଲା । ପଟୁଆରି ନାରଣ ଜେନା କାଳ ବିଳମ୍ବ ନ କରି ସକାଳୁ ବାହରି ପଡ଼ିଲେ । ସୀତାଙ୍କର ଡାହାଣ ଆଖିପତା ଘନ ଘନ ଡେଉଁଥାଏ । ସେ ସଶ୍ରୁ ନୟନରେ ସ୍ୱାମୀଙ୍କର ପଦଧୂଳି ଗ୍ରହଣ କଲେ ।

 

ସ୍ୱାମୀ ଗଲାପରେ ତାଙ୍କ ମନରେ ଦକା ଆସିଲା । ପେଟରେ ପାଞ୍ଚ ମାସର ପିଲା । ଟିକିଏ ଶବ୍ଦ ହେଲେ ଛାତି ଦାଉଁ ଦାଉଁ ପଡ଼ିବାର ବେଳ । ରଜାଘର ଚାକିରି । ନିଜ ସୁଖ ଦୁଃଖ ସେହି ମମତାକୁ ପଛରେ ପକାଇ ଛାତିରେ ହାତ ରଖି କାମରେ ଆଗେଇବାକୁ ପଡ଼ିବ । ନୋହିଲେ ନିସ୍ତାର ନାହିଁ ।

 

ବାଟକୁ ଚାହିଁ ଚାହିଁ ଆଖିରୁ ପାଣିମଲା । ବେଳ ଆସି ଯିବାକୁ ତର ତର । ଚାରିଆଡ଼ ଅନ୍ଧାର କରି ମେଘ ଫଉଜ ସୁଲୁସୁଲିଆ ଥଣ୍ଡା ପବନରେ ମାଡ଼ି ଆସିଲା । ପଞ୍ଚବଟୀ ବନର ପତର କୁଡ଼ିଆ ଭିତରେ ମହାସତୀ ସୀତା ସ୍ୱାମୀ ଓ ଦେବରଙ୍କର ଆସିବା ବାଟକୁ ଅଶ୍ରୁଭରା ତୃଷିତ ନେତ୍ରରେ ଚାହିଁ ରହିଲା ପରି; ସୀତା ଦାଣ୍ଡ କବାଟକୁ ଆଉଜି ଜେନାଙ୍କ ଆଗମନ ଉଦ୍ଦେଶ୍ୟରେ ଅନାଇ ରହିଛନ୍ତି । ସୁନ୍ଦର ମୁହଁର କଳା ଭଅଁର ପରି ଆଖି ଦିଓଟି ଲୁହରେ ଢଳଢଳ ।

 

ସଞ୍ଜ ଅନ୍ଧାର ଘୋଟିଗଲା । ମନର ଆଶା ମନରେ ମଲା । ହୃଦୟର ବ୍ୟଥା ହୃଦୟରେ ମିଳାଇଲା । ଭୟରେ ମାଉସୀ ବୁଢ଼ୀକୁ ଡାକ ଛାଡ଼ିଲେ ।

 

ମାଉସୀ ବୁଢ଼ୀର କୁଡ଼ିଆଟି ତାଙ୍କ ବସାକୁ ଲାଗି । ଘରଟି ଗାଁ ବାହାରେ । ବେଶି ଛଡ଼ା ନୁହେଁ । ଏହି ମାଉସୀ ବୁଢ଼ୀଟି ବେଳେ ବେଳେ ତାଙ୍କର ନିର୍ଜନତା ଭାଙ୍ଗେ । ଜେନାଏ ଥିଲାବେଳେ ଗାଁର ଦଶ ପାଞ୍ଚ ଲୋକ ପ୍ରତିଦିନ ଆସନ୍ତି, କିନ୍ତୁ ଆଜି କାହାରି ଦେଖାନାହିଁ । ରଜାଘର ଡାକରାରେ ଜେନାଏ ଗାଁ ଛାଡ଼ି ଗଡ଼କୁ ଯାଇଛନ୍ତି ବୋଲି ସମସ୍ତଙ୍କୁ ଜଣା । ସ୍ତ୍ରୀଙ୍କ ଘର । ମହତ୍ତ୍ୱକୁ ଜଗି କିଏ କାହିଁକି ଆସିବ ? ଯେତେ ରାତି ହେଉ ପଛକେ ଜେନାଙ୍କର ଫେରିବାର କଥା । ତେଣୁ ସେ ଆଗରୁ କୌଣସି ବନ୍ଦୋବସ୍ତ କରି ନାହାନ୍ତି ।

 

ସୀତାଙ୍କର ଡାକରେ ମାଉସୀ ବୁଢ଼ୀ ବାଡ଼ି ଖଣ୍ଡି ଠକ୍ ଠକ୍ କରି ଆସି ପହଞ୍ଚିଲେ । ଏକେ ଅନ୍ଧାରକଣା, ବିଧାତାର ଅଭିଶାପରୁ ଦି’ ଗୋଡ଼ ଗୋଦର । ବୟସ ବି ଷାଠିଏ ଉପରେ । ସୀତାଙ୍କର ଦୟାରୁ ଦି ବେଳା ତାର ଢୋକ ଚଳେ। ନ ଆସିବ କିପରି ?

 

ମାଉସୀକୁ ଦେଖି ସୀତା ଛଳଛଳ ଆଖିରେ କହିଲେ, ମାଉସୀ ଲୋ, ଆସିବେ ବୋଲି କହି ଯାଇଥିଲେ, ସଞ୍ଜ ବୁଡ଼ିଲା, କଳାହାଣ୍ଡିଆ କାଳ ମେଘଟା ଚାରିଆଡ଼ୁ ଘୋଟି ଆସିଲାଣି ।

 

ସୀତା ଆଖିରୁ ଲୁହ ପୋଛିଲେ ।

ମାଉସୀ ଜେନାଙ୍କର ଅବିବେକିତାରେ ଅପ୍ରୀତ ହୋଇ କହିଲା, ମଲା ମର ତାଙ୍କ ବୁଦ୍ଧି ! ଘରେ ଅସଜ ମାଇପୀ ଛାଡ଼ି ଯାଇଛନ୍ତି, ମନରେ ଟିକିଏ ହେଲେ ଦକ ଅଛି ? ଛି, ଛି, ତୁ କାହିଁକି କାନ୍ଦୁଛୁ ଲୋ ମା, ଦୀପ ଲଗା । ମୁଁ ଆଜି ତୋ ପିଣ୍ଡାରେ ଶୋଇବି ।

 

ସୀତା ଆଲୁଅ ଜାଳିଲେ । ଦେବତାଙ୍କର ବିଗ୍ରହ ଆଗରେ ସଜଳ ନେତ୍ରରେ ମୁଣ୍ଡ ଲଗାଇ ପ୍ରାର୍ଥନା କଲେ, ସର୍ବ ଶୁଭରେ ତାଙ୍କୁ ଫେରାଇ ଆଣ ମହାପ୍ରଭୁ !

Image

 

ରୂପଲୋଭୀ ପତଙ୍ଗ

 

ବିଭୀଷଣ ପାତ୍ର ରାଜପୁତ୍ର ଉଦ୍ଧତଙ୍କ କଡ଼କୁ ଆସି କହିଲା, ରାତି ଦି ଘଡ଼ି ହେଲାଣି । ଆଉ ଟିକିଏ ଡେରି ହେଲେ ଭଲ । ଆସନ୍ତୁ ଏହି ଗଛମୂଳେ ଅପେକ୍ଷା କରିବା । ମରୁଡ଼ା ତ ହେଲା ଭାବନା କଅଣ ?

 

ଉଦ୍ଧତ ପଚାରିଲେ, ଜେନାଏଁ ଫେରିବେ ନାହିଁ ?

ବିଭୀଷଣ ଉତ୍ତର ଦେଲା, ଛାମୁଙ୍କର ଗୋଲାମ କଚ୍ଚା କାମ ଜାଣେ ନାହିଁ । ଗଡର ଅମାର ଘରେ ସେ ବନ୍ଦୀ ।

 

–କିପରି ସେ ସୀତା ?

–ବିଭୀଷଣ କହିଲା, ରୂପର ଆଲୁଅ ଦାଉ ଦାଉ ଜଳୁଛି । ଭରା ଯୌବନ ଉଛୁଳି ପଡ଼ୁଛି-। ଛାମୁ ଦେଖିଲେ ବୁଝିବେ ।

 

ଉଦ୍ଧତ ତା’ର ପିଠିରେ ହାତ ମାରିଲେ । ଉତ୍ସାହିତ ହୋଇ କହିଲେ, ପଛରେ ଯେଉଁ ଆଠଜଣ ସିପାହୀ ଆସୁଥିଲେ, ସେମାନେ ?

 

ବିଭୀଷଣ କହିଲା, ପଛରେ ଅଛନ୍ତି । ଆସି ଯାଆନ୍ତୁ । ସେମାନେ ଏଇଠି ଅପେକ୍ଷା କରିଥିବେ । ମୁଁ ଆପଣଙ୍କୁ ବାଟ କଢ଼ାଇ ନେବି । ଯଦି ନଖରେ ଛିଣ୍ଡେ କଟୁରି ଟାଙ୍ଗିଆ ଲୋଡ଼ା ହେବ ନାହିଁ ।

 

ଉଦ୍ଧତ ବିଭୀଷଣର କଥା ମାନିଲେ । ତାଙ୍କର ଧାରଣା ବିଭୀଷଣ ବିଶ୍ୱାସୀ ନୌକାର । ଏହାରି ପରି କେତେଜଣ ବିଶ୍ୱାସୀ ଓ ସାହସୀ କର୍ମଚାରୀଙ୍କୁ ସେ ଆପଣାର କରିପାରିଲେ ଅନ୍ଧାରୀ ମୁଲକରେ କୌଣସି କାର୍ଯ୍ୟ ଅସାଧ୍ୟ ରହିବ ନାହିଁ । ପ୍ରପଞ୍ଚ ଓ ସର୍ବନାଶକୁ ମଧ୍ୟ ଦିନେ ସେ ସେପୁରକୁ ପଠାଇ ନିଜେ ରାଜଗାଦିର ଅଧିକାରୀ ହୋଇପାରିବେ । ମନ୍ତ୍ରୀଙ୍କୁ ସେ ଆପଣାର କରିପାରିଲେ ହେଲା । ଧୀର ପାଣି ପଥର କାଟେ । ଧୈର୍ଯ୍ୟ ଲୋଡ଼ା ।

Image

 

ଅନ୍ଧାରି ବିଜେ

 

ଖଞ୍ଜା ଭିତରେ ଅନ୍ଧାର । ଚାହିଁଲେ ଖାଁ ଖାଁ ଲାଗୁଛି । ପବନ ବହୁଛି ବେଗରେ । ଆକାଶର କଳା ମେଘ ଭିତରେୁ ଚମକି ଉଠୁଛି ବିଜୁଳି । ଝୁପୁରୁ ଝୁପୁରୁ ବର୍ଷା ।

 

ମାଉସୀ ପିଣ୍ଡାରେ ଶୋଇଛି । ସୀତା କବାଟ ବନ୍ଦକରି ବିଛଣା ଉପରକୁ ଆସିଲେ । ଏତେ ରାତି ହେଲା, ସେ ଫେରିଲେ ନାହିଁ । ମନ ଛନ ଛନ । ଛାତିରେ ଦକ ।

 

ବାହାରୁ କିଏ କବାଟ ଧଡ଼ ଧଡ଼ କଲା । କ୍ଷୀଣ ସ୍ୱରରେ ଡାକିଲା, ସୀତା, ସୀତା ।

ସେ କାନ ଡେରି ଶୁଣିଲେ । ପୁଣି କବାଟ ଧଡ଼ ଧଡ଼ । ପୁଣି କିଏ କ୍ଷୀଣ ସ୍ୱରରେ ଡାକୁଛି, ସୀତା, ସୀତା ।

 

ସୀତା ଆନନ୍ଦରେ ଖଟ ଉପରୁ ତଳକୁ ଓହ୍ଲାଇଲେ । ବାଳ ମୁକୁଳା । କିଳିଣି ଖୋଲି କବାଟ ଠିଆ ମେଲା କଲେ । ପବନର ଧକ୍‌କାରେ ଦୀପ ଆଲୁଅ ଲିଭିଗଲା । ପୁଣି ଚାରିଆଡ଼ ଅନ୍ଧାର ହୋଇଗଲା । ନିଆଁ ନାହିଁ ଦୀପ ଲଗାଇବେ କିପରି ?

 

ନୀରବରେ ଠିଆ ହୋଇ ଚିନ୍ତା କଲେ ।

ଖଞ୍ଜା ବାହାରୁ ପୁଣି ସେହି ସ୍ୱର । ଆଉ ସମ୍ଭାଳି ପାରିଲେ ନାହିଁ । ଆହା, ସେ କେଡ଼େ ବିପଦରେ ପଡ଼ଛନ୍ତି କେଜାଣି, ଆଗ ଭିତରକୁ ଆସନ୍ତୁ ।

 

ସୀତା ଦରାଣ୍ଡି ଦରାଣ୍ଡି ଦୁଇପାଦ ଆଗକୁ ଗଲେ । ପୁଣି ଥକ୍‌କା ହୋଇ ଠିଆ ହୋଇ ରହିଲେ । କାଳେ ସେ ନ ହୋଇଥିବେ ।

 

ମନ ମାନିଲା ନାହିଁ ମାଉସୀ ବୁଢ଼ୀକୁ ଡାକିଲେ, ମାଉସୀ, ମାଉସୀ ।

ପୁଣି ବାହାରକୁ ଡାକି ଆସିଲା । ମାଉସୀକୁ ଡାକି ଡାକି ସେ ଶୁଣିଲା ନାହିଁ । ହଲାଇଲେ କଡ଼ ମୋଡ଼ି ପୁଣି ଶୋଇଲା ।

 

ସୀତାଙ୍କର ଧୈର୍ଯ୍ୟର ସୀମା ଭାଙ୍ଗିଲା । ଅସୁବିଧାରେ ପଡ଼ି ସେ ଏତେ ରାତିରେ ଫେରୁଛନ୍ତି କେଜାଣି ।

 

ସୀତା ଅନ୍ଧାରରେ ଦରାଣ୍ଡି ହୋଇ ଦାଣ୍ଡ କବାଟ ପାଖକୁ ଗଲେ । ଭୟରେ ଛାତି ଦାଉଁ ଦାଉଁ ପଡ଼ୁଥାଏ । ଦେହ ହାତରୁ ସତେକି ପ୍ରାଣ ଛାଡ଼ି ଆସୁଥାଏ । କବାଟ ଫାଙ୍କ ବାଟେ ଅବାଧ୍ୟ ପବନ ଫଁ ଫଁ ହୋଇ ଖଞ୍ଜା ଭିତରକୁ ପଶି ଆସୁଛି। କିଲିଣି ଉପରେ ହାତ ରଖିଲେ । ହାତ ଝିମି ଝିମି ହୋଇ ଉଠୁଥାଏ ।

 

ପୁଣି କବାଟ ଧଡ଼ ଧଡ଼ ହେଲା । ମନରେ ସାହସ ଆଣି ସେ କିଲିଣି ଠେଲି ଦେଲେ । ପବନ ଧକ୍‌କାରେ କବାଟ ଠିଆମେଲା ହେଲା । ସେ ଭୀତିଭରା ଆକୁଳ ସ୍ୱରରେ ପଚାରିଲେ, ଏତେ ଡେରି କଲ କାହିଁକି ? ଏକା ଆସିଲ ଏ ଦୁର୍ଗମ ରାତିରେ ?

 

ତାଙ୍କର ଆକୁଳ ପ୍ରଶ୍ନର ଉତ୍ତର ଦେବାକୁ ଘର ଭିତରକୁ ପଶି ଆସିଲେ ଉଦ୍ଧତ ସିଂହ । ପଛରେ ବିଭୀଷଣ ।

 

ବିଜୁଳି ଚମକି ଉଠିଲା । ସୀତା ଦେଖିଲେ, କିଏ ଦୁଇଜଣ ଧୋବ ଫରଫର ଧୋତି ପିନ୍ଧି ଆଗରେ ଠିଆ ହୋଇଛନ୍ତି । ଭାବିବାକୁ ସମୟ ନାହିଁ, ପଚାରିବାକୁ ସାହସ ନାହିଁ । ସେ କେବଳ ଏତିକି ବୁଝିପାରିଲେ, ଯାହାଙ୍କର ବିପଦ ଚିନ୍ତାରେ ଆକୁଳ ହୋଇ ସେ କବାଟ ଫିଟଇବାକୁ ଧାଇଁ ଆସିଥିଲେ, ସେ ଆସି ନାହାନ୍ତି, ଆସିଛନ୍ତି ଦୁଇଜଣ ଚୋର କି ଡକାଇତ କି ଆଉ କେହି ।

 

କଅଣ କରିବେ ବୁଦ୍ଧି ଦିଶିଲା ନାହିଁ । ମନରେ କେତେ ଦୁଶ୍ଚିନ୍ତା ଖେଳିଗଲା । ଚିତ୍କାର କରି ଘର ଭିତରୁ ପଦାକୁ ବାହରି ଯିବାକୁ ଚେଷ୍ଟାକରି ଉଦ୍ଧତ ସିଂହଙ୍କର ହାତ ଦିଓଟି ମଝିରେ ପଡ଼ିଲେ ।

Image

 

ବିଫଳ ମିନତି

 

ସୀତା ଉଦ୍ଧତଙ୍କର ପାଦ ଧରି ମିନତ କଲେ ରାଜପୁତ୍ର, ସଇତାନର କୁଶିକ୍ଷାରେ ପରର ସ୍ତ୍ରୀ ଉପରେ ଅତ୍ୟାଚାର କରିବାକୁ ଅଗ୍ରସର ହୁଅ ନାହିଁ ।

 

ଉଦ୍ଧତ ତାଙ୍କର ହାତଧରି ଉଠାଇଲେ । ଉଚ୍ଚ ହାସ୍ୟ କଲେ ।

ସୀତାଙ୍କର ଆଖିରୁ ଲୁହଧାର ଗଡ଼ି ପଡ଼ିଲା । ଦୁର୍ଗମ ରାତିରେ ସାହା ଭରସା କେହି ନାହିଁ । ସେତେବେଳେ କାହାକୁ ବା ସେ ଡାକିବେ ? ଡାକିଲେ କିଏ ଶୁଣିବ କାହିଁକି ?

 

ତାଙ୍କର ଆକୁଳ ଛାତିଫଟା କାତରୋକ୍ତିର ଉତ୍ତର ଆସିଲା ବିଭୀଷଣର ମୁହଁରୁ-ସୁଖକୁ ଗୋଡରେ ଠେଲି ଦେବାକୁ ବସିଛୁ କାହିଁକି ସୀତା ? ତୋ ପରି ଭାଗ୍ୟବତୀ ହେବାକୁ ଦେଶର କେଉଁ ବାଳିକା ସର୍ବସ୍ୱ ନ ଦେବ ?

 

ସୀତା ରାଗିଯାଇ କହିଲେ, ଚୁପ ରହ ସଇତାନ୍, ସବୁ ତୋଓରି କାଣ୍ଡ ।

ବିନୀତ ଭାବରେ ପୁଣି କହିଲେ, ମୁଁ ନିରାଶ୍ରୟା, ତୁମେ ଦେଶର ରାଜା । ମୋର ବାପ ସମାନ । ମୋତେ ଛାଡ଼ । ଅନ୍ୟାୟ କରନାହିଁ ।

 

ଉଦ୍ଧତ ବାଧା ଦେଇ କହିଲେ, ରତ୍ନକୁ ଯତ୍ନ କରି ହୃଦୟରେ ସ୍ଥାନ ଦେବା କଣ ଅନ୍ୟାୟ-?

 

ସୀତା ମିନତି କଲେ ରାଜପୁତ୍ର ଜଣେ ନିଃସହାୟା ଗର୍ଭିଣୀ ସ୍ତ୍ରୀର ଜୀବନ ନେଇ ଆପଣଙ୍କର କେଉଁ ପୌରୁଷ ହେବ ? ମୋତେ ଛାଡ଼ନ୍ତୁ ।

 

ଗର୍ଭିଣୀ ନାମ ଶୁଣି ଉଦ୍ଧତଙ୍କର ହାତମୁଠା ଶିଥିଳ ହୋଇ ଆସିଲା ।

ବିଭିଷଣ ହସି ହସି କହିଲା ଛଳନା, ତୁଚ୍ଛା ଛଳନା ।

 

ଉଦ୍ଧତ ସୀତାଙ୍କର ଦୁଇ ହାତକୁ ନିଜର ଦୁଇ ହାତରେ ପୁଣି ଚାପି ଧରି କହିଲେ, ଦେଖ, ଭଲରେ ଶୁଣୁ ନାହିଁ, ଫଳ ଭଲ ହେବ ନାହିଁ । ମୋର କଥା ମାନି ବାଧା ନ ଦେଇ ମୋ ସଙ୍ଗରେ ଆସ । ତମର କେହି କିଛି ଅନିଷ୍ଟ କରିପାରିବେ ନାହିଁ ।

 

ସୀତା ଅନୁରୋଧ କଲେ, ମୋର ପ୍ରାର୍ଥନା ବିଫଳ କରନାହିଁ । ଦେହରେ ଜୀବନ ଥାଉଁଣୁ ସୀତା ତାର ସ୍ୱାମୀର କୁଡ଼ିଆ ଛାଡ଼ି ପଦାକୁ ଗୋଡ଼ କାଢ଼ିବ ନାହିଁ ।

 

ବିଭିଷଣ ବିଦ୍ରୁପ କରି କହିଲା, ଏତେ କଷ୍ଟ କରି ଗୋଡ଼ କାଢ଼ିବାକୁ ପଡ଼ିବ ନାହିଁ । ଶୂନ୍ୟେ ଶୁନ୍ୟେ ଟେକି ନେଲେ ସୀତା ଯିବେ ।

 

ଉଦ୍ଧତ ସିଂହଙ୍କର ହାତରୁ ହଠାତ୍‌ ନିଜକୁ ମୁକ୍ତ କରି ସୀତା ବିଜୁଳି ବେଗରେ ଅନ୍ଧକାର ମଧ୍ୟ ଦେଇ ଛୁଟିଲେ ମୁକ୍ତି ଆଶାରେ !

 

ମୁକ୍ତି କାହିଁ ?

ବିଭୀଷଣର ସିଙ୍ଘନାଦରେ ନିର୍ଜନ ଅନ୍ଧାର ରାତିର ବକ୍ଷ ଥରି ଉଠିଲା । ସଙ୍ଗେ ସଙ୍ଗେ କେତେଜଣ ଅଶ୍ୱାରୋହୀଙ୍କର ଅଶ୍ୱଚାଳନାର ଶବ୍ଦ ନିଶୀଥର ନୀରବତା ଭଙ୍ଗ କରି ନୈଶ ଆକାଶରେ ପ୍ରତିଧ୍ୱନିତ୍ୱ ହେଲା ।

Image

 

ଦସ୍ୟୁଦଳ

 

ନିହିପ୍ରସାଦ ଗାଁରୁ ଗଡ଼ ଆଡ଼କୁ ବାଟ ତିନିମାଇଲ ଦୂରରେ ରାସ୍ତା କଡରେ ଯେଉଁ ବଡ଼ ପୁରୁଣା ପଦ୍ମ ପୋଖରୀ ତାହାରି ପାଖରୁ ଗୋଟିଏ ଛୋଟ ରାସ୍ତା ଦୁଇ ପାଖର ଅନ୍ଧାରିଆ ଜଙ୍ଗଲ ଭେଦକରି ଯାଇଛି । ଦୂରରେ ଗୋଟିଏ ଲଣ୍ଡା ମୁଣ୍ଡିଆ ପାହାଡ଼ । ପାହାଡ଼ କଡରେ ଦି ବଖରା କଚା ପତର ଘର ।

 

ସଞ୍ଜ ହୋଇ ଆସୁଛି । ଆକାଶ ସାରା କଳା ମେଘ ଘୋଟିଗଲା । ସୁଲୁସୁଲିଆ ଥଣ୍ଡା ପବନ ଲୋମ ଟାଙ୍କୁରାଇଲା । ଠିକ୍‌ ସେତିକିବେଳେ ସେହି ପାହାଡ଼ ତଳ ଘର ଦି ବଖରାର ଗୋଟିଏ କୋଣରେ ନିଆଁ ଟିକେ ଜୁକୁଜୁକୁ ହୋଇ ଜଳୁଥିଲା । ଘର ମଝିରେ ଦୁଇ ଧାଡ଼ି ଖଲିପତର ପଡ଼ିଛି । ପତର ପାଖରେ ଚେକା ପକାଇ ବସିଛନ୍ତି ଜଣେ ଜଣେ ଦସ୍ୟୁ ।
 

ସମସ୍ତେ ନୀରବ । ବାହାରୁ ଘୋଡ଼ା ଖୁରା ବାଡ଼େଇବାର ଶବ୍ଦ ଓ ଅଦୂର ପର୍ବତ ଉପରୁ ମହାବଳର ହେଣ୍ଟାଳ ସଙ୍ଗେ ମାଙ୍କଡର ଖେଁ ଖାଁ ଛଡ଼ା ଆଉ କିଛି ଶୁ ଭୁନାହିଁ । ବାଘର ହେଣ୍ଟାଳ ଏମାନଙ୍କ କାନରେ ଚିର ପରିଚିତ । ସେଥିରେ ଛାତି ଦମକି ଉଠୁ ନାହିଁ କି ପ୍ରାଣ ଆତଙ୍କରେ ବ୍ୟଗ୍ର ହେଉ ନାହିଁ ।

 

ବିକ୍ରମ ପାଣି ପିଇ ହାକୁଟି ମାରି କହିଲେ, ଭାଇମାନେ, ଯେଉଁ ମହାବ୍ରତ ବରଣ କରିଛ, ଦୁଃଖ ଓ ସୁଖରେ ଯେପରି ତାହା ପାଶୋର ନ ଯାଅ । ଏହି ନିକୃଷ୍ଟ ଖାଦ୍ୟ କୌଣସିମତେ ପଶୁପଲ ଖାଇବାଦ୍ୱାରା ଯେପରି ସେହି ମହାବ୍ରତ ପ୍ରତି ମନରେ ବିତୃଷ୍ଣା ନ ଆସେ । ସାବଧାନ ! ଜିହ୍ୱା ହିଁ ମଣିଷକୁ ତା’ର ସାଧନା-ମାର୍ଗରୁ ବିଚ୍ୟୁତ କରେ ।

 

ନିର୍ଭିକ ଉଚ୍ଚ ସ୍ୱରରେ କହିଲେ, ଦସ୍ୟୁ ସାବଧାନ ! ଜିହ୍ୱା ଏବଂ ଜିହ୍ୱା ପରି ଅନ୍ୟାନ୍ୟ ଇନ୍ଦ୍ରିୟର ମୋହରେ ଯେପରି ଦସ୍ୟୁର ମନ ଆକୃଷ୍ଟ ନ ହୁଏ । ଏହି ଦସ୍ୟୁବହୁଳ ଯୁଗରେ ଯେତେବେଳେ ଦସ୍ୟୁବୃତ୍ତି ଶିଖାଇବାକୁ କେତେ ଅନୁଷ୍ଠାନ ସ୍ଥାପିତ ହୋଇଛି ଏବଂ କେତେ ବ୍ୟକ୍ତି ଦସ୍ୟୁ ହୋଇ ହସି ହସି ଦିନ ଦ୍ୱିପ୍ରହରେ ଅନ୍ୟର ତଣ୍ଟିରେ ଛୁରୀ ଦେଇ ଅଣ୍ଟାରୁ ପଇସା ଖସାଇ ନେଉଛନ୍ତି, ଏହି ଦସ୍ୟୁପ୍ରବଳ ଦୁନିଆରେ ବିକ୍ରମ ସିଂହର ଦସ୍ୟୁଦଳ ନିଶ୍ଚୟ ଗୋଟାଏ ନୂଆ ଆଦର୍ଶ ଦେଖାଇଯିବ । ପ୍ରତିଜ୍ଞା କର ସାଧୁବୃନ୍ଦ !

 

ସମସ୍ୱରରେ ଦସ୍ୟୁଦଳ ଗର୍ଜନ କରି ଉଠିଲେ ।

ନିମ୍ନ ସ୍ୱରରେ କିଏ ଜଣେ କହିଲା, ତୃପ୍ତି ହେଲା ନାହିଁ ନିର୍ଭୀକ । ସିଝା ମାଂସରେ କି ପଦ୍ମପୋଖରୀର ପାଣିରେ ଦସ୍ୟୁଦଳର ତୃପ୍ତି ହୁଏ ନାହିଁ ।

 

–କିପରି ହୁଏ ତେବେ ?

–ଖଣ୍ଡ ଖଣ୍ଡ କଞ୍ଚାମାଂସ ଓ ବୁନ୍ଦା ବୁନ୍ଦା ସଦ୍ୟ ନାଲିଆ ରକ୍ତରେ-ହାଃ, ହାଃ ! କାହାର ସେ ରକ୍ତ ମାଂସ ଜାଣ ? ହରିଣ ଠେକୁଆ କି ଛେଳି ମେଣ୍ଢାର ନିରୀହ ରକ୍ତ ମାଂସ ନୁହେଁ, ରକ୍ତଲୋଲୁପ ବାଘ, ଭାଲୁ, କୁକୁର ଓ ବିଲୁଆର ରକ୍ତରେ !

 

ସ୍ୱାର୍ଥ ସିହାଣ କହିଲେ, ଛି ! ମୁଁ କିନ୍ତୁ–

ବିକ୍ରମ କହିଲେ, ସେଇ ବାଘ ଭାଲୁ ଥାଆନ୍ତି କେଉଁଠି ଜାଣ ? ଜଙ୍ଗଲରେ ନୁହେଁ କି ପଥର କନ୍ଦିରେ ନୁହେଁ । ଆଜି ସମାଜ ଭିତରେ ଗଣ୍ଡା ଗଣ୍ଡା ହୋଇ ଚରି ବୁଲୁଛନ୍ତି ।

 

ଦସ୍ୟୁଦଳ ହସି ଉଠିଲେ ।

ଦୂରରୁ ଅଶ୍ୱଚାଳନାର ଶବ୍ଦ ଶୁଭିଲା । ଅନିଶ୍ଚିନ୍ତ ଭୟର ଆଶଙ୍କାରେ ଦସ୍ୟୁମାନେ ଖିଆପିଆ ଛାଡ଼ି ଉଠିଲେ । ତରବର କରି ହାତମୁହଁ ଧୋଇ ନିଜ ନିଜର ଆୟୁଧ ଧରି ପ୍ରସ୍ତୁତ ରହିଲେ । ବିକ୍ରମ ନଳୀଟିକୁ ବେକରେ ପକାଇ ପଦାକୁ ଆସିଲେ । ଅନ୍ୟମାନେ ନଳୀରେ ଗୁଳି ଭରି ଘର ଆଗରେ ଦୁଇ ଧାଡ଼ି ହୋଇ ଠିଆ ହେଲେ । ସେମାନଙ୍କ ଆଗରେ ନିର୍ଭୀକ ବନ୍ଧୁକ ଧରି ଟହଲିବାକୁ ଲାଗିଲେ ।

 

ଅଶ୍ୱାରୋହୀ ନିକଟତର ହେଲା । ବିକ୍ରମ ଅନ୍ଧାରକୁ ବନ୍ଧୁକ ଲକ୍ଷ୍ୟ କରି ଉଚ୍ଚସ୍ୱରରେ ଚିତ୍କାର କରି ଉଠିଲେ, କିଏ ?

 

ଆଗନ୍ତୁକ ଅଶ୍ୱାରୋହୀ ଅଶ୍ୱଚାଳନା ବନ୍ଦ କରି ଉତ୍ତର ଦେଲା, ବିଦ୍ରୋହ !

ବିକ୍ରମ ପୁଣି ପଚାରିଲେ; ନାମ ?

–ବିକ୍ରମ !

ବିକ୍ରମ କାନ୍ଧରୁ ବନ୍ଧୁକ ଓହ୍ଲାଇ କହିଲେ, ଆସ ।

 

ଆଦେଶ ପାଇ ଦସ୍ୟୁଦଳ କାନ୍ଧରୁ ବନ୍ଧୁକ ଓହ୍ଲାଇଲେ । ଆଗନ୍ତୁକ ଅଶ୍ୱାରୋହୀ ଅଶ୍ୱରୁ ଓହ୍ଲାଇ ସମସ୍ତଙ୍କୁ ଅଭିବାଦନ କଲା । ନିଜେ ନିର୍ଭିକ ଅଶ୍ୱର ଲଗାମ ଧରି ସ୍ଥାନାନ୍ତରକୁ ନେଇଗଲେ-। ଆଗନ୍ତୁକର ନାମ ଡଗର ।

 

ଡଗର ଦମ୍‌ ନେଇ କହିଲା, ଡେରି କଲେ ଚଳିବ ନାହିଁ ସରଦାର ! ଏହି ରାତିରେ ପିଲାଟିର ସର୍ବନାଶ କରି ଦେବେ । ଯାହା କରିବାର କଥା ରାତି ରାତି କରିବାକୁ ହେବ ।

 

ବିକ୍ରମ ପଚାରିଲେ, ସବୁ ଖବର ପାଇଛୁ ତେବେ ?

ସବୁ ଖବର ପାଇଛି । ମନ୍ତ୍ରୀଙ୍କ ଅନ୍ଦରମହଲରେ ଗୋଟିଏ ଘରେ ଗୋଲାପକୁ ବନ୍ଦୀ କରି ରଖିଛନ୍ତି । ରାଜାର ଆଦେଶରେ ସାନଭାଇ ସର୍ବନାଶ ନେଇ ଆସିଲେ ସିନା, ଲୋକଙ୍କ ଡରରେ ମନ୍ତ୍ରୀଙ୍କ ଘରେ ଲୁଚାଇ ରଖିଛନ୍ତି । ମନ୍ତ୍ରୀ ଏ କଥା ଜାଣନ୍ତି । ରାଜାଙ୍କୁ ତ ସବୁ ଜଣା । ବିଚାରରେ ହଳଧର ବିଶୋଇ ଦୋଷୀ ସାବ୍ୟସ୍ତ ହେଲେ । ତାଙ୍କର ନିଶ ଦାଢ଼ଇ ମୋରି ଆଖି ଆଗରେ ଉପୁଡ଼ା ହେଲା । ଯେତେବେଳେ ଯନ୍ତ୍ରଣାରେ ଛଟପଟ ହୋଇ ମନ୍ଦାଏ ପାଣି ମାଗିଲେ, ପାଣି ପରିବର୍ତ୍ତରେ ଦିଆଗଲା ଗାଈମୂତ ।

 

ବିକ୍ରମ ଅଧୀର ହୋଇ ପଚାରିଲେ, ବିଶୋଇ ବର୍ତ୍ତମାନ କେଉଁଠି ?

ହତଜ୍ଞାନ ହୋଇ ଦରବାର ଆଗରେ ପଡ଼ିଥିଲେ । କଅଣ ହେଲା ମୁଁ କହିପାରିବି ନାହିଁ । ହଁ, ଗୋଲାପ କଥା କହୁଥିଲି, ଆଜି ରାତି ମନ୍ତ୍ରୀ ତାକୁ ରାଜାଙ୍କ ଛାମୁରେ ଭେଟି ଦେବେ । ସେ ଯଦି ରାଜାଙ୍କ ଉପଭୋଗର ସାମଗ୍ରୀ ହେବାକୁ ବାରଣ କରେ, ତେବେ ଗୋଲାପକୁ ଦିଲ୍‍ଦାର ମିଆଁ ଓ ତାଙ୍କର ଅନୁଚରମାନଙ୍କର ଦିଲ୍‌ଖୁସ୍‌ ପାଇଁ ପଠାଇ ଦିଆଯିବ ।

 

–ପିଲାଟିର ବୟସ କେତେ ହେବ ?

–ଚଉଦ କି ପନ୍ଦର ହୋଇପାରେ ।

–ଏସବୁ ଖବର ପାଇଲ କିପରି ? ସବୁ ଖବର ଠିକ୍‌ ତ ?

 

–ଅତି ସତର୍କତାରେ ଏସବୁ ଖବର ମନ୍ତ୍ରୀଙ୍କ ଘରୁ ପାଇଛି । ରାତି ଅଧରେ ମନ୍ତ୍ରୀ ଗୋଲାପକୁ ରାଜପ୍ରାସାଦକୁ ପଠାଇ ଦେବେ । ସେତିକି ବେଳେ ଯଦି–

 

–ଠିକ୍‌ ସେତିକିବେଳେ । ନିର୍ଭୀକ ନିର୍ଭୀକ !

–ଆଜ୍ଞା ।

–ରାତି ଅଧକୁ ପ୍ରସ୍ତୁତ ଥାଅ । ବେଶି ମଣିଷରେ ମୂଷା ମରେ ନାହିଁ । ମୁଁ ଚାହେଁ ପାଞ୍ଚଜଣ । ମରିବାକୁ କିଏ ପ୍ରସ୍ତୁତ ଅଛି ?

 

ସମସ୍ତେ ଏକାସଙ୍ଗେ କହି ଉଠିଲେ, ମୁଁ ।

ଟିକିଏ ଦମ୍‌ ନେଇ ଡଗର କହିଲା, ଆହୁରି ଗୋଟିଏ ଗୁରୁତର ସମ୍ୱାଦ ଅଛି ସରକାର ।

 

ବିକ୍ରମ ବିରକ୍ତ ହୋଇ କହିଲେ, ଦମ୍‌ ନେବାକୁ ଅବସର ନାହିଁ ଡଗର ! ରହି ରହି ଶୁଣିବାକୁ ମୋର ଧୈର୍ଯ୍ୟ ନାହିଁ । ଯାହା କହିବାର ଶୀଘ୍ର କହିଯାଅ ।

 

ଡଗର ନିଶ୍ୱାସକୁ ଭିତରକୁ ଟାଣି କହିଲା, ବିଦ୍ରୋହ ବିଶ୍ୱାଳ ବନ୍ଦୀ ।

ନିର୍ଭୀକ ଚମକି ଉଠି କହିଲେ, ବନ୍ଦୀ ବିଦ୍ରୋହ ବିଶ୍ୱାଳ ? ଏହି ଅନ୍ଧାର ଭିତରେ ଆଶାର ଏକମାତ୍ର କ୍ଷୀଣ ଆଲୋକ !

 

ବିକ୍ରମ ପଚାରିଲେ, ତାଙ୍କ ବିରୁଦ୍ଧରେ ଅଭିଯୋଗ କଅଣ ?

ନିର୍ଭୀକ କହିଲେ, ବନ୍ଦୀ କରିବାକୁ ଅଭିଯୋଗ ଖୋଜୁଛ କାହିଁକି ? ବାଘ ଭାଲୁ ବାଟୋଇକୁ ଆକ୍ରମଣ କଲାବେଳେ କଅଣ ଦୋଷ ନିର୍ଦ୍ଦୋଷ କଥା ବିଚାର କରନ୍ତି ?

 

ଡଗର କହିଲା, ତାଙ୍କ ବିରୁଦ୍ଧରେ ଅଭିଯୋଗ ଯେ, ସେ ଦସ୍ୟୁଦଳକୁ ସାହାଯ୍ୟ କରନ୍ତି ନିଜ ଘରେ ଆଶ୍ରୟ ଦିଅନ୍ତି । କିନ୍ତୁ–

 

ନିର୍ଭୀକ ଭ୍ରୂକୁଞ୍ଚିତ କରି ପଚାରିଲେ, କିନ୍ତୁ କଅଣ ?

ପ୍ରକୃତ ଅଭିଯୋଗ ହେଉଛି ବିଶ୍ୱାଳଙ୍କ ଧନ । ମନ୍ତ୍ରୀ ଜାଣନ୍ତି ବିଶ୍ୱାଳଙ୍କ ଘରେ ପ୍ରଚୁର ଧନ ଗଚ୍ଛିତ ଅଛି । ମହାରାଜାଙ୍କ ଭୟ, ବିଶ୍ୱାଳେ ଦିନେ କେବେ କଡ଼ମାଡ଼ି ଉଠିବେ । ନିଆଁ ଜଳିବା ଆଗରୁ ପାଣି ପକାଇ ଲିଭାଇ ଦେବା ହିଁ ଭଲ । ଆହୁରି ଗୋଟିଏ ଉଦ୍ଦେଶ୍ୟ ଅଛି । ମହାରାଜା ଖବର ପାଇଛନ୍ତି ଯେ ବିଶ୍ୱାଳଙ୍କ ଘରେ ଦିଓଟି ସୁନ୍ଦର ଝିଅ ଅଛନ୍ତି ।

 

ବିକ୍ରମ ଗର୍ଜି ଉଠିଲେ, ନିର୍ଭୀକ, ନିର୍ଭୀକ !

ନିର୍ଭୀକ ଅଗ୍ରସର ହେବାରୁ ଡଗର କହିଲା, ଶୁଣ ସରଦାର,, ସେତିକି ନୁହେଁ । ଏ ସବୁ ତୁଣ୍ଡରେ ଧରିଲେ ଜିଭ ଛିଣ୍ଡିଯିବାର କଥା, କିନ୍ତୁ ଶୁଣ, ବିଶ୍ୱାଳଙ୍କୁ ପାଞ୍ଚବର୍ଷ ଜେଲ ଭୋଗିବାକୁ ହେବ-। ସେ ତ ଯାହା ହେବାର ହେଲା, ଆଜି ରାତିରେ ଧନଜନ ଅପହରଣ କରିବାକୁ ବିଶ୍ୱାଳଙ୍କ ଘରେ ଡକାୟତି ହେବ ।

 

ବିକ୍ରମ କହିଲେ, କାଟିଦିଅ ତାର ମୁଣ୍ଡ ନିର୍ଭୀକ, ମିଥ୍ୟାବାଦୀ !

ନିର୍ଭୀକ ତରବାରୀ ଟେକି ଅଗ୍ରସର ହେବାରୁ ଡଗର ଟିକିଏ ପଛକୁ ଘୁଞ୍ଚି କହିଲା, କ୍ଷାନ୍ତ ହୁଅ, ଆହୁରି ଅଛି । ବିଶ୍ୱାଳଙ୍କ ଘରେ ଡକାୟତି ହେବ, ଏହା ହିଁ ମହାରାଜାଙ୍କର ଆଦେଶ । ଦିଲ୍‍ଦାର ଦୁର୍ଦ୍ଦାନ୍ତକୁ ଡକାଇ ଆଦେଶ ଦେଇଛନ୍ତି ।

 

ଦୁର୍ଦ୍ଦାନ୍ତ କିଏରେ ?

ମହାରାଜଙ୍କର ପୋଷା ଚୋର । ଜାତିରେ ଗଣ୍ଡା । ସେ ଓ ତା ଦଳର ଲୋକେ ରାଜଦରବାରରୁ ବେତନ ପାଆନ୍ତି । ସେମାନଙ୍କର କାମ କଅଣ ଜାଣ ସରଦାର ? ବିଦେଶରୁ ଯେଉଁ ବେପାରୀମାନେ ବେପାର କରିବାକୁ ଆସନ୍ତି, ସେମାନଙ୍କର ସର୍ବସ୍ୱ ଲୁଣ୍ଠନ । ସେ ଦିନ କେତେଜଣ ଜହରତ୍‌ ବ୍ୟବସାୟୀଙ୍କଠାରୁ ମହାରାଜା ଷାଠିଏ ହଜାର ଟଙ୍କାର ଜହରତ୍‌ ଖରିଦ କରି ବିନା ଭାଉରେ ଖଜଣାଖାନାରୁ ଟଙ୍କା ଦେଇ ଦେଲେ । ସେମାନେ ଖୁସି ହୋଇ ରାଜଦରବାରରୁ କେତଜଣ ସିପାହୀ ପହରା ଘେନି ଦେଶକୁ ଫେରୁଥିଲେ । ଠିକ୍‌ କଜିଆବୋଦା ଘାଟିଠାରେ ହାବୁଡ଼େ ପଡ଼ିଲେ ଦୁର୍ଦ୍ଦାନ୍ତ ଗଣ୍ଡାର । ଆଗରୁ ଏ ଖବର ଦୁର୍ଦ୍ଦାନ୍ତ ଗଣ୍ଡାକୁ ଦିଆଯାଇଥିଲା । ପରଦିନ ଦୁର୍ଦ୍ଦାନ୍ତ ରାଜକୋଷର ସମସ୍ତ ଟଙ୍କା ରାଜକୋଷରେ ଦାଖଲ କରିଦେଲା । ଦୋଷ ହେଲା, ଦସ୍ୟୁଦଳର । ସେହି ଦୁର୍ଦ୍ଦାନ୍ତ ଗଣ୍ଡା ଆଜି ରାତିରେ ବିଶ୍ୱାଳଙ୍କ ଘରେ ପଶିବ ।

 

ବିକ୍ରମ ଟିକିଏ ନୀରବ ହୋଇ କହିଲେ, ନିର୍ଭୀକ, ତୁମେ ଯାଅ ଗୋଲାପକୁ ଉଦ୍ଧାର କରିବ । ମୁଁ ଚାଲିଲି ଯାତନା ଗାଁକୁ । ଡଗର, ତୁ ଫେରିଯାଇ ହଳଧର ବିଶୋଇଙ୍କର ଖବର ରଖ । ବାହାରି ପଡ଼, ଆଉ ଲୁଚି ଲୁଚି କାମ କଲେ ଚଳିବ ନାହିଁ ।

Image

 

ଅଭାଗିନୀର ଆର୍ତ୍ତନାଦ

 

ନିଶୀଥର ଘୋର ଅନ୍ଧକାର । ଚାରିଆଡ଼େ ନିବିଡ଼ ଶୂନ୍ୟତାର ରାଜତ୍ୱ । ମୂଷଳ ଧାରାରେ ଅବିରାମ ବର୍ଷା ହେଉଛି । ତୋଫାନର ପ୍ରବଳ ବେଗରେ ଗଛବୃକ୍ଷ ଭାଙ୍ଗି ପଡ଼ୁଛି । ସେତିକିବେଳେ ଘର ଆଗରେ ବର୍ଷାପାଣିରେ ଜୁଡ଼ୁବୁଡ଼ୁ ହୋଇ ଠିଆ ହୋଇଛନ୍ତି ନିର୍ଭୀକ । ହାତରେ ତାଙ୍କର ଖୋଲା ତରବାରୀ ।

 

ସେ କପାଳରୁ ବର୍ଷାଜଳ ପୋଛି ଚିନ୍ତାକଲେ, ବାଧାବିପଦ ତ ଆସିବ । ଭଲ ହେଉ, ମନ୍ଦ ହେଉ ଯେତେବେଳେ ଯେଉଁ କାମ କରିବାକୁ ଆଗେଇଲେ ବାଟରେ କେତେ ହିଡ଼, ନାଳ ଡେଇଁବାକୁ ହେବ । ବିପଦକୁ ଡରି ଗୋଟିଏ ଗୋଲାପକୁ ଅବହେଳା କରି ଝାଉଁଳିବାକୁ ଛାଡ଼ିଦେଲେ, ଗୋଟି ଗୋଟି କରି ଶହ ଶହ ଗୋଲାପ ଆଖି ଆଗରେ ଝାଉଁଳି ପଡ଼ିବେ । ମରିବାକୁ ପଡ଼ିବ ପରା ! ସେଥିକି ଭୟ କଅଣ ? ମରଣ, ସେ ତ ଜୀବନ ପାଇଁ । ଜୀବନ ବି ମରଣର ଚଳନ୍ତି ଛାୟା ।

 

ନିର୍ଭୀକ କୁଟୀର ଆଗରେ ଟହଲୁ ଟହଲୁ ହଠାତ୍‌ ଉତ୍ତେଜିତ ହୋଇ ପଡ଼ିଲେ । ପ୍ୟାଣ୍ଟ ପକେଟରୁ ସିଙ୍ଘା ବାହାର କରି ମୁହଁରେ ଲଗାଇଲେ । ଗୋଟିଏ ନୂତନ ସ୍ପନ୍ଦନ ତାଙ୍କର ଶିରା ପ୍ରଶିରାରେ ଉତ୍ସାହର ବିଜୁଳି ଖେଳାଇ ଦେଲା । ଏତେଦିନେ ସେ ପ୍ରତିହିଂସା ନେବାକୁ ଆଗଭର ।

 

ସିଙ୍ଘା ଘନ ଘନ ବାଜି ଉଠିଲା ।

ମୁହୂର୍ତ୍ତକ ଭିତରେ ଦସ୍ୟୁଦଳର ନିଦ ଭାଙ୍ଗିଲା । ସିଙ୍ଘାର ଗର୍ଜନ, ଯୁଦ୍ଧର ଆହ୍ୱାନ ତାଙ୍କର କାନରେ ବାଜିଲା । ଅନ୍ତରର ଗଭୀରତମ ପ୍ରଦେଶରେ ସେନାପତିର ଆହ୍ୱାନ ଘନ ଘନ ପ୍ରତିଧ୍ୱନିତ ହେଲା । ରକ୍ତର ପ୍ରବାହ କ୍ଷିପ୍ରତର ହେଲା ଏବଂ ଖେଳିଗଲା ଦେହରେ ପ୍ରତ୍ୟେକ ତନ୍ତ୍ରୀରେ ଉନ୍ମାଦନାର ବିଦ୍ୟୁତ୍‌ ତରଙ୍ଗ ।

 

ସିଙ୍ଘାର ଗର୍ଜନ, ଯୁଦ୍ଧର ପବିତ୍ର ଆହ୍ୱାନ, ବିଜୟର ଉନ୍ମାଦକର ସୁନେଲୀ ସ୍ୱପ୍ନ କିମ୍ବା ମରଣର ଅଲଙ୍ଘନୀୟ ଶୀତଳ ଚୁମ୍ୱନ ।

 

ଆକାଶରେ ଘଡ଼ଘଡ଼ି ଗର୍ଜିଉଠିଲା, ଗର୍ଜିଉଠିଲା ସେହିପରି ନିର୍ଭୀକର ସିଙ୍ଘା । ଡକାୟତମାନେ ଅସ୍ତବ୍ୟସ୍ତ ହୋଇ ସେମାନଙ୍କର କଠୋର ଭୂମିବିଛଣା ଛାଡ଼ି ଉଠିଲେ । ଅନ୍ଧାରରେ ଅଣ୍ଡାଳି ଅଣ୍ଡାଳି ନିଜ ନିଜର ଅସ୍ତ୍ରମାନ ଧରି ବିଜୁଳି ବେଗରେ ଛୁଟି ଆସିଲେ ପଦାକୁ ।

 

ବିଜୁଳି ଚମକି ଉଠିଲା । ନିର୍ଭୀକ ଦେଖିଲେ ତାଙ୍କର ଚାରିପାଖରେ ଡକାୟତମାନେ ଘେରିଗଲେଣି । ସେ ସିଙ୍ଘାକୁ ପୁଣି ପ୍ୟାଣ୍ଟ ପକେଟରେ ରଖି କହିଲେ, ଭାଇମାନେ, ଦେଖୁଛ ତ କିପରି ଦୁର୍ଗମ ରାତି । ଏହାରି ଭିତରେ ତମକୁ ତମର କର୍ତ୍ତବ୍ୟ ପାଳିବାକୁ ହେବ, ଗୋଲାପକୁ ଉଦ୍ଧାର କରିବାକୁ ହେବ ।

 

ହେମନ୍ତ କହିଲା, ଭାବନା କାହିଁକି ଛୋଟ ସର୍ଦ୍ଦାର, ଦୁନିଆ ଆଖିରେ ଯାହା ଦୁର୍ଗମ, ଆମ ଆଖିରେ ତାହା ସୁଗମ ହେବା ବାଞ୍ଛନୀୟ, କାରଣ–

 

ବୁଦ୍ଧିମାନ କହିଲା, କାରଣ, କଙ୍କଡ଼ାକୁ ଗୋଳିପାଣି ଭଲ ।

ନିର୍ଭୀକ କହିଲେ, ତେବେ ପ୍ରସ୍ତୁତ ହୁଅ ଭାଇମାନେ । ମୁକ୍ତିପଥର ପଥିକ ହେଲେ ବିପଦକୁ ପଛରେ ପକାଇ ମରଣକୁ ବରଣ କରିବାକୁ ହେବ । ତୁମ ଭିତରୁ ମୃତ୍ୟୁକୁ ଯେ ଭୟ କରେ ସେ ନିଶ୍ଚିନ୍ତରେ ଘରକୁ ଫେରିଯାଉ ।

 

ହେରେସା କହିଲା, ଶିକାର ଆଶାରେ ବସି ବସି ଆଖିରୁ ପାଣି ମଲାଣି । ଗୋଟାଏ କିଛି ଶିକାରର ବରାଦ କର ଛୋଟ ସର୍ଦ୍ଦାର ! ନୋହିଲେ ଖଣ୍ଡାର ଧାର କଳଙ୍କି ଧରିଯିବ ।

 

ଚିନ୍ତା କରି ବିକଳା ହସି ହସି କହିଲା, ମୃତ୍ୟୁକୁ ଆଉ ଡରିବି କଅଣ, ମୁଁ ତ ଅନେକ ଦିନୁ ମରିସାରିଛି ସର୍ଦ୍ଦାର । ଯେଉଁଦିନ ମୋ ଘରମଣିଷର ସ୍ତନକୁ କାଟି ପକାଇଲେ ଶହ ଶହ ଲୋକଙ୍କ ଆଗରେ, ସେହି ଦିନରୁ ମୁଁ ମରିଛି । ମୁଁ ବିକଳା ନୁହେଁ, ମୁଁ ବିକଳାର ଭୂତ । ଅନ୍ଧାର ଭିତରେ ଘୂରିବୁଲୁଛି, ହାବୁଡ଼େ ପଡ଼ିଲେ ଥରେ ସେହି ହାତ ଦି’ଟାକୁ ଗ୍ରାସିବି ।

 

ବିକଳାର କଥା ତା ତୁଣ୍ଡରେ ଅଧା ହୋଇ ରହିଲା । ସମସ୍ତେ ଅବାକ୍‌ ହୋଇ ଦୂରରୁ ଆସୁଥିବା ଗୋଟିଏ କରୁଣ ଚିତ୍କାରକୁ କାନ ଡେରିଲେ । ନିଶୀଥର ଛାତି ଚିର ନାରୀମୁଖର ସେହି କରୁଣ ସ୍ୱରଟି ଅତି କ୍ଷୀଣ ହୋଇ ଭାସିଆସିଲା । କେହି କିଛି ସ୍ଥିର କରିପାରିଲେ ନାହିଁ ।

 

ଫାଜିଲ୍‌ କହିଲା, ସେ କିଛି ନୁହେଁ ସର୍ଦ୍ଦାର, ଗୋଟିଏ ପେତିନୀ ହେଲେ ହୋଇପାରେ ! ଅନ୍ଧାର, ଦୁର୍ଗମ ରାତି ଦେଖି ସେମାନେ ଚରିବୁଲି ବାହାରନ୍ତି ।

 

ବୁଦ୍ଧିମାନ ସୁବୁଦ୍ଧି ପଚାରିଲା, କଅଣ ଚରନ୍ତି ସେମାନେ ?

ଫାଜିଲ୍‌ କହିଲା, କୋଚିଆ, ଫଳମୂଳ–

ହେରେସା ପ୍ରତିବାଦ କଲା ଉଁ ହୁଁ, ଦିବ୍ୟ ସରୁଚାଉଳର ଅନ୍ନ, ଖାଣ୍ଟି ଗୁଆଘିଅ ।

 

ବିକଳା କହିଲା, ଯା, ଯା, ନ ଜାଣି ନ ଶୁଣି ଏଣୁ ତେଣୁ ବକୁଚି । ଆରେ, ପେତିନୀ କେବେ ତମ ଆମ ଭଳି ଭୋଜି ଖାଏ ନାହିଁ । ଟୁବୁ ଟୁବୁ ପୋଖରୀ କୂଳକୁ ପାଣି ମନ୍ଦାଏ ପିଇବା ପାଇଁ ଗଲେ ତା ଦେହର ତତଲା ହାଉଆରେ ପାଣି ସବୁ ଶୁଖିଯାଏ । ପବନ ଆଡ଼କୁ ପିଠି ଦେଖାଇ ବସିଲେ ଚୋର ପରି ଲୁଚି ଲୁଚି ପବନ ବି ପଳାଏ । ଯାହା କହ ସର୍ଦ୍ଦାର, ଏ ତ ପେତନୀ ନୁହେଁ ।

 

ଫାଜିଲ୍‌ କହିଲା, ଏମିତି ରାତିରେ ପେତିନୀ ବାହାରେ ।

ପୁଣି ସେହି କ୍ଷୀଣ ଆକୁଳ ସ୍ୱରଟି ଭାସିଆସିଲା ।

 

ନିର୍ଭୀକ କହିଲେ, ଆମେ ଯେପରି ଭୂତ, ସେ ବି ସେହିପରି ପେତିନୀ । ପେତିନୀକୁ ଉଦ୍ଧାର କରିବାର କର୍ତ୍ତବ୍ୟ ଆମ ପରି ଭୂତମାନଙ୍କର । ଆସ–

 

ନିର୍ଭୀକ ଏତେ କହି ଅନ୍ଧାର ଭିତରକୁ ଛୁଟିଗଲେ । ଅନ୍ୟମାନେ ତାଙ୍କର ଅନୁଗମନ କଲେ ।

Image

 

ଆହ୍ୱାନ

 

ବର୍ଷା ଅବିରାମ ଚାଲିଛି ।

ଓଦା ସର ସର ହୋଇ ଅଜୟ ଓ ଆତ୍ମାରାମ ଗାଁ ଭାଗବତ ଟୁଙ୍ଗୀରେ ପହଞ୍ଚିଲେ । ଧର୍ମୁ ବୁଢ଼ାଙ୍କର ଭାଗବତ ପାଠ ଶେଷ ହୋଇଥିଲା । ଲୋକେ ପଖିଆ ଅଭାବରୁ ଘରକୁ ଫେରି ନ ପାରି ଖାଲି ଏ ପାଖ ସେ ପାଖ ହେଉଛନ୍ତି । ଦୀପ ସଳିତା ଗର୍ଭକୁ ଜଳି ଆସିଲାଣି ।

ଅଜୟକୁ ଦେଖି ଲୋକେ ବିଦ୍ରୋହ ବିଶ୍ୱାଳଙ୍କ ହାଲଚାଲ ଶୁଣିବାକୁ ବ୍ୟଗ୍ର ହୋଇ ଉଠିଲେ । ଅନେକଗୁଡ଼ିଏ ପ୍ରଶ୍ନ ଏକ ସଙ୍ଗେ ଆସି ତା ଉପରେ ପଡ଼ିଲା । ସେ କୌଣସି କଥାର ଉତ୍ତର ନ ଦେଇ ଧୀର ଗମ୍ଭୀର ଭାବରେ କହିଲା, ଭଲମନ୍ଦ କଥାରେ ତ ଲାଭକ୍ଷତି କିଛି ନାହିଁ । ଭାଇମାନେ, ବୃଥାଟାରେ ବ୍ୟସ୍ତ ହେଲେ ହେଲେ ଫଳ କଅଣ ? ରାତି ବେଶି ହେଲାଣି, ଘରକୁ ଫେରି ନିଶ୍ଚିନ୍ତରେ ଶୋଇପଡ଼ । ବିଶ୍ୱାଳେ କଇଦି ପଡ଼ିଲେ କି ଶୂଳି ପାଇଲେ, ସେଥିରୁ ତୁମକୁ ମିଳିବ କଅଣ ?

ଅଜୟର କଥା ଶୁଣି ସମସ୍ତ ନୀରବ ହେଲେ । କେବଳ ଧର୍ମୁ ବୁଢ଼ା ଠୋ ଠୋ ହସି କହିଲେ, ଅତି ଉଦ୍‌ବାର୍ଯ୍ୟ ହେଲେ ଲୋକର ଯାହା ହୋଇଥାଏ ତାହା ହିଁ ହୋଇଥିବ । ସେଥିରୁ କାହାକୁ କଅଣ ମିଳିବ ? ମୁଁ ଜାଣେ, ଲୋକଟିକୁ ଅନେକ ଦିନରୁ ଧର୍ମ ଛାଡ଼ିଥିଲା, ଦେବଦେବୀ ତା ଆଖିକି କୁଟାକାଠି ପରି ଦିଶିଲେ ।

ଅଜୟର ରାଗ ବଢ଼ିଲା । ଆତ୍ମାରାମ ଏ କଥା ବୁଝିପାରି ତାର ମଥା ଉପରେ ହାତ ରଖିଲେ ।

 

ଅଜୟ ଧୈର୍ଯ୍ୟ ଧରି ଧର୍ମୁ ବୁଢ଼ାର କଥାଗୁଡ଼ିକ ସହିଗଲା ।

ହୁଣ୍ଡା ଆଉ ବିଳମ୍ୱ ସହିପାରିଲା ନାହିଁ । ସେ ହାତ ମକଚି କହିଲା, ଏ ପୁଅ, ସତ କହ, ବିଶ୍ୱାଳଙ୍କୁ କଣ ଶୂଳି ଦେଇଛନ୍ତି ।

ଛୋକାର କହିଲା, ଏଁ ଭାରି ମୁହଁ ଦିଶେ ଏକା !

ଯୋ-ହୁକୁମ କହିଲା, ଏଁ, ମୁହଁ ଦିଶେ ଏକା !

ଅଜୟ କହିଲା, ଯଦି ସେ ଶୂଳି ପାଇଥାନ୍ତି ତମେ ଛେଳିଗୁଡ଼ାକ କରିବ କଅଣରେ ?

ହୁଣ୍ଡା କହିଲା, ହେଇଟି, ଅନେଇଥା ଏହି ପାଞ୍ଚହାତିଆ ଏହି କପିଳାସିଆ ଗୋବମରା ଠେଙ୍ଗାକୁ । ଏକା ଠେଙ୍ଗାରେ ସାବାଡ଼ କରିଦେବି, ହଁ ! ଭୂତପ୍ରେତ କୁଆଡ଼େ ଛାଡ଼ି ପଳାଇବେ ।

ଛୋକାର ତାଚ୍ଛଲ୍ୟ କଲା, ଯା ରେ କେଡ଼େ ବହପରେ କହୁଚୁ । ବାଘ ଆଗକୁ ଗଲେ ଲାଙ୍ଗୁଡ଼ ଜାକି ପଳାଇବାକୁ ବାଟ ଦିଶିବ ନାହିଁ । ଆରେ, ବାଘକୁ ଧରିବାକୁ ହେଲେ ଯନ୍ତା ଦରକାର-। କିମିତିକା ଯନ୍ତା ଜାଣୁ ? ଆମରି ପଞ୍ଜରା କାଠରେ ସେ ଯନ୍ତା ଗଢ଼ା ହେବ ।

ଯୋ ହୁକୁମ କହିଲା, ଛୋଟରା ସାନ୍ତେ, ଆମ ଗାଁରେ କାଲି ଦି ପଟ ପୋଢ଼ଙ୍କୁ କାଠି ଛୁଇଁଲା । ସେ ଦିଟା ମରିକରି ବରମୂଳେ ପଡ଼ିଛନ୍ତି । ଗାଲୁଆ ଗଣ୍ଡା ଓ ଘୋରତିଆ ଘାସିଙ୍କୁ ବରାଦ କଲେ ସେମାନେ ସଫାସୁତୁରା କରି ଦି’ ବୋଝ ପଞ୍ଜରା ଜମାଇ ଦେବେ ।

ହୁଣ୍ଡା ସମର୍ଥନ କରି କହିଲା, ହଁ ହଁ ପୋଢ଼ ପଞ୍ଜରା ମଣିଷ ପଞ୍ଜରାଠୁଁ ଟାଣ ପଡ଼ିବ ।

ଅଜୟ କହିଲା, ନାଇଁରେ ହୁଣ୍ଡା ! ମଣିଷ ପଞ୍ଜରା ଛଡ଼ା ଅନ୍ୟ ପଞ୍ଜରାରେ ସେ ଯନ୍ତା ଗଢ଼ା ହୋଇପାରିବ ନାହିଁ । ବାଘ ଭାଲୁଙ୍କୁ ଖୋଇବାକୁ ତମର ରକ୍ତ ମାଂସ ଦରକାର, ଦେଇପାରିବ-? ଦୁଡ଼ୁ ଗୁଡ଼ୁ ମୁଣ୍ଡ କୁଣ୍ଡାଇ କହିଲା, ଏ ବଡ଼ ଭୟଙ୍କର କଥା । ମୁଁ ଟିକେ ଘରେ ନ ପଚାରି ଏ କଥା କେମିତି ଜବାବ ଦେବି ? ମଣିଷର ପଞ୍ଜରା, ଓ ମଣିଷର ପଞ୍ଜରା !

ଅଜୟ କହିଲା, ବ୍ୟସ୍ତ ହୁଅ ନାହିଁ । ମଣିଷ ଯାହା କରି ନ ପାରିବ, ସେ କଥା କହିବାକୁ କେହି କହୁ ନାହିଁ । ବିଶ୍ୱାଳେ ନିର୍ଦ୍ଧୋଷ, ଏ କଥା ତମେ ଜାଣ । ବିଶ୍ୱାଳେ ତୁମରିମାନଙ୍କ ପାଇଁ ଗଡ଼କୁ ଯାଇଥିଲେ । ତୁମରିମାନଙ୍କ ସୁଖପାଇଁ ସେ ପାଞ୍ଚହାତି ଖଦିରୁ ଛ’ ହାତି କେବେ ପିନ୍ଧି ନ ଥିଲେ । ଆଜି ସେ ତୁମରିମାନଙ୍କ ପାଇଁ ହସି ହସି ଜେଲଖାନା ଭୋଗିବାକୁ ଯାଇଛନ୍ତି ।

ମୁଣ୍ଡରେ ବଜ୍ର ପଡ଼ିଲାପରି ସମସ୍ତେ ଚକିତ ହେଲେ ।

ଅଜୟ କହିଲା ଆଉ ଭାବୁଛ କଅଣ ? ତୁମମାନଙ୍କ ପେଟରେ ଦାନା ନ ପଡ଼ିବା ଯାଏ ଯେଉଁ ବିଶ୍ୱାଳେ ଏଘର ପଚାରି ବୁଲୁଥାନ୍ତି, ସେହି ବିଶ୍ୱାଳେ ଆଜି ଜେଲ ଭିତରେ ଓପାସ ଭୋକରେ ପଡ଼ିଛନ୍ତି । ତୁମେ ସବୁ ବାଧକା ପଡ଼ିଲେ ଯେଉଁ ବିଶ୍ୱାଳେ ଖିଆପିଆ ଭୁଲି ରାତି ରାତି ପାଖରେ ବସି ସେବା କରନ୍ତି ସେହି ତୁମ ପ୍ରାଣର ବିଶ୍ୱାଳ, ଆଜି କୋରଡ଼ାମାଡ଼ ଖାଇ ବେଚେତା ହୋଇ କଇଦିଖାନାରେ ସଢ଼ୁଛନ୍ତି ।

ଧର୍ମ୍ମୁ ଉପହାସ କଲେ, ସେଥିରେ ଅମର କଅଣ ଥାଏ ? ପୋଥି କହିଲା, ‘ପ୍ରାଣୀର କଲା କର୍ମମାନ, ଆଗୁଁ ହୁଅନ୍ତି ସାବଧାନ । ପୂର୍ବ ତପସ୍ୟା କର୍ମଫଳେ, ଯାଚି ମୁଁ ଦେଉଥାଏ ବଳେ ।’ ପୂର୍ବ ଜନ୍ମରେ ଯାହା କରିଛନ୍ତି ଓ ଏ ଜନ୍ମରେ ଯାହା କରୁଛନ୍ତି, ତାହାର ଫଳ ବଳେ ବାନ୍ଧି ଭୋଗତମାନ ହେବ । ସେଥିକି ଚାରା କଅଣ ?

ଅଜୟ କହିଲା, ରଖ ହୋ ତମର ପୋଥି, ସେ ପୋଥିକି ଏ ମଣିଷ ଲେଖିଛି ତ ?

–ଏଁ ? ସ୍ୱୟଂ ବ୍ୟାସଦେବ ! ଭଗବାନଙ୍କର କଳା ନେଇ ସେ ଜନ୍ମ । ସେହି ଲେଖିଛନ୍ତି ।

–ଆରେ, ତମର ବ୍ୟାସଦେବଙ୍କୁ, ତମର ଭଗବାନଙ୍କୁ ଏହି ମଣିଷ ଗଢ଼ିଛି । ପ୍ରତିଦିନ ସେମିତି କେତେ ଗଢ଼ୁଛି, କେତେ ଭାଙ୍ଗୁଛି । ମଣିଷ ସବୁ କରିପାରେ ।

–ଚୁପ ରହ । ମେଞ୍ଚଡ଼ ଛୁଆ ଖଣ୍ଡେ, ଆସିଲା ଠାକୁରଙ୍କ ଅବିଗୁଣ ବାହୁନିବାକୁ । ଏଡ଼େ ବହପ ତ ବୋପା ଜେଲ ଗଲା ବୋଲି କାନ୍ଦି କୁନ୍ଥେଇ ଗାଁକୁ ଦଉଡ଼ି ଆସିଲୁ କାହିଁକି ?

–ଗାଁକୁ ଆସି ନାହିଁ ଠାକୁରଙ୍କ ପାଖରେ ଗୁହାରି କରିବାକୁ ! ମଣିଷର ଦୁଃଖ ସହି ନ ପାରି ମଣିଷପାଇଁ ସେ ହସି ହସି ଜେଲରେ ପଶିଲେ । ଆସିଛି, ସେହି ମଣିଷ ପାଖରେ ଗୁହାରି କରିବି । ମଣିଷ, ଏହି ମଣିଷ ଯଦି ମନ କରେ, ରାତି ନ ପାହୁଣୁ ବିଶ୍ୱାଳେ ଆସି ତାଙ୍କ ଘର ପିଣ୍ଡାରେ ବସିବେ । ତମର ଭଗବାନ, ପୋଥି ଭିତରେ କେଇଟା ଅକ୍ଷର ଭିତରେ ଅନନ୍ତ ଶୟନରେ ଶୋଇଥାନ୍ତୁ । ଏକା ମଣିଷର ଇଚ୍ଛା ଥିଲେ ହେଲା । ମଣିଷର ସାହାସ, ମଣିଷର ତ୍ୟାଗ ଉପରେ ନିର୍ଭର କରେ ।

ଆତ୍ମାରାମ ସମ୍ମତି ଜଣାଇଁବାକୁ ମୁଣ୍ଡ ହଲାଇଲେ ।

ହୁଣ୍ଡା ବ୍ୟସ୍ତ ହୋଇ କହିଲା, ଆମେ ମଣିଷ ନୋହୁଁ, ଛେଳି । ଆମ ଗୋଡରେ ଧାନ ମକଚି ହେବ ? ଖାଲି ସଦାବେଳେ ହାଣକୁ ଯିବାକୁ ଆମେ ତିଆର ।

ଛୋକାର ପଚାରିଲା, ଅଜୟ, ସତରେ କହୁଛ ? ଆମରି ହାତରେ ବିଶ୍ୱାଳଙ୍କ ମୁକ୍ତି ? କଅଣ କଲେ ସେ ମୁକ୍ତ ହେବେ ?

–ଛାତି ଦେଖାଇ ଦମ୍ଭ ହୋଇ ଠିଆ ହେଲେ ଗୁଳି ଆସି ଛାତିରେ ବାଜିବ । ସେଥିକି ଭାବନା ନାହିଁ । ଖଣ୍ଡା ଆସି ବେକରେ ପଡ଼ିବ । ତଥାପି ଭୟରେ ପଛଘୁଞ୍ଚା ଦେବ ନାହିଁ । ଭାଇ କେହି ମରିପଡ଼ିଲେ ତାର ଛାତି ଉପରେ ଦମ୍ଭ ହୋଇ ଠିଆହୋଇ ହସି ହସି ଖଣ୍ଡା ଆଗକୁ ବେକ ବଢ଼ାଇ ଦେବ । ଅକାତରେ ଶରୀରର ସବୁ ରକ୍ତ ଢାଳିଦେବ । ତେବେ ଯାଇ ତୁମର ମୁକ୍ତି, ବିଶ୍ୱାଳଙ୍କର ମୁକ୍ତି । ନୋହିଲେ, ଏତେକଥା ଶୁଣିବାଠାରୁ ଖାଇ ପିଇ ଖଟ ଉପରେ ଶୋଇପଡ଼ । ବିଶ୍ୱାଳେ ତେଣେ କଇଦିଖାନାରେ ଅନ୍ଧାରରେ ପଡ଼ି ତୁମର କଥା ଭାବି ଭାବି, ତୁମରି ସୁଖ ଦୁଃଖ ଚିନ୍ତା କରି ଓପାସ ଭୋକରେ ସଢ଼ି ସଢ଼ି ମରନ୍ତୁ ।

ଦୁଡ଼ୁ ଗୁଡ଼ୁ କହିଲା, ମଣିଷ ଜନମ ପାଇ ଏମିତି କପାମଞ୍ଜି ପରି ଜୀବନକୁ କିଏ କେବେ ଫୋପାଡ଼ି ଦେବାର ଦେଖା ନାହିଁ କି ଶୁଣା ନାହିଁ । ଜୀବନ ପ୍ରତି କାହାର ମମତା ନ ଥାଏ ?

ଅଜୟ କହିଲା, ପ୍ରକୃତରେ ଜୀବନରେ ତୁମର ମମତା ନାହିଁ । ତୁମେ ବଞ୍ଚିବାକୁ ଚାହୁଁଛ କେବଳ ମରଣପାଇଁ । ସମୟର ସୀମା ନାହିଁ । ତା ଭିତରେ କିଏ ଆଗ ମରୁଛି, କିଏ ପଛେ ମରୁଛି-। ତୁମେ କଅଣ ଜୀବନ ପାଇଁ ବଞ୍ଚିବାକୁ ଚାହଁ ? ଜୀବନପାଇଁ ମରିବାକୁ ଚାହଁ ? ଜୀବନ ପାଇଁ ବଞ୍ଚିଛି ଖାରବେଳ । ଜୀବନପାଇଁ ବଞ୍ଚିଛି ପୁରୁଷୋତ୍ତମ, କପିଳେନ୍ଦ୍ର । ଆଉ ଜୀବନପାଇଁ ମରିଛି ମୁକୁନ୍ଦ । ସବୁ ତୁମେ ଭୁଲିଛ । ବିଜୟପାଇଁ, ପ୍ରତିଶୋଧ ପାଇଁ, ଜୀବନକୁ କପାମଞ୍ଜି ପରି ଫୋପାଡ଼ି ଦେଇଥିଲା ଓଡ଼ିଆ ପୁଅ କାଞ୍ଚିର ଯୁଦ୍ଧକ୍ଷେତ୍ରରେ, ଦାକ୍ଷିଣାତ୍ୟର ଗିରିଗୁହାରେ; ଥର୍‌ ମରୁଭୂମିର ଜଳିଲା ବାଲି ଉପରେ । ପ୍ରତିଶୋଧ ପାଇଁ, ମାନ ପାଇଁ, ଗୌରବ ପାଇଁ, ଆତ୍ମରକ୍ଷା ପାଇଁ, ଓଡ଼ିଆ ପୁଅ ଢାଳିଦେଇଛି ତାର ରକ୍ତ ବାରବାଟୀର ପଡ଼ିଆରେ । ବର୍ତ୍ତମାନ ସୁଦ୍ଧା ସେ ରକ୍ତର ଦାଗ ଲିଭି ନାହିଁ । ଭୁଳିଛ, ସବୁ ଭୁଲିଛ । ଅନ୍ଧାର ଭିତରେ ଅନ୍ଧାରକଣା ହୋଇ ବାଟ ଭୁଲି ଅଣ୍ଡାଳି ହେଉଛ ।

ଧର୍ମୂ ବ୍ୟସ୍ତ ହୋଇ ମନକୁ ମନ କହିଲେ, ଅତି ଉଦ୍‌ବାର୍ଯ୍ୟ ହୋଇ ଗୋଟାକୁ ତ ଧର୍ମ ଛାଡ଼ିଛି, ଏହାକୁ ବି ଧର୍ମ ଛାଡ଼ିଲାଣି ।

ହୁଣ୍ଡା କହିଲା, ମୋ ହାତରେ କିନ୍ତୁ ଠେଙ୍ଗାଟା ରହିବ ।

ଆତ୍ମାରାମ କହିଲେ, ରହିବ, ସମସ୍ତଙ୍କ ହାତରେ ରହିବ ।

ଖିଦ୍‌ଖାଦ ହୋଇ ଭାଗବତ ଟୁଙ୍ଗୀ ଉପରୁ ସମସ୍ତ ଡେଇଁ ପଡ଼ିଲେ- ବାହାରର ଝରଝର ବର୍ଷା ଓ କିଟିକିଟି ଅନ୍ଧାର ଭିତରକୁ ।

ଧର୍ମୂ ଅଜା ମଧ୍ୟ ବାଦ୍ ପଡ଼ିଲେ ନାହିଁ । କିଏ ଜଣେ ତାଙ୍କୁ ଘର ଭିତରୁ ପଦାକୁ ଘୋଷାରି ଆଣିଲା ।

କୋଳାହଳରେ ସ୍ଥାନଟି ମୁଖରିତ ହେଲା । ନୂତନ ଉତ୍ତେଜନା, ନୂତନ ଉତ୍ସାହରେ ପ୍ରାଣ ଆଜି ପରିପୂର୍ଣ୍ଣ ।

ଅଜୟ ତଳକୁ ଆସି ଉଚ୍ଚସ୍ୱରରେ କହିଲା, କାଉ ପରି କା କା ହେଲେ କିଛି ଫଳ ହେବ ନାହିଁ ଭାଇମାନେ, ଛଞ୍ଚାଣ ପରି ଛକି ଛକି ନୀରବରେ ଯିବାକୁ ହେବ । ନୋହିଲେ, ଶିକାର ଧରିହେବ ନାହିଁ । ଏହିଠାରେ ପ୍ରତିଜ୍ଞା କରି ଯିବାକୁ ହେବ, ଅନ୍ଧାର ଭିତରେ ଆଲୁଅ ଜାଳି ସେହି ଆଲୋକ ଶିଖାରେ ଚାରିଆଡ଼ ଉଜ୍ଜ୍ୱଳ ନ କରିବା ଯାଏ ଘରକୁ ଫେରିବା ନାହିଁ । ପ୍ରତିଜ୍ଞା କର ଭାଇମାନେ, ପଶୁବଳି ଘେନି ସୁରଙ୍ଗଗଡ଼କୁ ଚାଲୁଛ, ବିଶ୍ୱାଳଙ୍କୁ ମୁକ୍ତ କରି ଗର୍ବରେ ଫେରିବା ବେଳେ ଯେପରି ମଣିଷ ହୋଇ ଫେରିବ ।

ଲୋକେ ଚିତ୍କାର କରି ଉଠିଲେ, ଜୟ ବିଦ୍ରୋହ ବିଶ୍ୱାଳଙ୍କର ଜୟ !

Image

 

ସ୍ନେହର ବନ୍ଧନ

 

କରୁଣାଦେବୀ ଅଜୟର କପାଳରୁ ବର୍ଷାପାଣି ପୋଛି କରୁଣ ସ୍ୱରରେ ଅନୁରୋଧ କରି କହିଲେ, ବାପ, ଗଣ୍ଡିଏ କଅଣ ଖାଇକରି ଯା । ସଙ୍ଗରେ ପାଖିଆଟି ନେଇଯିବୁ, ବର୍ଷାପାଣି ଧରିବ । ଅଜୟର ଚକ୍ଷୁ ଉଜ୍ଜ୍ୱଳ ଦେଖାଗଲା । ସେ ଉତ୍ତେଜିତ ହୋଇ କହିଲା, ଶୁଣୁ ମା, ଘର ବାହାରେ ଗାଁ ଲୋକ ଏକାଠି ହୋଇ କିପରି କୋଳାହଳ କରୁଛନ୍ତି । କିଏ କହୁଛି, ଉଦ୍ଧତ ନାକ କାଟିବ, କିଏ କହୁଛି ଦିଲ୍‍ଦାର୍‍ର ଲମ୍ୱା ଦାଢ଼ିରେ ନିଆଁ ଲଗାଇବ, କିଏ କହୁଛି ଫିସାଦ୍‌ ମନ୍ତ୍ରୀର ଗୋଡ଼ ଛୋଟା କରିବ । ଏହି ଉତ୍ତେଜିତ ଜନତାକୁ ଶାନ୍ତ ନ କଲେ କାର୍ଯ୍ୟସିଦ୍ଧି ହୋଇ ପାରିବ ନାହିଁ । ମୋତେ ବିଦାୟ ଦେଲେ ମୁଁ ଯିବି । ଖାଇବାକୁ ଆଉ ମୋର ବେଳ ନାହିଁ ।

 

କରୁଣା ଆଖି ଛଳ ଛଳ କରି କହିଲେ, ନା, ବାପ, ଡେରି ହେବ ନାହିଁ । ଆଲୋ ଶାନ୍ତି, ସେ ଘରୁ ଦିଟା ଏଣ୍ଡୁରି ଆଉ ଦିଟା ଛେନାମଣ୍ଡା ଆଣ । ବାପ, ଠିଆ ଠିଆ ଏ ଦିଖଣ୍ଡି ପାଟିରେ ଦେଇ ଯା ।

 

–ରୁଚିବ ନାହିଁ ମା ! ବାପ ମୋର ଓପାସ ଭୋକରେ ଜେଲଖାନା ଭିତରେ ଅନାଇ ବସିଥିବେ । ଆମେ ସବୁ ପ୍ରତିଜ୍ଞା କରୁଛୁ, ତାଙ୍କୁ ଉଦ୍ଧାର ନ କରିବାଯାଏ କେହି ପାଣି ଛୁଇଁବୁ ନାହିଁ ।

 

ଅଜୟ କରୁଣା ଦେବୀଙ୍କର ଚରଣଧୂଳି ଗ୍ରହଣ କରି କାତରତାପୂର୍ଣ୍ଣ ସ୍ୱରରେ ପୁଣି କହିଲା, କଲ୍ୟାଣ କର ମା, ତୋରି କଲ୍ୟାଣରୁ ସୁରଙ୍ଗଗଡ଼ରୁ ଅନ୍ୟାୟ ଅତ୍ୟାଚାର ଯେପରି ଆମରି ହାଡ଼ମାଂସ ଗଦାରେ ଚିରକାଳପାଇଁ ପୋତି ହୋଇଯାଉ ।

 

କରୁଣା ହୃଦୟର ଆବେଗ ସହିପାରିଲେ ନାହିଁ । ସ୍ୱାମୀ ନିରପରାଧ ହୋଇ ସୁଦ୍ଧା କାରାଦଣ୍ଡ ଭୋଗ କରୁଛନ୍ତି । ତାଙ୍କ ମନରେ ଗଭୀର ବ୍ୟଥା । ମାତ୍ର ରାଜାଙ୍କର ଏପରି ଅବିଚାର ଓ ନିରୀହ ପ୍ରତି ଏପରି କଠୋର ଦଣ୍ଡ, ଏ ଦେଶରେ ଆଜି କିଛି ନୂଆ ନୁହେଁ । ଦେଖି ଦେଖି, ସହି ସହି ତାଙ୍କ ମନ କାଠ ପଥର ପରି ଟାଣ ହୋଇଯାଇଛି । ଅଜୟ ଆଜି ଯାହା କରିବାକୁ ଆଗଭର, ପ୍ରକୃତରେ ତାହା ହିଁ ନୂଆ । ପ୍ରାଣ ଗଲେ ସୁଦ୍ଧା ରାଜାଙ୍କ ବିଚାର ବିରୁଦ୍ଧରେ କେହି କେବେ ପଦେ କହିବାକୁ ସାହାସ କରନ୍ତି ନାହିଁ । କିନ୍ତୁ ଅଜୟ ବାଳକ ହୋଇ ସୁଦ୍ଧା ଅନ୍ୟାୟ ବିରୁଦ୍ଧରେ ଯୁଦ୍ଧ ଘୋଷଣ କରିଛି, ଜାଣି ଜାଣି ନିଆଁ ଭିତରକୁ ପଶିବାକୁ ବସିଛି । ଫଳ କଅଣ ହେବ, ଏହି କଥା ଭାବି କରୁଣାଙ୍କର ଅନ୍ତର ଆକୁଳ ହୋଇଉଠିଲା ।

 

ସେ ଅଶ୍ରୁପୂର୍ଣ୍ଣ ନେତ୍ରରେ ଅଜୟକୁ ଛାତି ଉପରକୁ ଟାଣି ଆଣିଲେ । ତାର ଚିବୁକ ଚୁମ୍ୱନ କରି କହିଲେ, ବାପରେ, ତୁ ମୋର କୋଳ ଖାଲି କରି ମୋତେ କନ୍ଦାଇ କନ୍ଦାଇ ନିଆଁ ଭିତରକୁ ପଶିବାକୁ ଯାଉଛୁ, ମୁଁ ଏଥିରେ ବାଧା ଦେଇପାରୁନାହିଁ । ଇଚ୍ଛା ହେଉଛି ତୋତେ କୋଳରେ ଧରିଥିବି ମରିବାଯାଏ, କିନ୍ତୁ ବାବୁ, ତୋର ବିବେକର ବିରୁଦ୍ଧରେ ମୁଁ ଠିଆ ହେବି ନାହିଁ । ଯା ବାବୁ, ମୋର କଲ୍ୟାଣ ଘେନି କର୍ତ୍ତବ୍ୟର ଆଦେଶ ପାଳନ କର ।

 

କରୁଣା କଥା ଶେଷ କରି ମଧ୍ୟ ଅଜୟକୁ ବାହୁ ବନ୍ଧନରୁ ମୁକ୍ତ କଲେ ନାହିଁ । ବାହାରୁ ଉତ୍ତେଜିତ ଜନତାର କୁହାଟ ଓ କୋଳାହଳରେ ତାଙ୍କର ଛାତି ଭିତର ଘନ ଘନ ଥରିବାକୁ ଲାଗିଲା । ଅଜୟ ସେହି ଅବସ୍ଥାରେ ଥାଇ ଶକ୍ତିକୁ କହିଲା, ଶକ୍ତି, ମୋର ଟାଙ୍ଗିଆ ଆଣିଲୁ.....

 

ଶକ୍ତି ଅଳ୍ପ ଦୂରରେ କାନ୍ଥକୁ ଆଉଜି ଠିଆ ହୋଇଥିଲା । ଆଖିରେ ତା’ର ଲୁହ ଢଳଢଳ । ଆଦେଶ ପାଇ ସେ ଆଞ୍ଚଳରେ ଆଖି ପୋଛି ଧୀରେ ଧୀରେ ଘରୁ ବାହାରିଗଲା ।

 

କରୁଣା ଅଜୟକୁ ଆଲିଙ୍ଗନ ପାଶରୁ ମୁକ୍ତକରି ଲୁହପୋଛି କହିଲେ, ଟାଙ୍ଗିଆ ମୁଁ ସେ ଘରେ ରଖିଛି, ଆଣି ଦିଏ । ସେ ମଧ୍ୟ ଗୃହାଭ୍ୟନ୍ତରକୁ ଗଲେ ।

 

ଅଜୟ ଦେଖିଲା, ପାଖରେ ଶାନ୍ତି ଠିଆ ହୋଇଛି । ମୁହଁଟି ତା’ର ବିରସ । ଆଖି ପତାରେ ଲୁହ ବୁନ୍ଦା ଲାଗି ରହିଛି । ଅଜୟ ଶାନ୍ତି ନିକଟକୁ ଯାଇ ତାକୁ ଗେଲ କରି କହିଲା, କାନ୍ଦୁଛୁ କାହିଁକି ଶାନ୍ତି ? ମୁଁ ବାପାଙ୍କୁ ଉଦ୍ଧାର କରିବାକୁ ଯାଉଛି । ଯଦି ରାଜାଘର ଲୋକଙ୍କ ହାତରେ ମୁଁ ମରିଯାଏଁ, ତୁ ମୋ ପାଇଁ ସେତେବେଳେ ଟିକିଏ କାନ୍ଦିବୁ ?

 

ଶାନ୍ତି ବିରକ୍ତ ହୋଇ କହିଲା, ଏ କି ଅଲକ୍ଷଣା କଥା ବା ?

–କହ ଶାନ୍ତି, କାନ୍ଦିବୁଟି ?

ଶାନ୍ତି ଅଭିମାନ କରି କହିଲା, ଯା, ମୁଁ କିଛି ଜାଣେ ନାହିଁ ।

ଅଜୟ ନଇଁପଡ଼ି ଶାନ୍ତିକୁ ଚୁମ୍ବନ କଲା । ଏହି ସମୟରେ ଶକ୍ତି ମୁହଁ ଫଣ ଫଣ କରି ସେଠାରେ ଉପସ୍ଥିତ ହେଲା । ପଚାରିଲା, କେବେ ଫେରିବ ?

 

ଅଜୟ ଶକ୍ତିକୁ ଛାତି ପାଖକୁ ଟାଣି ନେଇ କହିଲା, ଜାଣେ ନାହିଁ କେବେ ।

ଶକ୍ତିର ମୁହଁ ପାଟଳ ହେଲା ଅଜୟର ଗୋଟିଏ ଉଷ୍ମ ଚୁମ୍ୱନରେ । ଅଜୟ ମଧ୍ୟ ଟିକିଏ ଅପ୍ରସ୍ତୁତ ହୋଇ ଶାନ୍ତିର ଅଶାନ୍ତ ଗମ୍ଭୀର ମୁଖକୁ ଚାହିଁଲା ।

 

ଶକ୍ତି ପଚାରିଲା, ମୋ ପାଇଁ ଗଡ଼ରୁ କଅଣ ଆଣିବ ? ଅଜୟ ହସି ହସି କହିଲା, ଯଦି ପାରେଁ, ତୋ ପାଇଁ ନେଇ ଆସିବି ମୋତେ । ଶକ୍ତି ବୁଝିଲା କି ନାହିଁ କେଜାଣି, ନୀରବ ହେଲା ।

 

ଶାନ୍ତି ପଚାରିଲା, ମୋପାଇଁ କଅଣ ଆଣିବ ?

ଅଜୟ କହିଲା, ତୋପାଇଁ ଆଣିବି ବାପାଙ୍କୁ ।

ଶାନ୍ତି ହସି ହସି କହିଲା, ତେବେ ବାପା ଫେରିଲେ, ସେ ହେବେ ମୋର, ଆଉ ତୁମେ ହେବ–

 

ଶକ୍ତି କହି ଆସୁଥିଲା, ତୁମେ ଫେରିଲେ ହେବ ମୋର- କିନ୍ତୁ କହି ପାରିଲା ନାହିଁ । ନିଜ କଥାର ଭାବ କହିବା ଆଗରୁ ନିଜେ ବୁଝିପାରି ମୌନ ହେଲା । ଲାଜରେ ମୁହଁ ଘୋଡ଼ାଇ ଅଜୟ ପାଖରୁ ଟିକିଏ ଆଡ଼ ହୋଇଗଲା ।

 

କରୁଣା ଦେବୀ ଟାଙ୍ଗି ଖଣ୍ଡି ଧରି ସେଠାରେ ଉପସ୍ଥିତ ହେଲେ । ସଜଳ ନେତ୍ରରେ ଅଜୟର ହାତକୁ ବଢ଼ାଇ ଦେଇ କହିଲେ, ବାପରେ, ମୋର ଆଶୀର୍ବାଦ ଗ୍ରହଣ କରି ଯାଉଛୁ ତୁ, ନିଶ୍ଚୟ କାର୍ଯ୍ୟ ତୋର ସଫଳ ହେବ ।

 

ଅଜୟ ପ୍ରଣାମ କଲା ।

Image

 

Unknown

ଜନନୀ

 

ପାଗଳ ପରି ଘର ଭିତରକୁ ସୁନୀତି ପଶି ଆସିଲେ । ଆଖିରୁ ଲୁହ ଧାର ଝରି ପଡ଼ୁଛି । ସେ କାହାରିକୁ କିଛି ନ କହି ଅଜୟଙ୍କୁ କୁଣ୍ଢାଇ ଧରି ଧୀରେ ଧୀରେ କାନ୍ଦିବାକୁ ଲାଗିଲେ । ତାଙ୍କର ଦେହ ପୁଲକରେ ରୋମାଞ୍ଚିତ ହେଲା । ଏତେ ଦିନକେ ତାଙ୍କ ମନରୁ ଅନ୍ଧାରର ପରଦାଟି ତିରୋହିତ ହେଲା । ସତେ କି ଅତୀତର ପ୍ରତ୍ୟେକ ଘଟଣା ତାଙ୍କର ମନ ଆଗରେ କ୍ଷଣକ ଭିତରେ ସବୁ ଅଭିନୟ ଦେଖାଇଗଲା । ଆଶାର ନିଆଁ କଣାଟି ସନ୍ଦେହ ଭିତରେ ଢାଙ୍କି ହୋଇଥିଲା, ହଠାତ୍‌ ଆଜି ସନ୍ଦେହର ସମସ୍ତ ଆବରଣ ଭେଦ କରି ସତେକି ଦପ୍‌କରି ଜଳି ଉଠିଲା ।

 

ଅଜୟ ଯିବାକୁ ଉଦ୍‌ବିଗ୍ନ ହୋଇ ବିନୀତ ଭାବରେ କହିଲା, ଧାଈମା, ମୋତେ ଆଶୀର୍ବାଦ କରି ବିଦାୟ ଦିଅ । ଶୁଣୁଛ ତ, ବାହାରେ କିପରି ଲୋକେ ଉଚ୍ଛନ୍ନ ହୋଇ ଉଠିଲେଣି । ଆଉ ଡେରି କଲେ ଚଳିବ ନାହିଁ । ସତ୍‌କାର୍ଯ୍ୟ, ମହତ୍‌କାର୍ଯ୍ୟ ଯେତେଶିଘ୍ର ଆରମ୍ଭ କରାଯାଏ ସେତେ ଭଲ ।

 

ସୁନୀତି ଅଜୟକୁ ଗାଢ଼ତର ଆଲିଙ୍ଗନ କରି କରୁଣା ଦେବୀଙ୍କୁ ଲକ୍ଷ୍ୟକରି ନେହୁରା ହୋଇ କହିଲେ, ଆଉ କେତେଦିନ ଲୁଚାଇ ରଖିପାରିବୁ ଭଉଣୀ ! ହୃଦୟର ରକ୍ତଦେଇ ପରା ଅଜୁକୁ ମୋର ଗଢ଼ିଛି । ସେ ଆଜି ତୋର, କିନ୍ତୁ ସତ କରି କହ ସେ ଦିନେ ମୋର ଥିଲା, ସେ ଦିନେ ମୋର ଥିଲା ।

 

ଅଜୟକୁ ବାରାମ୍ୱାର ଚୁମ୍ୱନ କଲେ ।

 

କରୁଣା ଲୁହ ଢଳଢଳ ଆଖିରେ କହିଲେ, ତୋତେ କଅଣ ବାଟରୁ ଗୋଟାଇ ମଣି ଘରେ ଥାନ ଦେଇଥିଲି, ଶେଷରେ ମୋର ସୁଖ, ମୋର ଆନନ୍ଦରେ ବାଧା ଦେବାକୁ ?

 

ସୁନୀତି ଚିନ୍ତିତ ହେଲେ । କେଜାଣି କଅଣ ଭାବି ଥଙ୍ଗେଇ ହୋଇ କହିଲେ ତୋ ସୁଖ, ତୋ ଆନନ୍ଦରେ ବାଧା ଦେବା ଆଗରୁ ମୋ ମୁହଁରେ ନିଆଁ ଜାଳି ଦେ ଭଉଣୀ । ମୁଁ କିଛି ଚାହେଁ ନାହିଁ । ଅଜୟ ତୋର, ଚିରଦିନ ତୋର । ଖାଲି ଥରେ କହ, ସେ ଦିନେ ମୋର ଥିଲା ।

 

କରୁଣା କହିଲେ, ସେ ପରା କଏଦିଖାନାରେ ଅଛନ୍ତି ଲୋ ସୁନା ! ଅଜୟ ତାଙ୍କୁ ଆଣିବାକୁ ଯାଉଚି, ଛାଡ଼ ତାକୁ ।

 

ତା ପରେ କଅଣ ହେଲା, ରହି ଦେଖିବାକୁ ଅଜୟର ଧୈର୍ଯ୍ୟ ରହିଲା ନାହିଁ । ହୃଦୟର ଆବେଗକୁ ଯେତେ ଦବାଇ ରଖିବାକୁ ଚେଷ୍ଟାକଲେ ସେ ଦବି ରହିବ କିପରି ? ସ୍ୱପ୍ନପରି, ଛାୟାପରି, ଗଳ୍ପପରି ଯେଉଁ ଘଟଣାଟି ବେଳେ ବେଳେ ତାର ମନକୁ ଆସେ, ମନକୁ ଅସ୍ଥିର କରେ, ସେହି ଦୋହଲା ଚିନ୍ତାଟି ଆଜି ଏହି ପୁରୁଣା ସଂସାର ଭିତରେ ଗୋଟିଏ ନୂତନତାର ଉତ୍ସ ସୃଷ୍ଟି କରିଛି ।

 

ସେ ଆକୁଳ ଦୃଷ୍ଟିରେ ଥରେମାତ୍ର ସୁନୀତିଙ୍କର ମୁହଁକୁ ଚାହିଁଲା । ଛାତି ଭିତର କଅଣ ହୋଇଗଲା । ମନକୁ ମନ ସେ ଲଜ୍ଜିତ ହୋଇ କରୁଣାଙ୍କର ଛଳ ଛଳ ମୁହଁକୁ ଚାହିଁ, ଗଡ଼ି ପଡ଼ୁଥିବା ଆଖିର ଲୁହକୁ ଲୁଚାଇ ଦେବାପାଇଁ ସେହି ଘର ଭିତରୁ ପଦାକୁ ଚାଲି ଆସିଲା ।

Image

 

ପତିପତ୍ନୀ

 

ଦାଣ୍ଡଘରେ ଆତ୍ମାରାମ ନୀରବରେ ବସିଛନ୍ତି । ଦେହରେ ସତେଜ ସ୍ପନ୍ଦନ ନାହିଁ । ସୁଦୀର୍ଘ ନିଶଦାଢ଼ି ଉପରେ ଜଳକଣା ମୁକ୍ତାବିନ୍ଦୁ ପରି ଝଲସି ଉଠୁଛି । ଈଷତ୍‌ ହରିତ୍‌ ଜଟାଗୁଡ଼ିକ ପିଠି ଉପର ଦେଇ ମାଟି ଉପରେ ଲୋଟି ଯାଉଛି । ଚକ୍ଷୁ ପ୍ରାନ୍ତରେ ଦୁଇବିନ୍ଦୁ ଜଳକଣା ।

 

ଏହିପରି କେତେ ଦିନ କେତେରାତି ସେ ବିଛାମାଳ ପାହାଡର ନିର୍ଜନ ଅନ୍ଧାରିଆ ଗହ୍ୱରଟିରେ ବସି ଚିନ୍ତା କରିଛନ୍ତି । ପକ୍ଷୀର କୂଜନରେ କି ବନ୍ୟ ପଶୁର ଗର୍ଜନରେ ତାଙ୍କର ଚିନ୍ତା ଭାଙ୍ଗିନାହିଁ, ସନ୍ଧ୍ୟାର ଶୀତଳ ବାଆ, ନିଶୀଥର ଗଭୀର ଅନ୍ଧାର ଅବା ସଜଳ ନେତ୍ର କେବେ ତାଙ୍କ ଚିନ୍ତାର ଗତିରୋଧ କରିପାରି ନାହିଁ । ଆଜି ଆତ୍ମାରାମ ସେହି ସମାଧି ଚିନ୍ତାରେ ନିମଗ୍ନ ।

 

ସୁନୀତି ଆସିଲେ, ଗୋଡ଼ ଧରି ପ୍ରଣାମ କଲେ । ଦୁହିଁଙ୍କର ଦେହସାରା ବିଜୁଳି ଖେଳିଗଲା । ଆତ୍ମାରାମ କଲ୍ୟାଣ କରି କହିଲେ, ପୁତ୍ରବତୀ ହୁଅ ମା !

 

ମା ଶବ୍ଦଟି ଉଚ୍ଚାରଣ କରୁଣୁ ଗଳା ତାଙ୍କର ଥରି ଉଠିଲା । ସେ ଆଖି ଖୋଲି ଭଲକରି ଥରେ ସୁନୀତିଙ୍କର ମୁହଁକୁ ଚାହିଁଲେ । ଦେଖିଲେ, ଚିହ୍ନିଲେ, ସେହି ତାଙ୍କର ସୁନୀତି ! କ୍ଷଣକାଳପାଇଁ ଚକ୍ଷୁ ତାଙ୍କର ସ୍ଥିର ହେଲା । କହି ପକାଇଲେ, ଅଜୟ, ମୋର ଅଜୟ କାହିଁ ସୁନୀତି ?

 

ସୁନୀତି ଚମକି ଉଠିଲେ । ତାଙ୍କର ଦେହ ଥରି ଉଠିଲା । ବାବାଜୀଙ୍କର ସ୍ଥିର ଗମ୍ଭୀର ମୁହଁକୁ ଚାହିଁଲେ, କିନ୍ତୁ ଲୋତକର ଝରଣା ଭେଦ କରି କିଛି ଦେଖିପାରିଲେ ନାହିଁ । ଅଜୟ, ତାଙ୍କର ଅନ୍ଧାର ପ୍ରାଣର ଏକମାତ୍ର ଆଲୋକ ଅଜୟ! ସୁନୀତି ପାଗଳ ପରି ସେ ଘରୁ ଛୁଟି ପଳାଇଲେ । ସେ ଜନନୀ ସତ, କିନ୍ତୁ ପତ୍ନୀତ୍ୱର ପବିତ୍ରତା, ଅହମିକା ଓ ବଡ଼ିମା ତାଙ୍କର ନାହିଁ । ସେ ଯେ ପତିତା-

Image

 

ଅନ୍ଧାର ଅପସରି ଗଲା

 

ଅଜୟ ଡାକିଲା, ତଥାପି ଆତ୍ମାରାମଙ୍କ ସମାଧି ଟଳିଲା ନାହିଁ । ସେ ଉପରକୁ ଦୃଷ୍ଟି ଟେକିଲେ ନାହିଁ ।

 

ଅଜୟ ବିରକ୍ତ ହୋଇ କହିଲା, ଧ୍ୟାନ ଧାରଣା କରିବାର ସ୍ଥାନ ବିଦ୍ରୋହ ବିଶ୍ୱାଳଙ୍କ ଘର ନୁହେଁ ବାବାଜୀ ।

 

ଆତ୍ମାରାମ ଦୀର୍ଘଶ୍ୱାସ ଛାଡ଼ିଲେ । ଅଜୟ ତାଙ୍କର ହାତ ଧରି ଉଠାଇ ଟିକିଏ ଜୋରରେ ଟାଣିଦେଇ କହିଲା, ନିଆଁ ଯେ ଜଳି ଉଠିଲାଣି । ଆଉ ଅନାଇ ବସିବାର ବେଳ ନାହିଁ । ଆସ, ସେହି ନିଆଁ ଭିତରେ ତୁମର ଜୀବନକୁ ପ୍ରଥମେ ତୁମେ ଆହୁତି ଦେବ ।

 

ଆତ୍ମାରାମ ଉଠିଲେ । ଭଗ୍ନସ୍ୱରରେ କହିଲେ, ଚାଲ ବାବା, ତୋର ପଛେ ପଛେ ନରକ ଭିତରକୁ ଯିବାକୁ ସୁଦ୍ଧା ମୁଁ କୁଣ୍ଠିତ ହେବି ନାହିଁ ।

 

ରାତି ପାହି ଆସୁଥାଏ । ଝଡ଼ବର୍ଷା ମଧ୍ୟ କମି ଆସିଥାଏ । ଅଜୟ ଓ ଆତ୍ମାରାମ ଘର ବାହାରକୁ ଆସି ଉତ୍ତେଜିତ ଗ୍ରାମବାସୀଙ୍କ ସଙ୍ଗେ ଯୋଗ ଦେଲେ ।

Image

 

ମୁକ୍ତିପଥର ଯାତ୍ରୀ

 

ଜନତାର ସ୍ରୋତ ଚାଲିଲା ଉନ୍ମାଦ ହୋଇ । ଅନ୍ଧାର ଘୁଞ୍ଚିଗଲା । ପୂର୍ବଦିଗ ଉଜ୍ଜ୍ୱଳ ହୋଇ ଆସିଲା । ଅନ୍ଧାରିମୂଲକର ଅନ୍ଧାର ଭିତରେ ଅନ୍ଧାରକଣା ଲୋକଗୁଡ଼ିକ ବାଟ ଅବାଟ ନ ମାନି ଅମଡ଼ା ମାଡ଼ି ଚାଲିଲେ ।

 

ଅବାଟରେ ବାଟ ଫିଟିଗଲା । ଧର୍ମପାଇଁ, ସତ୍ୟପାଇଁ, ମୁକ୍ତିପାଇଁ, ଜୀବନକୁ ହାତରେ ଧରି ଆହୁତି ଦେବାକୁ ଚାଲିଛି ଯେଉଁ ଜନତା, ସେ ଆଉ ବାଟ ଅବାଟ ମାନିବ କଅଣ ? ତାର ନିର୍ଭୀକ ନିରଳସ ଗତିରେ ବାଧାଦେବ ଜଙ୍ଗଲର କଣ୍ଟାଝଣ୍ଟା ଶାଳ ପିଆଶାଳ ?

 

ଅଜୟ ଆଗକୁ ଚାଲିଲା ।

 

ଆକାଶ ପ୍ରକମ୍ପିତ କରି ଗାଲୁଆ ଗଣ୍ଡାର ଚେପ୍‌ଟା ଢୋଲ ବାଜି ଉଠିଲା । ଏକାଥରେ ଦଶ କି ବାରଟା ଢୋଲର ଶବ୍ଦ । ବନସ୍ଥଳୀ ମୁଖରିତ ହେଲା । ଲୋକଙ୍କର ମନରେ ଉତ୍ତେଜନା ଓ ଆନନ୍ଦର ଢେଉ ପଡ଼ିଲା ଉଠିଲା । ରାମଲୀଳାର ହନୁମାନ ବାଦ୍ୟରେ, ହୁଣ୍ଡା ଜେନା ତା’ର ଗୋବମରା ଠେଙ୍ଗାକୁ ବାଁ କାନ୍ଧରେ ପକାଇ ବୀର ହନୁମାନ ପରି ଆଗକୁ ଡେଇଁ ପଡ଼ିଲା । ସତେକି ସୀତାକୁ ଉଦ୍ଧାର କରିବାକୁ କପିବଳ ନିଜ ନିଜର ଆୟୁଧ ଧରି ହନୁମାନକୁ ଆଗୁଆଳ କରି ଲଙ୍କା ଧ୍ୱଂସ କରିବାକୁ ଆଗଭର ।

 

ସକାଳ ହେଲା । ଯାତନା ଗ୍ରାମର ଲୋକେ ରାସ୍ତା ଉପରକୁ ଉଠିଲେ । ଢୋଲ ବାଦ୍ୟରେ କାନ ଅତଡ଼ା ପଡ଼ୁଛି । ରାସ୍ତା କଡରେ ଜଙ୍ଗଲ ଭିତରେ ଖଣ୍ଡେ ଲେଖାଏଁ ଛୋଟ ଗାଁ । ଲୋକେ ରାତି ନ ପାହୁଣୁ ଶେଯରୁ ଉଠି ପ୍ରଥମେ ଶୁଣିଲେ ଡୋଲର ଉତ୍କଟ ନାଦ ଓ ଲୋକଙ୍କର ବିକଟ କୁହାଟ ।

 

ଅଦିନେ ଏପରି ବାଜା ଶୁଣି ସେମାନେ କିଛି ବୁଝିପାରିଲେ ନାହିଁ । ତିଥି ଥିଲେ ବା କାହାର ବର ଯାଉଛି ବୋଲି ଅନୁମାନ କରିଥାନ୍ତେ, କିନ୍ତୁ ବାହାଘର ଚଉଦମାସ ବନ୍ଦ । ଗାଁ ପିଲାଏ ହେଣ୍ଡି ମାରି ମଜା ଦେଖିବାକୁ ରାସ୍ତା ଉପରକୁ ଧାଇଁ ଆସିଥିଲେ । ଲୋକେ ହାତରେ ଦାନ୍ତକାଠି ଧରି କଥା କଅଣ ବୁଝିବାକୁ ଉତ୍କଣ୍ଠିତ ହୋଇ ଅନାଇ ରହିଲେ ।

 

ଅଜୟ ଦେଖିଲା, ଦଳକୁ ଦଳ ଲୋକ ଧଇଁସଇଁ ହୋଇ ରାସ୍ତା କଡ଼କୁ ଧାଇଁ ଆସୁଛନ୍ତି । ସେମାନଙ୍କ ମଧ୍ୟରୁ କେତେଜଣ ତାଙ୍କର ପରିଚିତ । ସେ ଆଗରେ ଠିଆ ହୋଇ ବାଜା ବନ୍ଦ କରିବାକୁ ଅନୁରୋଧ କଲା । ତତ୍ପରେ ଲୋକଙ୍କୁ ଚାହିଁ କହିଲା, ଭାଇମାନେ, ଆମେ ଛେଳିପଲ ଜାଣି ଜାଣି ଆମ ମନକୁ ହାଣକୁ ଯାଉଛୁ । ଢୋଲ ପିଟି ଡାକି ବଜାଇ ସମସ୍ତଙ୍କୁ ଜଣାଇ ଦେଇ ଯାଉଛୁ । ଯେଉଁମାନେ ଏ ଦଳରେ ମିଶି ହାଣକୁ ଯିବାକୁ ପ୍ରସ୍ତୁତ ଅଛ ଚାଲିଆସ, ନୋହିଲେ ଘରକୁ ଫେରିଯାଇ ହାଣ୍ଡିଶାଳରେ ପଶି ମ୍ୟାଉଁ ମ୍ୟାଉଁ ହେଉଥାଅ । ମନେ ରଖିଥାଅ, ହାଣ୍ଡିଶାଳରେ କତରା ଘୋରିହୋଇ ଶୋଇଲେ ବି ନିସ୍ତାର ନାହିଁ । ଯେତେବେଳେ ଉପରୁ ଚଡ଼କ ପଡ଼ିବ, ଜାଣିବ ସେତିକିବେଳେ ।

 

ଅଜଣା ଗାଁର ଅଗଣା ଭୂତିଆ କହିଲା, କୁଆଡ଼େ ଚାଲିଲ ତୁମେମାନେ ? କେଉଁଠି ହାତୀଧରା ହେଉଛି କି ? ରଜାଘର ବେଠିରେ ଚାଲିଲ ପରା !

 

ପଞ୍ଚରାପାଲିର ଶୁକୁଟା ସୁନାରି କହିଲା, ହାତୀଧରା ତ ଶୁଣାଗୁଣା ନାହିଁ, ପଟେଇତ ପାରିଧିକି ଯିବେ ଯେ ଏମାନେ ବାଘ ଘଉଡ଼ିବାକୁ ଘେର କରିବାକୁ ଚାଲିଲେ ।

 

ସରଦେଇପୁରର ସତିଆ ପାନାରା କହିଲା ଆରେ, ଯୁଆଡ଼କୁ ଗଲେ ଏକା ହୀନାବସ୍ଥା । ଆରଥର ହାତୀଧରା ଠେଇଁ ପଞ୍ଚପଲ୍ଲୀର ଜଣେ ପ୍ରଜା ପ୍ରସା କରିବାକୁ ଆଡ଼ି ଛାଡ଼ିଯାଇଥିଲା ବୋଲି ତାକୁ କଟେଇତ ଦନ୍ତା ଲଗାଇଲେ । ଇଃ, ତାର ପୁଟା ବାହାର କରି ହାତୀ ତାକୁ ଗୋଡ଼ତଳେ ମାଡ଼ି ଚକଟି ଦେଲା ।

 

ମଧୁପାରିର ମିଛୁ ମିଶ୍ରେ କହିଲେ, ଲାଲୁସାହେବ ଶିକାର କରୁ କରୁ ମୋ ଭଣଜା ଗନ୍ଧିଆକୁ ନଳୀ ଲାଛିଦେଲେ । ତିନିମାସ ଭୋଗି ଭୋଗି ସେ ମଲା ।

 

ତଇଲାପଡ଼ାର ତରକା ମାଳି କହିଲା, ଏଗୁଡ଼ାକ ହସି ହସି ହାଣକୁ ଯାଉଛନ୍ତିରେ ଚାଲ ଭାଇ, ଫେରି ଚାଲ । ଯାହାର କାଳ ପୂରେ ସେ ଏମିତି ଉଦ୍‌ବାର୍ଯ୍ୟ ହୋଇ ଧାଏଁ ।

 

ହୁଣ୍ଡା ଜେନା ଠେଙ୍ଗା ଟେକି କହିଲା, ଆରେ ହେ, ଆରେ ହେ, ବାଘ ଭାଲୁ ଘଉଡ଼ିବାକୁ ଆମେ ଯାଉନାହୁଁ, ଆମେ ଯାଉଛୁ ଭୂତପ୍ରେତ ତଡ଼ିବାକୁ, ବୁଝିଲ ?

 

ଅଜୟ, ହୁଣ୍ଡା ଜେନାକୁ ତୁନି ରହିବାକୁ ହାତ ଦେଖାଇ କହିଲା, ତୁମେମାନେ ଯାହା କହିଲ, ସବୁଠିକ୍‌ । ସେଇସବୁ କଥାର କିନାରା କରିବାକୁ ଆମେ ଯାଉଛୁ । ପ୍ରସା କରିବାକୁ ଯାଇ ତମର ପୁଟା ବାହାରିଲା, ବେଠି କରିବାକୁ ଯାଇ ତୁମକୁ ନଳୀରେ ଲଛାଗଲା, ସତ କହିବାକୁ ଯାଇ ତୁମର ନିଶଦାଢ଼ି ଓପଡ଼ା ହେଲା, ତଣ୍ଟି ଶୁଖିଗଲେ ପିଇବାକୁ ଗୋରୁମୂତ ଦିଆଗଲା; ଆଉ ପେଟରେ ଓଦାକନା ଦେଇ ଭଲମନ୍ଦବେଳକୁ ଯେଉଁ ସୁନାରୂପା ପୋତି ରଖିଥିଲ ସେତକ ଦେହ ଜୋରରେ ନାଲି ଆଖି ଦେଖାଇ ଅପହରଣ କରାଗଲା । ତେବେ ତୁମର ମଣିଷ ପଣିଆଁ ରହିଲା କେଉଁଠି ? ତୁମର ଆଖି କଅଣ ନ ଦେଖୁଛି, କାନ କଅଣ ନ ଶୁଣୁଛି ? ତୁମ ଘରେ ଭଲ ଝିଅଟିଏ ଜନ୍ମହେଲେ ତୁମର କପାଳ ଫାଟିବ ? ସେ ଝିଅର ସର୍ବନାଶ ହେବ ? ଏସବୁ ଦେଖି ଶୁଣି ତୁନି ରହିଛ କିପରି ?

 

କିଏ ଜଣେ ହସି ହସି କହିଲା, ବାହାରିଲେ ଆମର କାଢ଼ୁ ମହାପାତ୍ରେ ! କିହୋ, ତୁନି ନ ରହି ଧେଇ ଧେଇ ହୋଇ ନାଚିବୁ ? ତେଲ ଘଡ଼ିରେ ବୁଡ଼ି ମରିବୁ ? ଦୂବଗଛର ଡାହିରେ ବୁଢ଼ିଆଣୀ ସୂତାରେ ଦଉଡ଼ି ଲଗାଇବୁ ? ପାଣିରେ ଘର କରି କୁମ୍ଭୀର ସାଙ୍ଗେ ଝଗଡ଼ା ।

 

ବିକଳା ବାରିକ କହିଲା, ତା ନୁହେଁ କଅଣ, ପିଠି ଦେଖାଇ ସବୁ ସହିଯିବା ଭଲ ।

ଛୋକାର ଛୋଟରା ବିକଳାର ଗାଲରେ ବ୍ରହ୍ମଚାପଡ଼ା ମାରି ତମ ତମ ହୋଇ କହିଲା, ଆରେ, ଆର ଗାଲ ଦେଖା ।

 

ବିକଳା କାନମୁଣ୍ଡ ଆଉଁସି ଚିହିଁକିପଡ଼ି, ସାବଳ ଟେକି ଛୋକାର ମୁଣ୍ଡରେ ଠିକ୍‌ ପାହାରେ ଦେବାକୁ ଯାଉଥିଲା, ସତିଆ ପାନରା ରାସ୍ତା ଉପରକୁ ଧାଇଁ ଆସି ସାବଳ ଚୋଟ ହାତରେ ଅଟକାଇ ହସି ହସି କହିଲା, ହାଁ ହୁସିଆର୍‌ ! ପାଠ କହିଲା ତୋ କଥା ତୁହି ରକ୍ଷା କର, ଅସତ୍ୟ ନୁହଁ ସୌଦାଗର ।

 

ଅନ୍ୟମାନେ ତାଳି ମାରି ହସିଉଠିଲେ ।

ଅଜୟର ଏ ସବୁରେ କିଛି ଲକ୍ଷ୍ୟ ନ ଥିଲା ପରି କହିଲା, ତୁନି ରହିବାଠୁଁ ନାଚିବା ଭଲ । ବୁଡ଼ି ମରିବା, ଦଉଡ଼ା ଦେଇ ମରିବାଠାରୁ ବୀର ପରି ଛାତି ଦେଖାଇ ନିଜର ଅଧିକାର ଦାବୀ କରି ମରିବା ଆହୁରି ଭଲ । ଆଜି ବିନାଦୋଷରେ ତମର ବିଦ୍ରୋହ ବିଶ୍ୱାଳ ବନ୍ଦୀ ହେଲେ, ଅଭିଯୋଗ କରିବାକୁ ଯାଇ ବିଶୋଇଙ୍କର ନିଶ ଦାଢ଼ି ଓପୁଡ଼ାଗଲା, ବିଚାର ଦେଖିବାକୁ ଯାଇ ବାବାଜୀ ଆତ୍ମାରାମଙ୍କ ମୁଣ୍ଡ ଫାଟିଲା, ତୁମ ମୁଣ୍ଡରେ ବି ଶାଗୁଣା ଉଡ଼ିଲାଣି ରେ !

 

ବିଶ୍ୱାଳେ ବନ୍ଦୀ ହେବା ଶୁଣି ଲୋକେ ବଲବଲ କରି ପରସ୍ପରର ମୁହଁକୁ ଅନାଇଲେ । ମିଛୁ ମିଶ୍ରେ କଥାକୁ ବେପସନ୍ଦ କରି ପଚାରିଲେ, ୟେ ମିଛ କଥା । ବିଶ୍ୱାଳେ ବନ୍ଦୀ, ବିଶ୍ୱାଳେ ଜେଲରେ ? ଅପରାଧ ? ସେ ହଲିଲା ପାଣିକି ଗୋଡ଼ ବଢ଼ାନ୍ତି ନାହିଁ ।

 

ଅଜୟ ଉତ୍ତର ଦେଲା, ଅପରାଧ ହେଉଛି, ତୁମର ଦୁଃଖରେ ତାଙ୍କ ଆଖିରୁ ଲୁହ ଝରିଲା-। ଆଉ କଅଣ ଭିତିରି ଅପରାଧ ଥିବ, ତାହା ତାଙ୍କର ବିଚାରପତିମାନଙ୍କୁ ଜଣା ।

 

ଯୋହୁକୁମ କହିଲା, ଆଉ କିଏ ଜାଣିବ, ପାତିମାନଙ୍କୁ ଜଣା ।

ଶୁକୁଟା ସୁନାରି କହିଲା, ତୁମେ ସବୁ ମାଙ୍କଡ଼ ହୁରୁଡ଼େଇଲା ପରି ହୋହୋହୋଇ ଗଡ଼କୁ ଯାଇ କଅଣ କରିବ ?

 

ଅଗଣା ଭୂତିଆ କହିଲା, ଆଞ୍ଚୁଡ଼ା ଖାଇ ଆସିବେ ଆଉ କଅଣ ?

ଅଜୟ କହିଲା, ଆମେ ଯିବୁଁ ଗୁହାରି କରିବାକୁ । ସମସ୍ତେ ରାଜାଙ୍କ ଆଗରେ ଲମ୍ବ ହୋଇ ପଡ଼ି କହିବୁଁ, ଧର୍ମାବତାର, ଆପଣ ଆମର ବାପ ମା; ଆପଣ କାନରେ ଆଙ୍ଗୁଠି ଦେଇ ଆଖି ବୁଜି ବସିଛନ୍ତି ବୋଲି ଆମର ଏତେ ଦୁଃଖ ଦେଖିପାରୁ ନାହାନ୍ତି କି ଶୁଣିପାରୁ ନାହାନ୍ତି । ମଣିମା, ଟିକିଏ ଆଖି ଖୋଲି କାନରୁ ଆଙ୍ଗୁଠି ବାହାର କରନ୍ତୁ, ଦେଶରୁ ବେଠି ବେଗାଡ଼ି ପ୍ରଥା ଉଠିଯାଉ । ରାଜକର୍ମଚାରୀମାନଙ୍କୁ ଆଦେଶ କରାଯାଉ ସେମାନେ ନିଜକୁ ଦେଶର ସେବକ ବୋଲି ମଣିବେ, ସେହି ହିସାବରେ କାମ କରିବେ । ଦେଶରୁ ଅନ୍ୟାୟ ଅତ୍ୟାଚାର ଲୋପ ହେଉ । ଲୋକେ ସୁବିଚାରରେ ଦଣ୍ଡିତ ହୁଅନ୍ତୁ । ଶ୍ରୀଛାମୁଙ୍କର ଭାଇବିରାଦର ଓ କର୍ମଚାରୀମାନଙ୍କର ଧନଜନ ପିପାସା ନ ରହୁ । ଛାମୁ ମଣିଷ, ଛାମୁ ଦେବତା ନୁହନ୍ତି, ପଶୁ ନୁହନ୍ତି, କି ଭୂତ ପ୍ରେତ ନୁହନ୍ତି । ଛାମୁ ମଣିଷ ପରି ଚଳନ୍ତୁ, ମଣିଷକୁ ମଣିଷ ପରି ଦେଖନ୍ତୁ ।

 

କିଏ ଜଣେ ଥଟ୍ଟା କରି କହିଲା, ପିଲାଖଣ୍ଡେ ସିନା, ଗାଲ ଚିପିଲେ ଦୁଧ ବାହାରି ପଡ଼ିବ, ସାହାସ କମ୍ ନୁହେଁ । ବାବୁ, ଦେଶରେ ପଥର ପାହାଡ଼ ନାହିଁ ? ହେଇ କଅଣ, ସେ ନିମମୂଳେ ଦେଢ଼ପୁରୁଷ ହେବ ଗୋଟାଏ ଅକର୍ମଶିଳା ମୁଣ୍ଡ ଟେକି ଠିଆ ହୋଇଛି । ଯା’ ତାରି ଆଗରେ ବୋବାଳି ଛାଡ଼ିବୁ ।

 

ଅଜୟ କହିଲା, ଏତେ ଲୋକଙ୍କର ଛାତିଫଟା ବିକଳ କାନ୍ଦଣାରେ ପଥର ବି ତରଳି ଯିବ ।

ସତିଆ ପାନରା କହିଲା, ଯଦି ମୂଳରୁ ଭାଙ୍ଗି ଆମକୁ ଓଲଟି ମାଡ଼ିବସେ ?

ମିଛୁ ମିଶ୍ରେ କହିଲେ, ହାଡ଼ ଗୋଡ଼ ଭାଙ୍ଗି ଚଟଣି କରିଦେବ !

ଅଜୟ କହିଲା, ସବୁ ଦକ ଏକାଥରେ ଭାଙ୍ଗିଯିବ । ଯେତକ ମରିବେ ମରିବେ, ଆଉ ଯିଏ ରହିବ ସେ ପଥରର ଛାତି ଉପରେ ନାଚିବେ କୁଦିବେ ।

 

ଅଜୟ ନୀରବ ହେଲା । ଆତ୍ମରାମ ତା’ର କାନ ପାଖରେ ତୁନି ତୁନି କହିଲେ, ଚାଲ ବାପ ! ବୃଥା ବାଗ୍‌ବିତଣ୍ଡାରେ ଲାଭ ନାହିଁ । ସମୟ ନଷ୍ଟ ହେଉଛି ।

 

ମିଛୁ ମ୍ରିଶଙ୍କୁ ଚାହିଁ କଲ୍ୟାଣ କରି ସେ କହିଲେ, ମୁଁ କଲ୍ୟାଣ କରୁଛି, ଭଗବାନ ତୁମକୁ ସବୁ ଦୀର୍ଘାୟୁ କରନ୍ତୁ, ଚିରଦିନ ଏହିପରି ନିଜର ମା, ଭଉଣୀ, ଝିଅଙ୍କର ଇଜ୍ଜତତ୍କୁ ଦାଣ୍ଡରେ ଥୋଇ ଘର କୋଣରେ ଲୁଚି ଆନନ୍ଦରେ ବେଳ କାଟ, ପିଠିରେ ବେତବାଡ଼ି ଗର୍ଜିଗଲେ ବି ତମ ମୁହଁରୁ ପଦେ କଥା ନ ବାହାରୁ ।

 

ଅଜୟ ଉତ୍ତେଜିତ ହୋଇ କହିଲା, ଆରେ, ତମ ଜୀବନକୁ ଯେବେ ଏତେ ଡର, ନିଜର ମାନମହତ୍ତ୍ୱ, ସୁଖଦୁଃଖ, ମନୁଷ୍ୟତ୍ୱ ଅପେକ୍ଷା ଯଦି ଛାର ପଶୁ ଜୀବନଟା ପ୍ରତି ଏତେ ଲୋଭ, ତେବେ ଏହି ମୁହୂର୍ତ୍ତରେ ଏହିଠାରେ ଆତ୍ମହତ୍ୟା କରି ଅମର ହେବାକୁ ଚେଷ୍ଟା କର । ଯାହାର ରକ୍ତ ପାଣି ଫାଟିଗଲାଣି, ମାଡ଼ ଖାଇ ଥୋବରା ହୋଇ ଯେଉଁମାନେ ବଳଦ ହୋଇଗଲେଣି, ସେମାନଙ୍କୁ ଆଉ କହିବ କଅଣ ?

 

ଅଜୟ ଆଗକୁ ଚାଲିଲା ।

ସତିଆ ପାନରା ଲୋକ ଗହଳିର ମଝିକୁ ଯାଇ ହାତ ଟେକି ହସ୍ତକ କରି କହିଲା, ଯାହା କହ ପଛେ, ବାପ୍ ବି ଯେସା, ବେଟା ବି ତେସା । ପିଲା ଚାଖଣ୍ଡେ, ତାର କେତେ ଜ୍ଞାନ କେତେ ବୁଦ୍ଧି ଦେଖିଲ ତ ! ଆମପାଇଁ ଜୀବନକୁ ପାଣି ଛଡ଼ାଇ ସେ ତୋପ ମୁହଁକୁ ଧାଇଁଛି । ଦେଖ, ଦେଖ, ଆମ ଭଳିଆ କେତେ ଲୋକ ପରପାଇଁ ପ୍ରାଣ ଦେବାକୁ ତା ପଛରେ ଗୋଡ଼ାଇଛନ୍ତି । ମୁଁ ଚାଲିଲି ଭାଇ, ବେଠି କରି କୋରଡ଼ା ମାଡ଼ ଖାଇ ଏକା ମରିବା ଅପେକ୍ଷା ଏପରି ସାଙ୍ଗସୁଖ ହୋଇ ଏକାଠି ମରିବା ଭଲ ।

 

ସତିଆ ପାଇକଛା ଭିଡ଼ି ଦଉଡ଼ିଲା ଆଗକୁ ।

ଲୋକଙ୍କ ଭିତରେ ଗୋଟାଏ ଚାଞ୍ଚଲ୍ୟ ଉପସ୍ଥିତ ହେଲା । କେତେଜଣ ଦୋ ଦୋ ପାଞ୍ଚ ହୋଇ ପାଇକଛା ଭିଡ଼ିଲେ ।

 

କିଏ ଜଣେ ହସି ହସି କହିଲା, ଆରେ ହେ, ତମେଗୁଡ଼ାକ ଭୂତ । ମୁଁ ସେ ବିଶ୍ୱାଳ ବଂଶକୁ ଭଲ କରି ଜାଣେ । ସଭିଙ୍କୁ ନେଇ ତୋପ ଆଗରେ ଠିଆ କରାଇ ପଛେଇ ପଛେଇ ପ୍ରସା କରିବା ବାହାନାରେ ଦେ ଚମ୍ପଟ୍‍ । ମୁଁ ଚାଲିଲି ଭାଇ ।

 

ଏହା କହି ସେ ଗାଁ ଆଡ଼କୁ ଚାଲିଲା । କେତେଜଣ ଲୋକ ମୁଣ୍ଡ ହଲାଇ ହସି ହସି ତାର ପଛେ ପଛେ ଗଲେ ।

 

ମିଛୁ ମିଶ୍ରେ କହିଲେ, ଆରେ ଅଗଣା, ତୁ ଟିକିଏ ଆମ ଘରେ କହିଦେବୁ, ମୋପାଇଁ ପଳାଶପତ୍ର ଦାହ ହୋଇପଡ଼ିବେ । ମୁଁ ଚାଲିଲି । ଏମିତି ପଶୁପରି ରହି ଘର କରିବାଠାରୁ ମରିବା ଭଲ ।

 

ଅଗଣା କହିଲା, ନନା ମୁଁ କଅଣ ଜୀବନକୁ ଡରି ପଛରେ ରହିବି ? ଚାଲହୋ, ଯିବା । ହେ ଶୁକୁଟା, ଟିକେ ଆମ ଘରେ କହିଦେବୁ, ବଳଦଟାକୁ ମୋହିଁ ଦେବେ । ଚାଲ ।

 

ଶୁକୁଟା କହିଲା, ବଡ଼ ହୁସିଆର, ଫିସାଦି ମାରି ସମସ୍ତେ ଯିବ, ଆଉ ରଜାଘର ବେଠି ତଲବ ଆସିଲେ ପଧାନ ଧରିବ ମୋତେ । ଚାଲ, ମୁଁ ବି ଯିବି । ଏକା ନାବରେ ବସିଥାଇଁ, ମରିବା ଯଦି ଉବୁଟୁବୁ ହୋଇ ମରିବା ସଭିଏଁ । ସ୍ୱଗର୍କୁ ଯିବା, ନୋହିଲେ ପାତାଳକୁ ଯିବା । ଡରିହରି ଏ ପୁରରେ, ଏ ଅନ୍ଧାରି ରାଇଜରେ ରହି ଛଟପଟ, କଲବଲ ହୋଇ ମରିବା କାହିଁକି ? ଲଙ୍ଗଳ ମୁନରେ ମାଟି ତାଡ଼ି କେତେ ଅଜର୍ନ କରିବା ଯେ ଖଜଣା ସଙ୍ଗରେ ସହସ୍ର ପ୍ରକାର କର ଦେବା ? ରାସ୍ତା କର, ଜଙ୍ଗଲ କର, ହଳ କର, ଗୁହାରି କର । ବେଠି କରି କରି ମାଡ଼ ସହି ପଥର ହେଲେଇଁ-। ଅନ୍ୟାୟ ହେଉଛି କହିଲେ ରାଜଦ୍ରୋହ ହେଲା ବୋଲି ଫାଶୀ ପାଇଲେଇଁ । ଘର କରି ଘରଣୀକୁ ମୋର ବୋଲି କହିଲା ବେଳକୁ ମନ କହୁଛି, କେଜାଣି ? ଝିଅ ବୋହୁ ଲୁଚି ଛପି ଗଲେ ବି ମନ ଦକ ଦକ । କିଏ ଦେଖିଲାକି ? ଏମିତି ଜୀବନ ଧରି ରହିବାଠାରୁ ପୁଳାଏ କାମୁଡ଼ି ଦେଇ ମରିବା ଭଲ। ଚାଲ ହୋ ।

 

ମିଛୁ ମିଶ୍ରେ, ଅଗଣା ଭୂତିଆ ଓ ଶୁକୁଟା ସୁନାରି ଯାତନା ଗାଁର ଲୋକଙ୍କ ସଙ୍ଗେ ମିଶିବାକୁ ବଡ଼ ବଡ଼ ପାହୁଣ୍ଡ ପଳାଇ ଚାଲିଲେ । ପଛରେ ଚାଲିଲେ ପାଞ୍ଚ ଗାଁର ତିନିଶ ଲାକେ । କିଏ ଜଣେ ତିନିଶ ଲୋକ ।

 

କିଏ ଜଣେ ଚିତ୍କାର କଲା, ଜୟ ମିଛୁ ମିଶ୍ରଙ୍କର ଜୟ,

ଜନତା ବଜ୍ରଗମ୍ଭୀର ସ୍ୱରରେ ତାର ଉତ୍ତର ଦେଲା ଜୟ !

Image

 

ଅଭିଯାନ

 

ଲୋକଙ୍କର ସଂଖ୍ୟା ବଢ଼ିବାକୁ ଲାଗିଲା । ଲୋକେ ବୁଝନ୍ତୁ ନ ବୁଝନ୍ତୁ, କଅଣ ଗୋଟାଏ କରିବାକୁ ଗଡ଼ମୁହାଁ ହୋଇ ଧାଇଁଲେ । ଯାତନା ଗ୍ରାମର ମୁଷ୍ଟିମେୟ ଲୋକ ସେହି ବିଶାଳ ଜନତା ଭିତରେ କିଏ କେଉଁଠି ରହିଲେ । ଏମାନଙ୍କର ଆସିବା ଆଗରୁ ଦୂର ଗାଁର ଲୋକମାନେ ଖବର ପାଇ ଉଚ୍ଛନ୍ନ ହୋଇ ରାସ୍ତା ଉପରକୁ ଧାଇଁଲେ । ଅଜୟ କିଏ କେହି ଜାଣନ୍ତି ନାହିଁ, ବିଶ୍ୱାଳଙ୍କୁ ମଧ୍ୟ ଚିହ୍ନନ୍ତି ଅଳ୍ପ ଲୋକ, ତଥାପି ଜୟ ବିଶ୍ୱାଳଙ୍କର ଜୟ ରାବରେ ଆକାଶ ପ୍ରତିଧ୍ୱନିତ ହେଲା । ଲୋକେ ସେମାନଙ୍କର ଅଜଣା ଅଶୁଣା ବନ୍ଧୁମାନଙ୍କୁ କେତେ ନୂଆ ନୂଆ କଥା କହି ଜନତାରେ ଯୋଗ ଦେବାକୁ ଅନୁରୋଧ କଲେ, ଭୁଲାଇଲେ । ଲୋକେ ଭୁଲିଗଲେ ।

 

ଯିଏ ଯାହା କହୁ, ଯିଏ ଯାହା ବୁଝୁ, ସମସ୍ତେ ବୁଝିଲେ ଯେ ସେମାନଙ୍କ ଉପରେ ରାଜା, ରାଜପରିବାରର ଅନ୍ୟାନ୍ୟ ଲୋକ ଓ ରାଜକର୍ମଚାରୀମାନେ ଯେଉଁ ଅତ୍ୟାଚାର କରୁଅଛନ୍ତି, ସେହି ଅତ୍ୟାଚାରକୁ ଲୋପ କରିବାପାଇଁ ଏକାଠି ହୋଇ ଅଭିଯୋଗ କରିବାକୁ ହେବ । ବିଦ୍ରୋହ ବିଶ୍ୱାଳ ରାଜଛାମୁରେ ଗୁହାରି କରିବାକୁ ଯାଇ ଜେଲଦଣ୍ଡ ଭୋଗିଛନ୍ତି । ତାଙ୍କୁ ଉଦ୍ଧାର କରିବାକୁ ସମସ୍ତେ ଏକଜୋଟ୍ ହୋଇ ରାଜଛାମୁରେ ଗୁହାରି କରିବେ । ଅତ୍ୟାଚାର ସବୁ ଲୋପ କରିବେ ।

 

କିପରି ଅତ୍ୟାଚାରକୁ ଲୋପ କରିବାକୁ ହେବ ଓ କିପରି ଭାବରେ ବିଶ୍ୱାଳଙ୍କୁ ମୁକ୍ତ କରିବାକୁ ହେବ, ଏହି ବିଷୟ ନେଇ ଅନେକଙ୍କର ଅନେକ ପ୍ରକାର ଧାରଣା । ଥୋକାଏ ଜାଣନ୍ତି, ସେମାନେ ଛାମୁଙ୍କ ଆଗରେ ଲମ୍ବ ହୋଇ ପଡ଼ି ହାତ ଯୋଡ଼ି ସବୁ ଦୁଃଖ ଜଣାଇବେ । ଜୀବନ ଗଲେ ମଧ୍ୟ କାହାରି ବାଧା ମାନିବେ ନାହିଁ, ଡରି କରି ପଛଘୁଞ୍ଚା ଦେବେ ନାହିଁ । କଲବଲରେ, ଦହଗଞ୍ଜରେ ଡରି ଡରି ଜଣ ଜଣ କରି ମରିବାଠାରୁ ରାଜାଙ୍କ ଦି ଆଖି ଆଗରେ ଏକା ସାଙ୍ଗରେ ସମସ୍ତେ ମରିବା ଭଲ । ହାଣକୁ କେତେବେଳେ ଯିବେ ବୋଲି ଆଗରୁ ମନ ଦୁଡ଼ୁଗୁଡ଼ୁରେ ବଞ୍ଚି ଥାଉଁ ଥାଉଁ ପଚାଶ ଥର ମରିବାଠାରୁ ଏକାଥରେ ମରି କାମ ଛିଣ୍ଡାଇ ଦେଲେ ଜୀବନର ଆଉ ଦକ ନ ଥିବ ।

 

ଅନ୍ୟ ଥୋକାଏ ବୁଝିଛନ୍ତି, ସେମାନେ ଆଜି ନିଜର ହାତ ଗୋଡ଼ ଓ ସାହାସ ଜୋର୍‍ରେ ରାଜଶକ୍ତିକୁ ଗୁଣ୍ଡାକରି ଚିରଦିନ ପାଇଁ ମାଟିରେ ମିଶାଇ ଦେବାକୁ ଆଗଭର । ସେମାନେ ଜାଣନ୍ତି, ରାଜାଙ୍କର ଶିକ୍ଷିତ ସୈନ୍ୟ ଆଗରେ ଠିଆ ହୋଇ ହାତଟେକିବା ଅସମ୍ଭବ । ଯୁଦ୍ଧ କଅଣ, କାହାରିକି ଜଣାନାହିଁ । ଯୁଦ୍ଧ ନାଁ ପଡ଼ିଲେ ତାଙ୍କର ରକ୍ତ ପାଣି ଫାଟିଯାଏ । ବନ୍ଧୁକ ତୋପର ଗୁଳି ଆଗରେ କୋଡ଼ି କାଙ୍କ ଧରି ଠିଆ ହେଲେ କିଛି ହେବ ନାହିଁ, ବରଂ ମୃତ୍ୟୁ ଅନିର୍ବାର୍ଯ୍ୟ । କେହି କିଛି ନ ଜାଣନ୍ତୁ ପଛକେ କିପରି ମରିବାକୁ ହୁଏ କାହାରିକୁ ଅଜଣା ନାହିଁ । ପ୍ରତିଦିନ ତାଙ୍କର ଭିତରୁ କୋରଡ଼ା ମାଡ଼ ଖାଇ କେତେ ଲୋକ ଦରମରା ହେଉଛନ୍ତି । ମାଡ଼ ଡରରେ କେତେ ଲୋକ ଗଛରେ ଦଉଡ଼ି ଲଗାଇ ଦେଉଛନ୍ତି । ନଈ ପୋଖରୀକୁ ଡେଇଁ ପଡ଼ୁଛନ୍ତି ।

 

ପ୍ରତିବର୍ଷ କେତେ ଲୋକ ଦେଶ ଛାଡ଼ି, ଘରଦ୍ୱାର ପିଲାକୁଟୁମ୍ବ ଛାଡ଼ି ବିଦେଶକୁ ଚାଲି ଯାଉଛନ୍ତି, ଭିକ ମାଗି ପେଟ ପୋଷୁଛନ୍ତି । କିଏ ଯାଉଛି ଆସାମର ମଶାପଲ ଭିତରେ ଚା ପତ୍ର ତୋଳିବାକୁ ,କିଏ ଯାଉଛି ସମୁଦ୍ର ସେପାଖେ ବହ୍ମଦେଶରେ ଜଙ୍ଗଲ ତାଡ଼ି ଜମି କରିବାକୁ, ଆଉ କେହି ଚାଲି ଯାଉଛନ୍ତି ଆଫ୍ରିକାର ମରୂଭୂମି ଭିତରେ ନାଳ ଖୋଳିବାକୁ ।

 

ବର୍ଷା ପାଣିରେ ଜନ୍ଦା ପିମ୍ପୁଡ଼ି ଦଳ ଦଳ ହୋଇ ଭାସିଗଲା ପରି ବଢ଼ି ପାଣିରେ କେତେ ଲୋକ ଭାସି ଯାଉଛନ୍ତି ।

 

ଦୁର୍ଭିକ୍ଷ ଆସିଲେ ତାର କ୍ଷୁଧା ମେଣ୍ଟାଇବାକୁ ଅଗଣିତ ଲୋକ ନିଜର ହାଡ଼ ମାଂସ ଦାନ କରୁଛନ୍ତି । ଦୁର୍ଭିକ୍ଷ ସଙ୍ଗେ ଯୁଦ୍ଧ କରିବାକୁ ସାହା ସମ୍ୱଳ ନାହିଁ । ମଣିଷ ତ ସେମାନେ ଆଉ ଏମାନେ ମଧ୍ୟ ମଣିଷ । ଅନିଚ୍ଛାରେ ମରିବାଠାରୁ ଜାଣି ଜାଣି ବରଂ ମରିବେ ।

 

କାହାର ପୁଅ ଯାଉଛି, ବାପ ଅନାଇଁ ବସିବ କାହିଁକି ? ବାପ ଗଲେ ପୁଅ ବା ରହିବ କିପରି ? ଘରେ କାନ୍ଦ ବୋବାଳି ପକାଇ ଲୋକେ ମୁକ୍ତି ନିଶାରେ ପାଗଳ ହୋଇ ଚାଲିଲେ । କର୍ମ ହିଁ ମଣିଷର ମୁକ୍ତି, ଜୀବନ । ଜନମ ଲଭିଲେ ମରଣ ସୁନିଶ୍ଚିତ । ଆଜି ନ ହେଲେ କାଲି, ଏଥିପାଇଁ ଡର ପଡ଼ିଛି ? କେତେଦିନଯାଏ ଆଖିବୁଜି ପିଠି ଉପରେ ଅନ୍ୟାୟ ଅତ୍ୟାଚାର ସହନ୍ତେ ? ସହି ସହି ଥୋବରା ପାଲଟିଗଲଣି, ଥୋବରା ହୋଇ ମଣିଷ ପଣ ହରାଇ ବସିଲେଣି, ପଶୁଠାରୁ ନିହାତି ହୀନ ହେଲେଣି ।

 

ଅନ୍ୟାୟ, ଅନୀତି ଅତ୍ୟାଚାର ସତେ ଯେପରି ତାଙ୍କ ପୂର୍ବଜନ୍ମର କର୍ମଫଳ, ତାଙ୍କର ଜନ୍ମଗତ ଦାବୀ, ତାଙ୍କୁହିଁ ସହିବାକୁ ହେବ; ତଥାପି ପାଟିରୁ କଥା ବାହାରିବ ନାହିଁ, କାନ କାଟିଲେ ବଚନ ବାହାରିବ ନାହିଁ ।

 

ଧର୍ମୁ ବୁଢ଼ା କହନ୍ତି, ପୁର୍ବ ଅର୍ଜିତ କର୍ମଫଳେ, ଯାଚି ମୁଁ ଦେଉଥାଇ ବଳେ । କର୍ମ କଷଣ ଦେହ ସହେ, ଅରଣ୍ୟେ ଅଜଗର ପ୍ରାୟେ ।

 

ଏହାଛଡ଼ା ଆଉ ଅନ୍ୟ ସାନ୍ତ୍ୱନା ନାହିଁ । ଅନ୍ଧାର ଭିତରେ ଉପାୟର ବାଟ ଦିଶୁନାହିଁ । ସାନ୍ତ୍ୱନା ଦରକାର । ଆଶା ଆକାଂକ୍ଷା ବିନା ମଣିଷର ଜୀବନ ଧାରଣ ଅସମ୍ଭବ । ଯେଉଁ ମଣିଷର ଯେଉଁ ଦେଶରେ ଆଶା ଫଳବତୀ ହୁଏ, କିନ୍ତୁ ସେହି ଫଳ ଗ୍ରହଣ କରିବା ଅସମ୍ଭବ, ସେଠାରେ ବଞ୍ଚି ରହିବାକୁ ଆଉ ନୂଆ ଆଶା ମନରେ ଜନ୍ମେ ନାହିଁ । ମଣିଷ ଖୋଜେ ଅଳସ ସାନ୍ତ୍ୱନା । ଧର୍ମୁ ବୁଢ଼ାଙ୍କର ଭାଗବତ ଟୁଙ୍ଗୀମାନଙ୍କର ସୃଷ୍ଟି ଏଇଥିପାଇଁ । ଧର୍ମୁବୁଢ଼ା ଓ ତାଙ୍କର ସାଥିମାନଙ୍କର ଜୀବନ, କର୍ମ ଓ ଆନନ୍ଦ ମଧ୍ୟ ଏତିକି ।

 

ସର୍ବସହଣି ହୋଇ କୌଣସିମତେ କେଇଟା ଦିନ ସଂସାରରେ ହରିନାମ ଭଜି ଅରଣ୍ୟେ ଅଜଗର ପ୍ରାୟେ ସହିଗଲେ ଗଲା । ତେଣିକି ମୃତ୍ୟୁ, ମୁକ୍ତି, ଆନନ୍ଦ, ସ୍ୱର୍ଗ । ସେଠିକି ପିଆଦା ଯିବା ନାହିଁ, ବେଠି ତଲବ ନାହିଁ । ସେଠି ଐରାବତ ପଲ ଧରିବାକୁ କିମ୍ବା ଇନ୍ଦ୍ର ରାଜାଙ୍କର ପାରିଧି ପାଇଁ ନନ୍ଦନବନରେ ଆଡ଼ି କରିବାକୁ କି ଘେର କରିବାକୁ ପଡ଼ିବ ନାହିଁ । ମା, ଝିଅ, ବୋହୁ ଓ ସ୍ତ୍ରୀମାନଙ୍କର ମାନ ମହତ୍ତ୍ୱ ନେଇ ଟଣା ଓଟରା ନ ଥିବ ।

 

ସୂର୍ଯ୍ୟ ମୁଣ୍ଡ ଉପରେ ହେଲେ । ଭୋକରେ ଲୋକଙ୍କର ପେଟ ଜଳିଲାଣି । ତଥାପି ସେମାନେ ଦଳ ଛାଡ଼ି ପଛାଇଲେ ନାହିଁ। ଏତେ ଲୋକଙ୍କ ମଝିରେ ନିଜକୁ ଜଣେ ବୋଲି ଅନୁଭବ କରିବାର ଯେଉଁ ଆନନ୍ଦ, ସେତକର ପ୍ରଲୋଭନ ଅଳ୍ପ ନୁହେଁ ।

 

ଆଗୁଆଳ ଅଜୟ, ଆତ୍ମରାମଙ୍କର ହାତଧରି ଅଟକାଇଲା । କହିଲା, ଦେଖନ୍ତୁ, ନ୍ୟାୟ ଭିକ୍ଷା କରିବାକୁ ନିର୍ଯ୍ୟାତିତ ନିଷ୍ପେସିତ ଜନତା ସମୁଦ୍ର ଢେଉପରି ମାଡ଼ି ଆସୁଛି । ସେମାନଙ୍କୁ ବିଭିନ୍ନ ଦଳରେ ବିଭକ୍ତ କରିବାକୁ ହେବ ।

 

ଆତ୍ମରାମ ଏକମତ ହେଲେ । କହିଲେ, ଏ ସ୍ରୋତକୁ ଅଟକାଇବ କିପରି ? ସମୁଦ୍ରର ଗର୍ଜନ ପରି ସେମାନଙ୍କର କୋଳାହଳ, ତହିଁରେ ମିଶିଛି ବାଦ୍ୟର କାନ ଅତଡ଼ାପକା ଶବ୍ଦ ।

 

ଅଜୟ କହିଲା, ମୁଁ ଏଇ ବିରାଟ ଅକର୍ମଶିଳା ଉପରକୁ ଉଠିବି । ଆମର ଧ୍ୱଜା ବଣର ସବୁଜ ଡାଳ । ଆପଣ ହେବେ ଆମର ଚାଳକ । ସେହି ପଥର ଉପରେ ଥାଇ ଜନତାକୁ ଅଟକି ରହିବାକୁ ଆହ୍ୱାନ କରିବି ।

 

ଆତ୍ମାରାମ କହିଲେ, ହେଉ ।

Image

 

କୋକୁଆ ଭୟ

 

ରାସ୍ତାପାଖକୁ ବାଟ ଦୁଇପା ଛାଡ଼ି ଡାହାଣ ହାତ ଜଙ୍ଗଲ ଭିତରେ ସଉରୀ ଗାଁ । ଗାଁଟି ଛୋଟ । ଲୋକଗୁଡ଼ିକ ଅତି ଗରିବ । ଛୋଟ ଛୋଟ ପାରାଡବା ପରି ଖଡ଼ ପତରର କୁଡ଼ିଆ ଛାଡ଼ି ଛାଡ଼ିକା । କେବଳ ଗଉଁତିଆ କୁଳମଣି ଧଳଙ୍କର ଢବା ଘରଟି ଆଖିଦୃଶିଆ । ଆଖିଦୃଶିଆ ହେବା ଏ ରାଜ୍ୟରେ ଶୁଭ ଲକ୍ଷଣ ନୁହେଁ । କାହାରି ଶିରୀ କାହାରି ଦେହରେ ଯାଏ ନାହିଁ । ତେଣୁ. କାହାରି ମଧ୍ୟ ଶିରୀ ନାହିଁ ।

 

ସେ ଦିନ ବଡ଼ିସକାଳୁ ଗାଁରେ କୋକୁଆ ଭୟ ପଶିଲା । କିଏ ଜଣେ ଗୁପ୍ତରେ ଖବର ଦେଇଗଲା, କଟୁଆଳଙ୍କର ପୋଖରୀ ଖୋଳାପାଇଁ ଗଡରେ କାମ ଲାଗିବ । ନିତି ପଚାଶ ଷାଠିଏ ବେଠିଆ କାମ କରିବେ । ବର୍ଷା ହୋଇଯାଇଥିବାରୁ ଜମିମାଟି ବତର ହୋଇଛି । ଆଜିଠାରୁ କାମ ଆରମ୍ଭ ହେବ । ଯେଉଁ ମଟାଳ ମାଟି କୋଡ଼ି କାଙ୍କର ବୋଲ ନ କରେ, ଆଜି ବତର ହୋଇଥିବାରୁ ପଶା ପଶାକରେ ଖୋଳି ହାଇଯିବ । ସେହି ପୋଖରୀ କାମ ଆରମ୍ଭ କରିବାକୁ ପ୍ରଥମ ପଲ ବେଠିଆ ଯିବେ ସଉରୀ ଗାଁରୁ ।

 

ଏ ଖବର ପାଇ ଅନାଗତ-ବିଧାତାମାନେ ଗାଁ ଛାଡ଼ି ଅଣ୍ଟିରେ ଭୁଜା ପୂରାଇ ଛିନ୍‌ଛତର ହୋଇ ଜଙ୍ଗଲ ଭିତରକୁ ପଳାଇଗଲେ। ଯେଉଁମାନଙ୍କ ମନରେ ପତିଆରା ନ ଆସିଲା, ସେମାନେ ଆଛା ରହ, ଦେଖାଯାଉ, କହି ଘର ଧନ୍ଦାରେ ଲାଗିଲେ ।

 

ସତକୁ ସତ ଅକାଳେ ପଡ଼ିଲା ବ୍ରଜ । ତିନିଜଣ ନଳିଧରା ସିପେଇ ଗଉନ୍ତିଆ ଧଳଙ୍କ ପିଣ୍ଡାରେ ପହଞ୍ଚି ଆଗ ରସଦ ବରାଦ କରିନେଲେ । ତା ପରେ ବେଠି କଥା ପଡ଼ିଲା । ତା ପରେ ବେଠି କଥା ପଡ଼ିଲା । ପ୍ରତ୍ୟୁତ୍ପନ୍ନମତିମାନେ ସାବଧାନ ହୋଇ ବାଟ କାଟିବାକୁ ଚେଷ୍ଟା କଲେ । କିଏ ଦୋକଛି ଭିଡ଼ି, ଗଛର ଗହଳି ପତ୍ର ସନ୍ଧିରେ ଲୁଚିଲା, କିଏ ମୁଣ୍ଡରେ ହାଣ୍ଡି ଉବୁଡ଼ାଇ ପୋଖରୀ ଭିତରେ ଲୁଚିଲା, କେହି ଅପରାଗ ଲୋକ ଝିଅ ବୋହୁଙ୍କର କବଟା ବେଢ଼େଇ ହାଣ୍ଡି ଶାଳରେ ପଶିଲେ । ବାକି କେତେ ଜଣଙ୍କର ଦେହ ହଠାତ୍ ଖରାପ ହେଲା ।

 

ଧଳଙ୍କ ସଙ୍ଗେ ସିପେଇମାନେ ଭଦ୍ରତାର ସବୁ ନିୟମ ଲଙ୍ଘନ କଲେ । ଘର କବାଟରେ ଧକ୍‌କା ମାରିଲେ । ଲୋକଙ୍କର ଗୋଡ଼ରୁ ମୁଣ୍ଡଯାଏ ଭୟରେ ଥରି ଉଠିଲା । ଯମଗଣ ପରି ପିଆଦାମାନଙ୍କୁ ଠକି ନିସ୍ତାର ପାଇବା ସହଜ ନୁହେଁ । ସେମାନେ ଲୋକଙ୍କୁ କାଠ ପଥର ପରି ଘୋଷାରି ପଦାକୁ ଆଣିଲେ ।

 

ପାଞ୍ଚଣ ପାହାର ଓ ଗୋଇଠା ମାଡରେ ଜର କୁଆଡ଼େ ଛାଡ଼ି ପଳାଇଲା । ବାପ ମା’ଙ୍କର ସୁପୁତ୍ର ପରି ଲୋକେ କୋଡ଼ି କାଙ୍କ ଧରି ପୋଖରୀ ଖୋଳିବାକୁ ବାହାରି ପଡ଼ିଲେ । ଗୋରୂପଲ ପରି ପିଆଦା ତିନିହେଁ ଲୋକଙ୍କ ପଛେ ପଛେ ସେମାନଙ୍କୁ ବିଧା, ଗୋଇଠା, ଚାପୋଡ଼ା ଛାଟ, ବନ୍ଧୁକ ଗୋବ ଚଖାଇ ଅଡ଼ାଇ ନେଲେ ।

 

ଘନ ଘନ କୁହାଟ, ଢୋଲ ଓ ଭଙ୍ଗା ଟିଣରୁ ବାଜାରେ ସଉରୀ ଗାଁର ଲୋକଙ୍କର ମନ ଚଞ୍ଚଳ ହୋଇ ଉଠିଲା । ସିପେଇ ତିନିହେଁ ଆବାକାବା ହୋଇ ରାସ୍ତାର ଏ ପାଖ ସେ ପାଖକୁ ଚାହିଁଲେ । କିଛି ସମୟ ପରେ ଲୋକଙ୍କର ଗହଳି ଦେଖାଗଲା । ଘଟଣା କଅଣ ବୁଝିବାକୁ ସେମାନେ ରାସ୍ତାକଡରେ ଠିଆ ହୋଇ ରହିଲେ ।

 

ସଉରୀ ଗାଁର ଲୋକ ଯେ ଉଡ଼ାଖବର ପରି ଏ ଘଟଣାଟା ଆଗରୁ ଶୁଣି ନ ଥିଲେ ଏପରି ନୁହଁ, କିନ୍ତୁ ଗଉଁତିଆ ଧଳ ତାଙ୍କର ଲମ୍ବ ଲମ୍ବ ନିଶ ମୋଡ଼ି କହିଲେ, ଆରେ, କାହାର ଜିଭରେ ହାଡ଼ ଅଛିମ ?

 

ଲୋକେ କଥାଟାକୁ ଅବିଶ୍ୱାସ କରି ମୁହଁ ଶୁଖାଇ ଯେ ଯାହାର ବାଟ ଦେଖିଲେ ।

 

ଆଖି ଆଗରେ ଏତେ ଲୋକଙ୍କୁ ଦେଖି ସେମାନଙ୍କର ମନରୁ ସବୁ ସନ୍ଦେହ ଘୁଞ୍ଚିଗଲା । ଏତେ ଲୋକଙ୍କୁ ଏକାଠି ଦେଖିବାର ସୁଯୋଗ ଜୀବନରେ କେବେ ଘଟି ନ ଥିଲା ।

 

ସମୁଦ୍ରର ଢେଉ ପରି ସେମାନେ ମାଡ଼ି ଆସିଲେ ।

 

ସିପେଇ ତିନିହେଁ କଅଣ ଭାବି କେଜାଣି ଠରାଠରି ହୋଇ ରାସ୍ତା ମଝିରେ ଠିଆ ହେଲେ । ବନ୍ଧୁକରେ ଗୁଳି ଭରି ଜନତାକୁ ଲକ୍ଷ୍ୟ କରି ରହିଲେ । କେହି ତାଙ୍କର ଧମକକୁ ଡରି ପଛରେ ରହିଲେ ନାହିଁ । ପଛରୁ ଲୋକଙ୍କର ଠେଲାଠେଲି ଲାଗିଛି, ଆଗକୁ ନ ଯାଇ ଠିଆ ହେବାର ଉପାୟ ନାହିଁ ।

 

ଲୋକେ ଚାଲିଗଲେ ।

 

ସେମାନଙ୍କର କୋଳାହଳ ରାସ୍ତା କଡରେ ଆହତ ସିପେଇର କାନରେ ବାଜୁଥାଏ । ସେ ବିକଳ ହୋଇ ଚାରିଆଡ଼କୁ ଚାହିଁ, ପା-ଣି, ପା-ଣି, ବୋଲି ଅତି କ୍ଷୀଣସ୍ୱରରେ ଡକା ପାଡ଼ିଲା । ତା’ର ଆକୁଳ ଡାକ ଶୁଣିବାକୁ କାହାରିକୁ ସେ ଦେଖି ପାରିଲା ନାହିଁ । ହୁଣ୍ଡା ଜେନାର ଠେଙ୍ଗାପାହାରକୁ ସ୍ମରଣ କରି ମୁଣ୍ଡରୁ ରକ୍ତ ପୋଛୁ ପୋଛୁ ସେ ଆଖି ବୁଜିଦେଲା ।

Image

 

ଦୁର୍ଦ୍ଦାନ୍ତ ଗଣ୍ଡା

 

ଗଡ଼ ବାହାରେ ବୁଦିବୁଦିକିଆ ଜଙ୍ଗଲ କଡ଼କୁ ଲାଗି ଅତି ପୁରୁଣା ଦି’ ବଖରା କୋଠା । ଗଣ୍ଡା ଘାସିପଡ଼ା ବେଶି ଦୂରରେ ନୁହେଁ । ପାଖକୁ ଲାଗି କେଉଁ କାଳର ଭଙ୍ଗା ମନ୍ଦିର । ମନ୍ଦିର ଭିତରେ ବୁଦ୍ଧଦେବଙ୍କର ଯୋଗମଗ୍ନ ମୂର୍ତ୍ତି । ସିନ୍ଦୂରରେ ଗୋଡ଼ରୁ ମୁଣ୍ଡଯାଏ ଲାଲ ଦେଖାଯାଉଛି । ଅହିଂସାବ୍ରତର ପ୍ରଚାରକ ମହାତ୍ମା ବୁଦ୍ଧେଦବ ବହୁ ଯୁଗ ପରେ ଚଣ୍ଡୀ ବୋଲି ପରିଚିତ । କେତେ ନିରୀହ ପ୍ରାଣୀର ରକ୍ତ, ଖଜୁରି ରସ ଓ ହାଣ୍ଡିଆର ସ୍ରୋତରେ ତାଙ୍କର ପବିତ୍ର ଅଙ୍ଗ ଧୁଆ ହୁଏ ।

 

ଧନ୍ୟ ତାଙ୍କର ତପସ୍ୟା !

 

ଏହି ପୁରୁଣା କୋଠା ଦି’ ବଖରା ଦୁର୍ଦ୍ଦାନ୍ତ ଗଣ୍ଡାର ଆଡ୍‍ଡ଼ା ଘର । ସାଙ୍ଗ ସାଥିମାନଙ୍କୁ ଘେନି ମଉଜ କରିବାକୁ ସେ ଏଠାରେ ଉପସ୍ଥିତ ହୁଏ । ହାଣ୍ଡିଆର ସ୍ରୋତରେ ଘର ଭାସିଯାଏ । ବେଳେ ବେଳେ ଗୁରୁତର ବିଷୟରେ ମନ୍ତ୍ରଣା ମଧ୍ୟ ଚାଲେ ।

 

ବାହାରେ ଘୋର ବର୍ଷା ଓ ଝଡ଼ ।

 

କୋଠା ଭିତରେ ଦୁରିଆ ତାର ସହକର୍ମୀମାନଙ୍କୁ ଘେନି ହାଣ୍ଡିଆର ଶ୍ରାଦ୍ଧ କରୁଛି । ଉଚ୍ଚ ହାସ୍ୟରେ ସତେ କି କୋଠା ଫାଟି ପଡ଼ୁଛି । ପୁନାଙ୍ଗ ଓ ଟୋଲ ତେଲର ଦୀପଶିଖା କ୍ଷୀଣ ଆଲୁଅ ଭଙ୍ଗା ଝରକାବାଟେ ବାହାରର ବୁଦିବୁଦିକିଆ ଝାଡ଼ ଉପରେ ପଡ଼ିଛି ।

 

ବିକ୍ରମ ଗୋଡ଼ ଚିପି ଚିପି ଝରକା ପାଖକୁ ଆସିଲେ । କଅଣ ଭାବି ପୁଣି ଝାଡ଼ ପାଖକୁ ଫେରି ଆସି ତୁନି ତୁନି ଡଗର କାନରେ କହିଲେ; ତୁମେ ଦି ଜଣ ଲୋକ ନେଇ ମନ୍ତ୍ରୀଙ୍କ ଘର ପଛଆଡ଼େ ଲୁଚିଥାଅ । ଏ କାର୍ଯ୍ୟ ଶେଷ କରି ମୁଁ ଶୀଘ୍ର ତମ ସଙ୍ଗେ ମିଶିବି । ହଁ, ଦେଖ, ଯଦି କେଉଁ କାରଣରୁ ମୋର ଡେରି ହୋଇଯାଏ, ସାପକୁ କେବେ ଗାତ ଭିତରକୁ ପୁରାଇ ଦେବ ନାହିଁ । ଦେଖିଲା ସାପ ଗାତରେ ପଶିଲେ ଆଉ ବାହାରିବା ସହଜ ନୁହେଁ ।

 

ବିକ୍ରମ ପୁଣି ଝରକା ପାଖକୁ ଫେରିଲେ । କିଏ ଜଣେ ପଛରୁ ଆସି କାନରେ କହିଲା, ଘୋଡ଼ା ?

 

ବିକ୍ରମ ବୁଲିପଡ଼ି କହିଲେ ମନ୍ଦିର ଭିତରେ ରଖ ।

 

ମଦ ନିଶାରେ ସମସ୍ତେ ସତେ କି ହତଜ୍ଞାନ । ଦୁରିଆର ଅବସ୍ଥା ମଧ୍ୟ ସେହିପରି । ସମସ୍ତେ ସତେ କି ଅନ୍ଧ ହୋଇଯାଇଛନ୍ତି । କିଏ କାହାକୁ କଅଣ କହୁଛି, କିଏ କଅଣ କରୁଛି, ତା’ର ଠିକଣା ନାହିଁ । କେତେଜଣ ମୁର୍‍ଦାର୍‍ ପରି ତଳେ ପଡ଼ିଛନ୍ତି, ଆଉ କେତେଜଣ ବାନ୍ତି ଉଚ୍ଛାଳ କରି ଘରଟାକୁ ଭସାଇ ଦେଲେଣି । ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଛି। ଯେଉଁ କେତେଜଣଙ୍କର ସାମାନ୍ୟ ହୋସ୍ ଅଛି, ସେମାନେ ମଦ ଘଡ଼ାରୁ ସରେଇରେ ମଦ ଢାଳି ବାରମ୍ବାର ପିଉଛନ୍ତି । କେହି କେହି ଧୈର୍ଯ୍ୟଚ୍ୟୁତ ହୋଇ ମଦ ଘଡ଼ାରେ ମୁହଁ ଲଗାଇ ଦେଉଛନ୍ତି । ସାମାନ୍ୟ କଥାରେ ରଗାରଗି ହୋଇ ଝଗଡ଼ା କରିବା ତ ସ୍ୱାଭାବିକ କଥା । ଅର୍ଥଶୂନ୍ୟ କଥାରେ ହସର ପେଡ଼ି ଫିଟିଯାଉଛି ।

 

ବିକ୍ରମ ବର୍ଷାପାଣିରେ ତିନ୍ତି ଝରକା ଫାଙ୍କବାଟେ ଏହିସବୁ ଦୃଶ୍ୟ ଦେଖୁଛନ୍ତି ।

 

କିଏ ଜଣେ ଦୁରିଆକୁ ପଚାରିଲା, କହ ତ, କୋଇଲି ଲୋ କେଶବ ତ ମଥୁରାକୁ ଗଲା; ଆଛା, ମଥୁରାକୁ ଯାଇ ସେ କେଉଁଠି ରହିଲା ?

 

ଏ ପ୍ରଶ୍ନ ଶୁଣି ପଞ୍ଝାଏ ହୋ ହୋ ହୋଇ ହସି ଉଠିଲେ । ଦୁରିଆ ଗଣ୍ଡାର ତ କମ୍ ବିଦ୍ୟା ନାହିଁ । ବିଦ୍ୟାକଥା ପଚାରେ କିଏ, ବଡ଼ ବଡ଼ ଲୋକଙ୍କ ପାଖେ ବାବୁ ଭାୟାଙ୍କ ସଂସର୍ଗରେ କାରବାର ହୋଇ ତା’ର ବୁଦ୍ଧି ସରସ ହୋଇଛି । ସେ ଏତେବଡ଼ ପ୍ରଶ୍ନଟାକୁ ବେପସନ୍ଦ କରି ଲମ୍ବ ନିଶରେ ହାତ ଦେଇ ଓ କଳା ମଚ ମଚ ବଳିଲା ପରି ବାହାରେ ହାତ ପକାଇ କହିଲା, କୋଇଲି ଗଲା, ରହିଲା ଆମ୍ବ ଟାକୁଆ ଭିତରେ, ଆଉ ରହିବ କେଉଁଠି ?

 

ଦୁରିଆର କଥା ତା ସାଥୀମାନଙ୍କ ମନକୁ ପାଇଲା । ସେମାନେ ମଧ୍ୟ ପ୍ରଶ୍ନକର୍ତ୍ତାର ଚଉଦ ପୁରୁଷ ଉଝାଳି ହସି ହସି ନୟାନ୍ତ ହୋଇଗଲେ ।

 

କିଏ ଜଣେ ଅତି ଗମ୍ଭୀର ଭାବରେ କହିଲା, ହେ ଦୁରିଆ ଭାଇ, ଆମେ ତ ଏଠି ମଜଲିସ୍ କରିବାରେ ଲାଗିଲେଇଁ, ଆଉ ରାଜକୁମାର ଉଚ୍ଛନ୍ନଙ୍କର ହୁକୁମ ତାମିଲ କରିବା କେତେବେଳେ ? ବିଶ୍ୱାଳଙ୍କ ଘର କିଛି କୋଶେ କି ପାଏ ନୁହେଁ, ଆଗରୁ ଢୋଲିଆ ଯାଇ ନଈକୂଳରେ ଥିବ ।

 

ଦୁରିଆ ରାଗିଯାଇ କହିଲା, ମୋଚି ଟୋକାଟାର କେତେ ବହପ. ଏକା ଚାପଡ଼ାକେ... ।

 

ଲୋକଟି ପୂବର୍ପରି କହିଲା, ମଦ ନିଶାରେ ମୁହଁ ହୁଡ଼ି କହୁଛୁ ସିନା, ଆଗର ଫାଶୀଖୁଣ୍ଟକୁ ତିଆର୍‍ ଥା ।

 

ଏଁ, ଫାଶୀ ନା ଆଉ କିଛି ? ଦେଖିଛି, ଦେଖିଛି ତୋର ଉଚ୍ଛନ୍ନ ରାଜକୁମାରଙ୍କୁ । ମେଞ୍ଚଡ଼ ଛୁଆଖଣ୍ଡେ ! ଆଜିଯାଏ ଦୁରିଆ ପର ଝିଅକୁ ଅନାଇ ନାହିଁ । ଉଚ୍ଚନ୍ନ ଛାଡ଼ି ତାଙ୍କ ବୋପା ଅକାରଣ ଆସିଲେ ବି ହେବ ନାହିଁ । ହରେ, ଦୁରିଆର ତିନି ଝିଅ । ଆଜି କହିଲେ ବିଶ୍ୱାଳ ଝିଅକୁ ନେଇଆ, କାଲି କହିବେ ଦୁରିଆ ଝିଅକୁ ନେଇଆ । କିଏ ସିନା ଟଙ୍କା ଚୋରି କରେ, ଧାଙ୍ଗଡ଼ୀ ଚୋରି କରିବା କଥା ମୋ ବୁଆ ମୋତେ ବତେଇ ନାହିଁ ।

 

ଆରେ ଫାଶୀ ! ଦୁରିଆକୁ ଫାଶୀ ଦେବାକୁ ପୁଅ ଏଠି ଜନମି ନାହିଁରେ । ମନ୍ତ୍ରୀ କହିଛନ୍ତି, ବିଶ୍ୱାଳଙ୍କ ଘରେ ସିନ୍ଧି କର । ଏ କଥା ମୋ ମନକୁ ପାଇଲା । ନିଜର ବୁଦ୍ଧିବଳରେ ଚାରି ପଇସା ଆଣିଲେଇଁ ତହିଁରୁ ପଇସାଟିଏ ନେଲେ କିଛି କ୍ଷତି ନାହିଁ । ସେ କଥା କଅଣ ଆଜି କଲେ ହେବ ନୋହିଲେ ନାହିଁ । ତମେ ମନେରଖିଥାଅ, ଯୋଉ ଲୋକଟି ସ୍ତ୍ରୀର ଦେହରେ ହାତ ଦେବ, ଆଗ ତା’ରି ମୁଣ୍ଡରେ ପାହାର ଦେଲେ ପରେ ଯାହା । ବୁଆ ମୋର ମଲାବେଳକୁ ପାଖକୁ ଡାକି କହିଲା, ଆରେ ଦୁରା, ମୋ ନାଁ ପଡ଼ିଲେ ବାଘ ଭାଲୁ ତରଛରେ ଗାତରେ ପଶନ୍ତି । ଦିହାନ୍ତ ଗଲା, କେତ ବଡ଼ ବଡ଼ ଘରେ ପଶିଛି, କିନ୍ତୁ ସ୍ତ୍ରୀ ପିଲାଙ୍କ ଦେହରେ ଟିପ ଛୋଇଁ ନାହିଁ । ମଲାବେଳକୁ ତୋତେ ଏତିକି କହିଯାଉଛି ।

 

–ଯଦି ରାଜା ହୁକୁମ୍ ଦିଅନ୍ତି ?

–ଦୁରା ତା କଲିଜାକୁ ରାଜାଙ୍କ ହାତକୁ ବଢ଼ାଇ ଦେବ ।

 

ବିକ୍ରମ ଅବାକ୍ ହେଲେ । ଚୋର ହୃଦୟରେ ସୁଦ୍ଧା ଏତେ ମହତ୍ତ୍ୱ ! ତେବେ ସେ ଚୋରି କରେ କାହିଁକି ? ଚୋରର ମନରେ ସ୍ତ୍ରୀ ପିଲାଙ୍କ ପ୍ରତି ଏ ଯେଉଁ ପ୍ରଗାଢ଼ ଭକ୍ତି ଓ ସ୍ନେହ, ସେତକ ରାଜାର ମନରେ ନାହିଁ । ଚୋର ନିଜକୁ ମଣିଷ ବୋଲି ଭାବେ, କିନ୍ତୁ ରାଜା ପ୍ରପଞ୍ଚ ସିଂହ ନିଜକୁ ମଣିଷ ବୋଲି ଭାବନ୍ତି ନାହିଁ । ଯାହା ହେଉ, ବିଶ୍ୱାଳଙ୍କ ଘରେ ଚୋରି କରିବାକୁ ସେ ଦୁର୍ଦ୍ଦାନ୍ତକୁ ଛାଡ଼ିଦେଇପାରିବେ ନାହିଁ । ଆଜି ଯାହାକୁ ସେ ଘୃଣା କରୁଛି, କାଲି ହୁଏତ କୌଣସି କାରଣରୁ ତାର ମନ ବଦଳିଲେ ସେଇଆ କରିବ । ମଣିଷର ପ୍ରକୃତି ଉପରେ ବିଶ୍ୱାସ ନାହିଁ ।

Image

 

ଶଠେ ଶାଠ୍ୟମ୍

 

ଦୁର୍ଗମ ରାତି ।

 

ରାତି ଅଧରେ ଅପରିଚିତର ଆହ୍ୱାନ । ଦୁରିଆ ଚମକି ଉଠିଲା । ଭୟ କରିବା ତା’ ଜାତକରେ ନାହିଁ । ସେ ଭିତରୁ କବାଟ ଖୋଲିଦେଲା ।

 

ବିକ୍ରମ ନିର୍ଭୟରେ ଘର ଆଗରେ ଠିଆହୋଇ ନରମ ସ୍ୱରରେ କହିଲେ, ବାଃ ରାତିଯାକ ତୋର ମଉଜ ଲାଗିଛି, ତେଣେ ମନ୍ତ୍ରୀ ସାନ୍ତେ ତୋତେ ଅନାଇଁ ଅନାଇଁ ତାଙ୍କ ଆଖିରୁ ପାଣି ମଲାଣି-। ମୁଁ ପହରାରେ ଥିଲି । ଡାକିବାକୁ ତିନ୍ତିବୁଡ଼ି ଏ କାଦୁଅ ପାଣିରେ ଧାଇଁ ଆସିଛି । ଆ, ଜଲଦି–

 

ଦୁରିଆ ବିରକ୍ତ ହୋଇ ପଚାରିଲା, ତେମ କିଏ ହୋ । ମଣିଷର ଆଉ ଜୀବନ ନାହିଁ, ବେଳ ଅବେଳ କିଛି ନାହିଁ, ରାତି ଅଧରେ ଅବେଳାରେ ଖାଲି ଡାକରା, ଡାକରା ! ଯା ହୋ, ରଖ ତମର ମନ୍ତ୍ରୀ ସା’ନ୍ତ।

 

ବିକ୍ରମ କହିଲେ, ମୁଁ ତେବେ ଏଇଆ କହିଦେବି ?

 

ହଁ, ଯା କହିଦେବ, ଅନ୍ଧାର ରାତି ଅଧରେ ବର୍ଷା ପାଣିରେ ଦୁରିଆ ଭିଜି ଭିଜି ଆସିବାକୁ ନାହିଁ କଲା ।

 

କିଏ ଜଣେ ପଛରୁ ଦୁରିଆକୁ ଚିମୁଟି କହିଲା, ଦଇବ ଛାଡ଼ିଲାଣି କିରେ ?

ଦୁରିଆ ମୁଣ୍ଡ ବୁଲାଇ ନିଜକୁ ସମ୍ଭାଳି ନେଇ ବିକ୍ରମଙ୍କୁ କହିଲା, ତମେ କିଏ ଶୁଣେ ?

 

ବିକ୍ରମ ହସି ହସି କହିଲେ, ମୁଁ କାଳିଆ ସିଂ । ପଛିମ ଦରଜା ପହରାରେ ଥାଏ । ଆଜି ଜରୁରୀ କାମ ଥିବାରୁ ମନ୍ତ୍ରୀ ସାଆନ୍ତଙ୍କ ସିଂହ ଦରଜାରେ ପହରା ଥିଲି ।

 

ଦୁରିଆ ତୀକ୍ଷ୍‌ଣ ଦୃଷ୍ଟିରେ ବିକ୍ରମକୁ ଥରେ ଚାହିଁ, କହିଲା, ଗୋଟିଏ ଚାପୁଡ଼ାରେ ମାଟି କାମୁଡ଼ି ଯିବୁ । ଯିବି ତ, କଥା କଅଣ କହ ଭଲା । ଏତେ ଜରୁରୀ ତଲବର ମତଲବଟା କଅଣ ?

 

–ଗଣ୍ଡା ଟୋକାର କେଡ଼େ ବହପରେ ! ମଦ ନିଶାରେ ଚନ୍ଦ୍ର ସୂର୍ଯ୍ୟ ଦିଶୁ ନାହାନ୍ତି କି ?

 

–ଆଜ୍ଞା ସା’ନ୍ତେ ସେଇଟା ମୋର ଭୁଲ । ମଦ ନିଶାରେ କାହାକୁ କଅଣ କହି ପକାଉଛି-। ସେଇଟା ମୋର କାଇଲି । ଏ ଅନ୍ଧାର ମେଘୁଆ ରାତିରେ ଏବେ ମୋତେ ଚନ୍ଦ୍ରସୂର୍ଯ୍ୟ ଜଳ ଜଳ କରି ଦିଶିଲାଣି । ଚାଲ, ଚାଲ–

 

ଦୁରିଆ ଟଳି ଟଳି ପଦାକୁ ଆସିଲା । ପଚାରିଲା । ମୁଁ ଏକଲା ଯିବି କି ସାଥିରେ ଆଉ କିଏ ଯିବ ?

 

–ସେ କଥା ତୁ ଜାଣୁ । ମନ୍ତ୍ରୀ ଡକାଇଛନ୍ତି ତୋତେ ।

ଦୁରିଆ ବିକ୍ରମଙ୍କ ପଛେ ପଛେ ଚାଲିଲା । ଅନ୍ୟମାନେ ପୁଣି ମଦ ଖାଇବାରେ ଲାଗିଗଲେ ।

 

ଖଣ୍ଡଦୂର ଯିବାପରେ ଦୁରିଆ ତା ବାବୁରିବାଳରୁ ପାଣି ପୋଛି କହିଲା, ବିଶ୍ୱାଳଙ୍କ ଘରକଥା ନେଇ ମନ୍ତ୍ରୀ ଡକାଇ ନାହାନ୍ତି ତ ? ବିଶ୍ୱାଳର ପୋତା ମାଲରେ ତାଙ୍କର ମନ ଅଟକିଛି । କିରେ ବାବୁ, ବେଲ ପାଚିଲେ କୁଆର କି ଯାଏ ? ରାତିଏ ଗଲେ ହାତୀଏ ଆଣିବି, ହଁ, ତେବେ ମନ୍ତ୍ରୀଙ୍କ ଦୁଆରେ ଯୋଉ ପାଞ୍ଚଦିନର ସଢ଼ା ପଖାଳ, ସେହିଆ । ପତରରେ ଶାଗ ଖରଡ଼ା ଟିକେ ବି ପଡ଼ିବ ନାହିଁ ।

 

ବିକ୍ରମ ଖଣ୍ଡେ ଦୂର ଆଗେଇ ଗଲେ। ଖଣ୍ଡିକାଶ ମାରି କହିଲେ, କେଜାଣି ସେ କଥା ମୁଁ କହିପାରିବି ନାହିଁ । ତେବେ, ଏତିକି ଜାଣେ ଯେ ବେଳୁ ବେଳ ଡକାୟତ ଦଳ ପ୍ରବଳ ହୋଇପଡ଼ୁଛନ୍ତି । ଅଦଉତି ସାଧିବାକୁ ତାଙ୍କୁ ଆଉ କିଛି ମିଳୁ ନାହିଁ । ବାଛି ବାଛି ମଫସଲରେ ରଜାଘର ଅମାର ଭାଙ୍ଗି ଧାନ ଚାଉଳ ବୋହି ନେଉଛନ୍ତି । ରଜାଙ୍କର ଅତି ପ୍ରିୟ ଲୋକଙ୍କ ଘରେ ସିନ୍ଧିକରି ବାସନକୁସନଠୁଁ ସୁନାରୂପା ଯାଏ ସବୁ ନେଇ ଯାଉଛନ୍ତି । ଏଣିକି କୁଆଡ଼େ ଖୁଣ୍ କରି ଲୋକ ମାରିଲେଣି ।

 

–ସେଥିକି ମୁଁ କ’ଣ କରିବି ? ତାଙ୍କପାଇଁ ତ ମୁଁ ଆଉ ଫାଶୀଖୁଣ୍ଟରେ ଝୁଲିବି ନାହିଁ ।

 

–ନାଇଁରେ, ଡକାୟତମାନଙ୍କ ସର୍ଦ୍ଦାର ବିକ୍ରମ ସିଂହ ଚିଠି ଲେଖିଛନ୍ତି, ଏହି ଦି’ ତିନି ଦିନ ଭିତରେ ମନ୍ତ୍ରୀଙ୍କ ଘରେ କଳା କନା ବୁଲାଇ ସବୁ ନେଇଯିବେ ।

 

ଆଉ ତମେ ସବୁ କୁକୁରଗୁଡ଼ାକ ପୋଷା ହେଉଛ କାହିଁକି ?

 

ବିକ୍ରମ ଖଣ୍ଡିକାଶ ମାରି ଜଙ୍ଗଲ କଡ଼କୁ ଘୁଞ୍ଚି ଆସି କହିଲେ, ଆରେ, ଆମେ ତ ଆମେ, ଆମର ବଡ଼ବଡ଼ିଆ ତ ହଟିଗଲେଣି । ତାଙ୍କର ପତ୍ତା ମିଳୁ ନାହିଁ । ଦିନ ଦି ପହରେ ଆଖିରୁ କଜଳ ନେଇ ଯାଉଛନ୍ତି । କେହି ଜାଣିପାରୁ ନାହାନ୍ତି । ସମସ୍ତେ ହଟିଲେଣି, ବାକି ରହିଛୁ ତୁ । ବିକ୍ରମକୁ ଧରିବାର ଭାର ଆଜିଠୁଁ ତୋ ଉପରେ ସେ ଦେବେ । ପାରିବୁ ?

 

ଉଚ୍ଚସ୍ୱରରେ ହସି ଦୁରିଆ କହିଲା ନ ପାରିବି କାହିଁକି ? ଦୁରିଆ ନ ପାରେ ଏମିତି କିଛି ଅଛି ? ଦୁରିଆ ସମସ୍ତଙ୍କୁ ଜାଣେ, ସମସ୍ତଙ୍କୁ ଚିହ୍ନେ । ଆରେ ଥରେ ଯିଏ ଆଖିରେ ପଡ଼େ ମରି ମାଟିରେ ମିଶିବା ଯାଏ ସେ ମନରେ ରହିବ । ଚିହ୍ନେ, ମୁଁ ସମସ୍ତଙ୍କୁ ଚିହ୍ନେ । ବିକ୍ରମଙ୍କୁ ଚିହ୍ନେ, ନିର୍ଭୀକଙ୍କୁ ଚହ୍ନେ, ବିଶ୍ୱାଳଙ୍କୁ ବି ଚିହ୍ନେ । ଜାତି ଭାଇ, ପେଷା ଭାଇ ବୋଲି ମୁଁ ମୋର ତୁନି ରହିଥାଏଁ-

 

ଏଁ, ବିକ୍ରମ କଅଣ ତୋର ଜାତି ଭାଇ ଗଣ୍ଡା ?

 

ଗଣ୍ଡା ନ ହେଲେ ପଣ୍ଡା କି ଭେଣ୍ଡା କି ମୋର ପରି ଷଣ୍ଢା । ମୁଁ ମୋର ଗୋଟାଏ ବାଟରେ ଚାଲିଛି, ସେ ତା’ର ଆଉ ଗୋଟିଏ ବାଟରେ ଚାଲିଛି । ଧରିବାକୁ କହିଲେ ଧରିଦେବି ?

 

–ଧରିଦେବୁ ? ବିକ୍ରମ ଖଣ୍ଡିକାଶ ମାରିଲେ, ପାରିବୁ ?

–ନିଶ୍ଚୟ ପାରିବି ।

–ସେ କେଉଁଠି ଅଛି ଜାଣୁ ?

ବିକ୍ରମ ତିନିଥର କାଶିଲେ ।

 

ଦୁରିଆ ହସି ହସି ଅନ୍ଧାରରେ ଜଙ୍ଗଲ କଡ଼କୁ ଚାହିଁଲା । ମଦ ନିଶାରେ ଢଳି ଢଳି ବିକ୍ରମଙ୍କ ହାତକୁ ଚିପି ଧରି ହସି ହସି କହିଲା, ବିକ୍ରମ ? ସେ ତ ମୋ ହାତ ମୁଠାରେ, ଯେବେ କହିବ ତେବେ ଧରି ଆଣିଦେବି ।

 

ବିକ୍ରମ ବିସ୍ମିତ ହେଲେ। କହିଲେ, ଅରେ ଛୁଇଁବୁ, ଅରେ ଛୁଇଁବୁ, ତୁ ଗଣ୍ଡାଟା ପରା ।

ଦୁରିଆ ହସିଲା, କିନ୍ତୁ ବିକ୍ରମଙ୍କର ହାତ ଛାଡ଼ିବା ଆଗରୁ ସେ ହୋଇଥିଲା ବନ୍ଦୀ ।

 

ବିକ୍ରମଙ୍କ ଅନୁଚରମାନେ କ୍ଷଣକ ଭିତରେ ଜଙ୍ଗଲ ଭିତରୁ ଛୁଟିଆସିଲେ । ଦୁରିଆର ଚାରିଆଡ଼େ ଘେରିଗଲେ। ଦୁରିଆ ବାଧା ଦେଲା ନାହିଁ ।

Image

 

ସହଯୋଗ

 

ବିକ୍ରମଙ୍କର ଅନୁମତି ପାଇ ତାଙ୍କର ଅନୁଚରମାନେ ଦୁର୍ଦ୍ଦାନ୍ତକୁ ମୁକ୍ତ କଲେ । ବିକ୍ରମ ଅଳ୍ପ କଥାରେ ତାକୁ ବନ୍ଦୀକରିବାର ସବୁ ଅଭିପ୍ରାୟ ଜଣାଇଦେଲା ।

 

ଦୁର୍ଦ୍ଦାନ୍ତ ହସି ହସି କହିଲା, ନିଜେ ଧରାଦେଇ ନ ଥିଲେ ଦୁରିଆକୁ ବନ୍ଦୀ କରି ରଖି ପାରନ୍ତ ନାହିଁ । ଏକଥା ତମକୁ ଅଜଣା ନାହିଁ । ଆଛା, ରାଜାଘର ଉପରେ ତମର ଏତେ ଅହନ୍ତା କରିବାର କାରଣ କଅଣ ? କିଏ କଅଣ କରୁଛି ସେଥିରେ ତମର କି ଆମର କି ଥାଏ ? ଆମେ ଭଲ ଥିଲେ ଦୁନିଆ ଭଲ । ଆମେ ଭଲରେ ରହିଲେ ହେଲା ।

 

ବର୍ଷାମାଡ଼ରୁ ରକ୍ଷା ପାଇବାକୁ ସମସ୍ତେ ଚଣ୍ଡୀଙ୍କ ଭଙ୍ଗା ମୁଖଶିଆଳି ଭିତରକୁ ଆସିଲେ । ଅନ୍ଧାରରେ ଲୁଗାପଟା ଚିପୁଡ଼ି ପୋଛିପାଛି ହେଲେ ।

 

ବିକ୍ରମ କହିଲେ, ତୁ ଯାହା କହିଲୁ ଠିକ୍ । ତେବେ, ଆମେ କଅଣ ଭଲରେ ରହି ପାରିଛୁ ନା ରହି ପାରିବୁ ? ମୋ କଥାରୁ ମୁଁ ଏହା ବୁଝିଛି ।

 

–କଅଣ ତମର କଥା ?

 

–ମୁଁ ମୋର ସୁଖେ ଦୁଃଖେ ସଂସାର ଚଳାଉଥିଲି । ବଷର୍କ ଚଳି କିଛି ବଳି ପଡ଼ୁଥିଲା । ଦିନେ ମୋର ମନ ହେଲା, ବର୍ଷକୁ ବର୍ଷ ଧାନ, ମୁଗ, ବିରି, ଗହମ ବଳି ପଡ଼ୁଛି । ତାକୁ ବିକି ଚାରି ପଇସା ଭବିଷ୍ୟତ୍ ପାଇଁ ସଞ୍ଚି ରଖିଲେ ଭଲ ହେବ । ଧାନ ଚାଉଳ ରବିଫସଲ ବେଶି ଦିନପାଖରେ ରହିପାରିବ ନାହିଁ । ହାତରେ କିଛି ଧନ ହେଲାରୁ ଜଣେ ମହାଜନଠାରୁ ଚାରି ଭରି ସୁନା କିଣି ରଖିଲି । ଏଇ କଥା କିଏ ଯାଇ ରାଜାଙ୍କ କାନରେ ଫୋଡ଼ିଦେଲା । ମୋର ପ୍ରକୃତି, ମୁଁ କାହାକୁ ଡରେ ନାହିଁ । ଭାବିଥିଲି ମଣିଷ ସତ୍ୟରେ ଥିଲେ ତା’ର କେହି କିଛି କରିପାରିବେ ନାହିଁ । ମୁଁ ଭୁଲ ବୁଝିଥିଲିରେ ଦୁରିଆ । ଦିନେ ରାଜାଙ୍କର ପିଆଦାମାନେ ଆସି ମୋତେ ବାନ୍ଧି ନେଇଗଲେ । ବିନା କାରଣରେ ମୋତେ ନିସ୍ତୁକ ଛେଚିଲେ । ପଚାରିଲେ କେହି କିଛି କହିଲେ ନାହିଁ ।

 

–ଛାମୁରେ ତମେ ସତ କଥା କହିଲ ନାହିଁ ?

 

–ସତ କହି ଏ ରାଜ୍ୟରେ କିଏ କେବେ ନିସ୍ତାର ପାଇଲଣି ? କହିବାକୁ ସେ ସୁଯୋଗ ଦେଲେ ତ ? କହିଲେ ବା ଶୁଣୁଛି କିଏ ? ମୋର ଦୋଷ କଅଣ ମୁଁ ଜାଣିଲି ନାହିଁ, ତଥାପି, ଆମ ପ୍ରପଞ୍ଚ ରାଜାଙ୍କ କେଉଁ ଆଇନ ପ୍ରକାରେ ମୁଁ ଦୋଷୀ ହେଲି । କୀର୍ତ୍ତନ ଘରେ ପଶିବାକୁ ମତେ ଆଦେଶ ଦେଲେ ।

 

–କୀର୍ତ୍ତନ ଘରକୁ ଗଲୁ ?

 

–କୀର୍ତ୍ତନ ଘରକୁ ଗଲି । ଭାବିଥିଲି, କୀର୍ତ୍ତନ ଶୁଣିବି । ମନରେ ତଥାପି ସନ୍ଦେହ ଥାଏ । ଏତେ ଲୋକେ ଚିତା ଚୈତନ ହୋଇ ବେକରେ ଘାଗଡ଼ା ପିନ୍ଧି ଖୋଳ କରତାଳ ଧରି ବସିଛନ୍ତି ।

 

ସଂକୀର୍ତ୍ତନ ଆରମ୍ଭ ହେଲା । ଭକ୍ତମାନେ ବିହ୍ୱଳ ହୋଇ ଖୋଳ କରତାଳି ବଜାଇ କୃଷ୍ଣନାମ ସଂକୀର୍ତ୍ତନ କଲେ । ମୁଁ ଆକୁଳ ହୋଇ କାନ୍ଦିଲି । ମୋତେ ରଜାଘର ଲୋକେ ବିଧା, ଗୋଇଠା, ବେତ ବାଡ଼ିରେ ପିଟିବାକୁ ଆରମ୍ଭ କଲେ। ଦ୍ୱାର ବନ୍ଦ କରାହୋଇଥାଏ । ପଳାଇବାକୁ ବାଟ ନାହିଁ । ଖୋଳ କରତାଳ ଓ କୃଷ୍ଣନାମ ଶବ୍ଦ ଭେଦି ମୋର ଆର୍ତ୍ତନାଦ ପଦାକୁ ଶୁଭୁ ନ ଥିବ ।

 

କୀର୍ତ୍ତନ ବନ୍ଦ ହେଲା । ଗୌରାଙ୍ଗ ଦେବ ବିସର୍ଜନ ହେଲେ; କିନ୍ତୁ ଇଃ, ଗୌରାଙ୍ଗଙ୍କ ପ୍ରସାଦରୁ ମୋ ପିଠିରୁ ଛାଲ ଛାଡ଼ିଗଲା ।

 

ଅଧା ପ୍ରାଣ ହୋଇ ଜୀବନ ଧରି ଗାଁକୁ ଫେରି ଦେଖିଲି, ବାପା ମା ମୋର ଗଛମୂଳେ ପଡ଼ିଛନ୍ତି । ଘରେ ପନିକି, ଚରକୁଲି ବି ନାହିଁ । ରାଜାଘର ଲୋକେ ଜେରିମାନା ଆଦାୟ କରିବାକୁ ମୋର ସର୍ବସ୍ୱ ଲୁଟିକରି ନେଇଛନ୍ତି । କାହିଁକି ମୋତେ ମାଡ଼ ଦେଲେ ମୁଁ ଆଜିଯାଏ ଭାବି ସ୍ଥିର କରିପାରି ନାହିଁ ।

 

ଏ ଦେଶରେ ଘରଦ୍ୱାର ପିଲାକୁଟୁମ୍ବଙ୍କ ପ୍ରତି ମମତା କରିବା ଦୋଷ ! ସବୁ ଛାଡ଼ି ଏହି ପନ୍ଥା ଧରିଛି । କିଛି ନ ହେଲେ ପାଞ୍ଚ ଜଣଙ୍କର ଉପକାର ତ କରିପାରିବି ?

 

–ଧରା ପଡ଼ିଲେ ଫାଶୀଖୁଣ୍ଟରେ ଝୁଲାଇ ଦେବେ ଏ କଥା ଜଣାଅଛି ତ ?

 

–ଚିରଦିନ କେହି ଅମର ହୋଇ ରହିନାହିଁରେ ଦୁରିଆ, ମୁଁ ବି ରହି ପାରିବି ନାହିଁ । ଫାଶୀଖୁଣ୍ଟକୁ ମୋର ଡର ନାହିଁ । ଦେଖ ଦୁରା, ତୋତେ ଗୋଟାଏ କଥା ମୋର କହିବାର ଅଛି । ମୁଁ ବୁଝିଛି, ଛୋଟ କୁଳରେ ତୋର ଜନ୍ମ ହେଲେ ବି ତୋ ମନଟା ଛୋଟ ନୁହେଁ । ତୁ ପେଟ ବିକଳରେ ଚୋରିବୃତ୍ତି କରୁନୁ ଏହା ମୁଁ ଜାଣେ । ଦିହରେ ତାକତ ଅଛି, ମୂଲ ଲାଗି ପାଞ୍ଚ ପଇସା ରାଜଗାର କରିବାର ତୋର ଶକ୍ତି ଅଛି । ଯେଉଁମାନେ ତୋତେ ମତାଇ ପ୍ରବର୍ତ୍ତାଇ ଏସବୁ ଘୃଣ୍ୟ କାମ ତୋ ହାତରେ କରାଉଛନ୍ତି, ସେମାନେ କେବେ ତୋ ପାପର ଭାଗୀ ହେବେ ନାହିଁ । ମୋର ସାନକୁହା ମାନ; ଆଜିଠାରୁ ଚୋରି ବ୍ୟବସାୟ ଛାଡ଼ ।

 

ଦୁର୍ଦ୍ଦାନ୍ତ ହସି ହସି କହିଲା, ଚୋରି ବ୍ୟବସାୟ ଛାଡ଼ିଲେ ଏ ମୁଣ୍ଡଟା ବି ଛାଡ଼ିବାକୁ ହେବ-। ସେତେବେଳକୁ ପିଠିରେ ପଡ଼ିବ କିଏ ?

 

–କେତେ ମୁଣ୍ଡ ପ୍ରତିଦିନ କାନ୍ଧରୁ ଛାଣ୍ଡି ମାଟିରେ ଗଡ଼ିଯାଉଛି, ତୋ ମୁଣ୍ଡଟା ଏବେ ସେମିତି ଛାଡ଼ି ମାଟିରେ ଗଡ଼ିଯାଉ । ମାଟିରେ ମିଶିବା ଆଗରୁ ଏହି ଅନ୍ୟାୟ ଓ ଅନୀତି ବିରୁଦ୍ଧରେ ଲଢ଼ି ତାକୁ ଲୋପ କରିବାକୁ ଚେଷ୍ଟା କରିବା ଚାଲ । ଆଜି ରାତିରେ ଗୋଟିଏ ବିଷମ କାଣ୍ଡ ଘଟିବ । ତୁ ବୋଧହୁଏ ହଳଧର ବିଶୋଇଙ୍କୁ ଜାଣୁ । ତାଙ୍କର ଚଉଦ ବର୍ଷର ପିଲା ଝିଅ ଗୋଲାପକୁ ରଜାଘର ଲୋକେ ଚୋରାଇ ଆଣି ମନ୍ତ୍ରୀଙ୍କ ଉଆସରେ ରଖିଛନ୍ତି । ଆଜି ରାତି ଅଧରେ ତାକୁ ନଅରକୁ ପଠାଇବେ । ମୁଁ ଆସିଛି ତାକୁ ଯେ କୌଣସି ଉପାୟରେ ଉଦ୍ଧାର କରିବି । ଜୀବନ ଦେବାକୁ ହେଲେ ଜୀବନ ଦେବି, ପଛଘୁଞ୍ଚା ଦେଇ ଫେରିବି ନାହିଁ । କହ, ଏ କାର୍ଯ୍ୟରେ ତୁ ମୋତେ ସାହାଯ୍ୟ କରିବୁ କି ନାହିଁ ?

 

–ସତ କହୁଛ, ବିଶୋଇଙ୍କର ଅଲିଅଳୀ ପିଲାଝିଅଟି ଉପରେ ସଇତାନମାନେ ଅତ୍ୟାଚାର କରିବାକୁ ବସିଛନ୍ତି ? ତାଙ୍କର କଅଣ ମା, ଭଉଣୀ, ଝିଅ ନାହାନ୍ତି ?

 

–ଏପରି ଘଟଣା ଏ ଅନ୍ଧାର ମୁଲକରେ ନୂଆ ନୁହେଁ । ରାଜାଙ୍କଠୁଁ ଆରମ୍ଭ କରି ତାଙ୍କର ଭାଇ ବିରାଦର, ଚାକର ବାକର ଏହିପରି କେତେ ଅନ୍ୟାୟ କରୁଛନ୍ତି ଆଖି ବୁଜି ବସିଲେ ତ କିଛି ଦିଶିବ ନାହିଁ । ଆଖି ଆଗରେ ଏପରି ଘଟଣା ଦେଖିବାକୁ ଇଚ୍ଛା ଯଦି ଥାଏ, ମୋରି ସଙ୍ଗରେ ଆ ଦେଖିବୁ । ତୋତୋ ଆଉ କିଛି କରିବାକୁ ମୁଁ କହୁନାହିଁ । ଯଦି ଉଦ୍ଧାର କରିବାକୁ ଅକ୍ଷମ ହୋଇ ମୁଁ ଟଳି ପଡ଼େ, ତେବେ ମୋ ଅଧା କାମ ତୁ ଶେଷ କରିବୁ । ଝିଅଟିକୁ ଉଦ୍ଧାର କରି ତୁ ହଳଧର ବିଶୋଇଙ୍କୁ ଦେଇ ଆସିବୁ । ଦୁରିଆ, ଆଜିଠାରୁ ସେ ତୋର ଝିଅ ହେଲାରେ । ତୋ ଝିଅର ମାନ ମହତ ଜୀବନ ତୁ ରକ୍ଷା କରିବୁ ।

 

ଦୁର୍ଦ୍ଦାନ୍ତ କହିଲା, ତମ କଥା ଯଦି ସତ ହୋଇଥାଏ, ଯଦି ଆଖି ଆଗରେ ଏପରି ଘଟଣା ମୁଁ ଦେଖେ, ସତ କହୁଛି, ମୁଁ ଆଉ ସହି ସମ୍ଭାଳି ପାରିବି ନାହିଁ । ଯାହା ହେବାର ହେବ ପଛେ, ମୋ ଦେଖିଲା କାମ ମୁଁ କରିବି । ସଇତାନପଲଙ୍କର କଲିଜା ଛିଣ୍ଡାଇ କୁକୁରଙ୍କୁ ଦେବି । ହେଲା ହେଲା । ଆଖି ଛୁଇଁ କହୁଛି, ଆଜିଠୁ ହଳଧରର ଝିଅ ଗୋଲାପକୁ ମୁଁ ପୋଷିଆ ଝିଅ କଲି । ବାପା କହିଛି ପରଘରର ପୁଅଝିଅକୁ ନିଜ ପୁଅଝିଅ ପରି ଭାବିବୁ, ଆଉ ପର ଘର ଧନଦରବ ଯେ ତୋର ।

 

–ମୁଁ ଆଗରେ ଚାଲିଲି ଦୁରିଆ, ତୋର ବିଶ୍ୱାସ ହେଲେ ତୋ ଦଳ ନେଇ ତୁ ଆସିବୁ, ନୋହିଲେ ନାହିଁ ।

 

ବିକ୍ରମ କାଳ ବିଳମ୍ବ ନ କରି ନିଜର ଅନୁଚରମାନଙ୍କୁ ଧରି ମନ୍ତ୍ରୀଙ୍କ ଉଆସଆଡ଼େ ଚାଲିଲେ ।

 

ଦୁର୍ଦ୍ଦାନ୍ତ ଚଣ୍ଡୀମନ୍ଦିର ଆଗରେ ବସି ଚିନ୍ତା କରିବାକୁ ଲାଗିଲା- ଏତେଦିନ ପରେ ଜୀବନରେ ଗୋଟିଏ ଭଲ କାମ କରିବାକୁ ସୁଯୋଗ ମିଳିଛି । ସେ ଅବଶ୍ୟ ଯିବ । ନିଜେ ଜୀବନମୂର୍ଚ୍ଛା କାମ କରି ଯେଉଁ ଧନରତ୍ନ ବିଦେଶରୁ ଚୋରି କରି ଆଣେ, ତାକୁ ଫାଙ୍କି ଦେଇ ଯେଉଁମାନେ ଜୋର୍ କରି ତା’ଠାରୁ ଆଦାୟ କରି ନିଅନ୍ତି, ସେମାନଙ୍କୁ ଥରେ ଏହାର ଫଳ ଚଖାଇବ-। ଥରେ ଚାଖିଲେ ସେମାନେ ଜାଣିବେ, ଦୁର୍ଦ୍ଦାନ୍ତ ଏମିତି ସେମିତି ଲୋକ ନୁହେଁ ।

 

ଦୁର୍ଦ୍ଦାନ୍ତ ଅନ୍ଧାର ଭିତରେ ମନ୍ଦିର ଆଗରେ ଟହଲିବାକୁ ଲାଗିଲା । ଭାବିଲା, ଏଥର ଏଗୁଡ଼ାଙ୍କୁ ଦଇବ ଛାଡ଼ିଲା । ବୁଢ଼ା ରଜା ଶ୍ରୀ ଶ୍ରୀ ଅକାରଣ ସିଂହ ଦେବ ଘଡ଼ି ନକ୍ଷନ୍ତ୍ର ଦେଖି ଚାରି ପୁଅ ସଂସାରକୁ ଆଣିଲେ, ଘଡ଼ି ନକ୍ଷନ୍ତ୍ର ଦେଖି ପୁରୋହିତେ ନାମକରଣ କରିଥିବେ । ଧରାକୁ ସେମାନେ ସରା ମଣୁଛନ୍ତି । କାଳ ପୂରି ଆସିଲା ପରି ଲାଗୁଛି ।

 

ଆଉ ଅପେକ୍ଷା କଲେ ଚଳିବ ନାହିଁ, ଦୁରିଆ ଭାବିଲା, ଦଳବଳ ଘେନି ସେ ଘଟଣାସ୍ଥଳକୁ ଯିବ ।

Image

 

ନିଃସହାୟା ଗୋଲାପ

 

ଦିନ ଦିପହରେ ହଳଧର ବିଶୋଇଙ୍କ କୋଳର ଅଲିଅଳୀ ଝିଅ ଗୋଲାପକୁ ନୃଶଂସମାନେ ମନ୍ତ୍ରୀଙ୍କ ଘରେ ଛାଡ଼ିଗଲେ । ସେ ଥିଲା ମୂର୍ଛିତା । ମନ୍ତ୍ରୀ ତାଙ୍କ ଗୃହିଣୀଙ୍କୁ ଗୋଲାପର ଯତ୍ନ ନେବାକୁ ଆଦେଶ ଦେଲେ । କହିଲେ, ରାଜାଙ୍କର ସ୍ନେହ ଶ୍ରଦ୍ଧା ହୋଇଛି । ଦିନେ ଦି ଦିନ ପରେ ତାକୁ ନଅରକୁ ପଠାଇ ଦିଆଯିବ ।

 

ମନ୍ତ୍ରୀଙ୍କ ଘରଣୀ ବାଣୀ ଦେବୀ ସ୍ୱାମୀଙ୍କ ଆଦେଶର ପ୍ରତିବାଦ କଲେ ନାହିଁ । ସେ ଜାଣନ୍ତି ଯେ ସ୍ୱାମୀଙ୍କର ଆଦେଶ ପଛରେ ରାଜାଙ୍କର ନିର୍ଦ୍ଦେଶ ଓ ସମର୍ଥନ ଅଛି । ଆଦେଶ ଅମାନ୍ୟ କଲେ ନିଜର ଅବସ୍ଥା ଶୋଚନୀୟ ହେବ ।

 

ରାଜାଙ୍କର ସନ୍ତୋଷ ପାଇଁ, ସ୍ୱାମୀଙ୍କର ଶ୍ରୀବୃଦ୍ଧି ପାଇଁ ଜୀବନରେ ସେ କେତେ ଅବଳା ବାଳିକାଙ୍କୁ ବାକ୍ୟରେ ଭୁଲାଇ ନରକ ମଝିକୁ ଠେଲି ଦେଇଛନ୍ତି । ଦିନେ କେବେ ତାଙ୍କ ମନରେ ଅନୁତାପ ଆସି ନ ଥିଲା । ଗୋଲାପଫୁଲଟି ପରି ପବିତ୍ର ନିର୍ମଳ ଏହି ଗୋଲାପର ଆଖିରେ ଲୁହ ଦେଖି ତାଙ୍କ ଆଖିରୁ ଲୁହ ଝରିଲା ।

 

ସେ ବି ଝିଅର ଜନନୀ । ତାଙ୍କର ତେର ବର୍ଷର ଆସନ୍ନ ଯୌବନା ଝିଅ କଲ୍ୟାଣୀ ପାଖରେ ଅଛି । କାଲି ଯଦି ରାଜା ଆଦେଶ ଦିଅନ୍ତି ତାର ଅବସ୍ଥା କଅଣ ହେବ ? ସେ ତ ବିବେକ ବିହୀନ ପଶୁଠୁ ବଳନ୍ତି ।

 

ଆଖିରୁ ଲୁହ ପୋଛି କଲ୍ୟାଣୀକୁ ଅନ୍ୟ ଘରକୁ ପଠାଇ ଦେଲେ ।

 

ଗୋଲାପ ବାଣୀଦେବୀଙ୍କ ଗୋଡ଼ ଧରି କହିଲା, ମା ମୋର ଦୁଃଖ ଦୂର କରିବାକୁ ତମଛଡ଼ା ଆଉ ଏଠାରେ କେହିନାହିଁ । ମୁଁ ତମର ଝିଅ, ଶରଣ ପଶୁଛି, ତମେ ରକ୍ଷା କର ।

 

ବାଣୀ ଗଦ୍‌ଗଦ୍‍ କଣ୍ଠରେ କହିଲେ, ତୁ ଭୟ କର ନା ଝିଅ, ରଜା ବାଘ-ଭାଲୁ ନୁହନ୍ତି । ସେ ମଣିଷ । ତାଙ୍କ ଘରେ ରହିଲେ ତୋର କୌଣସି ଦୁଃଖ ହେବ ନାହିଁ । ତୁ ରାଣୀ ହୋଇ ସୁଖରେ ରହି ପାରିବୁ । ତୋର ଯାହା ଲୋଡ଼ା ହେବ ରାଜା ଦେବେ ।

 

ଗୋଲାପର ସବୁ ଆଶା ଲୋପ ହେଲା । ସେ କାନ୍ଦି କାନ୍ଦି କହିଲା, ମୁଁ ବିବାହିତା । ପରର ସ୍ତ୍ରୀକୁ ଆଶା କରିବା କେଉଁ ନୀତିକଥା ବୋଲି ମୋତେ ତମେ ଭୁଲାଇ କହୁଛ ମା ?

 

ବାଣୀ ଦେବୀ ବୁଝାଇ କହିଲେ, ମାନ ଭୟରେ, ଜାତି ଭୟରେ ତୁ ଏପରି କହୁଛୁ ? ରାଜା ଖୁସି ହେଲେ ମାନମର୍ଯ୍ୟାଦା ଜାତିପତି, ଧନ ସମ୍ପତ୍ତି ସବୁ ମିଳିବ । ସେ ତୋର ହାତମୁଠାରେ ରହିବେ । ତୁ ଯାହା କହିବୁ ସେ ସେଇଆ କରିବେ । ଡରୁଛୁ କାହିଁକି ?

 

ଗୋଲାପ କ୍ରୋଧ ଓ ଉତ୍ତେଜନାରେ କହିଲା, ରାଜାର ରକ୍ଷିତା ହେଲେ ଯଦି ଏତେ ମାନ ମହତ୍ତ୍ୱ ଧନଦରବ ମିଳେ ତମର ଝଅ କଲ୍ୟାଣୀକୁ ରାଜନଅରକୁ ପଠାଇ ଦେଉନାହିଁ କାହିଁକି-? ସେ ରାଣୀ ହୋଇ ରହିବ ।

 

ବାଣୀ ଉତ୍ତର ନ ଦେଇ ରାଗ ତମ ତମ ହୋଇ ସେଠାରୁ ଉଠି ଚାଲିଗଲେ । ଦାସୀ ଦୁଇ ଜଣଙ୍କୁ ଗୋଲାପ ପାଖରେ ରହିବାକୁ ଆଦେଶ ଦେଲେ ।

 

ମନ୍ତ୍ରୀଙ୍କ ଆଦେଶରେ ସବାରୀ ଭିତରକୁ ନିଆଗଲା । ଭୂତିଆ ପ୍ରଭୃତି ଆଠଜଣ ବଳିଷ୍ଠ ସିପେଇ ସବାରୀ ନେବାକୁ ପାଇକଛା ଭିଡ଼ ପାଖରେ ଠିଆ ହେଲେ । ମନ୍ତ୍ରୀ କେତେଜଣ ଦାସୀଙ୍କୁ ସଙ୍ଗରେ ନେଇ ଗୋଲାପ ଥିବା କୋଠରୀ ଭିତରେ ପଶିଲେ ।

 

ରାତି ଅଧ । ଅନ୍ଧାର ଦଶଦିଗ ଘୋଟିଛି । ବରଷାର ବେଗ ନ ଥିଲେ ମଧ୍ୟ ତୁହାଇ ତୁହାଇ ପବନ ସାଥିରେ ମାଡ଼ି ଆସୁଛି ।

 

କୋଠରୀ ଭିତରେ ଦୀପ ଜଳୁଛି । ଫୁଟିଲା ପଦ୍ମଫୁଲ ପରି ଗୋଲାପର ସୁନ୍ଦର ମୁହଁଟି । ବିଶୋଇଙ୍କ ଆଦରର ସୁନାପିତୁଳୀ ଗୋଲାପ କାନି ପାରି ଭୂଇଁ ଉପରେ ଶୋଇଛି । ନାଲି ଟୁକୁଟୁକୁ କଅଁଳ ଓଠ ଦିଓଟି ନିଦ୍ରିତାବସ୍ଥାରେ ଥରି ଉଠିଛି । ମୁଦ୍ରିତ ଆଖିପତା କାନ୍ଦି କାନ୍ଦି ଫୁଲି ଯାଇଛି ।

 

ମନ୍ତ୍ରୀଙ୍କ ଆଖିରେ ଏସବୁର କୌଣସି ଅର୍ଥ ନାହିଁ । ରୂପର ମାଦକତାରେ ପ୍ରଲୁବ୍‍ଧ ହେବାର ବୟସ ତାଙ୍କର ଅତୀତ ହେଲାଣି । ହୃଦୟରେ କେବଳ କର୍ତ୍ତବ୍ୟର ରାଜତ୍ୱ । ତାଙ୍କର କର୍ତ୍ତବ୍ୟ, ରାଜାର ଆଦେଶ ପାଳନ । ତାଙ୍କର ଉଚ୍ଚାଶା, ରାଜାର କରୁଣା ଲାଭ । ସେତିକି ହେଲେ ତାଙ୍କର ପ୍ରଭୃତ୍ୱ ଓ ଧନର ଅଭାବ ରହିବ ନାହିଁ ।

 

ନିଦ୍ରିତା ବାଳିକାର ଦେହରେ ହାତ ମାରିବାରୁ ସେ ଚମକି ଉଠିଲା । ସମସ୍ତଙ୍କ ଆଡ଼କୁ ଥରେ ଚାହିଁଲା । ମନ୍ତ୍ରୀଙ୍କ ଉପରେ ଦୃଷ୍ଟି ପଡ଼ିଯିବାରୁ ତା’ର ବୁଝିବାକୁ କିଛି ବାକି ରହିଲା ନାହିଁ ।

 

ସେ ତଳକୁ ମୁହଁ ପୋତି ନୀରବରେ କାନ୍ଦିବାକୁ ଲାଗିଲା ।

ମନ୍ତ୍ରୀ କୋମଳ ସ୍ୱରେର କହିଲେ, ସବାରୀ ପ୍ରସ୍ତୁତ ଅଛି ମା, ଆପଣ ଆସନ୍ତୁ ।

ଗୋଲାପର ଆଖିରେ ଆଉ ଲୋତକ ନ ଥିଲା । ସେ କାଚର ସ୍ୱରରେ ପଚାରିଲା, ମୋତେ କୁଆଡେ ନେବ ? କି ଦୋଷ ମୁଁ ତମର କରିଛି ଯେ ମୋତେ ଏତେ ଦୁଃଖ କଷ୍ଟ ଅପମାନ ଦେଉଛ ? କହ, ମୋତେ କୁଆଡେ ନେବ ?

ମନ୍ତ୍ରୀ କଅଁଳେଇ କହିଲେ,ଆପଣଙ୍କୁ ନଅରକୁ ପଠାଇବାକୁ ଛାମୁ ଆଦେଶ ଦେଇଛନ୍ତି । ଏତିକି ମୁଁ ଜାଣେ ।

କଟାଗଛ ପରି ଗୋଲାପ ତଳେ ପଡ଼ିଲା । ମନ୍ତ୍ରୀଙ୍କର ପାଦଧରି ଅନୁନୟ କଲା, ମୋତେ ନଅରକୁ ପଠାଅ ନାହିଁ, ତମର ଗୋଡ଼ ଧରୁଛି । ଯଦି କେଉଁ ଅଜଣା ଦୋଷ କରିଛି, ମୋତେ ଜହର ଆଣିଦିଅ । ମୁଁ ଖାଇବି, ମରିବି ।

ମନ୍ତ୍ରୀ ପଛକୁ ଘୁଞ୍ଚଆସି କହିଲେ ରାଜାର ଆଦେଶ ମୋତେ ପାଳନ କରିବାକୁ ହେବ । ରାଜା ଆପଣଙ୍କୁ ସ୍ନେହ କରିଛନ୍ତି ।

ମନ୍ତ୍ରୀ ଦାସୀମାନଙ୍କୁ ଆଖି ଠାରିଦେଲେ । ନିଜେ ପଦାକୁ ବାହାରି ଆସିଲେ ।

ଗୋଲାପର କାକୁତି ମିନତି କେହି ଶୁଣିଲେ ନାହିଁ । ବଳତ୍କାରରେ ଓଟାରି ଓଟାରି ଦାସୀମାନେ ତାକୁ ସବାରୀ ଭିତରକୁ ନେଲେ । ସବାରୀର କବାଟ ବନ୍ଦ କରାଗଲା । ବାହକମାନେ ସବାରୀ ନେଇ ଚାଲିଲେ ।

ଗୋଲାପ କାନ୍ଦିଲା ।

ନିଛାଟିଆ ମେଘୁଆ ଅନ୍ଧାର ରାତିରେ ତା’ର କରୁଣ କାନ୍ଦଣା ଗଡ଼ଲୋକଙ୍କର କାନରେ ପଡ଼ିଥିବ । ସମସ୍ତେ ଶୁଣିଥିବେ । ଘଟଣାଟି କଅଣ, ସମସ୍ତେ ବୁଝିଥିବେ । ଜୀବନ ଡରରେ ରାସ୍ତା ଉପରକୁ ଆସିବାକୁ କାହାରି ସାହସ ହେଲା ନାହିଁ ।

 

ଅବଳାର ଆକୁଳ ଛାତିଫଟା କାନ୍ଦଣାରେ ପଥର ତରଳି ଯାଇଥାନ୍ତା, କିନ୍ତୁ ଅନ୍ଧାରିମୂଲକର ଅନ୍ଧାରରେ ଶ୍ମଶାନ ଭିତରେ ଚରି ବୁଲୁଛନ୍ତି ଯେଉଁ ଭୂତପ୍ରେତମାନେ ତାଙ୍କର କାନକୁ ସେହି କାନ୍ଦଣା ଛୁଇଁପାରିଲା ନାହିଁ । ମୁଣ୍ଡିଆର ଚାହା ଭିତରୁ, ଗଡ଼ଖାଇର ପାଚିରୀ ସେପାଖରୁ କେବଳ ପ୍ରତିଧ୍ୱନି ଉତ୍ତର ଦେଲା ।

Image

 

ଅଲ୍‌ବତ ଖାଁ

 

ସବୁ ଆଶା ଭରସା ଲୋପ ହେଲା । କେହି ତାକୁ ରକ୍ଷା କରିବାକୁ ଆସିଲେ ନାହିଁ । ଗୋଲାପ ତୁନି ହେଲା । ପ୍ରତିଜ୍ଞା କଲା, ଜୀବନ ପଛେ ଦେବ, ମାନ୍‌ ଦେବ ନାହିଁ ।

 

ସୁରଙ୍ଗଗଡ଼ର ଗଳି ରାସ୍ତା ଉପରେ, ସୁରଙ୍ଗଗଡ଼ର ସଭ୍ୟ ଆର୍ଯ୍ୟଜାତିର ଛାତି ଉପରେ ସଦର୍ପରେ ରାକ୍ଷସଦଳ ଚାଲିଯାଉଛନ୍ତି । ଦୁଇପାଖେ ଦୁଇ ଧାଡ଼ି ଉଚ୍ଚ ଘର ମୁଣ୍ଡ ଟେକି ଯୋଗମଗ୍ନ ଋଷି ପରି ନୀରବ । ଶକ୍ତିହୀନ ଲୋକର ଆଖିରୁ ଲୁହ ଝରିଲା ପରି ଶହ ଶହ ଘରର ଚାଳରୁ ବର୍ଷାପାଣି ନିଗିଡ଼ି ପଡ଼ୁଛି । ସେଥିପ୍ରତି କାହାରି ଭ୍ରୁକ୍ଷେପ ନାହିଁ । ରାଜାର ଦୟାଲାଭ ଆଶାରେ ସମସ୍ତେ ପାଗଳ ।

 

ସୁନାରି ସାହି ପାର ହୋଇ ଆସିଲେ । ବାଟରେ କେତଜଣ ଲାକଙ୍କୁ ଯାଉଥିବାର ଦେଖିଲେ । କେହି କାହାକୁ କିଛି ପଚାରିଲା ନାହିଁ । ଆଗରେ ପାନରା ସାହି । ହନୁମାନଗୁଡ଼ି ଭିତରେ କେତେ ଲୋକ ମଧୁରାଳାପ କରୁଛନ୍ତି । ହସରେ ମନ୍ଦିର ସତେ ଫାଟି ପଡ଼ୁଛି । ସୌନିକଦଳର ଉଦ୍ଦେଶ୍ୟ ଓ କର୍ମ ସମ୍ବନ୍ଧରେ ପଦେ ପଚାରିବାକୁ କାହାରି ଆଗ୍ରହ କି ସାହସ ହେଲା ନାହିଁ ।

 

ବର୍ଷା ଛାଡ଼ିଲା । ଆକାଶରେ ଖଣ୍ଡ ଖଣ୍ଡ ଭଙ୍ଗା ମେଘ ଭାସି ବୁଲୁଛନ୍ତି । ସେହି ଭଙ୍ଗା ବଉଦର ଫାଙ୍କରେ କେତୋଟି ତାରା । ପାହାନ୍ତା ପହରର ଫିକାଆଲୁଅରେ ଚାରିଆଡ଼େ ସାମାନ୍ୟ ପରିଷ୍କାର ଦେଖାଯାଉଛି ।

 

ଅଲ୍‍ବତ ଖାଁ ବେହେରାମାନଙ୍କୁ କହିଲା, ଆରେ ଜଲଦି ଚାଲ, ମେଘ ଘୋଡ଼ାଇଥିଲା ବୋଲି ଜଣାପଡ଼ୁ ନ ଥିଲା । ରାତି ପାହି ଆସିଲାଣି ।

 

ମଦ ଦୋକାନ ଆଗରେ ଗୋଟିଏ ଗଳିରାସ୍ତା ଗଡ଼ଖାଇ ଯାଏ ପଡ଼ିଛି । ଅଲ୍‍ବତ ଖାଁ ସେହି ବାଟ ଦେଇ ତାର ଲୋକଙ୍କୁ ନେଲା । ଗର୍ବରେ ମନ କୁଣ୍ଢେ ମୋଟ । ରାଜା ବଡ଼ି ଖସ୍ ହୋ ଯାଏଙ୍ଗେ । ଏକା କୁଦାମେ ଜେଲ୍ ଦାରୋଗା ।

 

କିଏ ଜାଣିଥିଲା ସହସା ତା’ର ଗତିରୋଧ କରିବ ଅନ୍ଧାର ମୁଲକର ଗୋଟାଏ ଶୃଙ୍ଗହୀନ ଛେଳିଛୁଆ ! କାହାର ସାହସ ଅଛି ଏକୁଟିଆ ଖଣ୍ଡା ଖୋଲି ଆଗରେ ଠିଆ ହୋଇ ଉତ୍ତର ମାଗିବ ଗର୍ବିତ ଉଚ୍ଚସ୍ୱରରେ ସବାରୀ କୁଆଡ଼େ ନେଉଛ ?

 

ଦେହରେ ତା’ର ରକ୍ତଛିଟା ଲାଗିଛି । ତା’ର ଚେହେରା ଦେଖି ଅଲ୍‍ବତ ମିଆଁର ଛାତିରେ ଦବକ ଆସିଲା । ସେ କହିଲା, ହଟ୍‌ଯାଓ ।

 

ନିର୍ଭିୀକ ଆହୁରି ଦମ୍ଭରେ ଆଗକୁ ଆସିଲେ । ପ୍ୟାଣ୍ଟ୍ ପକେଟରୁ ଶିଙ୍ଘା ବାହାର କରି ମୁହଁରେ ଲଗାଇ ତିନିଥର ଫୁଙ୍କିଲେ । ଘଡ଼ଘଡ଼ିର ଗର୍ଜନ ପରି ଶିଙ୍ଘାର ଗର୍ଜନ ସାହିକୁ ମୁଖରିତ କଲା । ସେହି ସ୍ୱରର ଉତ୍ତର ଦେବାକୁ ଦୂରରୁ ଭାସି ଆସିଲା ଅନ୍ୟ ଗୋଟାଏ ଶିଙ୍ଘାର ଗର୍ଜନ ପରି ଶିଙ୍ଘାର ଗର୍ଜନ ।

 

ନିର୍ଭୀକ କାନ ଡେରିଲେ । କଅଣ ଭାବି, ମୁଣ୍ଡ ହଲାଇ ପଚାରିଲେ, ସବାରୀରେ କିଏ ଅଛି ?

 

ଅଲ୍‌ବତ୍ ଖାଁ ଓଲଟି ପଚାରିଲା, କିଏ ହୋ ତୁମେ, ବାଟ ଓଗାଳି ଖାଡ଼ା ହୋଇଛ ? କିଏ ଅଛି କି ନ ଅଛି ତମର ଜାଣିବା କି ଦରକାର ?

 

–ଦରକାର ଅଛି ବୋଲି ତ ପଚାରୁଛି ।

ଅଲ୍ ବତ୍‌ଖାଁ ରାଗିଯାଇ କହିଲା, ମନ୍ତ୍ରୀଙ୍କ ଘରୁ ତାଙ୍କର କିଏ ଉଆସକୁ ଯାଉଛନ୍ତି ।

–ପାହାନ୍ତା ରାତିରେ କାହିଁକି କିଏ ଯାଉଛି ?

 

–ମୋତେ ଜଣା ନାହିଁ । ନୌକର ଲୋକର ହୁକୂମ୍ ତାଲିମ କରିବା ଛଡ଼ା ଅନ୍ୟକିଛି ବୁଝିବାର ଅଧିକାର ନାହିଁ । ତମର ଏସବୁ ପଚାରିବାର ମତ୍‌ଲବ କଅଣ ?

 

ନିର୍ଭୀକ ଉତ୍ତର ଦେବା ଆଗରୁ ତାଙ୍କ ଅନୁଚରମାନେ ମଦ ଦୋକାନ ପଛଆଡ଼ୁ ବାହାରି ଆସିଲେ । ବିକ୍ରମ ତାଙ୍କର ଦଳବଳ ଘେନି ହନୁମାନଗୁଡ଼ି ପଛପାଖୁ ଆସି ଅଲ୍‍ବତ୍ ଖାଁର ନିକଟରେ ପହଞ୍ଚିଗଲେ । ଉଭୟ ନିର୍ଭୀକ ଏବଂ ବିକ୍ରମ ପରସ୍ପରକୁ ଚାହିଁ ଆନନ୍ଦ ଅନୁଭବ କଲେ । କେହି କାହାକୁ କିଛି ପଚାରିଲେ ନାହିଁ ।

 

ଅଲ୍‍ବତ ଖାଁ ବିଚଳିତ ହେଲା । ଏତେ ଲୋକଙ୍କୁ ବାଧା ଦେଇ ନିଶ୍ଚୟ ସେ କୌଣସିମତେ ସବାରୀ ନେଇ ନଅରକୁ ଯିବ । ସମୟ ଆଉ ନାହିଁ । ରାତି ଶେଷ ହେବାକୁ ବସିଲାଣି । ପାନରା ସାହିର ଅନେକ ଲୋକ କବାଟ ଖୋଲି ପଦାକୁ ଆସିଲେଣି । ସୁନାରିପଡ଼ାର ଲୋକେ ମଧ୍ୟ ଜଣ ଜଣ ହୋଇ ଘଟଣା କଅଣ ବୁଝିବାକୁ ମଦ ଦୋକାନ ପାଖରେ ଜମା ହୋଇଗଲେଣି ।

 

ଉପାୟ ନ ଦେଖି ଅଲ୍‍ବତ୍ ଖାଁ ଲୋକମାନଙ୍କୁ ଡରାଇବାକୁ ବନ୍ଧୁକ ଟେକି ଉଚ୍ଚସ୍ୱରରେ କହିଲା, ଦେଖ, ରାଜାଘର ସ୍ତ୍ରୀଲୋକ ଯାଉଛନ୍ତି । ରାତି ନ ପାହାଣୁ ନଅରରେ ପହଞ୍ଚିବା କଥା । ସିଧା ବାଟ ଦେଖ, ନୋହିଲେ ତୁମର ଭଲ ହେବ ନାହିଁ କହୁଛି ।

 

ଅଲ୍‌ବତ ଖାଁର କଥାରେ ସନ୍ତୁଷ୍ଟ ହୋଇ କେତେ ଜଣ ପଡ଼ାଲୋକ ମୁହଁ ବୁଲାଇ ଫେରିବାକୁ ଲାଗଲେ । ବିକ୍ରମ ଚିତ୍କାର କରି କହିଲେ, ଭାଇମାନେ, ଫେରିଯାଅ ନାହିଁ । ଟିକିଏ ଅପେକ୍ଷା କଲେ ସମସ୍ତେ ବୁଝି ପାରିବ ସବାରୀରେ ରଜାଘର ଲୋକ କି ଆଉ କିଏ ଅଛି ।

 

ଲୋକମାନେ ଅପେକ୍ଷା କଲେ । ସନ୍ଦେହ କରି ନିଜ ନିଜ ମଧ୍ୟରେ ଭୁଟ୍‌ଭାଟ୍ ହେବାକୁ ଲାଗିଲେ । ଦେଖୁ ଦେଖୁ ଦିନର ଆଗମନ ସଙ୍ଗେ ଲୋକଙ୍କର ଗହଳି ମଧ୍ୟ ବଢ଼ିଗଲା ।

 

ଅଲ୍‌ବତ ଖାଁକୁ ବୁଦ୍ଧି ଦିଶିଲା ନାହିଁ । ଏତେ ଲୋକଙ୍କ ଉପରେ ବିନା ହୁକୁମ୍‌ରେ ଗୁଳି ଚଳାଇବାକୁ ତା’ର କ୍ଷମତା ନାହିଁ । ସେ ଜଣେ ସିପେଇର କାନରେ ତୁନି ତୁନି କଅଣ କହିଦେଲା । ସିପେଇ ଲୋକଙ୍କୁ ଦୁଇ ହାତରେ ଠେଲି ହନୁମାନଗୁଡ଼ି ଆଡ଼େ ଛୁଟିଗଲା ।

 

ବିକ୍ରମ କହିଲେ, ଭାଇମାନେ ଏ ସବାରୀ ଭିତରେ କିଏ ଅଛି, ତାକୁ କିଏ କେଉଁଠିକି ନେଉଛି, ଯଦି ସବୁ କଥା ତୁମରିମାନଙ୍କ ଆଗରେ ଖୋଲି କରି କହେ, ତୁମେମାନେ କାନରେ ହାତ ଦେବ । ଯାହାର ଜୀବନକୁ ଭୟ ଅଛି ସେମାନେ ତାଙ୍କର ସ୍ତ୍ରୀ କନ୍ୟାଙ୍କୁ ଏପରି ଏହିଠାରେ ପକାଇଦେଇ ଘରକୋଣରେ ଯାଇ ଲୁଚନ୍ତୁ । ଯେ ସତ୍ୟ ପାଇଁ, ଧର୍ମପାଇଁ, ମୁକ୍ତିପାଇଁ, ସ୍ତ୍ରୀ ପିଲାଙ୍କର ମହତ୍ତ୍ୱ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ ଅଛି, ସେ ସ୍ଥିର ହୋଇ ଏହିଠାରେ ଠିଆ ହୋଇ ରହୁ । ଆଜି ତୁମରି ଆଖି ଆଗରେ ତୁମର ଛାତି ଉପରେ ଚଢ଼ି ଯେଉଁମାନେ ତୁମର କୁଳର କୋଳଲକ୍ଷ୍ମୀକୁ ଟାଣି ନେଉଛନ୍ତି ସେହିମାନଙ୍କର ବିଚାର ତୁମରିମାନଙ୍କର ହାତରେ ହେବ, ମନେରଖ ।

 

ଅଲ୍‍ବତ୍ ଖାଁକୁ ଚାହିଁ କହିଲେ, ମିଆଁ ସାହେବ, ମୋତେ ଚିହ୍ନି ପାରୁଛଟି, ମୋ ନା ବିକ୍ରମ-!

 

ଅଲ୍‍ବତ୍ ଖାଁ ତଟସ୍ଥ ହେଲା । ଯେଉଁସବୁ କାଣ୍ଡ ଘଟୁଛି ସେଥିରେ କି ଚାକିରିଟା ରହେ ! ଯଦି ଚାକିରିଖଣ୍ଡି ଯାଏ, ପିଲା କୁଟମ୍ବଙ୍କୁ ପ୍ରତିପାଳନ କରିବ କିପରି ? ଗୋଲାମି କରି ତ ଅଧା ଉମର୍‌ ବିତିଗଲା । ଚାକିରି ଗଲେ ଖଣ୍ଡେ ରୋଟି ଅଭାବରେ ପିଲାଏ ଆସମାନକୁ ଚାହିଁ ଆଲ୍ଲା ଆଲ୍ଲା ହୋଇ ପ୍ରାଣ ହରାଇବେ ।

 

ସେ ବିଚରା ଦାଢ଼ି ନିଶ ଟାଣି ବିନୀତ ହୋଇ କହିଲା, ହଟିଯାଅ ଦୋସ୍ତ, ରାଜା ଘର ଔରତ୍‌ଲୋକଙ୍କୁ ବାଟରେ ଅଟକାଇଲେ ଫାଶୀ ଖୁଣ୍ଟରେ ଲଟକିବ । ଗରିବର ନୌକରି ଉପରେ ଆଞ୍ଚ ଆସିବ । ଦେଖ, ଯଦି ତୁରନ୍ତ ବାଟ ନ ଛାଡ଼, ବାଧ୍ୟ ହୋଇ ବନ୍ଧୁକ ସାହାଯ୍ୟରେ ମୋତେ ବାଟ ସାଫ୍‌ କରିବାକୁ ହେବ । ମୋର ଆଉ ଦୋଷ ହେବ ନାହିଁ ।

Image

 

ଯଜ୍ଞାରମ୍ଭ

 

ସକାଳ ହେଲା ।

 

ଘଡ଼ିକ ଭିତରେ ଘଟଣାଟି ଗଡ଼ତମାମ୍‌ ରାଷ୍ଟ୍ର ହୋଇଗଲା । କଥାଟା କାହା ତୁଣ୍ଡରୁ କେତେ ପ୍ରକାରେ ବାହାରିଲା । ଦେଖଣାହାରୀ ହୋଇ ଯେଉଁମାନେ ଦାନ୍ତ ନ ଘଷି ଛୁଟି ଆସିଥିଲେ ସେମାନେ ଜାଣନ୍ତି ଯେ ପଞ୍ଝାଏ ଚୋର କାହା ଘରର ଝିଅ କି ବୋହୁକୁ ନେଇ ରାତି ରାତି ପଳାଇ ଯାଉଥିଲେ । ରଜାଘର ଲୋକ ବାଟରେ ଦେଖି ଗିରଫ କରି ଅଟକାଇଛନ୍ତି । ଲୋକେ ଧର୍‌ ଧର୍‌ ମାର୍‌ ମାର୍‌ ହୋଇ ଠେଙ୍ଗା ଧରି ଚାରିଆଡ଼ୁ ଛୁଟି ଆସିଲେ ।

 

ଗହଳି ବଢ଼ିଲା । ରଜାଘରୁ କୌଣସି ଖବର ନ ପାଇ ଖାଁଙ୍କର ହାଲୁକା ଶୁଖିଲା । ସେ ପଳାଇବାର ବାଟ ଉଣ୍ଡିଲେ ।

 

ବିକ୍ରମ ଛାଡ଼ିବାର ଲୋକ ନୁହନ୍ତି । ଲୋକମାନଙ୍କର ସହାନୂଭୁତି ଲାଭ କରି ସେ ଦ୍ୱିଗୁଣ ଉତ୍ସାହରେ ଉଚ୍ଚସ୍ୱରରେ କହିଲେ ଭାଇମାନେ, ବିକ୍ରମ ଡକାଏତ ଆଜି ଦଳବଳ ଘେନି ତୁମରିମାନଙ୍କ ଆଗରେ ଠିଆ ହୋଇଛି । ରାଜାଘର ଲୋକଙ୍କ ତୁଣ୍ଡରୁ ତାର କରାମତି ଓ ଦୁର୍ନାମ ଶୁଣି ତୁମେମାନେ ତାକୁ ଘୃଣା କରୁଥିବ । ତୁମେମାନେ ତାକୁ ଯାହା ଭାବ ପଛେ ସେ ତା’ର ଜୀବନଟା ହାତରେ ଧରି ବୁଲୁଛି ।

 

ତୁମେମାନେ ଜାଣ କିପରି ବେଠି କରିବାକୁ ହେବ, ପରର ସେବା କରିବାକୁ ହେବ, ଅନିଚ୍ଛାରେ ପରର ସେବା କରିବାକୁ ଯାଇ ଜୀବନ ଦେବାକୁ ହେବ । ନିଜର ସେବା କେହି କରି ଜାଣନାହିଁ । ପରର ପାଇଟି କରିବା ଲୋକର ସଦ୍‌ଗୁଣ ହୋଇପାରେ, ମାତ୍ର ତେଲିଆ ମୁଣ୍ଡରେ ତେଲ ଅଜାଡ଼ିବା ଯେତିକି ନିର୍ବୋଧତା, ସେତିକି ଦୋଷ । ଭିକାରୀକୁ ଭିକ ଦେଲେ ଶୋଭାପାଏ । ଦୟାର ପରିଚୟ ମିଳେ । ଅପାତ୍ରରେ ଭିକ୍ଷା ଦେଲେ ଫଳ ବିଷମ ହୁଏ ।

 

ତୁମେ ତମର ବଳବୀର୍ଯ୍ୟ, ଧନସମ୍ପତ୍ତି ସବୁ ଅପାତ୍ରରେ ଦାନ କରୁଛ । ନିଜକୁ ନିଜେ ଚିହ୍ନିପାରୁ ନାହଁ । ଚିହ୍ନିବାର ଉପାୟ ତମକୁ ଜଣାନାହିଁ । ତୁମେ ପଶୁ, ମଣିଷ ନୁହଁ । କିନ୍ତୁ, ବିକ୍ରମ ପଶୁ ନୁହେଁ, ସେ ମଣିଷ । ସମସ୍ତେ ତାକୁ ଛାଡ଼ି ଚାଲିଯାଅ, ସେ ସେଥିକି ଭାବନା କରିନାହିଁ । ଏକାକୀ ସେ ଆଜି ତା’ର ମଣିଷ ପଣିଆର ପରିଚୟ ଦେବ । ତୁମ ଘରର ଝିଅକୁ ଉଦ୍ଧାର କରିବ । ନ ପାରିଲେ ତୁମରି ଆଗରେ ସେ ଆଜି ତା’ର ଜୀବନ ଦେବ ।

 

ଲୋକେ ବିକ୍ରମଙ୍କର କଥା ଶୁଣିଲେ । ଭରସି କରି କେହି କିଛି କହିପାରିଲେ ନାହିଁ । ଆଶ୍ଚର୍ଯ୍ୟ ହୋଇ ଏହି ଅଦ୍‌ଭୂତ ଲୋକଟିର କାର୍ଯ୍ୟ ଉପରେ ନଜର ଦେଲେ ।

 

ବିକ୍ରମ ଉତ୍ତେଜିତ ହୋଇ ପୁଣି କହିଲେ, ତୁମର ଆଖି ଆଗରେ ଯେଉଁସବୁ ଅନୀତି ହୋଇଯାଇଛି, ସେଥିପାଇଁ ଷୋଳଅଣା ଦାୟୀ ଏହି କୁକୁରଗୁଡ଼ାକ । ରାଜା ଆମର ମଣିଷ । ତାଙ୍କୁ ଏହି ନିମକହାରାମ କୁକୁରଦଳ ମିଛସତ, ବାର କଥା କହି ଭୁଲାଇ ଦିଅନ୍ତି । ସେ ମଣିଷ ହୋଇ ସୁଦ୍ଧା କୁକୁରଦଳ ଭିତରେ ଦିନରାତି କଟାଇ ନିଜକୁ ଭୁଲି ଯାଇଛନ୍ତି । ନିଜକୁ ପଶୁରେ ପରିଣତ କରିଛନ୍ତି । ନୋହିଲେ କି ନିର୍ଦ୍ଦୋଷ ବୋଲି ଜାଣି ସୁଦ୍ଧା ସେ ବିଶ୍ୱାଳଙ୍କୁ ମୋର ସହକର୍ମୀ ବୋଲି ଜେଲ ଦେଇଥାନ୍ତେ ? ଭାଇର ମାନ ରକ୍ଷା କରିବାକୁ ନିର୍ଦ୍ଦୋଷ ନିରୀହ ବିଶୋଇଙ୍କ ଉପରେ ଅମାନୁଷିକ ଅତ୍ୟାଚାର କରି ତାଙ୍କର ଏକମାତ୍ର ସ୍ନେହ ଆଦରର କନ୍ୟାକୁ ବନ୍ଦିନୀ କରି ମନ୍ତ୍ରୀଙ୍କ ସଲାରେ ନଅରକୁ ନେବାର ବ୍ୟବସ୍ଥା କରିଥାନ୍ତେ ?

 

–ବିଶୋଇଙ୍କର କନ୍ୟା !

 

ହଁ, ହଁ, ଆଜି ଏହି ସବାରୀ ଭିତରେ ସେହି ବାଳିକାଟିକୁ ନେଇ ଯାଉଥିବାର ଖବର ପାଇ ମୁଁ ଉଦ୍ଧାର କରିବାକୁ ଧାଇଁ ଆସିଛି । ଆଜି ତୁମରିମାନଙ୍କ ଆଖି ଆଗରେ ମୁଁ ତାର ପ୍ରମାଣ ଦେବି ।

 

ବିକ୍ରମ ଲୋକଗହଳି ଠେଲି ସବାରୀ ନିକଟକୁ ଅଗ୍ରସର ଦେଉଥିବାର ଦେଖି ଅଲବତ୍‌ ଖାଁ ସୈନିକମାନଙ୍କୁ ଆଖି ଠାରିଦେଲେ । ସିପେଇମାନେ ସବାରୀର ଚାରିପାଖରେ ଘେରିଗଲେ ।

 

ଏଣେ, ସବାରୀ ଭିତରେ ଗୋଲାପ କାନ୍ଦି କାନ୍ଦି କେତେବେଳୁଁ ହତଜ୍ଞାନ ହୋଇ ପଡ଼ିଥିଲା । ପାହାନ୍ତା ପ୍ରହରର ଅସ୍ପଷ୍ଟ ଶୀତଳ ଆଲୁଅ ଘଟାଘଟ ଭିତରେ ଛାଣିହୋଇ ସବାରୀ କବାଟର ଫାଙ୍କବାଟେ ଆସି ଗୋଲାପର ମୁହଁରେ ପଡ଼ିଲା । ତା ମୋହ ଭାଙ୍ଗିଗଲା । ସେ କବାଟ ଖୋଲିବାକୁ ଚେଷ୍ଟା କରି ବିଫଳ ହେଲା । ଏତେ ଲୋକଙ୍କର କୋଳାହଳା ଶୁଣି ଘଟଣା କଅଣ ସେ କିଛି ବୁଝିପାରିଲା ନାହିଁ ।

 

ବିକ୍ରମ ବଜ୍ର ଗମ୍ଭୀର ସ୍ୱରରେ ଚିତ୍କାର କରି ଉଠିଲେ, ଦେଖ ଭାଇମାନେ, ବିଶୋଇଙ୍କର ସେ ଝିଅ ନୁହେଁ, ସେ ତୁମର ଝିଅ । ନିଜର ଝିଅ ବୋହୁଙ୍କୁ ଆଖି ଆଗରେ ଆଉ କେହି ଅପହରଣ କରି ନେଉଥିଲେ ଯେପରି ଜୀବନ ଦେଇ ତାକୁ ଉଦ୍ଧାର କରିଥାନ୍ତ, ହଳଧର ବିଶୋଇଙ୍କ ଝିଅକୁ ମଧ୍ୟ ସେହିପରି ତୁମେମାନେ ନିଶ୍ଚୟ ଉଦ୍ଧାର କରିବ । ଆଜି ଯଦି ମୁହଁ ବୁଲାଇ ତୁମେମାନେ ଚାଲିଯାଅ, ମନେ ରଖିଥାଅ କାଲି ତୁମରି ଉପରେ ସେହି ଅତ୍ୟାଚାର ନିଶ୍ଚୟ ଓଲଟି ପଡ଼ିବ । ସମସ୍ତ ଜାଣ, ପାପକୁ ପ୍ରଶୟ ଦେଲେ ପାପ ତାର କାୟା ବିସ୍ତାର କରେ । ପାନରାପଡ଼ାର ଚାଳ ଘର ଧାଉଡ଼ିର କୌଣସି ଗୋଟାଏ ବଖରାରେ ନିଆଁ ଲାଗିଲେ ତୁମେ କଅଣ ନିଜର ଘରଟିମାନଙ୍କୁ ଜଗି ବସିଥିବ ? ସମସ୍ତେ ଏକଜୁଟ ହୋଇ ନିଆଁ ଲିଭାଇବାକୁ ଧାଇଁ ଯିବତ ? କାହିଁକି ନିଆଁ ମାଡ଼ିଆସିଲେ ତାକୁ ଅଟକାଇ ହୁଏ ନାହିଁ ।

 

ଆଗରୁ, ଆରମ୍ଭରୁ ଏହି ଅତ୍ୟାଚାର-ନିଆଁକୁ ଦବାଇ ଦିଅ, ଳିଭାଇ ଦିଅ । ନୋହିଲେ ପରେ ବଳ ପାଇବ ନାହିଁ । ମରିବାକୁ ଭୟ କର ନାହିଁ । ମଣିଷ ଜନ୍ମ ଲଭିଲେ ଥରେ ମରେ । ଥରକରୁ ଦୁଇଥର କେହି ମରିନାହିଁ, ମରିବ ନାହିଁ । ତୁମର ବାପ ଅଜା ମରିଛନ୍ତି, ତୁମେ ବି ମରିବ । ସମସ୍ତେ ମରିବେ । ଭଲ କାମଟିଏ ପାଇଁ ଜୀବନ ଦେଲେ ଜୀବନ ସାର୍ଥକ ହେବ । ମରି ମଧ୍ୟ ତୁମର ନାମ ଅମର ହେବ ।

 

ଗୋଲାପର ମନରେ ଆଶା ସଞ୍ଚାର ହେଲା । ଆଉ ତା’ର ଭୟ ନାହିଁ ।

 

ସେ ସବାରୀ ଫାଙ୍କରେ ଚାହିଁଲା । ଦେଖିଲା ଅନେକ ଲୋକ ରୁଣ୍ଡ ହୋଇଛନ୍ତି । ସେ ସବାରୀର ଗୋଟିଏ ପାଖ ଦରଜାକୁ ଜୋରରେ ଖସାଇ ଦେଲା । ଏତେ ଲୋକଙ୍କର ଗଣ୍ଡୋଗୋଳରେ ଦାସୀଟି ବିଚଳିତ ହୋଇ ପଡ଼ିଥିଲା । ତା’ର ଶିଥିଳ ହାତ ସହସା ତଳକୁ ଖସି ପଡ଼ିଲା ।

 

ଗୋଲାପ ଏକ ମୁହୂର୍ତ୍ତ ଅପେକ୍ଷା ନ କରି ସବାରି ଉପରୁ ତଳକୁ ଡେଇଁ ପଡ଼ିଲା । କିନ୍ତୁ, ପଦାକୁ ଯାଇ ପାରିଲା ନାହିଁ । ତା’ର ଚାରିପାଖେ ସିପେଇମାନେ ଘେରି ରହିଥିଲେ ।

 

ଅଲ୍‍ବତ ଖାଁ ଚମକି ଉଠିଲା । ସର୍ବନାଶ, ସର୍ବନାଶ ! ଚାକିରି ଖଣ୍ଡ ନିଶ୍ଚୟ ଏଥର ଗଲା-। ସେ ଭୟ ଓ କ୍ରୋଧରେ ଗୋଟାଏ ବିକଟ ଗର୍ଜନ ଛାଡ଼ିଲା । କେତେଜଣ ସିପେଇ ବାଳିକାଟିକୁ ଧରି ପୁଣି ସବାରୀ ଭିତରେ ପୁରାଇବାକୁ ଲାଗିଲେ । ମୁହୂର୍ତ୍ତରେ ଏହି ଘଟଣା ଲୋକଙ୍କର ଆଖିରେ ବିଜୁଳିର ଝଲକ ପରି ଖେଳିଗଲା ।

 

ଲୋକେ ବ୍ୟସ୍ତ ହୋଇ ପଡ଼ିଲେ ।

 

ବିକ୍ରମ ଗର୍ଜନ କରି ଉଠିଲେ, ସାବଧାନ, ସ୍ତ୍ରୀର ଦେହ ଛୁଅଁ ନାହିଁ କହୁଛି । ବିଶୋଇଙ୍କର ଝିଅ ଗୋଲାପ ଦେହରେ ଯେ ହାତ ଟିପ ଛୁଇଁବ, ବିକ୍ରମର ବନ୍ଧୁକ ଗୁଳି ପ୍ରଥମେ ତାରି ମୁଣ୍ଡ ଉଡ଼ାଇ ଦେବ ।

 

ତାଙ୍କର ସାବଧାନ ବାଣୀ କେହି ଶୁଣିଲେ ନାହିଁ । ଚାକିରି ଯେ ଟଳମଳ ହେଲାଣି । ସେମାନଙ୍କର ଅସାବଧାନତା ପୁଣି ମନ୍ତ୍ରୀଙ୍କ କାନରେ ପଡ଼ିଲେ ଆଉ ଚାକିରି ରହିବ ନାହିଁ ।

 

ଗୋଲାପକୁ ଧରି ସିପେଇମାନେ ପୁଣି ସବାରୀରେ ପୂରାଇବାକୁ ଚେଷ୍ଟା କଲେ । ସେ ସଜଳ ନେତ୍ରରେ ଚିତ୍କାର କରି ଉଦ୍ଧାର ପାଇବାକୁ ଅନୁରୋଧ କଲା ।

 

ଲୋକେ ଆଉ ସହି ପାରିଲେ ନାହିଁ । ଉତ୍ତେଜନା ଓ କ୍ରୋଧରେ କୋଳାହଳ କରି ଯେ ଯାହା ପାଇଲା ହାତରେ ଧରିଲେ ।

 

ପ୍ରଥମେ ଫୁଟିଲା ବିକ୍ରମର ବନ୍ଧୁକ । ତତ୍ପରେ ବୈଶାଖର ଝଡ଼ପରି ସିପେଇମାନଙ୍କ ମୁଣ୍ଡ ଉପରେ ଇଟା ପଥରର ତୋଫାନ ବହିଗଲା ।

 

ନିର୍ଭୀକ ତରବାରୀ ଖୋଲି ଅଲ୍‌ବତ୍ ଖାଁକୁ ଲକ୍ଷ୍ୟକରି ଛୁଟି ଆସିଲେ ।

Image

 

ଅରଣ୍ୟରୋଦନ

 

ଖରା ପଡ଼ିଲା ।

 

ଘଟଣା କଅଣ ବୁଝିବାକୁ ଲୋକେ ଗଡ଼ର ଚାରିଆଡ଼ୁ ପାନରାସାହିଆଡ଼େ ଛୁଟି ଆସିଲେ-। ଘଟଣାଟି ଦେଖି ବୁଦ୍ଧିମାନ ଲୋକ ପରିଣାମ କଅଣ ହେବ ସହଜରେ ବୁଝିନେଲେ । ସବାରୀଟା ଏକାଥରେ ଭାଙ୍ଗିରୁଜି ଯାଇଛି । ଟେକା ମାଡ଼ରେ ବ୍ୟତିବ୍ୟସ୍ତ ହୋଇ ଗଉଡ଼ମାନେ ଜୀବନ ଘେନି ଖସି ପଳାଇଛନ୍ତି । ଦାସୀ ଦୁଇଜଣ ରକ୍ତସ୍ନାନ ହୋଇ ହନୁମାନଗୁଡ଼ି ଭିତରେ ଲୁଚିଛନ୍ତି । ଅଲ୍‍ବତ ଖାଁର ପ୍ରାଣବାୟୁ ଉଡ଼ିଯିବା ଉପରେ । ଦେହଟା ତା’ର କ୍ଷତବିକ୍ଷତ ହୋଇ ଭଙ୍ଗା ସବାରୀ କଡ଼ରେ ପଡ଼ି ରହିଛି । ରାସ୍ତାକଡ଼ରେ ତିନିଜଣ ସିପେଇ ମରି ଶୋଇଛନ୍ତି । ତେଣିକି ଦେଖଣାହାରୀଙ୍କ ଲକ୍ଷ୍ୟ ନାହିଁ ।

 

ଲକ୍ଷ୍ୟ, ଚଉଦ ପନ୍ଦର ବର୍ଷର ସୁନ୍ଦରୀ ସୁକୁମାରୀ ଝିଅଟି ଉପରେ । ସେ ମଧ୍ୟ ରକ୍ତରେ ଜୁଡ଼ୁବୁଡ଼ୁ ହୋଇ ନିର୍ଭୀକଙ୍କର କୋଡ଼କୁ ଆଉଜି ବସିଛି । ଆଖି ଦିଓଟି ବୁଜା । ମୁଣ୍ଡ ସାମାନ୍ୟ ନଇଁ ପଡ଼ିଛି ।

 

ନିର୍ଭିକ ହାତ ପାପୁଲି ତା ମୁଣ୍ଡରେ ଭରା ଦେଇ ତାର ସଂଜ୍ଞା ଆଣିବାକୁ ଚେଷ୍ଟା କରୁଛନ୍ତି-। ରାସ୍ତାକଡ଼ ନାଳରୁ ଅଣା ହୋଇଥିବା ବର୍ଷାପାଣି ତା’ର ମୁଣ୍ଡରେ ଛିଞ୍ଚି ହାତରେ ବିଞ୍ଚି ଦେଉଛନ୍ତି ।

 

ଗୋଲାପର ସଂଜ୍ଞା ହେଲାନାହିଁ ।

 

ବିକ୍ରମ ବ୍ୟସ୍ତ ହୋଇ ଲୋକଙ୍କୁ ଡାକି କହିଲେ, ଭାଇମାନେ, ତୁମରି କୋଳର ସୁକୁମାରୀ କୋମଳମତି କନ୍ୟାଟି ତୁମର ଆଖି ଆଗରେ ଅନାଥ ହୋଇ ବାଟ ଉପରେ ମଉଳି ଝଡ଼ି ପଡ଼ିବ । ଆଖି ଥାଉଁଣୁ ଏପରି ଦୃଶ୍ୟ ଦେଖିବାକୁ ରହୁଛ କାହିଁକି ? ତୁମର ଛାତି ସହୁଛି କିପରି ? ଏତେବଡ଼ ସୁରଙ୍ଗଗଡ଼ରେ କଅଣ ଜଣେ ହୋଇ କେହି ମଣିଷ ନାହିଁ, ଯେ କି ଅନାଥା ବାଳିକାକୁ ଦିନକ ପାଇଁ ଘରେ ଆଶ୍ରୟ ଦେବ ? ବିଶୋଇଙ୍କ କୋଳର ଗୋଲାପ ତୁମରିମାନଙ୍କ ଘର ଆଗରେ ଅଯତ୍ନରେ ମଉଳି ପଡ଼ିଲେ ନିନ୍ଦା ହେବ କାହାର ? ତୁମର ମଣିଷପଣିଆଁର କେଉଁ ସାର୍ଥକତା ରହିବ କହିଲ ?

 

ବିକ୍ରମଙ୍କର କଥାରେ କେହି କାନ ଦେଲେ ନାହିଁ । ବୁଦ୍ଧିମାନ ଲୋକେ ଆଗହୁଁ ସାବଧାନ ହୋଇ ବାଟ କାଟି ଚାଲିଗଲେ । କିଏ ଏତେ ଅଲେଇ-ବଲେଇ ମୁଣ୍ଡକୁ ଟାଣି ନେବାକୁ ରାଜି ହେବ-?

 

ଯିଏ ଗୋଲାପକୁ ଘରେ ସ୍ଥାନ ଦେବ, ରାଜାଘର କୋପଦୃଷ୍ଟି ପଡ଼ିବ ଆଗ ତା’ରି ଉପରେ । ତା’ର ହେବ ସର୍ବନାଶ ! ରାଜାଘର ଲୋକ ଯେ ମରି ଶୋଇଛନ୍ତି ସେଥିପାଇଁ ଦାୟୀ ହେବ ସେହି । ଫାଶୀ ଖୁଣ୍ଟରେ ଝୁଲିବାକୁ ହେବ ଆଗ ତାକୁ ।

 

ଲୋକେ ଉତ୍ତର ନ ଦେଇ ଧିରେ ଧିରେ ସେଠାରୁ ଚାଲିଯିବାକୁ ଲାଗିଲେ । ଲୋକଙ୍କର ଏପରି ଢଙ୍ଗ ଦେଖି ବିକ୍ରମ ଆଶ୍ଚର୍ଯ୍ୟ ହେଲେ ନାହିଁ । ସେ ଜାଣନ୍ତି ଅନ୍ଧାରିମୂଲକରେ ପଶୁଦଳ ଭିତରେ ମଣିଷ ଜୀବନ ନାହିଁ । ଯେଉଁ ଜୀବନ ଭୟରେ ଆଜି ଏତେ ଲୋକ ତାଙ୍କର ଆକୁଳ ଅନୁରୋଧ ଆଡ଼େଇ ଦେଇ ଚାଲିଯାଉଛନ୍ତି, ସେ ଜୀବନରେ ବା ସ୍ଥିରତା କଅଣ ?

 

ଏହି ପଶୁପଲ ଭିତରେ ମଣିଷ-ଜୀବନ ସଞ୍ଚାର କରିବାକୁ ହେବ । ସେ ଉଚ୍ଚ ସ୍ୱରରେ କହିବାକୁ ଲାଗିଲେ, ପଳାଅ ନାହିଁ ଭାଇମାନେ, ଜୀବନ ପ୍ରତି ଯଦି ଏତେ ମମତା, ତେବେ ଏ ଅନ୍ଧାରିମୁଲକରେ ଘର କରି ରହିଛି କାହିଁକି ? ତୁମକୁ କଅଣ ଜଣାନାହିଁ ଯେ ଏହି ଅନ୍ଧାର ଭିତରେ ସବୁବେଳେ ମାଳମାଳ ଭୂତପ୍ରେତ ମଣିଷର ଜୀବନ ଚରିବୁଲନ୍ତି? ଏହି ଅରଣ୍ୟ ଭିତରେ ରକ୍ତମାଂସ ଲୋଭରେ ପଣପଣ ବାଘଭାଲୁ ଛକି ବସିଛନ୍ତି ? ବିନା ଲାଭରେ ସୁଦ୍ଧା ଗାତଭିତରୁ ସାପପଲ ଫଣା କାଢ଼ି ତୁମରି ଗୋଡ଼ରେ ଚୋଟ ହାଣିବାକୁ ସତେଜ ରହିଛନ୍ତି ? ତେବେ, ଜୀବନର କେଉଁ ଆଶାରେ ଚୋରପରି ପଳାଇ ରକ୍ଷା ପାଇବାକୁ ବସିଛ ?

 

ଶୁଣ, ବିକ୍ରମ କିପରି ସବୁବେଳେ ପ୍ରାଣଟାକୁ ହାତରେ ଘେନି ତୁମରିମାନଙ୍କ ପାଇଁ ନିର୍ଭୟରେ ବୁଲୁଛି । ଆଜି ଏହି ଅନାଥା ବାଳିକାଟିକୁ ଘରେ ଆଶ୍ରୟ ଦେବାକୁ ପଛଘୁଞ୍ଚା ଦିଅ ନାହିଁ । ଯଦି ଭୂତପ୍ରେତ ମନୁଷ୍ୟତ୍ୱର ଗନ୍ଧ ପାଇ ଗୋଡ଼ାଇ ଆସନ୍ତି ବିକ୍ରମ ଆଗ ତା’ର ପ୍ରାଣକୁ ଭୂତପ୍ରେତଙ୍କୁ ବଢ଼ାଇଦେବ ।

 

କେହି ଆଗଭର ହେଲେ ନାହିଁ । ବରଂ ଜଣ ଧୀରେ ଧୀରେ ସ୍ଥାନ ତ୍ୟାଗ କଲେ ।

Image

 

ବ୍ୟର୍ଥ ମିନତି

 

ଗୋଲାପ ଆଖି ଖୋଜିଲା । ଚାରିଆଡ଼କୁ ଚାହିଁଲା । ରକ୍ତକ୍ଷୟ ହେତୁ ସେ ଅତି ଦୁର୍ବଳ ହୋଇପଡ଼ିଥିଲା ।

 

ତା’ର ଆଖିର ନିରୀହ ଦୀପ୍ତିରୁ ଯେଉଁ କରୁଣ ଭାବ ଫୁଟି ଉଠିଲା, ତହିଁରେ କଠୋର ହୃଦୟରେ ସୁଦ୍ଧା ଦୟାର ସଞ୍ଚାର ହେଲା ।

 

ଅଲ୍‌ବତ ଖାଁ ଓ ଅନ୍ୟାନ୍ୟ କେତେଜଣ ସିପେଇଙ୍କ ମୃତପିଣ୍ଡ ଗୋଲାପର ଆଖିରେ ପଡ଼ିଲା । ତାର ସାରା ଶରୀରରେ ସ୍ପନ୍ଦନ ଜାତ ହେଲା । ସେ ସ୍ଥିର କରୁଣ ଦୃଷ୍ଟିରେ ନିର୍ଭିକଙ୍କର ଲୋତକାପ୍ଲୁତ ମୁଖକୁ ଚାହିଁଲା ।

 

ଧୀରେ ଧୀରେ କହିଲା, ମୋତେ ନଅରକୁ ନିଅ ନାହିଁ ।

ନିର୍ଭିକଙ୍କର କଣ୍ଠରୁଦ୍ଧ ହୋଇ ଆସିଲା । ସେ କିଛି କହିପାରିଲେ ନାହିଁ ।

 

ବିକ୍ରମଙ୍କର ଗମ୍ଭୀର ଉକ୍ତି କିମ୍ବା ଗୋଲାପର ଛାତିଫଟା କରୁଣ ଅନୁରୋଧ ଲୋକଙ୍କର ମନକୁ ବଦଳାଇ ପାରିଲା ନାହିଁ । ଯେଉଁମାନେ ପାଖରେ ଠିଆହୋଇ ଏହିସବୁ ଦୃଶ୍ୟ ଦେଖୁଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଧୀରେ ଧୀରେ ଚାଲିବାକୁ ଲାଗିଲେ ।

 

ଏହାଦେଖି ନିର୍ଭୀକ ଗୋଲାପକୁ ତଳେ ଶୁଆଇ ଠିଆହୋଇ କହିଲେ, କାହାକୁ ଏତେ ଭୟ କରୁଛ ତୁମେମାନେ ? ମଣିଷ ଭୟକରେ ଅସତ୍ୟ ଅନ୍ୟାୟ ଓ ଅନୀତିକୁ । ବିକ୍ରମ ଓ ନିର୍ଭୀକ ଯମକୁ ବି ଭୟ କରନ୍ତି ନାହିଁ । ଗତ ରାତିରେ ତୁମରିମାନଙ୍କ ପାଇଁ ମୁଁ ଯାହା କରିଛି ଶୁଣିଲେ ତୁମେ ବିଶ୍ୱାସ କରିବ ନାହିଁ ।

 

ନାରଣ ଜେନା ପଟୁଆରୀଙ୍କୁ ଜାଣିଥିବ ତ ? ତାଙ୍କର ଅନୁପସ୍ଥିତିରେ ତୁମ ରାଜାଙ୍କ କନିଷ୍ଠ ଭାଇ ଉଦ୍ଧତ ରାତି ଅଧରେ ଲୋକବାକ ନେଇ ତାଙ୍କର ଗର୍ଭିଣୀ ସ୍ତ୍ରୀ ସୀତା ଦେବୀଙ୍କୁ ବଳାତ୍କାରରେ ଅପହରଣ କରି ଆଣୁଥିଲେ । ଭାଗ୍ୟକୁ ପଡ଼ିଲେ ମୋର ହାବୁଡ଼େ । ମୋର ଏହି ଏହି ହାତରେ ତାଙ୍କର ମୁଣ୍ଡ ଗଣ୍ଡି ଅଲଗା ହେଲା । ତାଙ୍କ କୁପଥ ଓ କୁକର୍ମର ସଙ୍ଗୀ, ଲେଖାରେ ସୀତା ଦେବୀଙ୍କର ଦେଢ଼ଶୁର ହେବ, ବିଭୀଷଣ ଜମାଦାରର କଲିଜାକୁ ଏହି ହାତରେ ମୁଁ ଛିଣ୍ଡାଇ ଦେଇଛି । ଫାଶୀ ପାଇବାକୁ ହେବ, ଫାଶୀ ପାଇବି । ଆଖି ଆଗରେ ଅନ୍ୟାୟ ଅତ୍ୟାଚାର ଦେଖି ସହିପାରିବି ନାହିଁ ।

 

ବିକ୍ରମ ପଚାରିଲେ, ସୀତା ଦେବୀ ?

 

–ସେ ଆପଣଙ୍କର ଗହ୍ୱରରେ ଆଶ୍ରୟ ନେଇଛନ୍ତି । ଅବସ୍ଥା ସଙ୍କଟାପନ୍ନ । ଜାଣେ ନାହିଁ, ତାଙ୍କର ମୂର୍ଚ୍ଛା ଭାଙ୍ଗିଲା କି ସେ ଅତ୍ୟାଚାରିତ ଦେହକୁ ଛାଡ଼ି ସେ ପୁରକୁ ଗଲେ ।

 

ବିକ୍ରମ ଭ୍ରୁକିଞ୍ଚିତ କରି ତ୍ରସ୍ତ ଜନତାକୁ କହିଲେ, ଆଖି ଥାଉଁଣୁ ଅନ୍ଧ ହୋଇ କେତେଦିନ ରହିଥିବରେ ତୁମେମାନେ ? ଯାହାକୁ ଘର ବୋଲି କହି ମନରେ ଆନନ୍ଦ ଅନୁଭବ କରୁଛ, ଗର୍ବ ଅନୁଭବ କରୁଛ, ସେହି ଘରର ଅବସ୍ଥା କଅଣ ହେଲାଣି ବୁଝିପାରୁଛ ? କେତେକାଳ ଆଉ ତୁନି ହୋଇ ରହିବ ?

 

ଜନତା ମଧ୍ୟରୁ କେତେଜଣ କହି ଉଠିଲେ, କଅଣ କରିବାକୁ କହୁଛ ତୁମେ ?

 

–ଯଦି ଶକ୍ତି ଅଛି, ସାହସ ଅଛି, ନିଜର ହାତ ଉପରେ ବିଶ୍ୱାସ କରି ପ୍ରତିକାର କରିବାକୁ ଆଗଭର ହୁଅ । ଏ ଦେଶର ସନ୍ତାନ ତୁମେମାନେ, ଏ ଦେଶ ଉପରେ ତୁମର ପୂର୍ଣ୍ଣ ଅଧିକାର । ତୁମର ଜନ୍ମଗତ ଦାବୀ ଉପରେ ଯେ ହସ୍ତକ୍ଷେପ କରିବାକୁ ବସିଛି, ତାର ସେହି ହାତକୁ ଦିଖଣ୍ଡ କରି ଛିଣ୍ଡାଇ ଦିଅ ।

 

ଚାଲିଯାଉଥିବା ଲୋକମାନେ ଫେରିଲେ । ଉତ୍ତେଜନାରେ ପଚାରିଲେ କଅଣ କରିବାକୁ ଆଦେଶ ଦେଉଛ ?

 

ନିର୍ଭୀକ କହିଲେ, ସିପେଇମାନଙ୍କର ମଲା ଖବର ଗଡ଼ରେ ପହଞ୍ଚି ସାରିବଣି । ଗୋଲାପକୁ ଆମ ହାତରୁ ଟାଣି ନେବାକୁ ଆହୁରି ଅନେକ ସିପେଇ ଅତିଶୀଘ୍ର ଧାଇଁ ଆସୁଥିବେ । ତୁମ ଭିତରୁ କେହି ଜଣେ ତାକୁ ନିଜ ଘରେ ଆଶ୍ରୟ ଦିଅ । କେହି ଆଗଭର ହେଲେ ନାହିଁ । ଗୋଲାପ ଥରି ଠିଆ ହୋଇ କହିଲା, ମୁଁ ମରିବି ପଛେ ରାଜନଅରକୁ ଯିବି ନାହିଁ ।

 

ଆଉ କହିପାରିଲା ନାହିଁ, ଥରି ଥରି ଲୋକ ଗହଳି ଭିତରେ ପଶିଲା । ମଣିଷ ସାଗର ମଧ୍ୟରେ ସେ ଆତ୍ମଗୋପନ କଲା । ସମସ୍ତେ ତା’ର ବାପା, ଦାଦି, ଭାଇ, ବନ୍ଧୁ । ସମସ୍ତଙ୍କ ଉପରେ ତା’ର ଅଧିକାର ଅଛି । ସମସ୍ତେ ତାକୁ ରକ୍ଷା କରିବେ ।

 

ଡଗର ଧଇଁ ସଇଁ ହୋଇ ଆସି କହିଲା, ପ୍ରାୟ ଚାରିକୋଶ ଦୂରରେ ସଉରୀ ଗାଁ ପାଖରେ ଓଃ ଏତେ ଲୋକ, ତା’ର କଳନା ନାହିଁ । ଅନ୍ଦାଜ କୋଡ଼ିଏ ହଜାର । ନା, ବେଶି ହେବ । ବଣ ଜଙ୍ଗଲ, ବାଟ ଅବାଟ ମାନୁ ନାହାଁନ୍ତି । ଢୋଲ ପିଟି, ପାଟି କରି ଆସୁଛନ୍ତି । ଆଗରେ ଦଶ ପନ୍ଦର ଜଣ ବନ୍ଧୁକ ଧରି ଚାଲିଛନ୍ତି । ସେମାନଙ୍କର ଆଗୁଆଳ ହୋଇଛନ୍ତି ବାବାଜୀ ଆତ୍ମାରାମ ।

 

ବିକ୍ରମ ପଚାରିଲେ, ସେମାନଙ୍କର ଆସିବାର ଉଦ୍ଦେଶ୍ୟ ?

 

ଠିକ୍‌ ଜଣାପଡ଼ୁ ନାହିଁ । ନାନା ଲୋକ ନାନା ପ୍ରକାର କହୁଛନ୍ତି । ତେବେ ଏତିକି ବୁଝିଲି, ବିଦ୍ରୋହ ବିଶ୍ୱାଳଙ୍କୁ ମୁକ୍ତି ଦେବାକୁ ରାଜାଙ୍କ ପାଖେ ଗୁହାରି କରିବା ପାଇଁ ସେମାନେ ଆସୁଛନ୍ତି ।

 

ବିକ୍ରମ ଚିନ୍ତିତ ହେଲେ ।

 

ଡଗର ପୁଣି କହିଲା, ରଜାଘର ଅନ୍ଦରମହଲ ଭିତରେ ଗୋଟାଏ ଜରୁରି ପରାମର୍ଶ ସଭା ହେବ ବୋଲି ମନ୍ତ୍ରୀଙ୍କ ପାଖକୁ ଖବର ଆସିଛି । ମନ୍ତ୍ରୀ ସଜବାଜ ହୋଇ ବାହାରିଲାବେଳକୁ ଖବର ପହଞ୍ଚିଲା, ଗଡ଼ର ଲୋକେ ଏକଜୋଟ ହୋଇ ଅଲ୍‍ବତ୍ ଖାଁ ପ୍ରଭୃତିଙ୍କୁ ମାରି ଗୋଲାପକୁ ଛଡ଼ାଇ ନେଇଛନ୍ତି । ଏ ଖବର ପାଇ ସେ ଅଗ୍ନିଶର୍ମା ହୋଇ କଟୁଆଳଙ୍କୁ ଖବର ପଠାଇଛନ୍ତି । ସେ ନିଜେ ପାଞ୍ଚଶହ ସିପେଇ ନେଇ ଘର ଘର କରି ଗଡ଼ଜାତ ଖୋଜି ହତ୍ୟାକାରୀମାନଙ୍କୁ ଓ ଗୋଲାପରେ ଗିରଫ କରିବେ । କଟୁଆଳ ସିପେଇ ଫଉଜ ନେଇ ବାହାରି ପଡ଼ିବେଣି ।

 

ଏତିକି କହି ଆଦେଶକୁ ଅପେକ୍ଷା ନ କରି ଡଗର ବିଜୁଳି ବେଗରେ ଛୁଟିଗଲା ।

 

ବିକ୍ରମ ବ୍ୟସ୍ତ ହୋଇ କହିଲେ, ପାଞ୍ଚଶ ସିପେଇ ବିରୁଦ୍ଧରେ ଠିଆ ହେବାର ଶକ୍ତି ଆମର ନାହିଁ ନିର୍ଭୀକ, କିନ୍ତୁ ସାହସ ତ ଅଛି ! ଦେଖ, ଆଲୋକର ସନ୍ଧାନରେ ମଫସଲରୁ ସହସ୍ର ସହସ୍ର ସରଳ ଗାଉଁଲି ଲୋକ ଜୀବନ ଦେବାକୁ ଧାଇଁ ଆସୁଛନ୍ତି । ଗଡ଼ରେ ଥାଇ ମଧ୍ୟ ଏ ଲୋକଙ୍କର ଛାନିଆଁ ଏତେବେଶି ଯେ ଗୋଟିଏ ନିଃସହାୟା ବାଳିକାକୁ ଘରେ ଆଶ୍ରୟ ଦେବାକୁ ସୁଦ୍ଧା ଏହାଙ୍କର ଏତେ ଡର ।

 

ଗୋଲାପ ହତାଶ ହୋଇ ଜନତା ମଧ୍ୟରୁ ବାହାରି ବିକ୍ରମଙ୍କ ଆଗରୁ ସାଶ୍ରୁ ନୟନରେ ଠିଆ ହୋଇଥିଲା । ତା’ର କାକୁତି ମିନତି କାହାରି ପଥର ଛାତି ତରଳାଇଲା ନାହିଁ । ତାକୁ ଆଶ୍ରୟ ଦେବାକୁ କେହି ସମ୍ମତ ହେଲେ ନାହିଁ ।

 

ଗୋଲାପ ଆଡ଼କୁ ଚାହିଁ ବିକ୍ରମ କହିଲେ, ମା, ତୁମକୁ ଆଶ୍ରୟ ଦେବାକୁ ଏ ଗଡ଼ରେ ଜଣେ ହେଲେ କେହି ପୁରୁଷ ନାହିଁ । ଭୟ କର ନାହିଁ । ତୁମର ଜୀବନ ଥାଉଁଣୁ କେହି ତୁମକୁ ରାଜନଅରକୁ ନେଇ ପାରିବେ ନାହିଁ । ଏହାହିଁ ମୋର ପ୍ରତିଜ୍ଞା ।

 

ବୀକ୍ରମ, ନିର୍ଭୀକ ଓ ତାଙ୍କ ଦଳର ଅନ୍ୟାନ୍ୟ ଲୋକେ ଗୋଲାପକୁ ସଙ୍ଗରେ ନେଇ ଅରଣ୍ୟରେ ପଶିଲେ । ପ୍ରମାଦ ଗଣି ଲୋକେ ମଧ୍ୟ ନିଜ ନିଜ ଘରକୁ ଫେରିଲେ ।

Image

 

ସ୍ୱପ୍ନଭଙ୍ଗ

 

ମନ୍ତ୍ରୀ ବାହାରଙ୍କଠାରୁ ଅଲ୍‍ବତ ଖାଁ ଓ ଅନ୍ୟ କେତେଜଣ ସିପାହୀଙ୍କର ମୃତ୍ୟୁ ଖବର ଓ ଗୋଲାପର ଅନ୍ତର୍ଦ୍ଧାନ ଖବର ଶୁଣିଲେ । ତାଙ୍କ କ୍ରୋଧରେ ଆଉ ସୀମା ରହିଲା ନାହିଁ ।

 

ସେ ଚିନ୍ତାକଲେ, ଗଡ଼ ଲୋକଙ୍କର ପ୍ରକୃତି ଏପରି ବଦଳି ଯିବାର କାରଣ କଅଣ ? ଯେଉଁ ଦେଶର ପ୍ରଜା ଏପରି ଉପରମୁହାଁ, ତାଙ୍କୁ ନେଇ ରାଜ୍ୟ ଚଳାଇବେ କିପରି ? ଶାସନ ଅଭାବରୁ ଲୋକଙ୍କର ଡରଭୟ ଉଭେଇ ଗଲାଣି । ଏଥିପାଇଁ ଶ୍ରୀଛାମୁରେ ତାଙ୍କୁ ଜବାବ ଦେବାକୁ ହେବ । କି ଲଜ୍ଜାର କଥା ! ମନ୍ତ୍ରୀଗିରି କରି ବାଳ ପାଚିଲା । ଶେଷକୁ ବୁଢ଼ାଦିନେ ଅଦକ୍ଷତାର ଅପବାଦ ନେଇ ରାଜାଙ୍କ ଆଗରେ ମୁଣ୍ଡ ନୁଆଇଁ କଥା କହିବାକୁ ହେବ ?

 

କପାଳରେ ହାତ ବୁଲାଇ ଆଖି ତରାଟି ସୁଦୂର ବିଛାମାଳ ପାହାଡ଼ ଆଡ଼କୁ ଚାହିଁଲେ । ଭାବିଲେ, ପ୍ରତିକାର କରିବାକୁ ହେବ । ଟାଣ ହାତରେ ଶାସନ କରିବାକୁ ହେବ, ଗଡ଼ଲୋକେ ସପ୍ତପୁରୁଷ ଯାଏ ଯେପରି ମନେରଖି ପାରିବେ । ରାଜାର ଇଚ୍ଛାରେ, ରାଜାର କାର୍ଯ୍ୟରେ ବାଧା ଦେଲେ କିପରି ଶାସ୍ତି ଭୋଗିବାକୁ ହୁଏ, କିପରି ପରାଭବ ପାଇବାକୁ ହୁଏ, ଗଡ଼ ଲୋକଙ୍କୁ ଅନୁଭବ କରାଇବାକୁ ହେବ । ମୂଳରୁ ବିଦ୍ରୋହକୁ ଦବାଇବାକୁ ପଡ଼ିବ ।

 

ମନ୍ତ୍ରୀ ଉତ୍ତେଜିତ ହୋଇ ଉଠିଲେ । ଟେବୁଲ ଉପରେ କରାଘାତ କରି କୁରୁଚିକୁ ସଶବ୍ଦରେ ଠେଲି ବୈଠକଖାନାରୁ ଚାଲି ଯିବାକୁ ବସିଲେ ।

 

ସମୟ ବୁଝି ଜଣେ ବାହକ ଥରି ଥରି ହାତମଳି ଥଙ୍ଗେଇ ଥଙ୍ଗେଇ କହିଲା, ସା’ନ୍ତେ ମୁଣ୍ଡ ଯଦି ରହିବ, କହିବି ।

 

କଅଣ କହିବାକୁ ବସିଥିଲା କହିପାରିଲା ନାହିଁ । ବଡ଼ଲୋକ । ତାଙ୍କୁ କେତେବେଳେ କିପରି ଭାବରେ କେଉଁ କଥା କହିବାକୁ ହୁଏ ତାକୁ ଜଣା ନ ଥିଲା ।

 

ମନ୍ତ୍ରୀ ରାଗିଯାଇ ପଚାରିଲେ, ତୋର କଅଣ କହିବାର ଅଛି ଶୀଘ୍ର କହ ।

–ଆଜ୍ଞା, ଗଡ଼ଲୋକେ ଲାଲୁ ମଣିମାଙ୍କୁ- ଆଉ କହି ପାରିଲା ନାହିଁ । ଭୟରେ ଥରିବାକୁ ଲାଗିଲା ।

 

ତା’ର କଥା ନ ଶୁଣି ଜଣେ ସିପାହୀକୁ ପଚାରିଲେ, କଟୁଆଳ କାହାନ୍ତି ?

 

ସିପେଇ କହିଲା, ଜରୁରୀ ଡକରା ଆସିଥିଲା, କଟୁଆଳ ବାହାଦୂର ନଅରକୁ ବିଜେ କରିଛନ୍ତି ।

 

ସୈନିକର କଥା ତା’ର ମୁହରେ ଅଛି, ଘଡ଼ଘଡ଼ି ଶବ୍ଦ କରି ଗୋଟିଏ ଘୋଡ଼ାଗାଡ଼ି ଆସି ଫାଟକ ବାହାରେ ଠିଆ ହେଲା । ସଙ୍ଗେ ସଙ୍ଗେ କଟୁଆଳ ଗାଡ଼ିରୁ ଖପ୍‌କରି ଡେଇଁପଡ଼ି ସିଧା ସିଧା ମନ୍ତ୍ରୀଙ୍କ ବୈଠକଖାନାଆଡ଼େ ଚାଲିଲେ ।

 

ଲୋକେ ତାଙ୍କୁ ଦେଖି ହାତେ ଜିଭ କାଢ଼ି ତଳେ ମୁଣ୍ଡ ଲଗାଇ ପ୍ରଣାମ କଲେ । ସିପେଇମାନେ ସୈନିକ ରୀତିରେ ବନ୍ଧୁକ ଟେକି ଅଭିବାଦନ ଜଣାଇଲେ ।

 

କଟୁଆଳଙ୍କର ସେଥିପ୍ରତି ଭ୍ରୁକ୍ଷେପ ନାହିଁ । ଭକ୍ତିରେ ହେଉ ବା ଭୟରେ ହେଉ, ଲୋକେ ମାନ୍ୟ ଦେଖାଇଲେ ହେଲା । ଉଚ୍ଚ ପାହ୍ୟାର ଲୋକଙ୍କ ପକ୍ଷରେ ଏହି ମାନ୍ୟଟି ଅତି ଆବଶ୍ୟକ ।

 

ମନ୍ତ୍ରୀଙ୍କୁ ଅଭିବାନ୍ଦନ କରି ସେ ତାଙ୍କ ନିକଟରେ ବସିଲେ । ସେ ବିଚଳିତ ଦେଖାଯାଉଥାନ୍ତି । ମନ ଚଞ୍ଚଳ । ମୁହଁରେ ଜ୍ୟୋତି ନାହିଁ ।

 

ତାଙ୍କର ଏପରି ଅବସ୍ଥା ଦେଖି ମନ୍ତ୍ରୀ ମଧ୍ୟ ବିଚଳିତ ହୋଇପଡ଼ିଲେ । କିଛି ପଚାରିବାକୁ ସାହସ କଲେ ନାହିଁ । ଅଖି ତରାଟି ଆକୁଳ ଦୃଷ୍ଟିରେ କଟୁଆଳଙ୍କୁ ଚାହିଁ ରହିଲେ ।

 

କଟୁଆଳ ଦାନ୍ତ ଚିପି, ହାତ ମୁଠା କରି, ବ୍ୟସ୍ତ ହୋଇ କହିଲେ, ଶୁଣିଛନ୍ତି ତ ସବୁ ? ଘଟଣା ବଡ଼ ଗୁରୁତର, ବଡ଼ ଗୁରୁତର ! ଓଃ–

 

ମନ୍ତ୍ରୀ ମୁଣ୍ଡ ହଲାଇ କହିଲେ, ସବୁ ଶୁଣିଛି, ସବୁ ଜାଣେ । ପ୍ରତିକାର କରିବାକୁ ଆପଣଙ୍କୁ ଡକାଇ ପଠାଇଥିଲି । କଅଣ କରିବାକୁ ହେବ କହିଲେ, ସବୁ ଶୁଣିଛି, ସବୁ ଜାଣେ । ପ୍ରତିକାର କରିବାକୁ ଆପଣଙ୍କୁ ଡକାଇ ପଠାଇଥିଲି । କଅଣ କରିବାକୁ ହେବ କହିଲେ ।

 

–କଅଣ କରିବାକୁ ହେବ ତାହାହିଁ ତ ମୋର ଚିନ୍ତା । ହତ୍ୟାକାରୀ କିଏ ?

 

ଯିଏ ହେଉ, ସେମାନେ ଏହି ଗଡ଼ର ଲୋକ ! ଆମରି ହାତ ମୁଠା ଭିତରେ ! ହତ୍ୟାକାରୀକୁ ବାହାର କରିବା କିଛି କଷ୍ଟସାଧ୍ୟ ନୁହେଁ । ତେବେ, ରାଜାଙ୍କର ବିନା ଅନୁମତିରେ କିଛି କରି ହେଉ ନାହିଁ । ବେଳୁବେଳ ଲୋକଙ୍କର ସାହସ ବଢ଼ି ଯାଉଛି । ଆଗରୁ ପ୍ରତିକାର ନ କଲେ ଶେଷରେ ଫଳ ବିଷମ ହେବ । ଆଜି ଅଲ୍‍ବତ ଖାଁକୁ ମାରିଛନ୍ତି । କାଲି ଆଉ କେଉଁ ରାଜକର୍ମଚାରୀଙ୍କୁ ମାରିବେ । ସେଇଠୁ ରାଜନଅରକୁ ହାତ ବଢ଼ାଇବେ । ନା, ସେମାନଙ୍କର ଔଦ୍ଧତ୍ୟ ଆଉ ସହି ହେବ ନାହିଁ ।

 

–ଆଉ ଗଳ୍ପ କରିବାକୁ ବେଳ ନାହିଁ । ଆସନ୍ତୁ ଛାମୁ ମୋରି ହାତରେ ଆପଣଙ୍କୁ ଡକାଇଛନ୍ତି । ବଡ଼ ବିରସ ଭାବରେ ସେ ସଭା ଘରେ ବସିଛନ୍ତି । ଉଦ୍ଧତଙ୍କର କ୍ଷତବିକ୍ଷତ ମଲା ଦେହଟା ସଭା ଭିତରେ ରଖା ହୋଇଛି ।

 

ମନ୍ତ୍ରୀ ବିସ୍ମିତ ହେଲେ । କିଛି ବୁଝି ନ ପାରି ଭ୍ରୁକିଞ୍ଚିତ କରି କହିଲେ, ଉଦ୍ଧତଙ୍କର ମଲା ଦେହ !

 

କଟୁଆଳ ମନ୍ତ୍ରୀଙ୍କ ମୁହଁରେ ଚାହିଁଲେ । ବ୍ୟସ୍ତ ହୋଇ ସେ କହିଲେ, ଆପଣ ତେବେ କିଛି ଜାଣନ୍ତି ନାହିଁ ? କାଲି ରାତିରେ ଉଦ୍ଧତଙ୍କୁ କିଏ ହତ୍ୟା କରିଛି ।

 

–ହତ୍ୟା କରିଛି ? ଉଦ୍ଧତଙ୍କୁ ? କେଉଁଠି ?

ଉଭୟେ କିଛିକାଳ ନୀରବ ରହିଲେ ।

 

କଟୁଆଳ କହିଲେ, ରାଜନଅରରେ ଆତଙ୍କ ପଶିଯାଇଛି-। କାହାରି ମୁହଁରେ ଭାଷା ନାହିଁ-। କାହାରି ମୁହଁରେ ସରସତା ନାହିଁ । ଯେ ଯେଉଁଠି ବସି ରହିଛି । ରାଜା ନିଜେ ମଧ୍ୟ ବିବ୍ରତ ହୋଇପଡ଼ିଛନ୍ତି ।

 

ମନ୍ତ୍ରୀଙ୍କ ଛାତିରେ ଛନକା ପଶିଲା । ଏଁ ସୁରଙ୍ଗ ରାଜ୍ୟରେ ଏପରି କିଏ ପୁଅ ଅଛି, ରାଜପୁତ୍ରର ଜୀବନ ନେବାକୁ ସାହସ କଲା ? ଏଡ଼େ ଅମୂଲ୍ୟ ଜୀବନ, ଏଡ଼େ କୋମଳ ସୁକୁମାର ଜୀବନ ଉପରେ ଯେଉଁମାନେ ଆକ୍ରୋଶ ସାଧି ପାରନ୍ତି, ସେମାନଙ୍କ ପକ୍ଷରେ ଏ ରାଜ୍ୟରେ ଅସମ୍ଭବ କଅଣ ହୋଇପାରେ ? ଯେଉଁଠି ରାଜା ଏବଂ ରାଜପୁତ୍ରମାନଙ୍କର ଜୀବନ ଏପରି ବିପଦସଙ୍କୁଳ, ସେଠି ମନ୍ତ୍ରୀ ବା କଟୁଆଳଙ୍କ ଜୀବନକୁ ପଚାରେ କିଏ ?

 

ମନ୍ତ୍ରୀ ଓ କଟୁଆଳ ନୀରବରେ ସେଠାରୁ ଉଠିଆସି ଗାଡ଼ିରେ ବସିଲେ । ସେମାନଙ୍କର ବିରସ ଚିନ୍ତାଶୀଳ ମୁଖ ଦେଖି ସୈନିକମାନେ ନାନା ଦୁଶ୍ଚିନ୍ତା କରିବାକୁ ଲାଗିଲେ ।

 

ଗାଡ଼ି ଦ୍ରୁତ ବେଗରେ ପ୍ରାସାଦ ଅଭିମୁଖେ ଚାଲିଲା ।

 

ରକ୍ତମାଂସର ଦେହ ଅଜଣା କେଉଁ ଦୈବୀ-ଶକ୍ତିରେ ଗଢ଼ା ଜୀବନ ଯେଉଁଠି ଦେଖ ସେଇଠି ସମାନ । ଉଦ୍ଧତ ରାଜକୁମାର ବୋଲି ତାଙ୍କର ରକ୍ତ ବେଶି ଲାଲ ନୁହେଁ । ତାଙ୍କ ଜୀବନ ବେଶୀ ମୂଲ୍ୟବାନ ନୁହେଁ । ପ୍ରଭେଦ ରକ୍ତମାଂସ ବା ଜୀବନରେ ନାହିଁ । ପ୍ରଭେଦ, ସେହି ରକ୍ତମାଂସ ବା ଜୀବନର ସାର୍ଥକତାରେ । ପ୍ରଭେଦ ମଣିଷରେ ନାହିଁ, ପ୍ରଭେଦ ମଣିଷର ଆତ୍ମବଳରେ ।

 

ଏ କଥା ସେମାନେ ବୁଝିଲେ ନାହିଁ ।

Image

 

ବିଚାରଣା

 

ରାଜଭବନର ଗୋଟିଏ ନିଭୃତ କୋଠରୀ । ସାଧାରଣଙ୍କର ପ୍ରବେଶ ନିଷିଦ୍ଧ । ବାହାର ପ୍ରାଙ୍ଗଣରେ କେତେଜଣ ନୀରବ ସୈନିକ ନଳୀଧରି ପହରା ଦେଉଛନ୍ତି । ଭିତରେ ସିଂହାସନ ଉପରେ ଉପବିଷ୍ଟ ରାଜା ପ୍ରପଞ୍ଚ ସିଂହ । ଦୁଇପାଖେ ଦୁଇଟି ଆସନରେ ବସିଛନ୍ତି ସର୍ବନାଶ ଓ ଉଚ୍ଛନ୍ନ । ସମ୍ମୁଖରେ ମନ୍ତ୍ରୀ ଫିସାଦ, କଟୁଆଳ ବେହିଆ ଓ କାରାରକ୍ଷକ ଦିଲ୍‍ଦାର ।

 

ସମସ୍ତ ନୀରବ, ବିରସ ।

 

ରାଜପ୍ରସାଦ ଉପରେ ଏପରି ଭୟଙ୍କର ବିପଦ ପଡ଼ିବା କଥା ତ ଶୁଣା ନାହିଁ, କିଏ ବା ଦେଖିବ କିପରି ? ଶାସନ ଶୃଙ୍ଖଳାର ଶିଥିଳତା ଘଟିଛି । ରାଜାର ଅନ୍ନ ଖାଇ କେବଳ ଶାସନ କରିବା ପାଇଁ ଯେଉଁ ପଶୁମାନଙ୍କୁ ପୋଷା ଯାଉଛି, ସେମାନେ ତାଙ୍କର କର୍ତ୍ତବ୍ୟରେ ତ୍ରୁଟି ଦେଖାଇଛନ୍ତି । ଏତେବଡ଼ ଭୟାବହ ଘଟଣା ଘଟିଗଲା । ଏଥିକୁ ଦାୟୀ କିଏ ? ସେଥିପାଇଁ ଜବାବ୍‌ ଦେବାକୁ ପଡ଼ିବ କାହାକୁ ?

 

ରାଜା ପ୍ରପଞ୍ଚ ସିଂହ ସାଶ୍ରୁ ନେତ୍ରରେ ଉଦ୍ଧତଙ୍କର ଶବ ଆଡ଼କୁ ତେରଛା ଦୃଷ୍ଟିରେ ଚାହିଁଲେ । ରକ୍ତବୋଳା କ୍ଷତବିକ୍ଷତ ଦେହଟି ଆବୃତ ହୋଇ ଟେବୁଲ ଉପରେ ଲମ୍ବାଇ ଦିଆଯାଇଛି-। ଯାହାଙ୍କ ନାମରେ ଅନ୍ଧାରିମୁଲକର ଲକ୍ଷ ଲକ୍ଷ ପ୍ରଜା ଥରହର ହୋଇ କମ୍ପୁଥିଲେ, ସେ ଆଜି ମୃତ ।

 

ଦିନକ ଭିତରେ ତାଙ୍କର ଏହି ସୁକୁମାର ଦେହଟି ଆପେ ଆପେ ସଢ଼ିପଚିଯିବ । ଉଦ୍ଧତର ଔଦ୍ଧତ୍ୟ, ମଣିଷର କ୍ଷମତା ଅନନ୍ତ ସମୟ ଭିତରେ ଅଜଣା ସମାଧି ନେବ ।

 

ରାଜପୁତ୍ର ଉଦ୍ଧତ ଆଜି ଆଉ ଏ ଦୁନିଆଁରେ ନାହାନ୍ତି । ତାଙ୍କର କଳଙ୍କିତ ନାମ କାଲି ହେବ ସ୍ୱପ୍ନ ! କାଲି ପରି ଲକ୍ଷ ଲକ୍ଷ ମୁଦ୍ରା ବ୍ୟୟକରି ସୁଦୂର କେଉଁ ଅନ୍ଧାରିମୂଲକରେ ବିବାହ କରି ପତ୍ନୀ ଘେନି ସ୍ୱଗର୍ବରେ ସ୍ୱଦେଶକୁ ଫେରିଥିଲେ ? ମାଗଣ ଛଳରେ କେତେ କୁଳକାମିନୀଙ୍କ ହାତର ଖଡ଼ୁ କାଢ଼ି ଅଣା ହୋଇଥିଲା, ବିବାହ କାର୍ଯ୍ୟରେ ବ୍ୟୟ କରା ହୋଇଥିଲା ? ସେମାନଙ୍କର ଛାତିଫଟା ଦିର୍ଘଶ୍ୱାସ ସେମାନଙ୍କର କରୁଣ ଆଖିପତାର ଉଷ୍ମ ଜଣକଣା ପ୍ରତି କିଏ ଭ୍ରୁକ୍ଷେପ କରିଥିଲା ? ଶୁଭବିବାହରେ କେତେ ନିରୀହ ପ୍ରଜା ବେଠିଆଙ୍କର ଦେହ ସଙ୍ଗିନ କେଞ୍ଚାରେ କ୍ଷତବିକ୍ଷତ ହୋଇଥିଲା ?

 

ଉଦ୍ଧତ ନାହାନ୍ତି । କାଲିଠାରୁ ଅନ୍ତଃପୁରର କୁଳକାମିନୀମାନେ ମୁଣ୍ଡର ଓଢ଼ଣା ଖୋଲି ବିଶ୍ୱର ଆଲୋକ ଆଡ଼କୁ ପୁଲକରେ ଅନାଇବାକୁ ସାହସ କରିବେ !

 

ରାଜା ପ୍ରପଞ୍ଚ ସିଂହ ଭାଇର ମଲା ଦେହ ଦେଖି ଚମକି ଉଠିଲେ । ତାଙ୍କ ଦେହ ଶୀତେଇ ଉଠିଲା । ସେ ମନ୍ତ୍ରୀଙ୍କୁ ଚାହିଁ ଘୃଣାରେ ନାକ ଟେକି କହିଲେ, ଏ କଅଣ ହେଲା ଦେଖିଲ ? ଲୋକଙ୍କର ସାହସ କେତେଦୂର ବଢ଼ିପାରେ ! ଏଥିରୁ ସ୍ପଷ୍ଟ ବୁଝା ପଡ଼ୁଛି । ଆପଣଙ୍କର ରାଜ୍ୟ ଶାସନ କରିବାର କ୍ଷମତା ଏବେ ଜଣାପଡ଼ିଲା । ଆପଣ ଅଦକ୍ଷ, ଅବିଶ୍ୱାସୀ । ଆପଣ ନିମକହାରାମ । ଯାହାହେଉ, ଯେକୌଣସି ଉପାୟରେ ହତ୍ୟାକାରୀଙ୍କୁ ଖୋଜି ବାହାର କରିବାକୁ ହେବ । ନୋହିଲେ, ନୋହିଲେ–

 

ରାଜା ଘୂର୍ଣ୍ଣାୟମାନ ରକ୍ତଚକ୍ଷୁରୁ ବାକ୍ୟର ଶେଷାଂଶ ପ୍ରକାଶିତ ହେଲା ।

 

ମନ୍ତ୍ରୀ ଭୟରେ କଳାକାଠ ହୋଇ ଯାଇଥିଲେ । ଏପରି ଗୁରୁତର ଘଟଣାରେ ସାନ୍ତ୍ୱନା ଦେବା ଦୂରର କଥା, ନିଜର ଅପାରଗତା ପାଇଁ ସେ ଲଜ୍ଜିତ ଓ ଭୀତ ହୋଇଥିଲେ ।

 

ରାଜାଙ୍କର କଥା ଶୁଣି ସେ ହାତଯୋଡ଼ି ଭୀତଜଡ଼ିତ କଣ୍ଠରେ କହିଲେ, ମଣିମାଙ୍କର ଅନୁମାନ ଯଥାର୍ଥ । ଲୋକଙ୍କର ସାହାସ ଓ ଔଦ୍ଧତ୍ୟ ବଢିଛି । ଏଥିପାଇଁ ଆଲୁଅ ମୁଲକର ଲୋକେ ଦାୟୀ । ସେମାନେ ଆମ ଅନ୍ଧାର ମୁଲକର ଲୋକଙ୍କୁ ଉତ୍ତେଜିତ କରୁଛନ୍ତି ।

 

ମନ୍ତ୍ରୀଙ୍କର ଆଖି ଛଳଛଳ ହୋଇ ଆସିଲା । ସେ ପୁଣି କହିଲେ, ଛାମୁଙ୍କର ଆଦେଶ ପାଇଲେ ଅକ୍ଲେଶରେ ମୁଁ ହତ୍ୟାକାରୀମାନଙ୍କୁ ଦିନକ ଭିତରେ ଖୋଜି ବାହାର କରାଇବି । ମୋର ଯେତେଦୂର ଅନୁମାନ, ଏହି ଗଡ଼ରେ କେତେଜଣ ଲୋକ ମେଳି ହୋଇ ଦୁଇଆଡ଼େ ଏପରି କାଣ୍ଡ କରିଛନ୍ତି । ଚରଙ୍କଠାରୁ ମୁଁ ଖବର ପାଇଥିଲି ଯେ ଗଡ଼ରେ କେତେଜଣ ଲୋକ ଆମ୍ଭମାନଙ୍କ ବିରୁଦ୍ଧରେ ଲୋକଙ୍କୁ ମତାଉଛନ୍ତି । ପ୍ରଥମେ ମୋର ଏଥିରେ ବିଶ୍ୱାସ ହେଉ ନ ଥିଲା । ବର୍ତ୍ତମାନ ଘଟଣା ଯେପରି ହୋଇଛି, ବିଶ୍ୱାସ ନ କରି ରହି ହେଉ ନାହିଁ ।

 

କଟୁଆଳ ବେହିଆ କହିଲେ, ଏମାନଙ୍କ କଥାରୁ ବୁଝାଯାଉଛି ଯେ କେତେଜଣ ଲୋକ ଛଦ୍ମବେଶରେ ଡକାୟତଙ୍କର ପଛରେ ଚାଲିଥିଲେ । ଏପରି ଗୋଟିଏ ନୃଶଂସ କାମ କରିବେ ବୋଲି ଆଗରୁ ପ୍ରସ୍ତୁତ ହୋଇଯାଇଥିଲେ। ମୋର ମଧ୍ୟ ସନ୍ଦେହ ହେଉଛି, ଏହି ଗଡ଼ର ଲୋକଙ୍କର ଏ କାଣ୍ଡ-। ଗାଉଁଲି ଳୋକଙ୍କର ଏତେ ସାହସ ହୁଅନ୍ତା ନାହିଁ ।

 

ଦିଲ୍‍ଦାର ମୁଣ୍ଡ ଟୁଙ୍ଗାରି ଦାଢ଼ିରେ ହାତ ମାରିଲେ । ବିନୀତ ଭାବରେ ମୁଣ୍ଡ ନୁଆଁଇ ରାଜାଙ୍କୁ ଚାହିଁ କହିଲେ, ହଜୁର, ଗୋଲାମର୍‍ ବି ସେହି ମତ । ଲେକିନ୍‌ ମାଲୁମ୍‌ ହେଉଛି, ଏ ଭିତରେ ବିଶ୍ୱାଳର ଲୋକ ସଲା ଅଛନ୍ତି ।

 

ମନ୍ତ୍ରୀ କହିଲେ, ଅସମ୍ଭବ ନୁହେଁ । ବିଶ୍ୱାଳଙ୍କୁ ଜେଲ ଦେବା ସଙ୍ଗେ ସଙ୍ଗେ ଯେତେବେଳେ ଏପରି ଘଟଣାମାନ ଘଟିଯାଇଛି, ଏଥିରୁ ଯେ କେହି ମିଆଁଙ୍କ କୁଥାରୁ ସତ୍ୟତା ଉପଲବ୍‌ଧି କରିପାରିବ । ସଙ୍ଗେ ସଙ୍ଗେ ଅଲ୍‍ବତ ଖାଁର ମୃତ୍ୟୁ ଓ ଗୋଲାପର ହରଣ ଖବରରୁ ବୁଝାଯାଉଛି, ବିଶୋଇ ମଧ୍ୟ ହତ୍ୟାକାରୀମାନଙ୍କର ଜଣେ ପ୍ରଧାନ ସହକର୍ମୀ ।

 

ରାଜା ପଚାରିଲେ, ନାରଣ ଜେନା ପଟୁଆରି ବା ନ ହୋଇଥିବ କାହିଁକି ?

ଦିଲ୍‍ଦାର ଉତ୍ତର ଦେଲେ, ଖୁବ୍‌ ସମ୍ଭବ ମଣିମା, ପହିଲେ ଉସ୍‌କୁ........

 

ଉଚ୍ଛନ୍ନ ବିରକ୍ତ ହୋଇ କହିଲେ, ତମେ ନିହାତି ମୂର୍ଖ, ନିତାନ୍ତ ଅକ୍ଷମ । ଏଥିପାଇଁ ଦାୟୀ ସମସ୍ତେ । ଦେଶର ପ୍ରତ୍ୟେକ ଲୋକ । ଭାଇଙ୍କ ଦେହରେ ହାତ ଲଗାଇବାକୁ ସାହସ କରିବା ପୂର୍ବରୁ ଯେଉଁମାନେ ପ୍ରଥମେ ଏ ପ୍ରସ୍ତାବ କରିଥିବେ, ରାଜ୍ୟ ଲୋକଙ୍କୁ କଦାପି ତାହା ଅଜଣା ରହି ନ ଥିବ । ନିଶ୍ଚୟ ସେମାନେ ପରାମର୍ଶ କରି କାର୍ଯ୍ୟ କରିଥିବେ । ଅତଏବ ମୁଁ ଭାବୁଛି, ଏଥିକୁ ଦାୟୀ ସମସ୍ତେ ।

 

ସର୍ବନାଶ କହିଲେ, ହଁ, ଭାଇ ଦେଖୁ ନାହାନ୍ତି, ମଫସଲରୁ ଗାଉଁଲି ଲୋକେ କିପରି ଦଳ ବଳ ଘେନି ଗଡ଼କୁ ଧାଇଁ ଆସୁଛନ୍ତି । ସେମାନଙ୍କ ଭିତରୁ ଯଦି କେହି ଏପରି କାଣ୍ଡ କରିଥାଏ ?

 

ରାଜା କହିଲେ, ଠିକ୍ କହିଛ, କିନ୍ତୁ ରାଜାର ଭାଇ ଯଦି ଏ ରାଜ୍ୟରେ ରାଜ୍ୟଲୋକଙ୍କ ହାତରେ ହାଣ ଖାଇ ମରେ, ତେବେ ଏ କୁକୁରଗୁଡ଼ାଙ୍କୁ ବେତନ ଦେଇ ପୋଷିବା ଆବଶ୍ୟକ କଅଣ-?

ଉଚ୍ଛନ୍ନ ଉଠି ଦିଲ୍‍ଦାରଙ୍କ ଦାଢ଼ିକୁ ଜୋରରେ ଟାଣିଦେଇ କହିଲେ, କିଛି ନାହିଁ ଭାଇ, ଦୋଷ ଏହିମାନଙ୍କର । ଆପଣଙ୍କ ମୁହଁରୁ ପଦେ ଆଦେଶ ପାଇଲେ ଘଡ଼ିକ ଭିତରେ ମୁଁ ପ୍ରଳୟ କରି ଦିଅନ୍ତି । ସେହି ପ୍ରଳୟ ଯଜ୍ଞର ଆହୁତି ହୁଅନ୍ତେ ଆଗ ଏହି ନିମକ୍‌ହାରାମ କୁକୁରଦଳ ।

ଦିଲ୍‍ଦାର ଦାଢ଼ିର ଝୁଙ୍କା ପାଇ ମୁଖ ବିକୃତି କରି ନୀରବ ରହିଲେ । ମନ୍ତ୍ରୀ ଓ କଟୁଆଳଙ୍କର ଦାଢ଼ି ନାହିଁ । କିନ୍ତୁ, ବିପଦ ଯେ ଶୀଘ୍ର ପିଠିରେ ପଡ଼ିପାରେ, ଏଥିପାଇଁ ତାଙ୍କର ପିଠି ଉଲ୍‌ସି ଉଠିଲା । କାଳେ କିଏ ଦେଖିଥିବ ବୋଲି ମନ୍ତ୍ରୀ ଓ କଟୁଆଳଙ୍କ ଚୋରାଚାହାଁଣୀ ପ୍ରକୋଷ୍ଠରେ ଦରଜାଆଡ଼ ଖୋଜି ଆସିଲା । ନିକଟରେ କେହି ନାହାନ୍ତି, ବୁଝି ସେମାନେ ନିଶ୍ଚିତ ହେଲେ । କଅଣ କରିବେ ? ହକ୍‌ ଚାକିରି କରିଛନ୍ତି, କିଛି ମୋଫତ୍‌ ନୁହେଁ । ମାଡ଼-ଗାଳି ନୌକରସାହିର ଗୌରବ ? କିଏ କଲମ- ମୁନରେ ମାଡ଼ ଖାଏ, କିଏ ଖାଏ ସଙ୍ଗିନ ମୂନରେ । ଏକା କଆ !

ମନ୍ତ୍ରୀ ମହାଶୟ ସମୟ ବୁଝି ନିକଟ-ଭବିଷ୍ୟତର ଦ୍ୱିତୀୟ ଅଭିନୟ ହେବା ଆଗରୁ ଉତ୍ତେଜିତ ହୋଇ କହିଲେ ଠିକ୍‍ କହିଛନ୍ତି ରାଜକୁମାର । ପ୍ରଳୟ ଧ୍ୱଂସ ସବୁ ଆବଶ୍ୟକ । ଅକୃତଜ୍ଞ ପ୍ରଜାଗୁଡ଼ାକ ଆଜି ଯାହା କରିଛନ୍ତି, ଅନ୍ୟ କେଉଁ ଦେଶରେ ଏପରି ହେବା ଦେଖା ନ ଥିଲା । ଆଦେଶର ଅପେକ୍ଷାରେ ମୁଁ ନୀରବ ନିଶ୍ଚଳ ହୋଇ ବସିଛି । ଛାମୁ ଡକାଇଛନ୍ତି ବୋଲି କଟୁଆଳଙ୍କ ସଙ୍ଗେ ଦର୍ଶନ କରିବାକୁ ଧାଇଁ ଆସିଲି । ନୋହିଲେ ହତ୍ୟାକାରୀଙ୍କୁ ଧରିବା ପାଇଁ ସୁରଙ୍ଗଗଡ଼ରେ ଧ୍ୱଂସର ନିଆଁ ଜାଳିଦେଇ ଆସିଥାନ୍ତି ।

ପ୍ରପଞ୍ଚ ଦୀର୍ଘ ଶ୍ୱାସ ଛାଡ଼ିଲେ । ସର୍ବନାଶ ଦିଲ୍‍ଦାରଙ୍କ ଦାଢ଼ି ଛାଡ଼ି ସ୍ୱ-ସ୍ଥାନକୁ ଫେରି ଆସିଲେ । ଦିଲ୍‍ଦାର ପୁର୍ନବାର ଆସନ ଗ୍ରହଣ କରି ବିଚଳିତ ହୋଇ ଥରେ ଏପାଖ ସେପାଖ ଚାହିଁଲା ।

କଟୁଆଳ କହିଲେ, ଛାମୁ ରାଜପରିବାର ପ୍ରତ୍ୟେକଙ୍କ ଜୀବନ ବର୍ତ୍ତମାନ ବିପଦାପନ୍ନ । ଜଣାପଡ଼ୁଛି, ଅନିଷ୍ଟ କରିବାକୁ ଦେଶର ଚାରିଆଡ଼େ ଲୋକେ ଟାକି ବସି ସୁବିଧା ଖୋଜି ବୁଲୁଛନ୍ତି । ଜଣାପଡ଼ୁଛି, ହତ୍ୟା କାରୀମାନଙ୍କର ଇଚ୍ଛା ଓ ଉଦ୍ଦେଶ୍ୟ ଭିନ୍ନ ପ୍ରକାର । ତେଣୁ ରାଜବଂଶର କେହି ପ୍ରାସାଦ ଛାଡ଼ି ବାହାରକୁ ଯିବା ଉଚିତ ନୁହେଁ ।

ଦିଲ୍‍ଦାର କହିଲେ, ଯବାନ ସଚ୍ଚା ।

ରାଜା କପାଳ କୁଞ୍ଚିତ କରି କହିଲେ, ଯାହା ହେବାର ହୋଇସାରିଛି । ଉଦ୍ଧତଙ୍କୁ ଆଉ କେହି ଫେରାଇ ଆଣିପାରିବେ ନାହିଁ ।

ମନ୍ତ୍ରୀ ହାତଯୋଡ଼ି ନିବେଦନ କଲେ, ଆଜ୍ଞା ମଣିମା ଯେ ଯାଇଛନ୍ତି ସେ ଆଉ ଫେରିବେ ନାହିଁ । ତାଙ୍କର ସ୍ମୃତିରକ୍ଷା ପାଇଁ ଗୋଟିଏ ପୋଖରୀ ଖୋଳାଇବା ।

ମନ୍ତ୍ରୀଙ୍କର କଥାରେ ଗୁରୁତ୍ୱ ନ ଦେଇ ପ୍ରପଞ୍ଚ ମୁହଁ ଶୁଖାଇ କହିଲେ, ଏପରି କିଛି କରିବାକୁ ହେବ ଯାହାକି ସବୁ ଦିନପାଇଁ ଲୋକଙ୍କର ମନେରହିବ । ରାଜପରିବାରର ବିଲେଇ ଛୁଆଟି ଉପରକୁ ହାତ ଟେକିଲେ ଯେ ସେ ହତଟା ଛଡ଼ିଯିବ ଏ କଥା ଲୋକଙ୍କର ଜାଣିବା ଆବଶ୍ୟକ ।

କଟୁଆଳ ଏକମତ ହୋଇ କର ଯୋଡ଼ି କହିଲେ, ଛାମୁଙ୍କର ଆଦେଶ ଶୀରୋଧାର୍ଯ୍ୟ । ଇଙ୍ଗିତ ପାଇଲେ ଉଦ୍ଧତଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଏକଶତ ଗ୍ରାମ ଭସ୍ମୀଭୂତ କରିବି, ଏକ ସହସ୍ର ଲୋକଙ୍କର ପ୍ରାଣ ନେବି ।

ଦିଲ୍‍ଦାର କହିଲେ, ଲୋକେ ଉତ୍ତ୍ୟକ୍ତ ହୋଇଛନ୍ତି । ଏପରି କରିବାର ଉପାୟ କଅଣ ?

ପ୍ରପଞ୍ଚ କହିଲେ, ଉପାୟ ତମକୁ ସ୍ଥିର କରିବାକୁ ହେବ ।

ମନ୍ତ୍ରୀ କହିଲେ, ମିଆଁ ସାହେବ, ଆଜିଯାଏ ଛାମୁଙ୍କ ମୁଖର ଶ୍ରୀବଚନ ବୁଝିବାର ଶକ୍ତି ତୁମର ହୋଇନାହିଁ । ରାଜାଙ୍କୁ ଯଦି ସବୁକଥା କହିବାକୁ ହେବ ଓ କରିବାକୁ ପଡ଼ିବ, ବେତନ ଦେଇ ଏତେ ଦାସଦାସୀ ରଖିବା ଆବଶ୍ୟକ କଅଣ ? ଆମ ପକ୍ଷରେ ଛାମୁଙ୍କ ଉଦ୍ଦେଶ୍ୟ ଜାଣିଲେ ଯଥେଷ୍ଟ ହେଲା ।

ପ୍ରହରୀ ଆସି ଯୋଡ଼ହସ୍ତ ନତମସ୍ତକରେ ଜଣାଇଲା, ଧର୍ମାବତାର, ଜଣେ ବାବାଜୀ ଛାମୁଙ୍କର ଦର୍ଶନ ଲାଗି ବାହାରେ ଅପେକ୍ଷା କରି ରହିଛନ୍ତି ।

ପ୍ରପଞ୍ଚ ଆଦେଶ ଦେଲେ, କେବଳ ସେହି ବାବାଜୀଙ୍କୁ ଏଠାକୁ ଆଣ ।

Image

 

ଜୀବନ ଭିକ୍ଷା

 

ରାଜା ପ୍ରପଞ୍ଚ ସିଂହଙ୍କ ଆଦେଶ ପାଇ ପ୍ରହରୀ ବାବାଜୀ ଆତ୍ମାରାମଙ୍କୁ ରାଜଛାମୁକୁ ନେଇ ଆସିଲା । ସେ ଆଜି ଶେଷ ଚେଷ୍ଟା କରିବାକୁ ଜୀବନର ଆଶା ପରିତ୍ୟାଗ କରି ରାଜଛାମୁରେ ଗୁହାରି କରିବାକୁ ଧାଇଁ ଆସିଛନ୍ତି । ବେଳୁବେଳ ବଢ଼ୁଥିବା ଉତ୍ତେଜିତ ଜନତାର ଗତିରୋଧ କରିବା ଦୁଷ୍କର । ଅଜୟର ରକ୍ତରେ ବିଜୁଳିର ପ୍ରକମ୍ପ ଦ୍ରୁତତର ହୋଇ ଉଠିଛି । ଭବିଷ୍ୟତକୁ ନ ଚାହିଁ ଲୋକଙ୍କର ପାଗଳାମୀର ସ୍ରୋତରେ ନିଜକୁ ସେ ଭସାଇ ଦେଇଛି । ଆଉ ଉପାୟ ନାହିଁ । ଲୋକେ ରାଜପରିବାର ଉପରେ ପ୍ରତିଶୋଧ ନେବାକୁ ଦୃଢ଼ ପ୍ରତିଜ୍ଞ । ମୂର୍ଖେ ଜାଣନ୍ତି ନାହିଁ, ଯେଉଁ ମୁକ୍ତି ନିଶାରେ ଆଜି ସେମାନେ ପାଗଳ, ସେହି ମୁକ୍ତିର ମୂଲ୍ୟ କେଡ଼େ ଭୟଙ୍କର ।

 

ଆତ୍ମାରାମଙ୍କ ସବୁ ବୁଝାଣ ଜନତା ଆଗରେ ବ୍ୟର୍ଥ ହୋଇଥିଲା । ଉପଦେଶ ଶୁଣୁଛି କିଏ ? ଜଣ ଜଣ କରି ସେ ସହସ୍ର ସହସ୍ର ଲୋକଙ୍କୁ ବୁଝାଇ ପାରନ୍ତେ ନାହିଁ ।

 

ଅଜୟ ବିରକ୍ତ ହୋଇ କହିଥିଲା, ବାବଜୀ, ଜୀବନ ଉପରେ ଯଦି ଏତେ ମମତା, ବିଛାମାଳ ପାହାଡ଼ କୋଳକୁ ଫେରିଯାଇ ଆତ୍ମରକ୍ଷା କର । ଏତେ ଦିନକେ ସୁପ୍ତ ଜନତାର ନିଦ୍ରା ଭାଙ୍ଗିଛି । ବୃଥା ଭୟ ଦେଖାଇ ମନରେ ଦକ ଆଣ ନାହିଁ ।

 

ଆତ୍ମାରାମ ଭବିଷ୍ୟତର କରୁଣ ଦୃଶ୍ୟ କଥାଭାବି କହିଥିଲେ, ବାବା, ପରିଣାମ କଅଣ ହେବ ବୁଝିପାରୁଛ ? ଯେଉଁ ଉଦ୍ଦେଶ୍ୟରେ ବାଟ ଅବାଟ ନ ମାନି ପାଗଳ ହୋଇ ଜନତା ଛୁଟିଛି ତାହା ସଫଳ ହେବ ନାହିଁ । ଶହ ଶହ ଲୋକ ଅକାରଣ ମୃତ୍ୟୁ ମୁଖରେ ପଡ଼ିବେ । ଯେଉଁମାନଙ୍କ ହାତରେ କ୍ଷମତା ଥାଏ, ସେମାନେ କି ସହଜରେ ସେ କ୍ଷମତା ଓ ଶକ୍ତିକୁ ଦୂରକୁ ଫିଙ୍ଗି ଦେବାକୁ ଚାହିଁବେ ? ଫଳରେ, ନିଜର କ୍ଷମତା, ଶକ୍ତି ଓ ବଡ଼ିମାକୁ ଅକ୍ଷୁର୍ଣ୍ଣ ରଖିବାକୁ ଅକ୍ଲେଶରେ ତମର ଜୀବନ ନଷ୍ଟ କରିଦେବେ ।

 

ଅଜୟ କହିଥିଲା, ଜୀବନ ଦୀନେ ନଷ୍ଟ ହେବାର କଥା, ଆଜି ହେବ । ତାଆରି ବିନିମୟରେ ମୁକ୍ତି ଲାଭ କରିପାରିଲେ ସେ ଜୀବନ ସାର୍ଥକ ହେବ ।

 

ଆତ୍ମାରାମ ବୁଝିଲେ, ତର୍କ-ବଳରେ ଉତ୍ତେଜିତ ଲୋକଙ୍କର ମତିଗତି ବଦଳାଇବା ଅସମ୍ଭବ । ବୃଥା ତର୍କ ନ କରି ସେ ଜଙ୍ଗଲ ଭିତରଦେଇ ସିଧା ସିଧା ରାଜପ୍ରାସାଦକୁ ଛୁଟିଲେ ।

 

ରାଜାଙ୍କୁ ଓ ଅନ୍ୟାନ୍ୟ ଉପବିଷ୍ଟ ରାଜକର୍ମଚାରୀ ଓ ରାଜକୁମାରମାନଙ୍କୁ ଯଥାବିଧି ମାନ୍ୟ ପ୍ରଦର୍ଶନ କରି ବାବାଜୀ ଆତ୍ମାରାମ ନୀରବରେ ଠିଆହୋଇ ରହିଲେ । ରାଜାଙ୍କର ବିନାନୁମତିରେ ଆସନ ଗ୍ରହଣ କରିବା ନିୟମବିରୁଦ୍ଧ । ରାଜା ଜଣେ ସନ୍ନ୍ୟାସୀକୁ ଆଗରେ ଆସନ ଗ୍ରହଣ କରିବା ଦେଖି ସହିପାରନ୍ତେ ନାହିଁ ।

 

ଆତ୍ମାରାମ କିଛି କହିବା ଆଗରୁ ମନ୍ତ୍ରୀ ଆଗ ବଳିପଡ଼ି ପଚାରିଲେ କଅଣ କହୁଛ ବାବାଜୀ, ଅସମୟରେ ଭିକ୍ଷା କରିବାକୁ ଆସିଛ ?

 

ଆତ୍ମାରାମ କରୁଣ ନେତ୍ରରେ ଥରେ ମନ୍ତ୍ରୀ ଆଡ଼କୁ ଚାହିଁ ରଜାଙ୍କୁ କହିଲେ, ରାଜା ଯଦି ଆଦେଶ ପାଏ ମୋର ଭିକ୍ଷା ମୁଁ ଶ୍ରୀଛାମୁରେ ଜଣାଇବି । ସାମାନ୍ୟ ଭିକ୍ଷା ପାଇଁ ମୋ ପରି ଜଣେ ସଂସାରବିରାଗୀ ସନ୍ନ୍ୟାସୀ ଛାମୁଙ୍କର ଅମୂଲ୍ୟ ସମୟ ନଷ୍ଟ କରିବାକୁ ଆସି ନ ଥାନ୍ତା । ଭଗବାନଙ୍କ କୃପାରୁ ଛାମୁଙ୍କ ବିଶାଳ ରାଜ୍ୟରେ ପେଟ ପୋଷିବାକୁ ଫଳମୂଳର ଅଭାବ ନାହିଁ ।

 

ଉଚ୍ଛନ୍ନ ବିରକ୍ତ ହୋଇ ପଚାରିଲେ, ଏତେ ଅବତାରଣିକା ଦରକାର ନାହିଁ । ଯଦି ଅଭାବ ନାହିଁ, ଭିକ୍ଷା କରିବାକୁ ଆସିଛ କାହିଁକି ?

 

ମନ୍ତ୍ରୀ କହିଲେ, ଅତିଥିଶାଳାକୁ ଯାଇ ସେଠାରୁ ଭିକ୍ଷାଗ୍ରହଣ କରିପାର ।

 

ଆତ୍ମାରାମ ହସିଲେ । ରାଜାଙ୍କୁ କହିଲେ, ମୁଁ ଆଜି ଅତି ଆଗ୍ରହରେ ଆସିଛି ଶ୍ରୀଛାମୁଙ୍କ ମୁଖରୁ ପଦେ କଥାଶୁଣିବି ।

 

ପ୍ରପଞ୍ଚ କହିଲେ, ଯାହା କହିବାର ଅଛି ଶୀଘ୍ର କହ ।

–ମୁଁ ଭିକ୍ଷା ଚାହେଁ ।

ପ୍ରପଞ୍ଚ କହିଲେ, କି ଭିକ୍ଷା ମାଗିବ ?

 

–ସତ୍ୟ କରନ୍ତୁ । ମନେରଖନ୍ତୁ, ଶ୍ରୀଛାମୁ ପବିତ୍ର ସୂର୍ଯ୍ୟବଂଶରେ ଜନ୍ମ । ସତ୍ୟପାଇଁ ଏହି ବଂଶର ରାଜପୁତ୍ର ରାମ ପିତାମାତା, ଗୃହସଂସାର, ରାଜସିଂହାସନ ସବୁ ଛାଡ଼ି ସନ୍ନ୍ୟାସୀ ହୋଇ ବନରେ ପଶିଥିଲେ । ରାଜା ହରିଶ୍ଚନ୍ଦ୍ର ସତ୍ୟପାଇଁ ପୁତ୍ରକନ୍ୟାଙ୍କୁ ସୁଦ୍ଧା ଅକାତରେ ଦାନ କରିଥିଲେ । ସତ୍ୟ ଚିରଦିନ ପବିତ୍ର !

 

ମନ୍ତ୍ରୀ କଟୁଆଳ କାନରେ କହିଲେ, ମତଲବ୍‍ ଭଲ ନୁହେଁ ଦେଖୁଛି । କଟୁଆଳ ସ୍ମିତ ହସି ମନ୍ତ୍ରୀଙ୍କୁ କହିଲେ, ସାକ୍ଷାତ୍‌ ବିଶ୍ୱାମିତ୍ର ଆସିଲେ ପରା !

 

ଆତ୍ମାରାମ ସେମାନଙ୍କର କଥାରେ କାନ ନ ଦେଇ କହିଲେ, ଛାମୁ, ମୁଁ ଧନ ଭିକ୍ଷା କରିବାକୁ ଆସି ନାହିଁ । କାହାର ଜୀବନ ମଧ୍ୟ ଭିକ୍ଷା କରିବି ନାହିଁ । ମୋ ପରି ବୁଲାଫକୀର ପକ୍ଷରେ ଛାମୁଙ୍କର ସିଂହାସନ ମଧ୍ୟ ମୂଲ୍ୟହୀନ । ମୋର ଭିକ୍ଷାଟି ଆପଣଙ୍କ ପକ୍ଷରେ ଅତି ସାମାନ୍ୟ । ମୋତେ ଭିକ୍ଷା ଦେବାକୁ ଛାମୁରେ ଶ୍ରୀଅଙ୍ଗକୁ କ୍ଳେଶ ହେବ ନାହିଁ । ରାଜକୋଷ ବା ଭଣ୍ଡାରରୁ କଉଡ଼ିଟିଏ ମଧ୍ୟ ଖର୍ଚ୍ଚ ହେବ ନାହିଁ !

 

ସର୍ବନାଶ ଉପହାସ କରି କହିଲେ, ଏପରି ଭିକ୍ଷା ନ ମାଗିଲେ ଭଲ ।

ଉଚ୍ଛନ୍ନ ତାଚ୍ଛଲ୍ୟ କରି କହିଲେ, ପାଗଳ କି ?

ମନ୍ତ୍ରୀ କହିଲେ, ଚୁପସଇତାନ ।

କଟୁଆଳ କହିଲେ, ଭଣ୍ଡଙ୍କ ଗୁରୁ ।

ପ୍ରପଞ୍ଚ କହିଲେ, ସତ୍ୟକରି ଯଦି କେହି ସତ୍ୟ ରକ୍ଷା ନ କରେ ?

 

ଆତ୍ମାରାମ ଉତ୍ତର ଦେଲେ, ସେଥିପାଇଁ ମୋ ମନରେ ଦୁଃଖ ହେବ ନାହିଁ । କଲ୍ୟାଣ କରି ପୁଣି ମୁଁ ମୋର ଅରଣ୍ୟକୁ ବାହୁଡ଼ି ଯିବି ।

 

–ସତ୍ୟ କଲି, ତମର କଅଣ ମାଗିବାର ଅଛି ମାଗ ।

 

ଆତ୍ମାରାମ ଦୁଇ ହାତ ଯୋଡ଼ି ଅଞ୍ଜଳି କରି କହିଲେ, ଛାମୁଁ ନିଜେ ଯେପରି ମଣିଷ, ପ୍ରତ୍ୟେକ ପ୍ରଜାପୁଅକୁ ସେହିପରି ମଣିଷ ବୋଲି ମନେକରିବେ । ଏତିକି ମୋର ମାଗୁଣି ।

 

ସମସ୍ତେ ହୋ ହୋ ହୋଇ ହସି ଉଠିଲେ ।

 

ପ୍ରପଞ୍ଚ ଗମ୍ଭୀର ଭାବରେ କହିଲେ, ତମର ଭିକ୍ଷାରେ ବିଶେଷତ୍ୱ କିଛି ନାହଁ ବାବାଜୀ ! ମଣିଷର ଆଖିକି ମଣିଷ କେବେ କାଠ ପଥର ପରି ଦିଶେ ନାହିଁ । ତୁମେ ଚାଲିଯାଅ ।

Image

 

Unknown

ଆବେଦନ

 

ଆତ୍ମାରାମ ଫେରି ଯିବାକୁ ଦୁଇ ପାଦ ପଛାଇ ଆସିଲେ । ଭାବିଲେ, ଉଦ୍ଦେଶ୍ୟ ତ ସଫଳ ହେଲା ନାହିଁ । ରାଜପୁତ୍ରମାନେ ଓ କର୍ମଚାରୀମାନେ ଯାହା କରୁଛନ୍ତି ସେ ବିଷୟରେ ରାଜାଙ୍କୁ ଚେତାଇ ଦେବା ଉଚିତ ।

 

ସେ ପୁଣି ଆଗକୁ ଆସି ନିବେଦନ କଲେ, ଭିକ୍ଷା ଗ୍ରହଣ କରି ମୁଁ ଫେରିଯାଇଥାନ୍ତି; କିନ୍ତୁ ଦେଖୁଛି, ଦାନ ଦେଇ ମଧ୍ୟ ଛାମୁ ଦାନର ଅର୍ଥ ବୁଝିପାରୁ ନାହାନ୍ତି । ଛାମୁ ଦେଶର ଲୋକଙ୍କୁ କାଠ ପଥର ପରି ମନେକରନ୍ତି । ଯଦି ମଣିଷ ବୋଲି ମନେକରୁଥାନ୍ତେ, ଲୋକେ ଆଜି ବିଦ୍ରୋହୀ ହୋଇ ମରିବାକୁ ଧାଇଁ ଆସୁ ନ ଥାନ୍ତେ ।
 

ଛାମୁଙ୍କର ଏହି ଦେଶ ଭିତରେ ପ୍ରତି ମୂହୁର୍ତ୍ତରେ ଅନ୍ୟାୟ, ଅନୀତି, ଅତ୍ୟାଚାର, ଓ ଅବିବେକିତାରେ ଯେଉଁ ଅଭିନୟ ଚାଲିଛି, ସେସବୁ ଉପରେ ଥରେ ହେଲେ ଛାମୁଙ୍କ ଆଖିରେ ପଡ଼େନାହିଁ, କାନରେ ବାଜେ ନାହିଁ ? । ଲୋକେ ଆଉ ଲୋକେ ହୋଇ ନାହାନ୍ତି । ସେମାନେ କାଠ-ପଥର ପାଲଟି ଗଲେଣି ।

 

ଯାହା ହେବାର ହୋଇଛି । ବର୍ତ୍ତମାନ ଅନୁତାପର ସମୟ ଆସିଛି । ପରିବର୍ତ୍ତନର ସମୟ ଆସିଛି । ଲୋକଙ୍କର ଧନଜୀବନ ପ୍ରତି ମମତା ଆଉ ନାହିଁ । କାହାକୁ ନେଇ ରାଜା ବୋଲି ଗର୍ବ କରିବେ ?

 

ମନ୍ତ୍ରୀ କହିଲେ, ତମର ବକ୍ତୃତା ଶୁଣିବାକୁ ଆମର ଅବସର ନାହିଁ । ଚାଲିଯାଅ ଏଠୁଁ ।

 

ଆତ୍ମାରାମ କହିଲେ, ଅତ୍ୟାଚାର ସହି ସହି ଲୋକ ଥୋବରା ପାଲଟି ଯାଇଥିଲେ । ଆଜି ସେମାନଙ୍କ ମନରେ ଜାଗରଣ ଆସିଛି । ପ୍ରତ୍ୟେକ ବିଷୟର ସୀମା ଅଛି । ଅତ୍ୟାଚାରର ମଧ୍ୟ ସୀମା ଅଛି । ସୀମା ଲଙ୍ଘନ କରାହେଲା । ଫଳରେ ରାଜ୍ୟ ଲୋକେ ଆଜି ଉତ୍ତ୍ୟକ୍ତ । ସହସ୍ର ସହସ୍ର ହୋଇ ଘର ଛାଡ଼ି ଧାଇଁ ଆସୁଛନ୍ତି । ଛାମୁରେ ଦୁଃଖ ଜଣାଇବେ । ନ ଶୁଣିଲେ ଦେଶ ଛାଡ଼ି ଚାଲିଯିବେ ।

 

ଉଚ୍ଛନ୍ନ ବିରକ୍ତ ହୋଇ କହିଲେ, ଅଧିକ ବକ୍‌ବକ ହୁଅ ନାହିଁ । ଭଲ ଦଶା ଥିଲେ ଚୁପ୍‌ଚାପ୍‌ ଫେରିଯାଅ ।

 

ପ୍ରପଞ୍ଚ କହିଲେ, ରହ ଭାଇ, କଅଣ କହୁଛନ୍ତି ସେ କହିଯାଉନ୍ତୁ । ଜାଣ ବାବାଜୀ, ଲୋକେ ରାଜକୁମାର ଉଦ୍ଧତଙ୍କୁ ହତ୍ୟା କରିଛନ୍ତି ?

 

ବାବାଜୀ କହିଲେ, ମୁଁ ଜାଣେ । ନିଜକୃତ ପାପ ଫଳରୁ ଉଦ୍ଧତ ଆଜି ମୃତ । ଉଦ୍ଧତଙ୍କର ସହଚର ବିଭୀଷଣ ଓ ଆଉ କେତେଜଣ ସିପେଇ ମଧ୍ୟ ଅରଣ୍ୟ ଭିତରେ ମରି ପଡ଼ିଛନ୍ତି । ଯେଉଁ ସତୀ ସ୍ୱାଧୀ ଅନ୍ତଃସତ୍ତ୍ୱା ନାରୀ ପାଇଁ ଏହା ଘଟିଲା, ସେ ମଧ୍ୟ ସଂସାର ଛାଡ଼ି ଚାଲିଯାଇଛି ।

 

ଛାମୁଙ୍କର ଏହି ଅକୃତଜ୍ଞ ଦାସଦଳର ଅତ୍ୟାଚାରର ଫଳ ଭୋଗ କରିବାକୁ ପଡ଼ିବ ଛାମୁଙ୍କୁ । ଉଦ୍ଧତ ମୃତ । ଆପଣମାନଙ୍କର ଜୀବନ ମଧ୍ୟ ସଙ୍କଟାପନ୍ନ । ଲୋକେ ମାରିବାକୁ ନୋହିଲେ ମରିବାକୁ ଧାଇଁ ଆସୁଛନ୍ତି । ଆଗରୁ ସାବଧାନ କରିବାକୁ ଛାମୁଙ୍କ ପାଖକୁ ଧାଇଁ ଆସିଲି-। ପ୍ରତିକାର କରନ୍ତୁ ।

 

ପ୍ରପଞ୍ଚ କହିଲେ, ପ୍ରତିକାର କିପରି କରିବାକୁ ହୁଏ ମୋତେ ବେଶ୍‌ ଜଣାଅଛି । ଉଦ୍ଧତଙ୍କ ହତ୍ୟାକାରୀ କିଏ ତୁମକୁ ଜଣା କି ?

 

ଆତ୍ମାରାମ କହିଲେ, ଆତତାୟୀମାନେ ପଳାତକ । ସେମାନେ କିଏ କେହି ଜାଣନ୍ତି ନାହିଁ । ପ୍ରତିକାର କିପରି ହୁଏ ଛାମୁଙ୍କୁ ଜଣାନାହିଁ । ବନ୍ଧୁକ ଓ ତୋପ ଗୁଳାରେ କି ଖଣ୍ଡାଦାଢ଼ ଲାଠି ଲୀଳରେ ପ୍ରତିକାର ନାହିଁ । ଅଛି ଗୋଟିଏ ସାମାନ୍ୟ ଦାନରେ । ମଣିଷକୁ ମଣିଷ ବୋଲି ମନେକରନ୍ତୁ । ନିଜକୁ ମଣିଷ ବୋଲି ମନେକରନ୍ତୁ । ଗତ ପାପ ଓ ଅତ୍ୟାଚାର ପାଇଁ ରାଜ୍ୟ ଲୋକଙ୍କ ଆଗରେ କ୍ଷମା ଭିକ୍ଷା କରନ୍ତୁ । ନୋହିଲେ ପରିତ୍ରାଣ ନାହିଁ ।

 

ଉଚ୍ଛନ୍ନ ଧମକାଇଲେ ଭାରି ବଡ଼ ବଡ଼ କଥା କହୁଛ ହେ ବାବଜୀ, ଦାଢ଼ି ଗଲୁ କଲାଣି କିହୋ !

 

–ଦାଢ଼ି ପ୍ରତି ବିଶେଷ ମମତା ନାହିଁ । ତାହାରି ବିନମୟରେ ଯଦି ଧ୍ୱଂସଲୀଳାରୁ ଆପଣମାନଙ୍କୁ ନିବର୍ତ୍ତାଇ ପାରେ ତେବେ ମୋର ଜୀବନ ସାର୍ଥକ ବୋଲି ମଣିବି ।

 

ମନ୍ତ୍ରୀ କହିଲେ, ତୁମେ କଅଣ ଭାବିଛ, ରାଜା ରାଜ୍ୟଲୋକଙ୍କ ଆଗରେ ଜୀବନ ଭିକ୍ଷା କରିବେ ? ମୁର୍ଖ ! ଜାଣନାହିଁ ରାଜାଙ୍କର ଜୀବନ ରକ୍ଷାପାଇଁ ସହସ୍ର ସହସ ସୈନିକ ପୋଷା ହେଉଛନ୍ତି ! ରାଜାର ବିରୁଦ୍ଧରେ ହାତ ଟେକିବା ଅର୍ଥ ମୃତ୍ୟୁକୁ ହାତ ଠାରି ଡାକିବା ।

 

ହସି ହସି ଆତ୍ମାରାମ କହିଲେ, ଉଦ୍ଧତଙ୍କ ଜୀବନକୁ କିଏ ରକ୍ଷା କରିପାରିଲା ? ରାଜା ଯଦି ନିଜକୁ ମଣିଷ ବୋଲି ମନେକରନ୍ତେ ଓ ଦେଶ ଲୋକଙ୍କୁ ନିଜ ପରି ମଣିଷ ବୋଲି ଘେନନ୍ତେ, ତେବେ ଏତେ ସୈନିକ ପୋଷି ବୃଥା ଅର୍ଥବ୍ୟୟ କରିବା ଆବଶ୍ୟକ ହୁଅନ୍ତା ନାହିଁ । ରାଜାର ଜୀବନ ଓ ସରଳ-ମନରେ ଶାନ୍ତି ଆସନ୍ତା । ଅତ୍ୟାଚାରର ପ୍ରଭାବରେ ଦେଶଟାକୁ ଜାଳିପୋଡ଼ି ଧ୍ୱଂସ କରିଦେଲେ ମଧ୍ୟ ଅତ୍ୟାଚାରୀ ରାଜାର ମନରେ ଶାନ୍ତି ଆସିବ ନାହିଁ । ବିକଳ ପ୍ରାଣ ସବୁବେଳେ ବିପଦ ଆଶଙ୍କା କରୁଥିବ । ସାବଧାନ !

 

ଏତିକି କହି ଆତ୍ମାରାମ କ୍ଷୁବ୍‌ଧ ମନରେ ଧୀରେ ଧୀରେ ରାଜଛାମୁରୁ ବାହୁଡ଼ି ଆସିଲେ-। ସମସ୍ତେ କ୍ଷଣକାଳ ନୀରବ ହେଲେ ।

 

ନୀରବତା ଭଙ୍ଗକରି ଉଚ୍ଛନ୍ନ କହିଲେ ଭଣ୍ଡ ସନ୍ୟାସୀଟାକୁ ଛାଡ଼ି ଦେବା ଉଚିତ ନୁହେଁ । ସେ ବୋଧହୁଏ ବିଦ୍ରୋହୀମାନଙ୍କର ଗୁପ୍ତଚର । ଉଦ୍ଧତଙ୍କର ମରଣ ପଛରେ ତା’ର ହାତ ଅଛି ।

 

ସର୍ବନାଶ ତାଙ୍କ କଥାକୁ ସମର୍ଥନ କରି କହିଲେ, ମୋର ମଧ୍ୟ ସେହି ବିଶ୍ୱାସ ହେଉଛି । କଟୁଆଳ, ତାକୁ ବନ୍ଦୀ କର । ନୋହିଲେ, ସେ ଆହୁରି କଅଣ କାଣ୍ଡ ଭିଆଇବ ।

 

ମନ୍ତ୍ରୀ କହିଲ, ବର୍ତ୍ତମାନ ଯେଉଁ ପରିସ୍ଥିତି, ତହିଁରେ କାହାରିକୁ ବିଶ୍ୱାସ କରିବା ନିରାପଦ ନୁହେଁ ।

 

ସମସ୍ତେ ରାଜାଙ୍କର ଆଦେଶକୁ ଅପେକ୍ଷା କରି ରହିଲେ ।

 

ରାଜା ଏହା ବୁଝିପାରି କହିଲେ, ଉଦ୍ଧତ ନିଜର ଅସାଧୁ ଓ ଅନୀତି କର୍ମପାଇଁ ଶାସ୍ତି ପାଇଛନ୍ତି । ଶବ-ସତ୍‌କାରର ବ୍ୟବସ୍ଥା କର । ବାବାଜୀ ଯାହା ହୋଇଥାନ୍ତୁ ପଛେ ସେ ତାଙ୍କ ମନକୁ ଆସିଥିଲେ । ତାଙ୍କର ନିଜ ସ୍ଥାନକୁ ଫେରିଯିବାର ଅଧିକାର ଅଛି । ଏଠାରେ ତାଙ୍କୁ ବନ୍ଦୀ କରି ରଖିବାରେ ବୀରତ୍ୱ ନାହିଁ । କଟୁଆଳଙ୍କର ସାହସ ଓ ଦକ୍ଷତାର ପରିଚୟ ମିଳିବ ନାହିଁ ।

 

ପ୍ରପଞ୍ଚ ସିଂହାସନରୁ ଉଠି ପ୍ରାସାଦ ଭିତରକୁ ଗଲେ ।

Image

 

ଜୀବନର ଅଧିକାରୀ

 

ମନ୍ଦାକିନୀ କୂଳରେ, ଗଡ଼ ପାଖକୁ ପ୍ରାୟ ଦୁଇକୋଣ ଦୂରରେ ଗୋଟିଏ ଛୋଟ ମୁଣ୍ଡିଆ । ଆର ପାଖରୁ ଅରଣ୍ୟ ଲାଗି ଆସିଛି ଗଡ଼ଯାଏ । କଡ଼କୁ ବଡ଼ ଟାଙ୍ଗର ! ଅନ୍ୟ ତିନିପାଖେ ଘୋର ଅରଣ୍ୟ । ଦିନ ଦିପହରେ ମଧ୍ୟ ବାଘ ଭାଲୁ ଆତଯାତ ହୁଅନ୍ତି । ତେଣୁ ଲୋକ ଗତାଗତ ନ ଥାଏ ।

ସେହି ଟାଙ୍ଗର ଉପରେ ବିକ୍ରମ, ନିର୍ଭୀକ ଓ ସେମାନଙ୍କର ଅନୁଚରମାନେ ବସିଛନ୍ତି । ଗତ ରାତ୍ରିର ଘଟଣାଗୁଡ଼ିକ ସେମାନଙ୍କୁ ସ୍ୱପ୍ନ ପରି ଲାଗୁଛି । ଦେହ ଅବଶ । ଆଖି ମାଡ଼ି ମାଡ଼ି ପଡ଼ୁଛି । ଭୋକରେ ପେଟ ଜଳିଲାଣି । କଅଣ କରିବେ କିଛି ବୁଝିପାରୁନାହାନ୍ତି । ସମ୍ମୁଖରେ କର୍ତ୍ତବ୍ୟ ! ଆଉ କି ଅବସର ନେବାର ସମୟ ଅଛି ?

ବିକ୍ରମ ଆଖି ମଳି ନିର୍ଭୀକଙ୍କୁ କହିଲେ, କଅଣ କରିବାକୁ ହେବ କହ । ଏହିପରି ବସି ବସି ବେଳ କାଟିଲେ ଚଳିବ ନାହିଁ ! ବେଳ ଆସି ପହରେ ହେଲାଣି । ଟାଇଁଟାଇଁଆ ଖରା ଦେହ ଜାଳିଦେବ ।

ନିର୍ଭୀକ ହାଇମାରି ନିକଟରେ ବିଶ୍ରାମ ନେଇଥିବା ଗୋଲାପ ଆଡ଼କୁ ଚାହିଁ କହିଲେ, ବିଶୋଇଙ୍କ ଘରକୁ ଖବର ପଠାଯାଉ । ତାଙ୍କର କେହି ଆସି ଏ ଝିଅଟିକୁ ନେଇଯାଆନ୍ତୁ । ବିଶୋଇଙ୍କର ତ କୌଣସି ଖବର ମିଳୁ ନାହିଁ । ବିକ୍ରମ କହିଲେ, ବିଶୋଇଙ୍କ ଘରୁ କେହି ଆସିବା ଯାଏ ଆମେ ଏଠାରେ ଅପେକ୍ଷା କରିପାରିବା ନାହିଁ । ଆମ ଭିତରୁ କେହି ଜଣେ ତାକୁ ସଙ୍ଗରେ ନେଇ ବିଶୋଇଙ୍କ ଘରେ ଛାଡ଼ି ଦେଇ ଆସିଲେ ଭଲ ହେବ । ତାଙ୍କ ଘର କିଏ ଦେଖିଛି ?

କେହି ଜବାବ୍ ଦେଲେ ନାହିଁ ।

ବିକ୍ରମ ଓ ନିର୍ଭୀକ ଗୋଲାପ ନିକଟକୁ ଉଠିଗଲେ । ସେ ଗୋଟିଏ ଛୋଟ ମହୁଲ ଗଛକୁ ଆଉଜି ବିରସ ମନରେ ବସିଛି । ମନରେ ଭୟ । ଯେଉଁମାନେ ତାକୁ ଉଦ୍ଧାର କରି ଏ ଘୋର ଅରଣ୍ୟ ଭିତରକୁ ଘେନି ଆସିଛନ୍ତି, ସେମାନଙ୍କର ଉଦ୍ଦେଶ୍ୟ ଯେ ପବିତ୍ର, ଏହା ସେ କିପରି ବୁଝିବ-? ଯେଉଁ ମନ ଭୟରେ, ଉତ୍ତେଜନାରେ ସେ ନରହତ୍ୟାକାରୀ ଡକାୟତ ଦଳ ସଙ୍ଗେ ପ୍ରାଣ ବିକଳରେ ଚାଲି ଆସିଛି, ସେମାନଙ୍କ ସାଧୁତା ସମ୍ବନ୍ଧରେ ତାକୁ କିଛି ଜଣାନାହିଁ ।

ବିକ୍ରମ ଓ ନିର୍ଭୀକଙ୍କୁ ଆସୁଥିବାର ଦେଖି ସେ ଓଢ଼ଣା ଟାଣି ଗଛକୁ ଆଉଜି ଠିଆ ହେଲା-। ଦେହ ବରଡ଼ାପତ୍ର ପରି ଥରି ଉଠିଲା । ଏହି ନିଘଞ୍ଚ ଅରଣ୍ୟ ଭିତରେ ତା’ର ସାହା ଭରସା କେହି ନାହିଁ । ଆଖିରୁ ଠକ୍ ଠକ୍ ଲୁହ ଝରି ପଡ଼ିଲା ।

ବିକ୍ରମ ନମ୍ର ସ୍ୱରରେ କହିଲେ, ମା, ଆମେ ଏଠାରେ ଅଧିକ ସମୟ ରହିପାରିବା ନାହିଁ । ଏଠାରୁ ଚାଲିଯିବାକୁ ହେବ । ମୁଁ ତୁମ ସାଥିରେ ଲୋକ ଦେଉଛି, ତୁମେ ତା ସଙ୍ଗେ ଘରକୁ ଫେରିଯାଅ ।

ଗୋଲାପର ଦେହରେ ପ୍ରାଣ ପଶିଲା । ସେ ଥରେ ବିକ୍ରମଙ୍କ ଗୋଡ଼ରୁ ମୁଣ୍ଡଯାଏ ଚାହିଁଲା । କଅଣ କରିବ କିଛି ବୁଝିପାରିଲା ନାହିଁ । ଜୀବନରେ ତାର ଶାନ୍ତି ନାହିଁ । ଘରକୁ ଫେରିଲେ ବିପଦଟା ପଛେ ଗୋଡ଼ାଇଯିବ । ରାଜାଘର ଲୋକଙ୍କ ଆଗରେ ତାର ଯଦି ମରଣ ହୋଇଥାନ୍ତା ତେବେ ବିପଦ ସେହିଠାରେ ଶେଷ ହୋଇଥାନ୍ତା । ଗୋଲାପ ପଳାଇଛି ଜାଣି ନିଶ୍ଚୟ ରାଜାଘର ଲୋକେ ବିଶୋଇଙ୍କ ଘର ଘେରାଉ କରିବେ । ଗୋଲାପ ଯଦି ଘରକୁ ଫେରିଯାଏ, ତାକୁ ଦେଖି ବିଶୋଇଙ୍କ ଉପରେ ସମସ୍ତଙ୍କର ସନ୍ଦେହ ହେବ । ଅଲବତ୍ ଖାଁ ପ୍ରଭୃତି ସିପେଇମାନଙ୍କର ମୃତ୍ୟୁପାଇଁ ବିଶୋଇଙ୍କୁ ହିଁ ଦାୟୀ କରିବେ । ଘରକୁ ଫେରି ବାପାଙ୍କୁ ଆହୁରି ବିପଦରେ ପକାଇ ହଇରାଣ କରିବା ଗୋଲାପର ଇଚ୍ଛା ନୁହେଁ ।

ତାର ଆଖିରୁ ଲୁହଧାର ଗଡ଼ି ପଡ଼ିଲା । କଅଣ କରିବ ? ତାକୁ ଚାରିଆଡ଼ ଶୂନ୍ୟ ଦେଖାଯାଉଛି । ଥଳ କୂଳ କିଛି ଦିଶୁନାହିଁ ।

ସେ କରୁଣ ସ୍ୱରରେ ତାର ମନର ସବୁକଥା ବିକ୍ରମଙ୍କ ଆଗରେ ଖୋଲି କହିଲା ।

ବିକ୍ରମ ଗମ୍ଭୀର ହୋଇ ତାର ଆବେଗଭରା ପ୍ରାଣର ସବୁକଥା ଶୁଣିଲେ କହିଲେ, କିଛି ଭୟ ନାହିଁ । ଯଦି ଘରକୁ ଫେରିଗଲେ ବିପଦର ଆଶଙ୍କା କରୁଛ, ତେବେ ତୁମେ ନିର୍ଭୟରେ ଏହିଠାରେ ଆଶ୍ରୟ ନିଅ ।

ବିକ୍ରମ ନିଜ ସ୍ଥାନକୁ ଫେରି ଆସିଲେ । ନିର୍ଭୀକଙ୍କୁ କହିଲେ, ଭାଇ, ବିଶ୍ରାମର ଆଉ ସମୟ ନାହିଁ । ବିଶ୍ରାମ ତମ ଜୀବନର ପରପାରିରେ, ସମାଧି ରାଜ୍ୟରେ । ଅନ୍ଧାରି ମୁଲକରେ ଘର କରି, ଜୀବନକୁ ଆଲୋକର ସନ୍ଧାନରେ ଉତ୍ସର୍ଗ କରି ଯେ ବିଶ୍ରାମ ଲୋଡ଼େ, ସେ କାପୁରୁଷ । ଜୀବନରେ ତାର ଅଧିକାର ନାହିଁ । ଯେ ଜୀବନକୁ ହାତମୁଠାରେ ଧରି ଆବଶ୍ୟକ ହେଲେ ମାଟି ଗୋଡ଼ି ପରି ଫିଙ୍ଗି ଦେଇପାରେ, ଜୀବନ ଉପରେ ତାହାରି ପୂର୍ଣ୍ଣ ଅଧିକାର । ଜୀବନର ମୂଲ୍ୟ ତାକୁ ହିଁ ପ୍ରକୃତରେ ଜଣା ।

ତାଙ୍କର ଅନୁଚରମାନଙ୍କୁ ଲକ୍ଷ୍ୟକରି ସେ କହିଲେ, ଭାଇମାନେ, ଆଳସ୍ୟ ଜୀବନକୁ କଳଙ୍କିତ କରେ । ଉଠ, ନିତ୍ୟକର୍ମ ସାରି ଯୁଦ୍ଧକ୍ଷେତ୍ରକୁ ବାହାରିପଡ଼ । ଅନ୍ଧାର ଭିତରେ ନିଆଁ ଜାଳିଦେଇ ଆସିଛ । ତାରି ଶିଖାରେ ଆଜି ଶହ ଶହ ନିର୍ଦ୍ଦୋଷ ପତଙ୍ଗ ଜୀବନାହୁତି ଦେବେ । ତୁମର କର୍ତ୍ତବ୍ୟ, ନିଜର ରକ୍ତ ଢାଳି ସେହି ନିଆଁକୁ ଲିଭାଇ ଦେବା । ନିରୀହ ପତଙ୍ଗଗୁଡ଼ିକୁ ଧ୍ୱଂସ ମୁଖରୁ ଉଦ୍ଧାର କରିବା ।

ନିର୍ଭୀକ ଓ ତାଙ୍କର ସାଥିମାନେ ହୁଙ୍କାର ଦେଇ ଉଠିଲେ । ସେମାନେ ଜାଣନ୍ତି, ଯାହା ଘଟିଯାଇଛି ସେଥିପାଇଁ ରାଜା ପ୍ରପଞ୍ଚ ସିଂହ ଓ ତାଙ୍କର ଦୁଇ ଭାଇ ସର୍ବନାଶ ଏବଂ ଉଚ୍ଛନ୍ନ ସୁରଙ୍ଗଗଡ଼ରେ ଧ୍ୱଂସର ଅନଳ ଜଳାଇବେ । ମହାସତୀ ସୀତାଙ୍କ ପାଇଁ ଲଙ୍କାଗଡ଼ ଧ୍ୱଂସ ହୋଇଥିଲା । ମହାସତୀ ସୀତାଙ୍କପାଇଁ ଲଙ୍କାଗଡ଼ ଧ୍ୱଂସ ହୋଇଥିଲା । ଆଗରେ ସୁକୁମାରୀ ଗୋଲାପ ଠିଆ ହୋଇଛି । କେତେ ସୀତା କେତେ ଗୋଲାପ ସୁରଙ୍ଗଗଡ଼ର ସଇତାନମାନଙ୍କର ବିଷ ନିଶ୍ୱାସରେ ଜଳି ପୋଡ଼ି ନିଶ୍ଚିହ୍ନ ହୋଇଛନ୍ତି ।

ଆଉ ସେହି ଅତ୍ୟାଚାର ସହି ହେବ ନାହିଁ । ସେମାନେ କପିସେନା; ବିକ୍ରମ ଓ ନିର୍ଭୀକ ସତେ କି ରାମ ଲକ୍ଷ୍ମଣ । ସେମାନେ ସୁରଙ୍ଗଗଡ଼କୁ ଧ୍ୱଂସ କରିବେ । ଧ୍ୱଂସର ଅନଳ ଶିଖା ଜଳାଇ ଅନ୍ଧାରି ମୂଲକରୁ ଅନ୍ଧାର ଓ ତାରି ଭିତରେ ଚରି ବୁଲୁଥିବା ସବୁ ଭୂତପ୍ରେତଙ୍କୁ ଚିରଦିନ ଲାଗି ବିଦାୟ ଦେବେ ।

ମେଘ ଉହାଡ଼ରୁ ଧର୍ମଦେବତା ମୁହଁ କାଢ଼ିଲେ । ଅନ୍ୟାୟ ଅନୀତି ବିରୁଦ୍ଧରେ ଯେଉଁ ବୀରମାନେ ହାତ ଟେକିଛନ୍ତି, ତାଙ୍କର ମୁହଁଟିମାନକୁ ପ୍ରଖର କରରେ ଆଉଁସି ଦେଲେ । କହିଲେ ସତେ କି- ଉଠ, ଜାଗ, ରକତ ଢାଳି ନ୍ୟାୟର ଇନ୍ଧନରେ ସତ୍ୟର ଅମରଶିଖା ଜାଳିଦିଅ ।

Image

 

ଦାସତ୍ୱର ଦ୍ୱାହି

 

ହନୁମାନ ମନ୍ଦିର ଆଗ ପଡ଼ିଆ ଓ ରାସ୍ତା ଉପରେ ଆଜି ବହୁତ ଲୋକ ଜମା ହୋଇଛନ୍ତି-। ରଜାଘର ଡାକରା । ତେଢ଼ି ଦେଇ ଖସି ଯିବାର ସାହସ କେଉଁ ପୁଅର ଅଛି ? ଯମର ଡାକରା, ଲୁଚିଛପି ମରଣକୁ ବାରଣ କରି ହେବ ନାହିଁ ।

 

ଶହ ଶହ ସିପେଇ ନଳୀ ଧରି ଆଗରେ ପଛରେ ପଥର ମୂର୍ତ୍ତି ପରି ଠିଆ ହୋଇଛନ୍ତି । ଆଖିମିଟିକା ପଡ଼ୁଛି କି ନାହିଁ ବୁଝିବା କଷ୍ଟ । ସିପେଇମାନେ କେତେଜଣ ଲୋକଙ୍କୁ ହାତକଡ଼ି ଦେଇ ମନ୍ତ୍ରୀ ଓ କଟୁଆଳଙ୍କ ଆଗରେ ଧାଡ଼ି କରି ଠିଆ କରିଛନ୍ତି ।

 

ପିଣ୍ଡା ଉପରେ ପାଖାପାଖି ଦୁଇଟି ଚଉକି । ବାଁ ପାଖ କରୁଚିରେ ବସିଛନ୍ତି ମନ୍ତ୍ରୀ ଓ ଅନ୍ୟଟିରେ କଟୁଆଳ । ତାଙ୍କ ପଛରେ ଅତି ବିମର୍ଷ ହୋଇ ଠିଆ ହୋଇଛନ୍ତି ଦିଲ୍‌ଦାର୍ ।

 

ବେଳ ଦ୍ୱି ପ୍ରହର ।

 

ପ୍ରଚଣ୍ଡ ଖରାର ଦାଉ ସହି ହେଉନାହିଁ । ତଥାପି ଲୋକେ ଜୀବନ ଡରରେ ହନୁମାନ ମନ୍ଦିର ପାଖରେ ରୁଣ୍ଡ ହୋଇଛନ୍ତି । ଆଜି ନିଶ୍ଚୟ କିଛି କାଣ୍ଡ ହେବ । ରାଜାଘରର ପ୍ରତି କାଣ୍ଡକୁ ଲୋକଙ୍କର ପ୍ରାଣେ ଡର ।

 

ମନ୍ତ୍ରୀ ମହାଶୟ ଜନତାକୁ ଚାହିଁ ତୀବ୍ର ସ୍ୱରରେ କହିଲେ ତୁମେମାନେ ସମସ୍ତେ ଜାଣ, ନିଆଁରେ ହାତ ଭରିଲେ ହାତ ପୋଡ଼ିଯାଏ । ତୁମରି ଭିତରୁ କେତେଜଣ କାଲି ରାତିରେ ରାଜକୁମାର ଉଦ୍ଧତଙ୍କୁ ଅରଣ୍ୟ ପାଖରେ ହତ୍ୟା କରିଛ । ତୁମରି ଭିତରୁ କେତେଜଣ ଆଜି ସକାଳେ ରଜାଘର ଲୋକଙ୍କୁ ଘଉଡ଼ି, ସିପେଇଙ୍କୁ ମାରି ନଅରର ଜଣେ ସ୍ତ୍ରୀଙ୍କୁ ଛିନି ନେଇଛ । ମୁଁ ତୁମକୁ ଟିକିଏ ସମୟ ଦେଉଛି । ଏପରି କରିଥିବା ଲୋକମାନଙ୍କୁ ଧରାଇଦିଅ, ନୋହିଲେ ଆମ ଆଗରେ ସେମାନଙ୍କର ନାମ କହିଦିଅ । ଆମେ ଧରାଇ ଆଣିବା । ଦେଖ, କେତେଜଣଙ୍କ ପାଇଁ ଯେପରି ସମସ୍ତେ ମାଡ଼ ଖାଇ ଫାଶୀଖୁଣ୍ଟରେ ନ ଝୁଲ ।

 

ଲୋକେ ପରସ୍ପର ମୁହଁକୁ ଜିଜ୍ଞାସୁ ନେତ୍ରରେ ଚାହିଁଲେ । ପରସ୍ପରର ପରସ୍ପର ଉପରେ ସନ୍ଦେହ ହେଲା । ଏଁ, ଗୋଟାଏ ରାତିରେ ଏତେ ବଡ଼ କାଣ୍ଡଟା ଘଟିଯାଇଛି, ସେମାନଙ୍କୁ କିଛି ଜଣାନାହିଁ । କାହାକୁ ଦଇବ ଛାଡ଼ିଲା? କିଏ ଏପରି ମୂର୍ଖ କାମ କଲା ? ଲୁହା ଲାଗି ଅଗ୍ନି ଦେବତା ମାଡ଼ ଖାଇଲା ପରି, କାହା ଦୋଷରୁ ଆଜି କାହା ପିଠିରୁ ଛାଲ ଛାଡ଼ିବ ?

 

ଲୋକଙ୍କ ଭିତରେ ଚାଞ୍ଚଲ୍ୟ ଖେଳିଗଲା । କୌଣସି ଉପାୟରେ ସେଠାରୁ ଖସି ଚାଲିଗଲେ ରକ୍ଷା । ଚକ୍ର ବୁଲୁ ବୁଲୁ କାହା ମୁଣ୍ଡରେ ପଡ଼ିବ, ସେ କଥା କିଏ କହିପାରିବ ?

 

ଚାରିଆଡ଼େ ସିପେଇ ପହରା । ଖସିଯିବାର ଉପାୟ ନାହିଁ । କେତେଜଣ ସିପେଇ ଗଡ଼ ତମାମ୍‍ ବୁଲି ଯାହାକୁ ଦେଖୁଛନ୍ତି, ଛେଳି ମେଣ୍ଢା ଅଡ଼େଇଲା ପରି ଗୁଡ଼ିପାଖକୁ ଘଉଡ଼େଇ ଆଣୁଛନ୍ତି-। ଲୋକେ ଘର ଭିତରେ ପଶି କବାଟ ବନ୍ଦ କଲେ ବି ରକ୍ଷା ନାହିଁ । ଆଖିରେ ପଡ଼ିଗଲେ ଠେଙ୍ଗା ଢିଅରେ କବାଟ ଭାଙ୍ଗୁଛି । ବୋହୂଝିଅଙ୍କର ମାନ ମହତ୍ତ ଡରରେ ଠେଙ୍ଗା ପାହାରକୁ ପିଠି ଦେଖାଇ କାନମୁଣ୍ଡା ଆଉଁସି ପଦାକୁ ବାହାରି ପଡ଼ୁଛନ୍ତି ।

 

ଠେଙ୍ଗା ଡରରେ ରୋଗବୈରାଗ ଗଡ଼ ଛାଡ଼ି ପଳାଇଲା । କମ୍ପଜରରେ ଥର ଥର କମ୍ପିବାଟା ସିପେଇମାନଙ୍କ ଆଖିକୁ ଛଟା ଗାଳିଲା ପରି ଦିଶେ । ସତେ ଯେପରି ସେମାନଙ୍କ ଛପନ ପୁରୁଷରେ କେହି କେବେ ରୋଗ ବୈରାଗର ନିମନ୍ତ୍ରଣ ପାଇ ନାହାନ୍ତି । ସେହିପରି ସବୁ ପ୍ରକାର ରୋଗୀଙ୍କର ଅବସ୍ଥା । ଖିଆପିଆ ଛାଡ଼ି, ଦିନ ଦି ପହରେ ଗଡ଼ର ଲୋକେ ମନ୍ତ୍ରୀଙ୍କ ଛାମୁରେ ରୁଣ୍ଡ ହୋଇଛନ୍ତି ।

 

ମନ୍ତ୍ରୀଙ୍କର ଅନୁରୋଧର ଉତ୍ତର କେହି ଦେଇପାରିଲେ ନାହିଁ । କ୍ରୋଧରେ ତାଙ୍କର ଆଖି ଲାଲ୍ ହୋଇ ଆସିଲା । ସେ କଟୁଆଳଙ୍କୁ ଚାହିଁ କହିଲେ, ବୁଝବା ହେଲେ, ଭଲରେ ଦୁନିଆଁ ନାହିଁ । ମାଡ଼ୁଆ ଜନ୍ମ ପରା ! ପିଠି ଗଲୁ କରୁଛି । ସେମାନଙ୍କର କି ଦୋଷ ? ସମସ୍ତେ ଜାଣନ୍ତି, କେହି କହିବେ ନାହିଁ । ଆପଣଙ୍କ ତାଲିକା ଅନୁଯାୟୀ ଲୋକଙ୍କୁ ଗିରଫ୍ କରା ହୋଇଛି ?

 

କଟୁଆଳ ମୁଣ୍ଡ ହଲାଇ ସମ୍ମତି ଜଣାଇଲେ । ହାତଠାରି ବଳିଆର ସିଂହକୁ ପାଖକୁ ଡାକି କହିଲେ, ତାଲିକା ମୋ ଆଡ଼କୁ ଦିଅ, କାମ ଆରମ୍ଭ କର ।

 

ବଳିଆର ସିଂହ ହାତରୁ ତାଲିକା ନେଇ କଟୁଆଳ ମନ୍ତ୍ରୀଙ୍କୁ ଦେଲେ । ବିଚାର ଆରମ୍ଭ ହେଲା ।

 

କଟୁଆଳ ଆଦେଶ ଦେଲେ, ହର ଗୁଡ଼ିଆକୁ ହାଜର କର ।

Image

 

ହର ଗୁଡ଼ିଆ

 

ବଳିଆର ସିଂହ ହର ଗୁଡ଼ିଆକୁ ମନ୍ତ୍ରୀଙ୍କ ଛାମୁକୁ ଘୋଷାରି ଆଣିଲା ।

 

ପରର ସୁଖ ଦୁଃଖରେ ହର ନ ଥାଏ । ସକାଳୁ ସଞ୍ଜ ଯାଏ ଦୋକାନରେ ବସି ବରା ଗୁଲୁଗୁଲା ଛାଣି ଲୋକଙ୍କୁ ବିକ୍ରିକରେ । ଯାହା କହନ୍ତି, ଜନ୍ଦାମୁଣ୍ଡ ଧୋଇ ଚାରିପଇସା ରୋଜଗାର କରିବା କଥା ! ହିସାବୀ ବୋଲି ଚାରି ପଇସା ହାତରେ ରଖିଥିଲା । ବେଳକାଳକୁ ଡରି ଦି’ବଖରା କୋଠା କରିଛି । ପଇସା କଉଡ଼ି ଥିଲେ ଚୋର ତସ୍କରର ଭୟ ଥାଏ । ଭେଣ୍ଡା ପୁଅ ଯେପରି ମହାଦେବ ଜଟାର ଆଶ୍ରୟ ନେଲାଣି, ବୁଢ଼ା ଆଖି ବୁଜିଲେ ଚାରି ଦିନରେ ଚିଲମ ନଳରେ କଷ୍ଟଲବ୍‌ଧ ପଇସାଗୁଡ଼ା ଫୁଙ୍କି ଉଡ଼ାଇଦେବ ।

 

କୋଠା ଦି’ ବଖରା ହେଲା ତାର କାଳ । ବୁଢ଼ାଦିନେ ତାର ଚନ୍ଦା ମୁଣ୍ଡରେ ଚଡ଼କ ପଡ଼ିଲା, ହାତରେ ହାତକଡ଼ି ଲାଗିଲା ।

 

ମନ୍ତ୍ରୀଙ୍କ ଆଗକୁ ଆସିବା ଆଗରୁ ତାର ପ୍ରାଣ କଣ୍ଠାଗ୍ରତ ହୋଇଥିଲା । ମନ୍ତ୍ରୀ ଗର୍ଜନ କରି କହିଲେ ହଇହେ ସାହୁ, ଆମେ ଖବର ପାଇଛୁ, ତୁମେମାନେ ମେଳି ବାନ୍ଧି ରାଜପୁତ୍ର ଉଦ୍ଧତଙ୍କୁ ମାରିଛ ?

 

ସେ ଥରି ଥରି କହିଲା, ହଜୁର ଧର୍ମାବତାର, ହଜୁର ମା-ବାପ, ମୁଁ କିଛି ଜାଣେନାହିଁ । ମୋତେ ଯେଉଁ ନିୟମ ଦେବେ ମୁଁ କରିବି । ହଡ଼ା ଲାଙ୍ଗୁଡ଼, ପୁଅମୁଣ୍ଡ, ଭାଗବତ ପୋଥି ଯାହା କହିବେ ମୁଁ ଛୁଇଁ କହିବି । ମୁଁ କିଛି ଜାଣେନାହିଁ ।

 

ମଧୁ ରାଉତ ସିପେଇ ସଙ୍ଗେ ପଇସାକର ବରାପାଇଁ ଦିନେ ସେ ଦିକ୍‌ସିକ୍ ଲଗାଇଥିଲା-। ମଧୁ କହିଲା, ଆଛାରହ, ହାବୁଡ଼େ ପଡ଼ିଲେ ତୋତେ ଥରେ ଦେଖିନେବି ।

 

ମଧୁ ରାଉତ ଆଗକୁ ଆସି ଯୋଡ଼ହାତ ହୋଇ କହିଲା, ସେଇଟା ପକ୍‌କା ବଦମାସ୍ । ସବୁ ଜାଣେ । ସେ ଦିନେ ବିଚ୍ ବଜାରରେ ଡାକି ବୋବେଇ କହିଲା, ଆରେ ରଖିଦେ ତୋର ରଜା, ହାବୁଡ଼େ ପଡ଼ିଲେ ଏକା ପାହାରକେ ମଜା ବାହାରି କରିଦେବି ।

 

ମିଛ କଥାଟା ଶୁଣି ହର ବଲବଲ କରି ତା ମୁହଁକୁ ଚାହିଁଲା । ସେ ଜାଣେ, ରାଜାଘର ଲୋକେ ଯାହା କହିବେ ସବୁ ସତ । ବୁଢ଼ାର ଆଖିରୁ ଲୁହ ଝରି ପଡ଼ିଲା । ସେ ଆଉ କଅଣ କହିବ-?

 

ଏତେ ଲୋକଙ୍କର ଜଳଜଳ ଜଳକା ଆଖି ଆଗରେ ପଚାଶ ବର୍ଷର ବୁଢ଼ା ପିଠିରେ ହେଲା ଚାବୁକ ମାଡ଼ । ଛଟପଟ ହୋଇ ପିଲାଙ୍କ ପରି ସେ ଯେତେ ବୋବାଳି ଛାଡ଼ିଲା କେହି ଶୁଣିଲେ ନାହିଁ । ବଳିଆର ସିଂହର ଲାଲ୍‍ ଲାଲ୍‍ ଡିମା ଆଖି ସତେ କି ଛାତି ଭିତରୁ ଆତ୍ମାକୁ ଓଟାରି ଆଣିବ । ମଧୁ ରାଉତର କୋରଡ଼ା ମାଡ଼ର ମାହାତ୍ମ୍ୟ କହିଲେ ନ ସରେ । ସାହୁର ପିଠିରୁ ନୋଳା ଫାଟି ଝରଝର ରକ୍ତ ଝରିଲା ।

 

ପିଲାଙ୍କପରି ବୋବାଳି ଛାଡ଼ି ଆକାଶ ଫଟାଇଦେଲେ ବି ରକ୍ଷାରକ୍ଷଣ ନାହିଁ । ରାଜପୁଅକୁ କିଏ ମାଇଲା, ରାଜାଘର ଲୋକଙ୍କୁ ମାରି ନଅରର ସ୍ତ୍ରୀଲୋକୁ କିଏ ନେଇଗଲା ସେ କଥା ତ ତାକୁ ମାଲୁମ ନାହିଁ । ସେ ମିଛରେ ୟା ତା ନା କହନ୍ତା କିପରି ? ବିନା କାରଣରେ ନିର୍ଦୋଷଗୁଡ଼ାଙ୍କୁ ମାଡ଼ ଖୋଇବାଟା କଅଣ ଭଲ ? କପାଳ ଠୁଙ୍କି ସାହୁ ମାଡ଼ ସହିଲା । ଉପରକୁ ଚାହିଁ ଧର୍ମକୁ ସାକ୍ଷୀ କରୁଥାଏ, ହେ ଧର୍ମ, ତୁଇ ଦେଖୁଥା, ତୁଇ ମୋର ସାହା ।

 

ଛେଳିପିଲା ପରି ଲୋକଗୁଡ଼ାକ ବଲବଲ କରି ଚାହିଁଥାନ୍ତି । କେତେବେଳେ କାହାର କେଉଁ ଦଶା ହେବ କେହି ଜାଣନ୍ତି ନାହିଁ । କାହାରି ତୁଣ୍ଡରୁ ପଦେ ହୋଇ କଥା ବାହାରିଲା ନାହିଁ ।

 

ବଳିଆର ସିଂହ କୋରଡ଼ା ମୁଣ୍ଡ ଉପରକୁ ଟେକି ଗର୍ଜନ କରି ସାହୁକୁ ପୁଣି ପଚାରିଲା, କିରେ କହ, ନ କହିଲେ ପିଠିରୁ ତୋର ଛାଲ ଛଡ଼ାଇ ଦେବି । କୋଉ ବୋପା ତୋର ପିଠିରେ ପଡ଼ିବ ଦେଖି ।

 

ସାହୁ ଅତି ବିକଳ ହୋଇ କହିଲା, ମୁଁ କିଛି ଜାଣେନାହିଁ, ବାବୁ, ହଜୁର, ମୋତେ ମାଫ୍ କର ।

 

ପିଠିରେ ପୁଣି କୋରଡ଼ା ମାଡ଼ ।

 

ଲୋକଟା ନିର୍ଦ୍ଦୋଷ ବୁଝି ମନ୍ତ୍ରୀ କହିଲେ ଆଛା, ତାକୁ ଛାଡ଼ । ବଳିଆର ସିଂହର ହାତ ଗଲୁ ପ୍ରାୟ ଭାଙ୍ଗି ଆସିଥିଲା । ସେ ଦମ୍ ନେବାକୁ ପିଣ୍ଡାକୁ ଆଉଜି ଠିଆ ହେଲା ।

 

ହର ମୁକ୍ତି ଲାଭ କଲା

Image

 

ଆତ୍ମାରାମଙ୍କ ବିଚାର

 

ଆତ୍ମାରାମ ଆଗରୁ ଧରା ହୋଇ ଆସିଥିଲେ । କଟୁଆଳଙ୍କ ଆଦେଶ ପାଇ ରଘୁ ପାତ୍ର ଜମାଦାର ତାଙ୍କର ଦାଢ଼ି ଧରି ମନ୍ତ୍ରୀଙ୍କ ଛାମୁକୁ ନେଇ ଆସିଲା ।

 

ମନ୍ତ୍ରୀ ମୁଡ଼ିକି ହସି କହିଲେ, ବାବାଜୀ, ଯାହା ପଚାରିବି ଭଲରେ ଭଲରେ ସବୁ କହିଯିବ ନା କିଛି ଔଷଧର ବ୍ୟବସ୍ଥା ଆଗରୁ କରିବି ? ତୁମ ଉପରେ ଛାମୁଙ୍କର ନଜର ପଡ଼ିଛି ।

 

ଆତ୍ମାରାମ ସାମାନ୍ୟ ହସି କହିଲେ, ଆପଣଙ୍କ ପରି ସୁବୈଦ୍ୟ ଥାଉଁଣୁ ଔଷଧର ବ୍ୟବସ୍ଥା କରିବାରେ ବିଳମ୍ବର କାରଣ ନାହିଁ । ତେବେ, ମନେରଖିବା ଦରକାର, ଯେଉଁ ଔଷଧର ବ୍ୟବସ୍ଥା ଆଜି ଆପଣ କରୁଛନ୍ତି, ବଞ୍ଚିଥିଲେ ସେହି ଔଷଧ ଆପଣଙ୍କୁହିଁ ଦିନେ ସେବନ କରିବାକୁ ହେବ ।

 

କଟୁଆଳ କହିଲେ, ବେଶିଗୁଡ଼ାଏ ବକ ନାହିଁ । କହ ରାଜପୁତ୍ରଙ୍କ ମୃତ୍ୟୁ ବିଷୟରେ ତୁମକୁ କିଛି ଜଣାଅଛି ?

 

–ହଁ, ଜଣାଅଛି ।

–କିଏ ମାରିଛି କହିପାରିବ ?

 

–ଆଗେ କହେଁ କାହିଁକି ମାରିଛି ! କଲା କର୍ମର ଫଳ ତ ଭୋଗ କରିବାକୁ ହେବ । ମଣିଷ ଅନ୍ଧ । ସେ କିଛି ଦେଖିପାରେ ନାହିଁ । କିନ୍ତୁ ଭଗବାନଙ୍କୁ ଅଛପା ରହେ ନାହିଁ । ଉଦ୍ଧତଙ୍କର ପାପହିଁ ତାଙ୍କୁ ମାରିଛି । ତୁମେମାନେ ଯେତେ ପାଣି ବାଡ଼େଇଲେ କଅଣ ମାଛକୁ ଧରିପାରିବ ମନେକରିଛ ? ମାଛ ଦୂରକୁ ଦୂରକୁ ପଳାଇବ । ଲୋକଙ୍କୁ ଏତେ କଷ୍ଟ ଦିଅ ନାହିଁ ।

 

–ତୁମର ଉପଦେଶ ଶୁଣିବାକୁ ଆମର ଆଉ ବେଳ ନାହିଁ ।

ପାତ୍ରଙ୍କ ଆଡ଼କୁ ଚାହିଁଲେ ।

 

ଜମାଦାର କିଛି ନ କହି ଆତ୍ମାରାମଙ୍କ ମୁଣ୍ଡର ଜଟା ଧରି ଗୋଟାଏ ଖୁଣ୍ଟି ପାଖକୁ ଘୋଷାରି ନେଲା । ଖଣ୍ଡେ ଯୋତରେ ତାଙ୍କର ଜଟାକୁ ଖୁଣ୍ଟ ଦେହରେ ବାନ୍ଧିଲା ।

 

କଟୁଆଳ ଚିତ୍କାର କରି କହିଲେ, ହଇରେ ବାବାଜୀ, ବେଳ ଅଛି, ସତ ସତ କହିଯାଅ । ମୁହଁ ଟାଣ କରି ବାଲିଙ୍ଗି କାଢ଼ିଲେ ଚଳିବ ନାହିଁ ।

 

ବାବାଜୀ ତାଙ୍କ କଥାର ଉତ୍ତର ଦେଲେ ନାହିଁ । ଜଣେ ସିପେଇ କେତୋଟି ବେତକଣ୍ଟା ଆଣି ବାବାଜୀଙ୍କ ଦେହରେ ଫୋଡ଼ିଲା । ବାବାଜୀ ଏତେବେଳେ ବୁଝିଲେ, ଏ ଯୁଗରେ ଧର୍ମ ଉପରେ ନିର୍ଭର କରି ଚାଲିଲେ ଫଳ କଅଣ ହୁଏ । ଅଜୟ କହିଥିଲା, ଯେଉଁ ଲୋକ ହାତ ଗୋଡ଼କୁ ଭୁଲି ଧର୍ମ ଉପରେ, ଲୋକଙ୍କ ସଦ୍‌ବୁଦ୍ଧି ଉପରେ ନିର୍ଭର କରେ, ସେ ଭ୍ରାନ୍ତ । ଅକ୍ଷରେ ଅକ୍ଷରେ ତାହା ହିଁ ଫଳିଲା ।

 

ଆତ୍ମାରାମ ଦେହ କାଠ କଲେ । ତଥାପି ଯନ୍ତ୍ରଣାରେ ଛଟପଟ ହେବାକୁ ଲାଗିଲେ । ବିକଳ ହୋଇ କହିଲେ, ବାବାଜୀଟା ଉପରେ ଅତ୍ୟାଚାର କରି ତୁମର କିଛି ଫଳ ଲାଭ ହେବ ନାହିଁ, ଉଦ୍ଦେଶ୍ୟ ମଧ୍ୟ ସାଧିତ ହେବ ନାହିଁ । କଷ୍ଟକୁ ଯେ କଷ୍ଟ ପରି ମଣେ, ତାକୁ କଷ୍ଟ ଦେଲେ ସେ କଷ୍ଟ ପାଇବ; କିନ୍ତୁ ଯନ୍ତ୍ରଣାକୁ ଯେ ଜୀବନର ସଙ୍ଗୀ ବୋଲି ମାନି ନେଇଛି, ତାକୁ କଷ୍ଟ ଦେବାକୁ ଚେଷ୍ଟାକଲେ ଲାଭ କିଛି ହେବ ନାହିଁ । ଯାହା କର ତୁମର ଇଚ୍ଛା । ମନେରଖ, ତୁମର ଯେପରି ଦେହ ଅଛି, ଯାହାଙ୍କ ଉପରେ ଅତ୍ୟାଚାର କରୁଛ, ସେମାନଙ୍କର ମଧ୍ୟ ସେହିପରି ଦେହ ଅଛି । ତୁମର ଦେହ ତୁମକୁ ଯେପରି ପ୍ରିୟ, ସେମାନଙ୍କ ଦେହ ସେମାନଙ୍କୁ ମଧ୍ୟ ସେହିପରି ପ୍ରିୟ । ସମସ୍ତଙ୍କର ଜୀବନ ମରଣ, ଆଶା ଆକାଙ୍‌କ୍ଷା, ସୁଖଦୁଃଖ, ସବୁ ଅଛି । ସବୁ ସମାନ । କେବଳ ତୁମ ହାତରେ ଶକ୍ତି ଅଛି ବୋଲି ସେ ଶକ୍ତିକୁ ଅପବ୍ୟୟ କରୁଛ । ସାବଧାନ ! ସରିଗଲେ ଆଉ ପାଇବ ନାହିଁ । ତେଣିକି ଅବିବେକିତା ପାଇଁ ଅନୁତାପ କରିବାକୁ ପଡ଼ିବ । ଅତ୍ୟାଚାରର ବାଟ ଖୋଲି ଯାଇଛି । ସେହି ଖୋଲା ବାଟରେ ଆଗ ତୁମକୁ ସମାଧି ନେବାକୁ ହେବ ।

 

ମନ୍ତ୍ରୀଙ୍କ ଆଦେଶ ପାଇ ପାତ୍ର କେତେଟା ବିଛୁଆତି ଗଛ ଓପାଡ଼ି ଆଣି ବାବାଜୀ ଆତ୍ମାରାଙ୍କୁ ପିଟିବାକୁ ଲାଗିଲା । ବାବାଜୀଙ୍କ ଦୁଇହାତ ପଛପଟେ ବୁଲାଇ ବନ୍ଧା ହୋଇଥିବାରୁ ସେ ଆଉ ଛଟପଟ ହୋଇ ପାରିଲେ ନାହିଁ ।

 

ମନ୍ତ୍ରୀ ପଚାରିଲେ, ବାବାଜୀ, ଏଥର ତୁମର ବକ୍ତୃତା ବନ୍ଦ କରି କହ, ଉଦ୍ଧତଙ୍କର ମୃତ୍ୟୁ ବିଷୟରେ କିଛି ଜାଣ କି ନାହିଁ ?

 

ବାବାଜୀ ଅବିଚଳିତ ଆକୁଳ ସ୍ୱରରେ କହିଲେ, ଯାହା କହିବାର ମୁଁ କହିସାରିଛି ।

 

ମନ୍ତ୍ରୀ ପାତ୍ରଙ୍କ ଆଡ଼କୁ ଚାହିଁଲେ । ପାତ୍ରର ହାତରେ ବିଛୁଆତି ଲାଗିଥିବାରୁ ସେ କୁଣ୍ଡାଇ ହେଉଛି ।

 

ବାବାଜୀ କହିଲେ, ଚାରା ତୁମର ନାହିଁ । ଯେଉଁ ଦାସତ୍ୱର ବେଡ଼ି ପିନ୍ଧି ଉପାଧିରେ ଛନ୍ଦିବାନ୍ଧି ହୋଇଛ, ନିଜକୁ ଆଜୀବନ ବନ୍ଦୀ କରି ନିର୍ଲଜ ମୁହଁରେ ଶକ୍ତିର ବଡ଼ାଇ ଦେଖାଉଛ, ତାହାରି ପାପରୁ ଲୋପ ହୋଇଛି ତୁମର ମନୁଷ୍ୟତ୍ୱ । ମାଗି ଆଣିଲା ଶକ୍ତିର ସ୍ଥାୟିତ୍ୱ କେତେଦିନ ରହିପାରେ ? ସେତକ ଗଲେ ମହା ବିପଦରେ ପଡ଼ିବ ! ଏତେ କଲବଲ ନ କରି ମୋତେ ଗୁଳି କରି ମାରିଦିଅ । ନୋହିଲେ ଫାଶୀଖୁଣ୍ଟରେ ଚଢ଼ାଅ ।

 

ମନ୍ତ୍ରୀ କଟୁଆଳଙ୍କୁ ତୁନି ତୁନି କହିଲେ, ଲୋକଟା ବୋଧହୁଏ କିଛି ଜାଣେନାହିଁ । ଜାଣିଥିଲେ ବି କିଛି କହିବ ନାହିଁ। ତାକୁ ଛାଡ଼ି ଦିଆଯାଉ । କଟୁଆଳ କହିଲେ, ଉଚ୍ଛନ୍ନ ତାକୁ ସନ୍ଦେହ କରିଛନ୍ତି । ଛାଡ଼ିଦେଲେ, ଜବାବ ଦେବାକୁ ପଡ଼ିବ ।

 

ଆତ୍ମାରାମ କଟୁଆଳଙ୍କ କଥା ଶୁଣିପାରି ତାତ୍ସଲ୍ୟ କରି କହିଲେ, ଛାଡ଼ିଦେଲେ ଜବାବ୍ ଦେବାକୁ ପଡ଼ିବ, ନ ଛାଡ଼ିଲେ କଅଣ ନିସ୍ତାର ପାଇଯିବ ମନେକରିଛ ? ଥରେ ଅନାଇ ଦେଖ, ସେତେବେଳେ ତୁମେ ଥିବ କେଉଁଠି, ଆଉ ଯେଉଁମାନଙ୍କ ଉପରେ ଅତ୍ୟାଚାର କରି ରକ୍ତ ପିଉଛ ସେମାନେ ଥିବେ କେଉଁଠି ? ଅନ୍ଧାରି ରାଇଜର ଅନ୍ଧାର ଭିତରେ ତୁମକୁ ଭଲମନ୍ଦ କି ପାପପୁଣ୍ୟ କିଛି ଦିଶୁ ନାହିଁ ବୋଲି ଛଳନା କରି ଆଖିବୁଜି ବାଡ଼ି ବୁଲାଉଛ । ଯାହାର ଦେହରେ ଆଘାତ ଲାଗୁଛି, ତାର ବିକଳ କାନ୍ଦଣା ଶୁଣିବ ନାହିଁ ବୋଲି କାନରେ ଆଙ୍ଗୁଠି ଦେଇଛ । ତୁମକୁ ଶୁଭୁନାହିଁ ବୋଲି କଅଣ ସେ କାନ୍ଦଣା ଆଉ କାହାରିକୁ ଶୁଭୁ ନାହିଁ ମନେକରିଛ ? ଯେ କାନ୍ଦୁଛି ତାକୁ ଯେ ଶୁଭୁଛି !

 

ଅନ୍ଧାର ଭିତରେ ଯାହାର ଶୁଭ୍ରାଲୋକ ଲୁଚି ଲୁଚି ଆସି ଉତ୍ତ୍ୟକ୍ତ ଓ ଉତ୍ପୀଡ଼ିତ ଜୀବନକୁ ଆଲୋକିତ କରୁଛି, ସେ ତ ତୁମର ନିର୍ମମ ଅଭିନୟ ଦେଖୁଛନ୍ତି ! ଯେତେବେଳେ ସେହି ପୁଣ୍ୟାଲୋକ ଆଗରେ ଅଭିଯୁକ୍ତ ହୋଇ ଆଖି ଖୋଲି ଠିଆ ହେବ, ତୁମର ମନ ଅନୁତାପର ଲୁହା ବେଢ଼ରେ ତୁମର ହାତଗୋଡ଼ ବାନ୍ଧି, ତୁମରି ହାତ, ଗୋଡ଼, ନାକ, କାନକୁ ସାକ୍ଷୀ କରି ପଚାରିବ । କହ ତ ସେତେବେଳେ ତୁମକୁ ଜବାବ ଦେବାକୁ ପଡ଼ିବ କି ନାହିଁ ?

 

ଦିଲ୍‍ଦାର ବିରକ୍ତ ହୋଇ ବଳିଆର ସିଂହକୁ କହିଲେ, ଆରେ ଖଲିଫା, ଫକୀର ବଡ଼ା ଗୋଳମାଳ କିଆ । ଉସ୍‌କା ପାଟି ବନ୍ଦ କର ଦୋ !

 

ବଳିଆର ସିଂହ ଏଣେତେଣେ ଅନାଇ ହନୁମାନଗୁଡ଼ି ସେପାଖେ ଥିବା ପାଳଗଦାରେ ଆଖି ପକାଇଲା । ସାମାନ୍ୟ ହସି କର୍ତ୍ତବ୍ୟପରାୟଣତାର ପ୍ରମାଣ ଦେବାକୁ ତାର ବଳିଷ୍ଠ ବାହୁରେ ଲୋକଙ୍କୁ ଠେଲି ନିଜେ କୁଟା ଆଣିବାକୁ ଗଲା । ଲୋକଙ୍କ ଭିତରୁ କିଏ କାହା ଉପରେ ଭୁସ୍‌ଭାସ୍‍ ହୋଇ ପଡ଼ିଲେ । କାହାର ଆଣ୍ଠୁ ଗଣ୍ଠି ଛିଡ଼ିଲା, କାହାର ମୁଣ୍ଡ ଫାଟିଲା, କାହାର ଥୋଡ଼ି ଛେଚି ହେଲା, ସେଥିକି ଦୃଷ୍ଟି ଦେବାକୁ ତାର ତର ନାହିଁ । ଲୋକେ ମଧ୍ୟ ନିଜର ଗୋଡ଼ ମୁଣ୍ଡ ଆଉଁସି ପଛକୁ ଘୁଞ୍ଚିଗଲେ ।

 

ଆତ୍ମାରାମ କହିଲେ, ହାତଗୋଡ଼ର ବଡ଼ାଇ କର ନାହିଁରେ ନିର୍ବୋଧ ! ହାତଗୋଡ଼ ସଭିଙ୍କର ଅଛି । ସଭିଙ୍କର ହାତଗୋଡ଼ ଦିନେ ମାଟିରେ ମିଶିଯିବ । ଅନ୍ଧ ହୋଇ ଯାହାଙ୍କ ଉପରେ ଅତ୍ୟାଚାର କରୁଛ, ସେହିମାନେ ତୁମର ଛାତି ଉପରେ ଦିନେ ସଦର୍ପରେ ଚାଲିଯିବେ । ସେତେବେଳେ ତୁମେ ଥିବ ଏହି ମାଟି ଭିତରେ । ପଥର ତଳେ ।

 

ବକ୍ ବିକ୍ ବନ୍ଦ କର, କହି ଜଣେ ସିପେଇ ଜୋର୍‌ରେ ତାଙ୍କ ଗାଲରେ ଚାପୁଡ଼ା ମାରିଲା-

 

ଆତ୍ମାରାମ ଆଖି ବୁଜି ଟିକିଏ ନିମ୍ନସ୍ୱରରେ କହିଲେ, ତୁମର ହାତ ଅଛି, ମୁଖର ଭାଷା ମୋର ବନ୍ଦ କରି ପାରିବ, କିନ୍ତୁ ଜୀବନ ଥାଉଁଣୁ ହୃଦୟର ଭାଷା ବନ୍ଦ କରିବାର ଶକ୍ତି ତୁମର ନାହିଁ । ଅନ୍ଧାରି ରାଇଜର ଶୋଇଲା ଜୀବନଟା ଆଜି ଚେଇଁଉଠିଛି । ଶହ ଶହ ଲୋକଙ୍କ ଆଖିଲୁହରେ ଜୀବନରେ ଜାଗରଣ ଆସିଛି । ତାହାରି ସୂଚନା ଫୁଟିଉଠୁଛି । ମୁଖର ଭାଷା ମୋର ବନ୍ଦ କର । ନିରୀହର ଜୀବନର ଜାଗରଣ ବନ୍ଦ କରିପାରିବ ନାହିଁ । କାନ ଡେରି ଶୁଣ, ଅଦୂରରୁ ଧ୍ୱଂସର ଆବାହନୀ ଆକାଶ ପାତାଳ ପ୍ରତିଧ୍ୱନିତ କରି ମାଡ଼ି ଆସୁଛି । କିପରି ବାଧା ଦେବାକୁ ହୁଏ ଜାଣ ନାହିଁ । ନିମନ୍ତ୍ରଣ କରି ଡାକି ଆଣୁଛ । ସାବଧାନ ! ସାବଧାନ !

 

ଆତ୍ମାରାମଙ୍କର ସତର୍କବାଣୀ କେହି ବୁଝିଲେ ନାହିଁ, କେହି ଶୁଣିଲେ ନାହିଁ । ବଳିଆର ସିଂହ ପୁଳାଏ ପାଳ ଆଣି ଆତ୍ମାରାଙ୍କର ମୁହଁରେ ପୂରାଇ ପାଳଦଉଡ଼ିରେ ପାଟିରେ ଲଗାମ ଦେଇ ଖୁଣ୍ଟରେ ବାନ୍ଧିଦେଲା ।

 

ମନ୍ତ୍ରୀ ଆନନ୍ଦରେ କରତାଳି ଦେଲେ । ସେହି କରତାଳି କ୍ଷଣକ ଭିତରେ ନୌକରସାହୀର ପ୍ରତ୍ୟେକ କରରେ ପ୍ରତିଧ୍ୱନିତ ହେଲା ।

 

ଦୁରିଆ ଗଣ୍ଡା ପାତ୍ରଙ୍କ ପାଖରେ ଠିଆ ହୋଇଥିଲା । ସେ ବ୍ୟସ୍ତ ହୋଇ କହିଲା, ଆରେ, ତୁମକୁ ଏଇଥର ଦଇବ ଛାଡ଼ିଲା ! ମାଛିକୁ ଯେ ମ’ନ କହେ, ହଲିଲା ପାଣିକୁ ଯେ ହାତ ନ ବଢ଼ାଏ, ବଣ ପାହାଡ଼ କନ୍ଦିରେ ଯେ ହରିନାମ କରି ସମୟ କଟାଏ, ସେହି ଆତ୍ମାରାମ ବାବାଜୀଙ୍କୁ ଏତେ କଷ୍ଟ ଦେବା, ଏତେ କଲବଲ କରିବା ଉଚିତ ହୋଇ ନାହିଁ ।

 

ଦୁରିଆର କଥା ଶୁଣି ମନ୍ତ୍ରୀ କଟମଟ କରି ତା’ ଆଡ଼କୁ ଚାହିଁଲେ । ଦୁରିଆ ମୁଣ୍ଡ ନୁଆଁଇଲା ।

 

ସବୁ ଉପାୟ ବ୍ୟର୍ଥ ହେଲା । ଆତ୍ମାରାମଙ୍କର ଦେହ ଲହୁଲୁହାଣ ହୋଇଛି । ଖୋଲା ଦେହର ଚମ ଫୁଲିଛି ।

 

ସେ ଦରମରା ହୋଇଛନ୍ତି ।

ତୁଣ୍ଡରୁ କଥା ବାହାରିଲା ନାହିଁ । ସେ ଜ୍ଞାନ ହରାଇଲେ ।

ମନ୍ତ୍ରୀ ଭାବିଲେ, ଆତ୍ମାରାମ ପ୍ରାଣ ହରାଇଛନ୍ତି ।

କଟୁଆଳ କହିଲେ, ସେ ଛଟା ଗାଳୁଛନ୍ତି ।

ଦିଲ୍‍ଦାର କହିଲେ, ତାକୁ ଖୋଲ୍ ଦୋ ! ହୋସ୍ ଆଏଗା ତୋ ଫିର୍ ଦେଖ୍ ଲେଙ୍ଗେ ।

 

ସିପେଇମାନେ ତାଙ୍କର ବନ୍ଧନ ଖୋଲିଲେ । ତାଙ୍କୁ ନେଇ ହନୁମାନଗୁଡ଼ି କଡ଼ରେ ଥିବା ଆମ୍ବ ଗଛତଳେ ଶୁଆଇ ଦେଲେ ।

Image

 

ନିର୍ଯ୍ୟାତନା

 

କଟୁଆଳ ହତାଶ୍‍ ହେଲେ । ମନଦୁଃଖ କରି ତୁନି ତୁନି କହିଲେ, ଲୋକଙ୍କର ଆଣ୍ଟ ଦେଖୁଛନ୍ତି ତ ମନ୍ତ୍ରୀ ମହାଶୟ, ଭଲରେ ଦୁନିଆ ନାହିଁ ।

 

ମୁଣ୍ଡ ହଲାଇ ମନ୍ତ୍ରୀ କହିଲ, ଭଲରେ ଦୁନିଆ ନାହିଁ କି ମନ୍ଦରେ ମଧ୍ୟ ଦୁନିଆ ନାହିଁ । ଆପଣ କଅଣ ଭାବିଛନ୍ତି ଲୋକେ ନିଜ ମନକୁ ଦୋଷ ସ୍ୱୀକାର କରି ଫାଶୀ ଖୁଣ୍ଟିରେ ଝୁଲିବାକୁ ଆଗେଇ ଆସିବେ ? ନିଜ ଦୋଷ ନିଜ ଆଖିକି ଦୋଷ ପରି ଦିଶେ ନାହିଁ । ଦୁଇ ତିନିଜଣଙ୍କୁ ଏହିପରି ଦଣ୍ଡ ଦେଲେ ହୁଏତ ଲୋକେ ଭୟରେ ପ୍ରକୃତ ହତ୍ୟାକାରୀର ନାମ କହିଦେବେ । ଟିକିଏ ଖିଅ ମିଳିଲେ ତେଣିକି ଓଟାରି ସୁତା ବାହାର କରିବାକୁ କଷ୍ଟ ପଡ଼ିବ ନାହିଁ ।

 

କଟୁଆଳ କହିଲେ, ଲୋକଙ୍କର ଭୟ କରିବାର କୌଣସି କାରଣ ନାହିଁ । ଯେଉଁମାନଙ୍କ ଉପରେ ଆମର ସନ୍ଦେହ ହୋଇଛି ବୋଲି ଧରି ଆଣିଛୁ, ଯଦି କେବଳ ସେହିମାନଙ୍କୁ ଦଣ୍ଡ ଦିଆଯାଏ, ତେବେ ଅନ୍ୟ ଲୋକେ ନିଶ୍ଚିନ୍ତ ରହିବେ । ମୁଁ ଅନ୍ୟ ଗୋଟିଏ ଉପାୟ ଭାବିଛି । ଯେଉଁମାନଙ୍କୁ ଗିରଫ କରାହୋଇଛି, ସେମାନଙ୍କୁ ଛାଡ଼ି ଲୋକଙ୍କ ଭିତରୁ ଯାହାକୁ ଇଛା ତାକୁ ଧରି ଦଣ୍ଡ ଦେଲେ ସମସ୍ତଙ୍କର ଭୟ ହେବ । ହତ୍ୟାକାରୀର ନାମ ଲୋକେ ପ୍ରକାଶ କରିବେ ।

 

କଟୁଆଳଙ୍କ କଥାରେ ସମର୍ଥନ ଜଣାଇଁ ମନ୍ତ୍ରୀ ମୁଣ୍ଡ ହଲାଇ କହିଲେ, ଆପଣ ଠିକ୍ କହିଛନ୍ତି, ସେହିପରି ଚେଷ୍ଟା କରାଯାଉ । ଯେକୌଣସି ଉପାୟରେ ହତ୍ୟାକରୀକୁ ଧରିବାକୁ ହେବ, ନୋହିଲେ ରକ୍ଷାରକ୍ଷଣ ନାହିଁ ।

 

ବୃଥା ସମୟ ନଷ୍ଟ ନ କରି କଟୁଆଳ ପାଟିକରି ଲୋକଙ୍କୁ କହିଲେ, ତୁମମାନଙ୍କୁ ଭଲରେ କହିଲି ଶୁଣିଲ ନାହିଁ, ଏଣିକି ଆଉ ମୋର ଦୋଷ ଦେବ ନାହିଁ । ଏତେବଡ଼ ଘଟଣା ଘଟିଗଲା । ହତ୍ୟାକାରୀ କିଏ ଏ ବିଷୟ ତୁମକୁ ନିଶ୍ଚୟ ଜଣାଅଛି । ଥରେ ପଚାରୁଛି । ତାର ନାମ କହିଦିଅ, ନିଶ୍ଚିନ୍ତ ହୋଇ ଫେରିଯାଅ ।

 

ଲୋକଙ୍କ ଭିତରେ କୋଳାହଳ ଖେଳିଗଲା । ପ୍ରତ୍ୟେକେ ପ୍ରତ୍ୟେକର ମୁହଁକୁ ସନ୍ଦେହପୂର୍ଣ୍ଣ ଦୃଷ୍ଟିରେ ଚାହିଁଲେ। ମନ ସେହି ଅଜଣା ହତ୍ୟାକାରୀକୁ ଅଭିଶାପ ଦେଲା ।

 

ଯେତେବଡ଼ ଶତ୍ରୁ ହେଲେ ବି ମିଛରେ ତାର ନାମ ପ୍ରକାଶ କରିବାକୁ କେହି ସାହସ କଲେ ନାହିଁ । ସମସ୍ତେ ନୀରବ ରହିଲେ । ପରିଣାମ କଅଣ ହେବ, ସେ କଥା ଅନୁମାନ କଲେ । ଭୟରେ ଛାତି ଥରିବାକୁ ଲାଗିଲା ।

 

ତତ୍ପରେ ଅତ୍ୟାଚାରର ଯେଉଁ ଅଭିନୟ ହେଲା, ମଣିଷ ମନ ଧରି ସେ ସବୁ ଅନୁମାନ କରିବା ସହଜ ନୁହେଁ । ମନ୍ତ୍ରୀ ମହାଶୟଙ୍କ ଆଦେଶ ପାଇ ସିପେଇମାନେ ପୂର୍ବ ଆକ୍ରୋଶ ଶୁଝାଇବାକୁ ହେଉ କିମ୍ବା କାର୍ଯ୍ୟଦକ୍ଷତାର ଜ୍ୱଳନ୍ତ ପ୍ରମାଣ ଦେବାକୁ ହେଉ, ଲୋକମାନଙ୍କ ଭିତରୁ ଯାହାକୁ ମନ ତାକୁ ଧରି ନେଇ ଅମାନୁଷିକ ଅତ୍ୟାଚାର କରିବାରେ ଲାଗିଗଲେ ।

 

କାହାର ହାତ ଗୋଡ଼ ବାନ୍ଧି ହନୁମାନ ମନ୍ଦିର ଆଗରେ ଥିବା ଆମ୍ବଗଛ ଡାହିରେ ଝୁଲାଇଦେଲେ, ତଳେ ନିଆଁ ଜାଳି ଲଙ୍କାମରିଚ ଧୂଆ ଦେଲେ । ସେ ବିଚାରା ଯନ୍ତ୍ରଣାରେ ଛଟପଟ ବିକଳ ହୋଇ ଅର୍ଦ୍ଧମୃତ ଅବସ୍ଥାରେ ଜୀବନ ଭୟରେ କେତେ ଲୋକଙ୍କର ନାମ ପ୍ରକାଶ କଲା । କଟୁଆଳ ସେସବୁ ନାମକୁ ଲେଖି ରଖିଲେ ।

 

ପାଞ୍ଚଜଣ ଲୋକ ଲାଗି ଖଣ୍ଡେ ଅକର୍ମଶିଳାକୁ ଅତି କଷ୍ଟରେ ଆଣି ଭୋଳା ଘାସିର ଛାତି ଉପରେ ଲଦି ଦେଲେ । ତାର ପିଞ୍ଜରା ହାଡ଼, କଡ଼ କଡ଼ ହୋଇ ଭାଙ୍ଗିଗଲା । ପାଟିବାଟେ ପିଚ୍ ପିଚ୍ ରକ୍ତ ବାହାରିଲା । ବଞ୍ଚିଲା କି ମଲା ସେଥିପ୍ରତି କାହାର ନଜର ନାହିଁ ।

 

ବିଶି ବିଶ୍ୱାଳର ହାତ ଗୋଡ଼ରେ ଲୁହା ତତାଇ ଚିଆଁ ଦେଲେ । ବଳଦଙ୍କୁ ବାଣି ଦେଲାପରି ଦେହଯାକ ତାର ଦଗାଗଲା । ତାର ବିକଳ କାନ୍ଦଣାରେ ଆକାଶ ଥରିଲା । କେହି ତାର ପିଠିରେ ପଡ଼ିବାକୁ ଆସିଲେ ନାହିଁ । ଅନ୍ଧାରି ରାଇଜର ଅନ୍ଧାରକଣା ଲୋକେ ଛେଳି ପଲପରି ବଲବଲ ଚାହିଁ ରହିଲେ ।

 

ଯଦୁ ମାଝିର କାନ କାଟିଲେ ବଚନ ବାହାରେ ନାହିଁ । ସେ ଆଜି ହରିକାଠରେ ଚଢ଼ି ୟା ତା ମୁହଁକୁ ଚାହିଁଛି । କାଠଗୁଡ଼ା ଯେତେବେଳେ ଚିପି ହୋଇ ଆସୁଛି, ଯଦୁ ମୁହଁ ଫିଟାଇ ଆକୁଳ ବିକଳ ହୋଇ କାନ୍ଦୁଛି । କାହାକୁ କଅଣ କିପରି କହିବାକୁ ହୁଏ, ତାକୁ ତ ଜଣାନାହିଁ, ସିପେଇମାନଙ୍କ ଧମକ ଚମକ, ଚାବୁକ ମାଡ଼ରେ ସେ ଖାଲି ଆଖି ବୁଜି ପାଟି କରୁଛି ।

 

ଆଣ୍ଠୁଗଣ୍ଠି ବାତରେ ତିନି ଚାରିମାସ ବିଛଣାରେ ପଡ଼ି ଦିନ ପନ୍ଦର ହେବ ମଦନା ଓଝା ଉଠିଛି । ମରଣ ସଙ୍ଗେ ଯୁଦ୍ଧ କରି ଦେହରୁ ତାର ସବୁ ରକ୍ତ ମାଂସ ଜଳି ଯାଇଥିଲା । ଦେହରେ ହାଡ଼ ଦି’ଖଣ୍ଡ । ତାର ହାତଗୋଡ଼ ପବ ପବ କରି ଲୁହା ହାତୁଡ଼ିରେ ଛେଚିଲେ । ହାଡ଼ଭାଙ୍ଗି ପିଚିକାରି ମାରିଲା ପରି ରକ୍ତ ଛୁଟିଲା । ସେ ବିକଳ ହୋଇ କାନ୍ଦିଲା । ତାର କାନ୍ଦଣାରେ ଗଗନ ପବନ ଦୋହଲି ଉଠିଲା । ଯନ୍ତ୍ରଣା ସହି ନ ପାରି ସେ ସେପୁରକୁ ଚଲା, କି ମୂର୍ଚ୍ଛିତ ହେଲା ।

 

ଲୋକେ ଆଉ ସହି ପାରିଲେ ନାହିଁ । ହାତ ଟେକି ବା ମୁହଁ ଖୋଲି ପ୍ରତିବାଦ କରିବାକୁ ସାହସ ତ କାହାରି ନାହିଁ, ପ୍ରତିକାର ପାଇଁ ଧର୍ମକୁ ଚାହିଁ ଆଖିରୁ ଲୁହ ଝରାଇଲେ ।

 

ଦୁରିଆ ଗୁଣ୍ଡା ଲୋକଙ୍କର କଲବଲ ସହି ପାରିଲା ନାହିଁ । ସେ ଜାଣେ, ଯେଉଁମାନେ ଉଦ୍ଧତଙ୍କୁ ମାରିଛନ୍ତି ଓ ଗୋଲାପକୁ ଅପହରଣ କରିଛନ୍ତି, ସେମାନେ କେଉଁ ଛଟକରେ କଅଣ କରନ୍ତି, ଦାସ ଦଳର ମୋଟା ବୁଦ୍ଧି ସେ କଥା ଅନୁମାନ କରି ସ୍ଥିର କରିପାରିବ ନାହିଁ । ବିଲୁଆ ଯାଇ ଦି’କୋଶ ବାଟରେ ତାର ଗାତ ଭିତରେ ନିଶ୍ଚିନ୍ତରେ ଶୋଇଲାଣି । ନିର୍ବୋଧ ଲୋକଗୁଡ଼ାକ ବୁଦା ଚାରିପାଖ ବାଡ଼େଇ ବାଡ଼େଇ ନୟାନ୍ତ ହେଲେଣି । ଫଳରେ କେତେଗୁଡ଼ିଏ କୀଟପତଙ୍ଗକୁ ହଇରାଣ କରିବା ଛଡ଼ା ଲାଭ କିଛି ହେବ ନାହିଁ । ଯଦି ଶେଷକୁ ବୁଦା ମୂଳରୁ ବିଷଧର ସାପ ତାର ଫଣା ଟେକି ବାହାରି ପଡ଼ି ଗୋଡ଼ରେ ଚୋଟ ମାରେ, ସେତେବେଳେ ନିଜ ଅବିଚାରର ଫଳ ପାଇବେ ।

 

ବିଲୁଆ ଯହିଁ ଲୁଚିଥାଉ, ଦୁରିଆର ଶିକାରୀ କୁକୁରଦଳ ପାଖରୁ ପରିତ୍ରାଣ ପାଇବା ସହଜ ନୁହେଁ । ସେମାନେ ମାଟି ସୁଙ୍ଘି ବାଟ ଠିକଣା କରନ୍ତି । ହତ୍ୟା କାରୀ କେଉଁମାନେ ହୋଇଥିବେ ସେ ଅନୁମାନ କରିସାରିଛି । ସତ ମିଛ ପରଖ ନ କରି ନାମ ପ୍ରକାଶ କରିବା ଉଚିତ ନୁହେଁ ।

 

ଦୁରିଆ ମନ୍ତ୍ରୀଙ୍କ ଆଗକୁ ଯାଇ ଯୋଡ଼ହସ୍ତ ହୋଇ ନିବେଦନ କଲା, ଆଜ୍ଞା ମଣିମା, ଗରିବର ଗୁହାରି ଥରେ ଜଣାମଣା ହେଉ । ଗଡ଼ର ଏହି ନିରୀହ ସରଳ ଲୋକଙ୍କୁ ଦଣ୍ଡ ଦିଅନ୍ତୁ ନାହିଁ-। ସେମାନେ ଜାଣନ୍ତି ନାହିଁ । ରାଜାର ବିରୁଦ୍ଧରେ କି ଏହି ମଳିମୁଣ୍ଡିଆ ଅଧା ଉପାସିଆ ଲୋକେ ହାତ ଟେକିଛନ୍ତି ? ନାହିଁ । ପାଣି ବାଡ଼େଇ ସମୟ ନଷ୍ଟ କରନ୍ତୁ ନାହିଁ । ମୋତେ ଘଣ୍ଟାଏ ସମୟ ଦିଅନ୍ତୁ । ମୁଁ ଖୁଣୀକୁ ଆଣି ଛାମୁରେ ହାଜର ନ କଲେ ତେଣିକି ଯାହା ଇଚ୍ଛା ତାହା କରିବା ହେବେ ।

 

ମନ୍ତ୍ରୀ କଟୁଆଳଙ୍କ ମୁହଁକୁ ଚାହିଁଲେ । ଦୁରିଆକୁ ସେମାନେ ଭଲ କରି ଚିହ୍ନନ୍ତି । ଲୋକଟା ବାହାପିଆ, ଗୁଡ଼ାଏ ଗପେ, ଏ କଥା ମନ୍ତ୍ରୀଙ୍କୁ ଅବିଦିତ ନାହିଁ । ହେଲେ, ବେଳେ ବେଳେ ଯାହା କହେ ତା ସେ କରେ ।

 

ମନ୍ତ୍ରୀ କହିଲେ, କିରେ ଦୁରିଆ, ତୋତେ ଯଦି ଜଣାଥିଲା, ଆଗରୁ ସେ କଥା କହିଲୁ ନାହିଁ । ଏତେବେଳେ ଯାଏ କଅଣ ଘୁମାଉଥିଲୁ ?

 

ଦୁରିଆ କହିଲା, ମନ୍ତ୍ରୀ ସା’ନ୍ତେ, ଛାମୁଙ୍କର ମଗଜର କରାମତି ପରଖ କରୁଥିଲି । ଅନ୍ଧାରରେ ବାଡ଼ି ଦୁଲାଇ ଏ ଗରିବ ନିର୍ଦୋଷ ଲୋକଗୁଡ଼ାଙ୍କୁ ମିଛରେ ହଇରାଣ କରୁଛନ୍ତି ଦେଖି ମୁଁ ଆଉ ସହିପାରିଲି ନାହିଁ । ଛାମୁ ଟିକିଏ ନିଜ ଗୋଡ଼ ହାତକୁ ଚାହିଁ ବସନ୍ତୁ । ମୁଁ ମୋ ଉପାୟ କରି ଘଡ଼ିକ ଭିତରେ ଖୁଣୀକୁ ହାଜର କରିବି ।

 

ଏତିକି କହି ଦୁରିଆ ତାର ଦଳ ବଳ ଘେନି ଲୋକଙ୍କୁ ଦୁଇ ହାତରେ ଠେଲି ଏକମୁହାଁ ହୋଇ ଜଙ୍ଗଲ ଆଡ଼କୁ ଛୁଟିଲା । କେହି ତାକୁ ବାଧା ଦେଲେ ନାହିଁ ।

Image

 

କର୍ତ୍ତବ୍ୟର ଭୁଲାବାଟେ

 

ସବୁ କୌଶଳ ବ୍ୟର୍ଥ ହୋଇଛି । ଧମକ-ଚମକକୁ ଲୋକେ ଡରୁ ନାହାନ୍ତି । ମହାରାଜାଙ୍କୁ ଜଣାଇଦେବାକୁ ହେବ ଯେ ଉଦ୍ଧତଙ୍କ ମୃତ୍ୟୁ ପାଇଁ ଅନ୍ତତଃ ଦୁଇଗଣ୍ଡା ଲୋକ ଫାଶୀଖୁଣ୍ଟରେ ଝୁଲିଛନ୍ତି । ନୋହିଲେ କର୍ତ୍ତବ୍ୟହାନି ଅପରାଧରେ ଚାକିରିଖଣ୍ଡ ଚାଲିଯିବ । ଛାମୁ ଯଦି ଆଉ କଅଣ ଆଦେଶ ଦିଅନ୍ତି ତ ସର୍ବନାଶ !

 

ମନ୍ତ୍ରୀ, କଟୁଆଳ ଓ କାରାରକ୍ଷକ ପରାମର୍ଶ କଲେ । ସ୍ଥିର ହେଲା, ପ୍ରଥମେ ବିଦ୍ରୋହ ବିଶ୍ୱାଳଙ୍କୁ ରାଜଦ୍ରୋହୀ ବୋଲି ଫାଶୀ ଦିଆଯିବ । ହଳଧର ବିଶୋଇ ଧରାହୋଇ ଆସିଛନ୍ତି । ଚକ୍ରାନ୍ତକାରୀ ବୋଲି ତାଙ୍କୁ ମଧ୍ୟ ଫାଶୀ ଦେବେ । ତାଙ୍କରି ଅପରାଧରୁ ଉଦ୍ଧତ ମରିଛନ୍ତି । ତାଙ୍କରି ଚକ୍ରାନ୍ତରେ ଲୋକେ ଗୋଲାପକୁ ଅପହରଣ କରି ନେଇଛନ୍ତି । ଏଥିରେ ଅନ୍ୟ କହାରି ସ୍ୱାର୍ଥର ଗନ୍ଧ ନାହିଁ । ଅତଏବ ବିଶୋଇ ସବୁ ଗଣ୍ଡଗୋଳର ମୂଳ କାରଣ ।

 

ମନ୍ତ୍ରୀଙ୍କର ଆଦେଶ ପାଇ ବିଦ୍ରୋହ ବିଶ୍ୱାଳଙ୍କୁ ଆଗକୁ ଆଣିଲେ । ବନ୍ଦୀ ହେଲା ଦିନୁଁ କାରାଗାରରେ ସେ ଜଳ ସୁଦ୍ଧା ସ୍ପର୍ଶ କରି ନାହାନ୍ତି । ଅଙ୍ଗ ଦୁର୍ବଳ । ଚକ୍ଷୁର ଜ୍ୟୋତି ନିଷ୍ପ୍ରଭ । ସେ ଆଗକୁ ଆସି ମୁଣ୍ଡ ନୁଆଇଁ ମନ୍ତ୍ରୀଙ୍କୁ ପ୍ରଣାମ କଲେ । ମନ୍ତ୍ରୀ ମୁଣ୍ଡ ହଲାଇ ପ୍ରତି ନମସ୍କାର କରି ନୀରବ ହେଲେ । ସମବେତ ଜନତା ଓ ଅନ୍ୟାନ୍ୟ ରାଜକର୍ମଚାରୀମାନେ ଏହି ବିଚିତ୍ର ଲୋକଟିର କି ଅବସ୍ଥା ହେବ, ଦେଖିବାକୁ ବ୍ୟଗ୍ର ହୋଇ ରହିଲେ ।

 

ମନ୍ତ୍ରୀ ପଚାରିଲେ, ତୁମକୁ ହିଁ ରାଜା ସନ୍ଦେହ କରିଛନ୍ତି । ତୁମେ ରାଜାଙ୍କର ବିରୁଦ୍ଧରେ ଲୋକଙ୍କୁ ଉତ୍ତେଜିତ କରିଛ । ତାହାରି ଫଳରୁ ଏହିସବୁ ଘଟଣା ଘଟିଯାଇଛି । ଖବର ମିଳିଛି, ତୁମର ଗାଁ ଲୋକେ ମେଳି ହୋଇ ଅନ୍ୟାନ୍ୟ ଗଉଁତିର ଲୋକଙ୍କୁ ମେଳେଇ ଦଳ ବଳ ଘେନି ଗଡ଼କୁ ଆସୁଛନ୍ତି । କିଏ କହୁଛି, ତୁମର ମୁକ୍ତି ପାଇଁ ଛାମୁଙ୍କ ପାଖରେ ଗୁହାରି କରିବେ । କେହି କେହି କହୁଛନ୍ତି, କୋଡ଼ି କାଙ୍କ ଧରି ସୁରଙ୍ଗଗଡ଼ଟାକୁ ତାଡ଼ି ମନ୍ଦାକିନୀ ନଈରେ ପକାଇବେ । ସେ ସବୁ ତ ପର କଥା । ଯାହା କରି ପକାଇବେ, ସେଥିକି ଯାହା ହାତରେ ରାଜଛତ୍ର ଅଛି, ସେ ତାହାର ପ୍ରତିକାର କରିବ । ମୁଁ ଏତିକି କହୁଛି, ତୁମର ମୁକ୍ତି ଅଛି ତୁମରି ହାତରେ । ଅନାଅ, ଆଗରେ ଫାଶୀକାଠ ପ୍ରସ୍ତୁତ । ଯଦି ଜୀବନରେ ମମତା ଥାଏ, ସତ କହ, ଉଦ୍ଧତଙ୍କର ହତ୍ୟାକାରୀ କିଏ !

 

ବିଶୋଇଙ୍କୁ ଚାହିଁ କହିଲେ, ଶୁଣୁଥାଅ ବିଶୋଇ, ତୁମର ମଧ୍ୟ ସେହି ଅବସ୍ଥା ହେବ । ଗୋଲାପ ତୁମର କନ୍ୟା ହୋଇପାରେ, କିନ୍ତୁ ରାଜାର ସେ ଅଭିଳଷିତ । ତା ଉପରେ ତୁମର ଅଧିକାର ନାହିଁ । ତୁମେ ମଧ୍ୟ ହତ୍ୟାକାଣ୍ଡ ପାଇଁ ଦାୟୀ ।

 

ବିଶ୍ୱାଳଙ୍କର ଛାତି ଭିତରେ ସତେ କି ପ୍ରଳୟ ଅନଳ ଦାଉ ଦାଉ ହୋଇ ଜଳି ଉଠିଲା । ଧ୍ୱଂସର ପ୍ରଳୟ ଚିତା । ସତ କଥା, କନ୍ୟା ଉପରେ ପିତାର ଅଧିକାର ନାହିଁ । ଅଧିକାର ଅତ୍ୟାଚାରୀ, ଆତତାୟୀର ! ଧନ୍ୟ ବିଚାର ।

 

ସେ ଗର୍ଜନ କରି କହିଲେ, ଶୁଣୁଥାଅରେ ସୁରଙ୍ଗଗଡ଼ର ଛେଳିଗୁଡ଼ାକ, ଆଉ ପୋଷାକ ପିନ୍ଧି ଗର୍ବରେ ମୁଣ୍ଡ ଟେକି ହାତ ହତିଆର ଧରି ଠିଆହୋଇଛ ଯେଉଁ ପୋଷା କୁକୁରଦଳ । ତୁମର ସ୍ତ୍ରୀ-କନ୍ୟାଙ୍କ ଉପରେ ତୁମର ଅଧିକାର ନାହିଁ । ଜନ୍ମ ହେଲାବେଳେ ଯେଉଁ ରାଜା ଏହି ରାଜ୍ୟଟାକୁ ପିଠିରେ ବୋହି ମା ପେଟରୁ ଆଣିଥିଲା, ତୁମ ଉପରେ, ତୁମର ପିଲା କୁଟୁମ୍ବଙ୍କ ଉପରେ ତାଆରି ପୂର୍ଣ୍ଣ ଅଧିକାର । ତାହାରି! ହାଃ-ହାଃ- ।

 

କଟୁଆଳ କହିଲେ, ବକ୍ତୃତା ଦେବାର ବେଳ କାଳ ଓ ବିଚାରସ୍ଥଳ ଏ ନୁହେଁ । ଯାହା ପଚରାଗଲା, ତା’ର ଜବାବ୍ ଦିଅ, ନୋହିଲେ କୋରଡ଼ା ମାଡରେ ଲଙ୍ଘା କରିଦେବି ।

 

ବିଶ୍ୱାଳ ଦୁଇ ହାତ ଉପରକୁ ଟେକି କହିଲେ, ମାଡର ଭୟ ଦେଖାଉଛ କାହାକୁ ? ଆପଣମାନଙ୍କ ପ୍ରସାଦରୁ ଆମର ଏହି ବେଠିଆପଲର ପିଠି ପଥର ପାଲଟିଛି । ସହି ସହି ଜୀବନ ବି ଥୋବରା ହେଲାଣି । କୋରଡ଼ାମାଡ଼କୁ ଆଉ ଡର ନାହିଁ । ମରଣର ଭୟ ଦେଖାଉଛ ? ଫାଶୀଖୁଣ୍ଟରେ ଝୁଲିବାକୁ ବି ଆମର ଡର ନାହିଁ । ଯେଉଁ ଦିନ ମା ପେଟରୁ ତଳେ ପଡ଼ି ତ୍ରାହି ତ୍ରାହି ଡାକ ଛାଡ଼ିଲୁ, ଆମେ ଜାଣୁ ଆମର ଡାକ ଉପରେ କାହାକୁ ଶୁଭିଲା । ମରିବାକୁ ଜନ୍ମ ହୋଇଛ ବୋଲି କଅଣ ଜାଣ ନାହିଁ ଭାଇମାନେ ? କାହାନ୍ତି ତୁମର ବାପ, ଅଜା: ? କାହିଁ ବା ରହିବ କାଲି ତୁମେ ?

 

ମନ୍ତ୍ରୀ ଗର୍ଜନ କରି କହିଲେ, ଯଦି ମୁକ୍ତିର ଆଶା ଅଛି, ପାଗଳ ପରି ଆଉ ଗୁଡ଼ାଏ ଏଣୁତେଣୁ ନ ବକି ମୋ ପ୍ରଶ୍ନର ଉତ୍ତର ଦିଅ ।

 

–ମୁକ୍ତିର ଇଚ୍ଛା କାହାର ନାହିଁ ? ଆମର ମୁକ୍ତି କେହି ଅଟକାଇ ପାରିବ ନାହିଁ । ମରଣହିଁ ଆମର ମୁକ୍ତି । ଜୀବନ ବନ୍ଧନ । ନୁହେଁ କି ବିଶୋଇ ?

 

ବିଶୋଇ କହିଲେ, ନିଶ୍ଚୟ । ଆଗରେ ଦେଖୁନ, ଦୁଇ ହାତ ଟେକି ଅଭୟ ଦେବାକୁ, ମୁକ୍ତି ଦେବାକୁ, ଆଲିଙ୍ଗନ କରିବାକୁ ଫାଶୀଖୁଣ୍ଟ ମୌନ ହୋଇ ଠିଆ ହୋଇଛି ।

 

ଜନତା ଭିତରୁ କିଏ ଜଣେ ଚିତ୍କର ଉଠିଲା, ଜୁହାର ଫାଶୀଖୁଣ୍ଟ ମହାରାଜ, ଗୋଟି ଗୋଟି ହୋଇ ଆମେ ସମସ୍ତେ ତୁମରି ବେକରେ ବନ୍ଧା ହେବୁ, ମାର ଓ ତାର !

 

ନୌକରସାହୀର ସବୁ ନାଲି ଆଖି ଜନତା ଉପରେ ଖେଳିଗଲା । ବକ୍ତାକୁ ସ୍ଥିର କରିବା ସହଜ ନୁହେଁ । ଲୋକେ ପରସ୍ପରକୁ ନିମ୍ନସ୍ୱରରେ କେତେ କଅଣ କହିବାକୁ ଲାଗିଲେ । ସମସ୍ତଙ୍କର ନିମ୍ନସ୍ୱର ମିଶି ସେ ଯେଉଁ ବିରାଟ ସ୍ୱରର ସୃଷ୍ଟି ହେଲା, ସେଥିରେ ନୌକରସାହୀର ଗର୍ଜନ ତର୍ଜନ ବିଲୀନ ହୋଇଗଲା ।

 

ମନ୍ତ୍ରୀ ବିଚଳିତ ହୋଇପଡ଼ିଲେ । କଟୁଆଳ ଲୋକଙ୍କୁ ଆକ୍ରମଣ କରିବାକୁ ପ୍ରସ୍ତାବ ଉଠାଇଲେ ।

 

ବୁଦ୍ଧିମାନ ବିଶ୍ୱାଳ ହାତ ଟେକିଲେ । ସଙ୍ଗେ ସଙ୍ଗେ ଜନତା ନୀରବ ହେଲା । ଗର୍ବରେ ବିଶ୍ୱାଳଙ୍କର ବାକ୍‌ରୁଦ୍ଧ ହୋଇ ଆସିଲା । ସେ ଧୈର୍ଯ୍ୟ ଧରି କହିଲେ, ଆମର ବାପ ଅଜା ସପ୍ତପୁରୁଷ ମରିଛନ୍ତି ଭାଇମାନେ, ଆମେ ବି ମରିବା । ଅନ୍ଧାର ଓ ଅତ୍ୟାଚାରର ମଝିରେ ଆମର ଜନ୍ମ । ମରଣ ବି ହେବ ସେହିଠାରେ । ଏବେ, ଜନ୍ମ ଓ ଜୀବନର ସାର୍ଥକତା କଅଣ ? ଜନ୍ମ ହୋଇଥିଲୁ କଅଣ କେବଳ ମରିବା ପାଇଁ ? ନାହିଁ ରେ ନାହିଁ । ଆମର ଜନ୍ମ କେବଳ ମରଣପାଇଁ ନୁହେଁ । ଆମର ଜନ୍ମ ମୁକ୍ତିପାଇଁ, ଆଲୋକପାଇଁ । ମୁକ୍ତି ଆସେ, ଆଲୋକ ଆସେ ମରଣ ଭିତରୁ । ଜୀବନର ଜନ୍ମ ମା ପେଟରୁ । ମରଣର ଜନ୍ମ ମନ ଭିତରୁ । ଜୀବନ ଅନ୍ୟ ହାତରେ । ମରଣ ଆମରି ହାତରେ । ସବୁ ଅତ୍ୟାଚାରର ଶେଷ ମୁକ୍ତି, ମରଣ ! ମରଣକୁ ବରଣ କରିପାରିବ ଭାଇମାନେ, ମରଣକୁ ବରଣ କରିପାରିବ ତ ?

 

ସହସ୍ର କଣ୍ଠ ଗର୍ଜି ଉଠିଲା, ପାରିବୁ, ପାରିବୁ......

ଭୟ ନାହିଁ ତ ?

ଭୟ ନାହିଁ, ଭୟ ନାହିଁ, ଭୟ ନାହିଁ.......

Image

 

ଜାଗରଣ

 

ବିଦ୍ରୋହ ମନ୍ତ୍ରୀଙ୍କୁ କହିଲେ, ଏବେ ଆପଣଙ୍କ ପ୍ରଶ୍ନର ଉତ୍ତର ମୁଁ ଦେଇପାରିବି । ଧୈର୍ଯ୍ୟଧରି ଟିକିଏ ଅପେକ୍ଷା କରନ୍ତୁ । ମୋର କଥା ଶୁଣିଲେ ଆପଣଙ୍କୁ ବାଟ ମିଳିଯିବ । ଉଦ୍ଧତଙ୍କର ହତ୍ୟାକାରୀ କିଏ ଆପଣମାନଙ୍କୁ ଜଣାନାହିଁ । ମୋତେ ମଧ୍ୟ ଜଣାନାହିଁ । ଆଶା କରେ, ମୋର କଥା ଶୁଣିଲେ ହତ୍ୟାକାରୀ ଆପେ ଆସି ଛାମୁରେ ହାଜର ହୋଇଯିବ ।

 

ମନ୍ତ୍ରୀ ତାଙ୍କର କଥା ଶୁଣି କଟୁଆଳଙ୍କୁ ଚାହିଁଲେ । କଟୁଆଳ ମୌନ ରହିଲେ ।

 

ଦିଲ୍‍ଦାର ହସି ହସି ଦାଢ଼ିରେ ହାତ ମାରି ଉଚ୍ଛସ୍ୱରରେ କହିଲେ, ଖଲାସ୍ ପାଇବାକୁ ଏ ଗୋଟିଏ ଫିସାଦ ନିକାଲୁଛି ବିଶ୍ୱାଳେ, ମାଲୁମ ହେଲା । ଖଲାସ୍ ଏତେ ସହଜରେ ଦିଆଯାଇ ପାରିବ ନାହିଁ ।

 

ତାଙ୍କ କଥାରେ କାନ ନ ଦେଇ ବିଶ୍ୱାଳେ ଜନତାକୁ ଚାହିଁ ବଜ୍ରଗମ୍ଭୀର ସ୍ୱରରେ କହିଲେ, ତୁମକୁ ଆଉ କେହି ମଣିଷ ବୋଲି ଘେନନ୍ତୁ ନ ଘେନନ୍ତୁ, ତୁମ୍ଭେମାନେ ନିଜକୁ ମଣିଷ ବୋଲି ଜାଣ । ସମସ୍ତେ ତୁମେ ଆଜି ମରଣକୁ ବରଣ କରିବାକୁ ପ୍ରସ୍ତୁତ ଅଛ। ମୁକ୍ତିକୁ କୋଳ କରିବାକୁ ଧାଇଁଛ । ଫାଶୀଖଣ୍ଟରେ ଝୁଲ ପଛେ, ମିଛ କହି ଆତ୍ମରକ୍ଷା କର ନାହିଁ ।

 

ଜନତା ଭିତରୁ କେତେଜଣ କହି ଉଠିଲେ, ମିଛ କହିବୁ ନାହିଁ ।

 

ବିଶ୍ୱାଳେ କହିଲେ, ରାଜପୁତ୍ର ଉଦ୍ଧତଙ୍କୁ ଯେ ହତ୍ୟା କରିଛି, ବିଶୋଇଙ୍କ କନ୍ୟା ଗୋଲାପକୁ ଯେ ଉଦ୍ଧାର କରିଛି, ସେମାନେ ଆମରି ଭିତରେ ଲୁଚି ରହିଛନ୍ତି । ନିର୍ଭୟରେ ସେମାନେ ବାହାରି ଆସ ଆଗକୁ ।

 

ମନ୍ତ୍ରୀ କହିଲେ ବୃଥା ଚେଷ୍ଟା କରୁଛ ବିଶ୍ୱାଳେ ! ନଖରେ ଯଦି ଛିଣ୍ଡିବାର ଆଶା ଥାଆନ୍ତା, ଏତେ ଖଣ୍ଡା, ବନ୍ଧୁକ, ତୋପ ଲୋଡ଼ା ହୁଅନ୍ତା କାହିଁକି ?

 

ବିଶ୍ୱାଳେ ଲୋକଙ୍କୁ ବୁଝାଇ କହିଲେ, ହତ୍ୟାକାରୀ କାହାକୁ କହନ୍ତି ? ଯେ ହତ୍ୟା କରେ, କେବଳ ସେହି ଲୋକ ହତ୍ୟାକାରୀ ନୁହେଁ । ଯେଉଁ ଲୋକ ସେହି ହତ୍ୟାକୁ ସମର୍ଥନ କରେ କିମ୍ବା ହତ୍ୟାକାର୍ଯ୍ୟରେ ସହାୟ ହୁଏ, ଉତ୍ସାହିତ କରେ ତାକୁ ମଧ୍ୟ ହତ୍ୟାକାରୀ କୁହାଯାଏ । କାହାପାଇଁ ଆଜି ତୁମର ଧନ, ଜନ, ଜୀବନ ଓ ମାନ ମହତ୍ତ୍ୱକୁ ତୁମେ ପଦାରେ ପକାଇ ବସିଛ ? ଯାହାପାଇଁ ଯେଉଁ ଉଦ୍ଧତମାନଙ୍କ ପାଇଁ ଏସବୁ କାଣ୍ଡ, ତାହାରି ଭିତରୁ ଜଣେ ଉଦ୍ଧତକୁ ମାରି ଯେଉଁ ଲୋକ ଆମର ଜୀବନ ପଥରୁ କଣ୍ଟା ପରିଷ୍କାର କରିଛି, ସେ ସାହସୀ । ସେ ପୁଣ୍ୟବାନ୍ । ସେ ଭାଗ୍ୟବାନ ! କେହି ଭାବିଛ କି ମୁଁ ନିର୍ଦୋଷ ? ଉଦ୍ଧତଙ୍କୁ କିଏ ମାରିଛି ମୋତେ ଜଣାଥାଉ ବା ନ ଥାଉ ମୁଁ ତୁମରି ଆଗରେ ଆଜି ସ୍ୱୀକାର କରୁଛି ଉଦ୍ଧତଙ୍କ ମୃତ୍ୟୁରେ ମୁଁ ଦୁଃଖିତ ନୁହେଁ । ମୋର ସାହସ ନାହିଁ ବୋଲି ମୁଁ ଯାହା କରିପାରି ନ ଥିଲି, ମୋର ଭାଇ ଭିତରୁ କେହି ଜଣେ ମୋରି ପାଇଁ ତାହା କରି ମରଣକୁ ନିମନ୍ତ୍ରଣ କରିଛି । ତେଣୁ କହୁଛି, ଉଦ୍ଧତଙ୍କର ମୃତ୍ୟୁପାଇଁ ସମ୍ପୂର୍ଣ୍ଣ ଦାୟୀ ମୁଁ । ସେଥିପାଇଁ ଫାଶୀଖୁଣ୍ଟିରେ ଝୁଲିବାର ପ୍ରଥମ ଅଧିକାର, ପ୍ରଥମ ସୁଯୋଗ ମୋର ।

 

ଜନତା ଭିତରୁ କେତେଜଣ ଗର୍ଜିଉଠିଲେ, ଉଦ୍ଧତ ମରିଛନ୍ତି, ସେଥିପାଇଁ ଆମେ ଖୁସି । ଯାହାହେଉ, ଦେଶରୁ ଗୋଟାଏ ବାଘ ଖସିଗଲା । ରକ୍ଷା ! ଏଥର ପିଲାଙ୍କୁ ଟିକିଏ ସ୍ୱାଧୀନତା ମିଳିବ ।

 

କିଏ ଜଣେ କହିଉଠିଲା, ଜଣେ ଉଦ୍ଧତ ଗଲା । ଏଥର ଆଉମାନଙ୍କର ପାଳି ପଡ଼ିଛି । ମୁଣ୍ଡଟା ପାଣି ଛଡ଼ାଇ ଦେଇଛୁଁ । ଡର ଭୟ ଆଉ କଅଣ ?

 

ଅନ୍ୟ କେତେଜଣ କହିଲେ, ବିଶ୍ୱାଳେ ଏକା କାହିଁକି ଫାଶୀ ପାଇବେ ? ଆମେମାନେ ବି ଉଦ୍ଧତଙ୍କର ମୃତ୍ୟୁପାଇଁ ସମାନ ଦାୟୀ । ଆମେମାନେ ବି ଫାଶୀଖୁଣ୍ଟରେ ଝୁଲିବା ।

 

ନିଶ୍ଚୟ । ଚାଲ ଆମେମାନେ ଆଗ ଫାଶୀଖୁଣ୍ଟରେ ଝୁଲିବା ।

 

ଦେଖୁ ଦେଖୁ ଲୋକଙ୍କ ମଧ୍ୟରେ ଉତ୍ତେଜନା ଖେଳିଗଲା । ସମସ୍ତେ ଫାଶୀଖୁଣ୍ଟିରେ ଝୁଲିବାକୁ ଆଗଭର । ବାଟ ଛାଡ଼, ବାଟ ଛାଡ଼ ରବରେ ସ୍ଥାନଟି ମୁଖରିତ ହେଲା । ମରିବାପାଇଁ ଆଜି ସମସ୍ତେ ପ୍ରସ୍ତୁତ ! ସମସ୍ତେ ଆଜି ମୁକ୍ତି ନିଶାରେ ମତୁଆଳ । ମୁକ୍ତିର ମୂଲ୍ୟ, ସ୍ୱାଧୀନତାର ମୂଲ୍ୟ, ଗୋଟିଏ ଜୀବନ ନୁହେଁ, ସହସ୍ର ଜୀବନ !

 

ବିଦ୍ରୋହ ଲୋକଙ୍କ ମନକଥା ବୁଝି ଦୁଇହାତ ଉପରକୁ ଟେକିଲେ । ଜନତା ନୀରବ ହେଲା । ସେ କହିଲେ, ଭାଇମାନେ, ଗୋଲାପ ବିଶୋଇଙ୍କର ଝିଅ ନୁହେଁ, ଗୋଲାପ ତୁମରି ଝିଅ । ତୁମର କୋଡ଼ର ଗେହ୍ଲା ଝିଅ, ଅଲିଅଳ ଝିଅକୁ ପାପମନରେ ଯେଉଁମାନେ ଘରୁ କାଢ଼ି ନେଇଛନ୍ତି, ତାଙ୍କ ପ୍ରତି ତୁମର କର୍ତ୍ତବ୍ୟ କଅଣ ? ମଣିଷପଣିଆଁର ପ୍ରମାଣ ଦେବାକୁ ଯାଇ ଯେଉଁମାନେ ବାଘପଲ ଭିତରେ ପଶି ତୁମର ଛେଳିଛୁଆକୁ ଉଦ୍ଧାର କରି ନେଇଛନ୍ତି, ସେହିମାନେ ପ୍ରକୃତ ବୀର, ପ୍ରକୃତ ସାହସୀ । ସେମାନଙ୍କର କାର୍ଯ୍ୟରେ ଆମ ସମସ୍ତଙ୍କର ସମର୍ଥନ ଅଛି । ଉଦ୍ଧତଙ୍କର ହତ୍ୟାକାରୀ ତେବେ କିଏ ?

 

ଜନତା ଗର୍ଜି ଉଠିଲା, ଆମେ !

 

ବିଶ୍ୱାଳେ ମନ୍ତ୍ରୀଙ୍କୁ ଚାହିଁ କହିଲେ, ମନ୍ତ୍ରୀ ମହାରାଜ । ଏବେ ଆପଣଙ୍କର କର୍ମ ଆରମ୍ଭ କରନ୍ତୁ । ଦୋଷୀ କିଏ ଆପଣ ବୁଝିଛନ୍ତି । ଦଣ୍ଡ ପାଇବାର ଉପଯୁକ୍ତ କିଏ ଆପଣ ଜାଣିଲେଣି । ମୁଁ ସେହିମାନଙ୍କୁ ମଧ୍ୟରୁ ଜଣେ, ମୁଁ ପ୍ରଥମ ।

 

କଟୁଆଳଙ୍କୁ ସଙ୍ଗେ ପରାମର୍ଶ କରି ମନ୍ତ୍ରୀ ବିଶ୍ୱାଳ ଓ ବିଶୋଇଙ୍କୁ ଫାଶୀ ଦେବାକୁ ଆଦେଶ ଦେଲେ । ଜନତା ସ୍ତବ୍‌ଧ ହୋଇ ଚାହିଁରହିଲା ।

Image

 

ବିନାଶକାଳେ ବିପରୀତ ବୁଦ୍ଧି

 

ସିପେଇମାନେ ମନ୍ତ୍ରୀଙ୍କର ଆଦେଶ ପାଇ ବିଶ୍ୱାଳ ଓ ବିଶୋଇଙ୍କୁ ଫାଶୀ ଖୁଣ୍ଟି ପାଖକୁ ନେଇ ଆସିଲେ ।

ଲୋକଙ୍କର ଆଉ ଧୈର୍ଯ୍ୟ ରହିଲା ନାହିଁ । ଆହା, ଦେଖୁ ଦେଖୁ ଆଜି ଦୁଇଟି ନିରୀହ ପ୍ରାଣୀ ତାଙ୍କରି ଆଖି ଆଗରେ ଫାଶୀ ପାଇବେ, ଆଉ ସେମାନେ ମଣିଷ ହୋଇ ଦୂରରେ ଠିଆ ହୋଇ ବଲବଲ କରି ଚାହିଁ ରହିଥିବେ ? ବାଧା ଦେବାର କୌଣସି ପନ୍ଥା ସ୍ଥିର କରି ନ ପାରି ଲୋକେ ବିଚଳିତ ହେଲେ । କେହି କେହି କ୍ରୋଧରେ ତଳୁ ଟେକା ପଥର ଗୋଟାଇ ମନ୍ତ୍ରୀଙ୍କ ଉପରକୁ ଫୋପାଡ଼ିଲେ । ଗୋଟାଏ ଉତ୍ତେଜନା ଖେଳିଗଲା । ବିନାକାରଣରେ ନିର୍ଦ୍ଦୋଷ ନିରୀହ ଲୋକଙ୍କ ଉପରେ ବିନାବିଚାରରେ ଅତ୍ୟାଚାର ହୋଇ ଚାଲିଛି । କେତେ ଜୀବନହାରୀ ତଳେ ପଡ଼ିଛନ୍ତି । ସେମାନଙ୍କ ଜୀବନରେ ବା ଆଉ କି ଆଶା ?

ଲୋକେ କୋଳାହଳ କରି ପରସ୍ପରକୁ ଠେଲି ଆଗକୁ ଆସିବାକୁ ଚେଷ୍ଟା କଲେ । ଉତ୍ତେଜିତ ଜନତା ଭିତରୁ କିଏ ଜଣେ ଚିତ୍କାର କରି ଉଠିଲା, ଆରେ, ମରିବା ତ ସମସ୍ତେ ମରିବା ଏକାଠି, ଜଣ ଜଣ କରି କଲବଲ ହୋଇ ମରିବା କାହିଁକି ? ଉଠ, ଜାଗ, ମରଣ କାମୁଡ଼ା ଦେଇ ମରିବା ।

ଲୋକେ ପାଗଳ ପରି ଚିତ୍କାର କରି ଯିଏ ଯାହା ପାଇଲା, ମନ୍ତ୍ରୀ ଓ କଟୁଆଳଙ୍କ ଉପରକୁ ନିକ୍ଷେପ କଲେ । ଟେକା, ପଥର, ପାଣ୍ଡୋଇ, ବଟୁଆ, ଗୂଆକାତି, ପାଞ୍ଚଣ କିଛି ବାକି ରହିଲା ନାହିଁ ।

ଥୋକେ ସିପେଇଙ୍କୁ ଆକ୍ରମଣ କରିବାକୁ ଅଗ୍ରସର ହେଲେ । ବିପଦ ବୁଝିପାରି କଟୁଆଳ ଲୋକଙ୍କ ଉପରେ ଲାଠି କ୍ରୀଡ଼ା ଆରମ୍ଭ କରିବାକୁ ଆଦେଶ ଦେଲେ ।

ଲାଠିଲୀଳା ଆରମ୍ଭ ହେଲା । ସେତିକିବେଳେ ଜନତାକୁ ଠେଲି ଠେଲି ଦୁର୍ଦ୍ଦାନ୍ତ ଓ ତାର ଲାଗୁଡ଼ହସ୍ତ ଅନୁଚରମାନେ ମନ୍ତ୍ରୀଙ୍କ ଆଗରେ ଉପସ୍ଥିତ ହେଲେ । ସଙ୍ଗରେ ବିକ୍ରମ, ନିର୍ଭୀକ, ଗୋଲାପ ଓ ଅନ୍ୟ କେତେଜଣ ସୈନିକ ଅଛନ୍ତି ।

ଏମାନଙ୍କୁ ଦେଖି ଲୋକେ କୋଳାହଳ ବନ୍ଦ କରି ଘଟଣାଟି ବୁଝିବାକୁ ଉତ୍କଣ୍ଠିତ ହେଲେ-

ସୈନିକମାନେ ମନ୍ତ୍ରୀଙ୍କର ଆଦେଶକୁ ଅପେକ୍ଷା କରି ରହିଲେ ।

ଦୁରିଆ ହାତ ଯୋଡ଼ି ଜଣାଇଲା, ହଜୁରଙ୍କ ଆଦେଶ ପାଇ ଦସ୍ୟୁମାନଙ୍କୁ ଆଣି ଆଗରେ ଉପସ୍ଥିତ କରିଛି । ଏହିମାନେ ହିଁ ରାଜପୁତ୍ରଙ୍କୁ ହତ୍ୟା କରିଛନ୍ତି । ମଦ ଦୋକାନ ପାଖରେ ସିପେଇମାନଙ୍କୁ ମାରି ଗୋଲାପକୁ ଛଡ଼ାଇ ନେଇଥିଲେ । ଗୋଲାପ ମଧ୍ୟ ଆସି ଆପଣଙ୍କ ଆଗରେ ଠିଆ ହୋଇଛି । ଏଥର ନିରୀହ ନିର୍ଦ୍ଦୋଷ ଲୋକଗୁଡ଼ିଙ୍କୁ ଛାଡ଼ିଦେଇ ପ୍ରକୃତ ଦୋଷୀମାନଙ୍କୁ ଯାହା ଦଣ୍ଡ ଦେବାର ଦିଅନ୍ତୁ । ମୋ ମୁହଁରୁ ନିରୀହ ଲୋକଙ୍କ ଉପରେ ଅତ୍ୟାଚାର ହେଉଛି ଶୁଣି ସେମାନେ ନିଜେ ନିଜେ ଦଣ୍ଡ ପାଇବାକୁ ଧାଇଁ ଆସିଛନ୍ତି ।

ମନ୍ତ୍ରୀ ଓ କଟୁଆଳ ଆବାକ୍‌ ହେଲେ ।

ମନ୍ତ୍ରୀ କିଛି ପଚାରିବା ଆଗରୁ ନିର୍ଭୀକ ନଳିଟାକୁ କାନ୍ଧରୁ ଓହ୍ଲାଇ କହିଲେ, ମନ୍ତ୍ରୀ ମହାଶୟ ! ଏତେ ଲୋକଙ୍କୁ ବୃଥାରେ କଷ୍ଟ ଦେବା ପରିବର୍ତ୍ତେ ଯଦି କୌଣସିମତେ ଆପଣଙ୍କର ଉଦ୍ଦେଶ୍ୟ ଆଗରୁ ଜଣାଇ ଦେଇଥାନ୍ତେ, ତେବେ ଆପଣଙ୍କର କାର୍ଯ୍ୟ ସହଜ ହୋଇପାରିଥାନ୍ତା । ଯେଉଁମାନଙ୍କର ରାଜପୁତ୍ର ଉଦ୍ଧତଙ୍କୁ ମାରିବାର ସାହସ ଅଛି, ସେମାନେ କେବେ ଜୀବନକୁ ଡରି ପଛେଇ ରହନ୍ତେ ନାହିଁ । ଯେଉଁମାନେ ଏହା କରିଛନ୍ତି, ସେମାନଙ୍କର ନରମାଂସ ଖାଇବାର ଅଭ୍ୟାସ ନାହିଁ, କି ଧନ ଧଉଲତ୍‌ ଲାଭ କରିବାର ଅଭିଳାଷ ମଧ୍ୟ ନାହିଁ । ଆତ୍ମରକ୍ଷା କରିବାକୁ ଏପରି କରାଯାଇଛି । ଉଦ୍ଧତ ଯଦି ମନ୍ତ୍ରୀଙ୍କ ଅନୁପସ୍ଥିତିରେ ତାଙ୍କ ଘରେ ପଶି ତାଙ୍କର ଗର୍ଭିଣୀ ସ୍ତ୍ରୀଙ୍କୁ ବଳାତ୍କାରରେ ଅପହରଣ କରିଥାନ୍ତେ, ତେବେ ମନ୍ତ୍ରୀ ମହାଶୟ କଅଣ କରିଥାନ୍ତେ ? ଆଉ, କେହି ଯଦି କଟୁଆଳଙ୍କର କୋଳର ଝିଅକୁ ରାଜାର ଅଭିଳଷିତ ବୋଲି ଚୋରାଇ ନିଅନ୍ତା, ସେ କଅଣ କରିଥାଆନ୍ତେ ? ସେମାନେ ଯାହା କରିଥାନ୍ତେ, ଆମେ ତାହା ହିଁ କରିଛୁଁ । ମଣିଷ ଜଣକୁ ଥରେ ଅଧେ ସିନା କ୍ଷମା କରିବ, ବାରମ୍ବାର ତ କ୍ଷମା କରିପାରିବ ନାହିଁ ।

ନିର୍ଭୀକ କହିବାକୁ ଲାଗିଲେ, ନାରଣ ଜେନା ପଟୁଆରିକୁ କୌଶଳରେ ଗଡ଼କୁ ଡକାଇ ଆଣି ରାତି ଅଧରେ ଉଦ୍ଧତ ତା’ର ସ୍ତ୍ରୀକୁ ହରଣ କଲେ । ମୋରି ହାବୁଡ଼େ ପଡ଼ି ମୋରି ହାତରେ ତାଙ୍କର ପ୍ରାଣ ଗଲା । ବିଶୋଇଙ୍କର ଝିଅ ଗୋଲାପକୁ ପରା ତୁମେ ଘରେ ଆଶ୍ରୟ ଦେଇଥିଲ ? ବାର୍ଦ୍ଧକ୍ୟର ଗୌରବ ପରା ତୁମର ମୁଣ୍ଡର ବାଳକୁ ଧଳା କଲାଣି ? ତୁମର ସେ ଗୌରବ ରକ୍ଷା କରିବାକୁ ତୁମେ କଲ କଅଣ ?

ନିର୍ଭୀକଙ୍କର କଥା ଶେଷ ନ ହେଉଣୁ କଟୁଆଳଙ୍କ ଆଖିର ଇଙ୍ଗିତ ପାଇ କୁଳଧର, ଲଜ୍‌ପତ୍‍, ହୁସିଆର ପ୍ରଭୃତି କେତେଜଣ ସୈନିକ ନଳି ଟେକି ବିକ୍ରମ ଓ ନିର୍ଭୀକଙ୍କୁ ଗିରଫ କରିବାକୁ ଧାଇଁ ଆସିଲେ । ବିକ୍ରମଙ୍କର ଆଦେଶ ପାଇ ତାଙ୍କର ଅନୁଚରମାନେ ମଧ୍ୟ ନଳି ଟେକି ସ୍ଥିର ରହିଲେ ।

ବିକ୍ରମ ଆଗକୁ ଆସି ଦୁରିଆ ଗଣ୍ଡାର କଡ଼ରେ ଠିଆ ହୋଇ କହିଲେ, ମନ୍ତ୍ରୀ ମହାଶୟ, ଆପଣଙ୍କର ଚିର ଅନୁଗତ ବିକ୍ରମକୁ ବୋଧହୁଏ ଚିହ୍ନି ପାରୁଛନ୍ତି ? ବିକ୍ରମ ଆସି ନାହିଁ ଆପଣଙ୍କ ହାତରେ ଫାଶୀ ଖୁଣ୍ଟରେ ଝୁଲିବାକୁ । ସେ ଆସିଛି ଆପଣମାନଙ୍କର ଆଖିରେ ହାତ ଦେଇ ଅସଲ ବାଟ ଦେଖାଇ ଦେବାକୁ । ଦୀପରୁଖା ଉପରେ ଚଢ଼ି ପଦଗୌରବରେ ନିଜର ଇତିହାସ ଭୁଲିଯାଇଛି ପରା ! ଟିକିଏ ଚେତାଇ ଦିଏଁ ।

ସେ ଦିନର କଥା ମନେଅଛି ତ ? ଏହି ଅନ୍ଧାରି ମୁଲକରେ କେହିଜଣେ ଭୂତ ତୁମର ନିର୍ଦ୍ଦୋଷ ପିତାଙ୍କୁ ଜଳନ୍ତା ନିଆଁରେ ପୋଡ଼ି ମାରିଥିଲେ । ତୁମେ ସେହି ଜଳନ୍ତା ଜୁଇ ପାଖରେ ଠିଆହୋଇ ହାତ ପାପୁଲିରେ ଲୁହ ପୋଛୁଥିଲ । ମନେ ଅଛି ? ପିତୃଋଣ ପରିଶୋଧ କରିବାକୁ ପିତୃହନ୍ତା ଉପରେ କି ପ୍ରତିଶୋଧ ନେଇଛ ? ଏହାର ଜବାବ୍‌ ତୁମକୁ ଆଜି ଏହିଠାରେ ଲୋକଙ୍କ ଆଗରେ ଦେବାକୁ ହେବ ।

ମନ୍ତ୍ରୀଙ୍କର ଆଖି ଛଳ ଛଳ ହୋଇ ଆସିଲା । ଅତୀତକାଳର ସେହି ଭୟାବହ ଦୃଶ୍ୟଟି ଯେ ତାଙ୍କର ବେଳେ ବେଳେ ମନେ ନ ପଡ଼େ ଏହା ନୁହେଁ; କିନ୍ତୁ ଶକ୍ତିମାନ୍‌ ଭୂତଛତ୍ର ବିରୁଦ୍ଧରେ କିପରି ବା ସେ ହାତ ଟେକିବେ ?

ମନ୍ତ୍ରୀ ଉତ୍ତର ଦେଲେ, ମନେଅଛି, ସବୁ ମନେଅଛି । କିନ୍ତୁ ଯେଉଁମାନେ ସେପରି ନିର୍ଦ୍ଦୟ କାର୍ଯ୍ୟ କରିଥିଲେ, ସେମାନେ ଅନେକ ଦିନରୁ ମରିଗଲେଣି ।

–ମରି ନାହାନ୍ତି, ମରିବେ ନାହିଁ । ସେମାନେ ଭୂତଛତ୍ର ତଳେ ଲୁଚି ରହିଛନ୍ତି । ତୁମେ ବି ସେହିମାନଙ୍କ ପୋଷାକ ପିନ୍ଧି ପ୍ରେତ ପୁରୁଷର ଅଭିନୟ କରୁଛ ।

ଏହାଛଡ଼ା ପ୍ରତିଶୋଧ ନେବାର ଅନ୍ୟ ଉପାୟ ନାହିଁ ।

ଉପାୟ ଅଛି । ତୁମକୁ ଜଣାନାହିଁ, ମୋତେ ଜଣାଅଛି । ନିର୍ଦ୍ଦୟ କାର୍ଯ୍ୟ ବୋଲି ନିଜ ମୁହଁରେ ନିଜେ ସ୍ୱୀକାର କରୁଛ ଅଥଚ ନିଜ ହାତରେ ତୁମେ ପ୍ରତିଦିନ ସେହିପରି କେତେ ନିର୍ଦ୍ଦୟ କାର୍ଯ୍ୟ କରୁଛ ।

–କର୍ତ୍ତବ୍ୟ ?

ଏତିକି କହି ମନ୍ତ୍ରୀ ଦୀର୍ଘଶ୍ୱାସ ଛାଡ଼ିଲେ । ଦୁର୍ବଳତାକୁ ଦମନ କରି ଆଦେଶ ଦେଲେ, ଲଜ୍‍ପତ୍‌ ! ଏମାନଙ୍କୁ ଗିରଫ କର ।

Image

 

ନିଆଁ ଲାଗିଲା

 

ଲୋକେ କୋଳାହଳ କରି ଉଠିଲେ । କେତେଜଣ ସିପେଇ ଲାଠି ପ୍ରହାର କରି ଜନତାକୁ ଶାନ୍ତ କରିବାକୁ ଚେଷ୍ଟା କଲେ । ଦୁରିଆ ଗଣ୍ଡା ଆଉ ଏ ଦୃଶ୍ୟ ସହି ପାରିଲା ନାହିଁ । ସେ ହନୁମାନଗୁଡ଼ି ଉପରକୁ ଚିହିଁକି ଯାଇ ମନ୍ତ୍ରୀଙ୍କର ହାତ ଧରି ଜନତା ଭିତରକୁ ଘୋଷାରି ଆଣିଲା ।

 

କଟୁଆଳ ଭୟରେ ପଛକୁ ଘୁଞ୍ଚିଗଲେ । ଦୁରିଆ ଯେ ଏପରି କରିପାରିବ ଲୋକେ ଏହା ବିଶ୍ୱାସ କରିପାରି ନ ଥିଲେ ।

 

କଟୁଆଳ ଆତ୍ମସଂଯମ କରି ଜନତା ଉପରେ ଗୁଳି ବର୍ଷଣ କରିବାକୁ ଆଦେଶ ଦେଲେ-। ପଲକ ଭିତରେ ଦୁଇଶହ ନଳି ଗର୍ଜି ଉଠିଲା । ଧୂମୋଦ୍‌ଗୀରଣ କରି ଦୁଇଶହ ଗୁଳି ଜନତା ଉପରେ ପଡ଼ି ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଲା । ତଥାପି, ଲୋକେ ପଛକୁ ହଟିଲେ ନାହିଁ । କୋଳାହାଳ କରି ସିପେଇମାନଙ୍କ ଉପରକୁ ପଥର ବୃଷ୍ଟି କଲେ । ଥୋକେ ଜୀବନର ସବୁ ମାୟା ଛାଡ଼ି କଟୁଆଳଙ୍କୁ ଧରିବାକୁ ମନ୍ଦିର ଉପରକୁ ଉଠି ଆସିଲେ ।

 

କଟୁଆଳ ଲୋକଙ୍କ ଉପରକୁ ଆହୁରି ଗୁଳି ବର୍ଷଣ କରିବାକୁ ଆଦେଶ ଦେଲେ ।

 

ଆଦେଶ ପାଳିତ ହେଲା ନାହିଁ । କଟୁଆଳଙ୍କ ଆଦେଶ ଶୁଣି ଯେଉଁ ସୈନିକମାନେ ଦେଶର ଲୋକଙ୍କ ଉପରେ ପ୍ରଥମ ଥର ଗୁଳି ବର୍ଷଣ କରିଥିଲେ, ସେହିମାନଙ୍କ ବିରୁଦ୍ଧରେ ଅନ୍ୟ କେତେଜଣ ସୈନିକ ବନ୍ଧୁକ ଟେକି ଗର୍ଜନ କରି କହିଲେ, ବୁଝି ହୁସିଆର, ଆମର ଭାଇ ବନ୍ଧୁ ଏଠାରେ ଜମା ହୋଇଛନ୍ତି । ନ ବୁଝି ନ ସୁଝି ସେମାନଙ୍କ ଉପରକୁ ଗୁଳି ଚଳାଅ ନାହିଁ । ସେମାନେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ।

 

ଅବସରର ଆଉ ସମୟ ନାହିଁ ! ଦୁରିଆ ଗଣ୍ଡାର ସହଚରମାନେ ଲାଠି ବୁଲାଇ ସୈନିକମାନଙ୍କ ଉପରେ ପଡ଼ିଲେ । ବିକ୍ରମ ମନ୍ତ୍ରୀଙ୍କୁ ବନ୍ଦୀ କଲେ ।

 

କଟୁଆଳଙ୍କର ଆଦେଶ ପାଇ କେତେଜଣ ସୈନିକ ଜନତା ଉପରକୁ ଘନ ଘନ ଗୁଳି ବର୍ଷଣ କଲେ । ଲୋକେ ଛିନ୍‌ଛତର ହୋଇ ଜୀବନ ବିକଳରେ କିଏ କାହିଁ ପଳାଇଲେ । ଆଗକୁ ଆସିବାକୁ ଚେଷ୍ଟାକରି କେତେ ଲୋକ ରାସ୍ତା ଉପରେ ମରି ଶୋଇଲେ । ନଳିର ଗୁଡ଼ୁମ୍‌ ଗୁଡ଼ୁମ୍‌ ଶବ୍ଦରେ ଆହତର କରୁଣ ଚିତ୍କାର ବିଲୀନ ହେଲା । ସୈନିକମାନେ ଆହତର ଛାତି ମାଡ଼ି ଦଳି ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ଗୁଳି ଛାଡ଼ିଲେ ।

 

ବିକ୍ରମ, ନିର୍ଭୀକ ଓ ସେମାନଙ୍କର ଅନୁଚରମାନେ ଦୁରିଆ ଗଣ୍ଡାର ସହଯୋଗ ପାଇ ସୈନିକମାନଙ୍କର ନିଷ୍ଠୁର କର୍ମରେ ବାଧା ଦେବାକୁ ଆଗଭର ହେଲେ ।

Image

 

ନିଆଁ ଜଳିଲା

 

ସୂର୍ଯ୍ୟ ପଶ୍ଚିମ ଦିଗ୍‌ବଳୟ ଆଡ଼କୁ ଓହ୍ଲାଇ ଆସୁଛନ୍ତି ।

 

ରାଜାଙ୍କ ମନରେ ସୁଖ ନାହିଁ । ଆଖିରେ ଅନୁତାପର ନିସ୍ତେଜତା । କପାଳରେ ବିନ୍ଦୁ ବିନ୍ଦୁ ସ୍ୱେଦ । କୁଞ୍ଚିତ ଭ୍ରୁଦିଓଟି ଥରି ଉଠୁଛି । ଖର ଶ୍ୱାସ ଛାଡ଼ି ଧ୍ୱଂସର ପ୍ରଳୟ ଚିତାଆଡ଼କୁ ତୀକ୍ଷ୍‌ଣ ଦୃଷ୍ଟିରେ ଅନାଇଁ ରହିଛନ୍ତି । ବେଳେ ବେଳେ ସର୍ବନାଶଙ୍କର ଚଞ୍ଚଳ ଆଖିକୁ, ଉଚ୍ଛନ୍ନଙ୍କର ଗମ୍ଭୀର ମୁହଁକୁ ଚାହୁଁଛନ୍ତି ।

 

ଦୁର୍ଗ ବାହାରେ, ଖାଇ ଆରପାଖେ–

 

ଯୁଆଡ଼େ ଚାହିଁଲେ ଦିଶୁଛି ଅଗ୍ନିଶିଖା । ଦରିଦ୍ର ପ୍ରଜାଙ୍କର ଘରେ ଅଗ୍ନି ଲଗା ହୋଇଛି । ପ୍ରଳୟ ବହ୍ନି ଆକାଶକୁ ଜିହ୍ୱା ଟେକୁଛି । ବନ୍ଧୁକ ତୋପର ଆକାଶଫଟା ଭୀଷଣ ଗର୍ଜନ । ଆହତର ଛାତିଥରା କରୁଣ ଚିତ୍କାର । ଲୋକଙ୍କର କୋଳାହଳ । କାନ ଅତଡ଼ା ପଡ଼ୁଛି । ଫୁରୁକୁଟିଆ ଗନ୍ଧରେ ନାକ ଫାଟି ପଡ଼ୁଛି । ଆହା, କେହି ହତଭାଗ୍ୟ ଶିଶୁ, ରୁଗ୍‌ଣ ବୃଦ୍ଧ, ଆସନ୍ନ-ପ୍ରସବା କୁଳବଧୂ ସେହି ଜଳନ୍ତା । ପ୍ରଳୟ ଅନଳରେ ଜଳି ଯାଉଛି କି ?

 

ସୁରଙ୍ଗଗଡ଼ର ଚାରିଆଡ଼ୁ ଧୂଆଁର ସୁଅ ଆକାଶକୁ ଉଠୁଛି । କଳାମେଘ ଘୋଟିଲା ପରି ଦେଖାଯାଉଛି । ସୁକୁମାରୀଆ ରାଜପରିବାରଙ୍କର ଆଖି ନାକକୁ ଏ ସବୁ ଭଲ ଲାଗୁ ନାହିଁ ପରା !

 

ପ୍ରପଞ୍ଚ ଏହି ଦୃଶ୍ୟ ଦେଖି ଧୈର୍ଯ୍ୟ ଧରି ରହି ପାରିଲେ ନାହିଁ । ଲୋକଙ୍କୁ, ଅବା କର୍ମଚାରୀମାନଙ୍କୁ ଏହି ଧ୍ୱଂସଲୀଳାରୁ ନିବର୍ତ୍ତାଇବା ସହଜ କଥା ନୁହେଁ । ମାରିବା ଓ ମରିବାର ନିଶାରେ ସେମାନେ ପାଗଳ ହୋଇଛନ୍ତି, ଅନ୍ଧ ହୋଇଛନ୍ତି । ସେମାନଙ୍କ ପାଖରେ ସମ୍ବାଦ ପହଞ୍ଚିବା ମଧ୍ୟ ଅସମ୍ଭବ ।

 

ପ୍ରପଞ୍ଚ ବ୍ୟସ୍ତ ହୋଇ ସର୍ବନାଶଙ୍କୁ ଚାହିଁ କହିଲେ, ଦେଖ ଭାଇ, ଦୁର୍ଗ ବାହାରେ କି ଭୀଷଣ ଧ୍ୱଂସଲୀଳା ଲାଗିଛି । ସହସ୍ର ସହସ୍ର ନିରୀହ ଲୋକ ପାଗଳ ହୋଇ ସେମାନଙ୍କର ରକ୍ତ ଢାଳି ଦେଉଛନ୍ତି । ଦରିଦ୍ର ପ୍ରଜାର କୁଡ଼ିଆଗୁଡ଼ିକ ଭସ୍ମ ହୋଇ ଧୂଳିରେ ମିଶିଛି । ସ୍ତ୍ରୀ ବାଳକ ଅନାଥ ହୋଇ, ଦଳ ଦଳ ହୋଇ ଘରଦ୍ୱାର ଛାଡ଼ି ପଳାଉଛନ୍ତି । ଏଥିପାଇଁ ଦାୟୀ କିଏ ? ଶୁଣ ସର୍ବନାଶ, ଶୁଣ ଉଚ୍ଛନ୍ନ, ଏହି ଧ୍ୱଂସ ପାଇଁ ଧନ, ମନ ଓ ଜନକ୍ଷୟ ପାଇଁ ଦାୟୀ କେବଳ ଆମେ ।

 

ସର୍ବନାଶ ଗର୍ଜନ କରି କହିଲେ, ଦାୟୀ ଆମେ ନୋହୁଁ । ଦାୟୀ ସେହିମାନେ, ଯେଉଁମାନେ ରାଜାର ଭାଇ ରାଜପୁତ୍ର ଉଦ୍ଧତଙ୍କର ଜୀବନ ନେଇଛନ୍ତି ।

 

ରାଜା କପାଳରେ ହାତ ବୁଲାଇ କହିଲେ, ମହାନିଦ୍ରାରେ ଶୋଇ ମୁଁ ସପନ ଦେଖୁଥିଲି । ଭାଇ ଓ କର୍ମଚାରୀମାଙ୍କ ଉପରେ ମୋର ପ୍ରଗାଢ଼ ବିଶ୍ୱାସର ଫଳ ମୁଁ ଏବେ ଆଖିରେ ଦେଖୁଛି । ଅନ୍ୟାୟ, ଅନୀତି, ଅପକର୍ମର ସ୍ରୋତରେ ଆମେ ଭାସି ଯାଉଥିଲୁ । ଏହି ଧ୍ୱଂସଲୀଳାରୁ ସେମାନଙ୍କୁ ନିବର୍ତ୍ତାଇବାକୁ ହେବ । ରାଜ୍ୟ ଥିଲେ ସିନା ରାଜା, ରାଜ୍ୟ ଯଦି ଏହିପରି ଶ୍ମଶାନ ହେବ, ମରୁଭୂମି ହେବ; ରାଜା କାହାକୁ ନେଇ ରାଜ୍ୟ କରିବ ? ରାଜା ବୋଲି ତା’ର ଗର୍ବ ଆସିବ କିପରି ? ଆମର ଅବିବେକିତା ପାଇଁ ସବୁ ଶେଷ ହେଉଛି ।

 

ଉଚ୍ଛନ୍ନ ଉତ୍ତେଜିତ ହୋଇ କହିଲେ, ଯେଉଁ ରାଜ୍ୟର ଲୋକେ ରାଜାର ଭାଇକୁ ମାରିବାକୁ ସାହସ କରି ପାରନ୍ତି, ଯେଉଁ ରାଜ୍ୟର ପ୍ରଜା ରାଜ୍ୟ ବିରୁଦ୍ଧରେ ଷଡ଼ଯନ୍ତ୍ର କରିବାକୁ ଆଗଭର ହୋଇପାରନ୍ତି, ସେହିପରି ରାଜ୍ୟର ରାଜା ହେବା ଗର୍ବର କଥା ନୁହେଁ । ଲୋକେ ମରନ୍ତୁ । ରାଜ୍ୟ ଶ୍ମଶାନରେ ପରିଣତ ହେଉ । ମରୁଭୂମିରେ ପରିଣତ ହେଉ । ସେଥିକି ରାଜା କାହିଁକି ଅନାଇଁବ ? ରାଜ୍ୟ ପଡ଼ିଥିଲେ, କାଲି ପୁଣି ସହସ୍ର ସହସ୍ର ପ୍ରଜା ଆସି ଘର କରି ରହିବେ ।

 

ସର୍ବନାଶ ମୁଣ୍ଡ ହଲାଇ କହିଲେ, ନିଶ୍ଚୟ । ନୀତି କୋହଳ ହେଲେ ଦୁର୍ବଳତା ପ୍ରକଶ ପାଇବ । ଲୋକେ ଆଉ ରାଜା ଓ ରାଜାର ଆଦେଶ ମାନିବେ ନାହିଁ । ପ୍ରଜା ଅବାଧ୍ୟ ଓ ଉଦ୍ଧତ ହେଲେ, ରାଜାର ଆଦେଶ ନ ମାନିଲେ, ରାଜପଦ ଲୋପ ହେବାକୁ ବିଳମ୍ବ ହେବ ନାହିଁ । ରାଜବଂଶ ଅଚିରେ ଧ୍ୱଂସ ହେବ ।

 

ପ୍ରପଞ୍ଚ ନୀରବ ହେଲେ । ଆଖି ବୁଜି କ୍ଷଣକାଳ ଚିନ୍ତା କଲେ । କିଛି ସ୍ଥିର କରିପାରିଲେ ନାହିଁ । ଦୂରକୁ ଚାହିଁ ଦେଖିଲେ ସହସ୍ର ସହସ୍ର ଲୋକ କୋଳାହଳ କରି ରାଜପ୍ରସାଦ ଆଡ଼କୁ ଛୁଟି ଆସୁଛନ୍ତି । ବେଳୁବେଳ ଧ୍ୱଂସଲୀଳା ଭୀଷଣତର ହେଉଛି ।

 

ଉନ୍ମତ୍ତ ଜନତା ନଅରକୁ ଘେରାଉ କରିବେ ପରା । ହୁଏ ତ ପ୍ରବେଶ କରିବେ । ଆପଣାର ସମସ୍ତଙ୍କୁ ସେମାନେ ପଛରେ ପକାଇ ଆସିଛନ୍ତି । କେଜାଣି, ହରାଇ ଆସିଛନ୍ତି । ସେମାନେ କାହାରିକୁ କ୍ଷମା ଦେବେ ନାହିଁ । ରାଜପ୍ରସାଦ ଶ୍ମଶାନରେ ପରିଣତ ହେବ ? ରାଜବଂଶ କି ରାଜପଦର ଅସ୍ତିତ୍ୱ ରହିବ ନାହିଁ ।

Image

 

ଧ୍ୱଂସର ଡାକ

 

ଗୁପ୍ତ ବିଭାଗର ସର୍ଦ୍ଦାର ବଳବନ୍ତ ସା ଉଦ୍‌ବିଗ୍ନ ହୋଇ ଛାମୁରେ ଉପସ୍ଥିତ ହେଲା ।

ପ୍ରହରୀ ଦୁଇଜଣ ସସମ୍ମାନରେ ଆଡ଼ ହୋଇଗଲେ ।

ବଳବନ୍ତ ରାଜା ଓ ରାଜାଙ୍କର ଭାଇ ଦୁହିଁଙ୍କୁ ପ୍ରଣାମ କରି ଦୂରେଇ ଠିଆ ହେଲା । ରାଜା ତାହାରି ଆଡ଼କୁ ମୁହଁ ଫେରାଇ ଭ୍ରୁକୁଞ୍ଚିତ କରି ପଚାରିଲେ, ସମ୍ବାଦ କଅଣ ସର୍ଦ୍ଦାର, ଏପରି ତ୍ରସ୍ତବ୍ୟସ୍ତ ହୋଇ ଧାଇଁଛ କାହିଁକି ?

ସର୍ଦ୍ଦାର ଘନ ଘନ ନିଶ୍ୱାସ ପକାଇ କହିଲା, ମହାରାଜ, ସର୍ବନାଶ ହେବାକୁ ଯାଉଛି । ଲୋକଙ୍କୁ ଅଟକାଇ ହେଉନାହିଁ ।

ସର୍ବନାଶ ମୁହଁ ଫେରାଇଲେ ।

ସର୍ଦ୍ଦାର କହିଲା, ଛାମୁଙ୍କର ଦର୍ଶନ ପାଇଁ ମୁଁ ଜୀବନରେ ଜଳାଞ୍ଜଳି ଦେଇ ଧାଇଁ ଆସିଛି-। ଦେହାତ୍‌ରୁ ଲୋକେ ଶହ ଶହ ହୋଇ ଗଡ଼କୁ ଧାଇଁ ଆସୁଛନ୍ତି । ସିପେଇ-ଫଉଜଙ୍କର ବାଧା ନ ମାନି ଗଡ଼ ଭିତରକୁ ଧସେଇ ପଶୁଛନ୍ତି । ଦେହାତୀ ଲୋକେ ଓ ସହରୀ ଲୋକେ ପଣ ପଣ ହୋଇ ରାସ୍ତା ଉପରେ ମରି ଶୋଇଲେଣି । ତଥାପି, ସେମାନେ ପଛଘୁଞ୍ଚା ଦେଉନାହାନ୍ତି । ଦେଶୀ ସିପେଇମାନେ ବିଦ୍ରୋହ କରି ନିଜ ଭିତରେ ମରାମରି ହେଉଛନ୍ତି । ଲୋକଙ୍କୁ ବାଧା ଦେବେ କଅଣ ଓଲଟି ଲୋକଙ୍କ ସଙ୍ଗେ ମିଶି ଆମ ବିଦେଶୀ ଫଉଜଙ୍କୁ ଆକ୍ରମଣ କରୁଛନ୍ତି । କେଡ଼େ ନିମକ୍‌ହାରାମ ସେମାନେ ! କେତେଜଣ ଦେଶୀ ସିପେଇଙ୍କ ସାହାଯ୍ୟରେ ଲୋକେ ବାରୁଦ କୋଠି ଓ ଅସ୍ତ୍ରାଗାର ଦଖଲ କରି ନେଇଛନ୍ତି । ବିଦେଶୀ ସିପେଇମାନେ ପ୍ରମାଦ ଗଣିଲେଣି ।

ଭୟଭୀତ ହୋଇ ସର୍ବନାଶ ଠିଆହେଲେ । କହିଲେ, ଏଁ, ବାରୁଦ କୋଠି, ଅସ୍ତ୍ରାଗାର ଦଖଲ ହୋଇଛି ? ଆଉ ରକ୍ଷା ନାହିଁ । ଦେଶୀ ସିପେଇ ନିମକ୍‌ହାରାମ୍‌ । ବିଦେଶୀ ସିପେଇ ନିମକ୍‌ସଚ୍ଚା । ହେଲେ ସେମାନେ କଅଣ କରିପାରିବେ ? କିପରି ଲଢ଼ିବେ ? ଆଉ ରକ୍ଷାରକ୍ଷଣ ନାହିଁ ।

ସର୍ଦ୍ଦାର କହିଲେ, ବାରୁଦ କୋଠି ଓ ଅସ୍ତ୍ରାଗାର ଦଖଲ କରିବାକୁ ଯାଇ ପ୍ରାୟ ପାଞ୍ଚଶ ଲୋକ ମରି ଶୋଇଛନ୍ତି । ଦେଶୀ ସିପେଇମାନେ ଯଦି ନିମକହାରାମି କରି ନ ଥାନ୍ତେ ତେବେ ଲୋକେ ସେଇଠୁ ପଛକୁ ହଟିଥାନ୍ତେ । ଏତେଲୋକ ମଲେ, ମଢ଼ଗଦାରେ ବାଟଘାଟ ପୂରିଗଲା । ତଥାପି, ନଦୀବଢ଼ି ପାଣିପାରି ସେମାନେ ମାଡ଼ି ଆସିଲେ । ବାଧ୍ୟ ହୋଇ ସମସ୍ତଙ୍କୁ ଆତ୍ମସମର୍ପଣ କରିବାକୁ ପଡ଼ିଲା ।

ରାଜା ବିଚଳିତ ହୋଇ ପଚାରିଲେ, ମନ୍ତ୍ରୀ ଓ କଟୁଆଳ ଗଲେ କୁଆଡ଼େ ? ଆଦେଶ ନ ନେଇ ନିଜ ଦାୟିତ୍ୱରେ ସେମାନେ ଏ ଭୟାବହ କାଣ୍ଡ ଘଟାଇଲେ କାହିଁକି ? ଉଦ୍ଧତଙ୍କର ହତ୍ୟାକାରୀମାନଙ୍କୁ ଧରି ଆଣିବାକୁ ସେମାନଙ୍କୁ କୁହାଯାଇଥିଲା । ଗୁଳି ଚଳାଇ ଲୋକଙ୍କୁ ମାରି ଜନତାକୁ ଉତ୍ତେଜିତ କରି ଏ ଧ୍ୱଂସଲୀଳା ସୃଷ୍ଟି କରିବାକୁ ମୁଁ ଆଦେଶ ଦେଇନାହିଁ । କାହାନ୍ତି ସେମାନେ ?

ସର୍ଦ୍ଦାର ହାତ ଯୋଡ଼ି କହିଲେ, ମନ୍ତ୍ରୀଙ୍କର ଖବର ମୁଁ ଜାଣେନାହିଁ । ସେ ମଲେ କି ଲୁଚି ପଳାଇଲେ କେହି ଜାଣନ୍ତି ନାହିଁ । କଟୁଆଳଙ୍କୁ ଲୋକେ ହତ୍ୟା କରିଛନ୍ତି । ଦିଲ୍‍ଦାରଙ୍କୁ ଜୀବନ୍ତ ଜଳାଇ ଦେଇଛନ୍ତି । ଛାମୁ ଯାହା କହିଲେ ଲୋକେ ସେ କଥା ଜାଣନ୍ତି । ସେମାନେ ବୁଝିଛନ୍ତି ଯେ ଛାମୁଙ୍କର ବିଦା ଆଦେଶରେ ଏପରି ଘଟିଛି । ଆମରି ଦେଶୀ ସିପେଇମାନେ କଟୁଆଳ ଓ ଦିଲ୍‍ଦାରଙ୍କ ପ୍ରାଣ ନେଲେ । ସବୁ ସତ୍ୟ ଘଟଣା ଲୋକଙ୍କୁ ଜଣାଇ ଦେଲେ ।

ରାଜାଙ୍କର ସର୍ବାଙ୍ଗ ଥରିଉଠିଲା । ଯାହାର ଅନ୍ନରେ ସେମାନେ ପ୍ରତିପାଳିତ ଆଜି ଅସମୟରେ ତାହାରି ବିରୁଦ୍ଧରେ ଠିଆ ହୋଇଛନ୍ତି । ଏଥିରେ ମଣିଷ ଉପରେ ମଣିଷ ବିଶ୍ୱାସ କରିବ କିପରି ?

ରାଜା ଅସ୍ଥିର ହୋଇ ଉଠିଲେ । କହିଲେ ତୁମକୁ ମୁଁ ଗୁପ୍ତ ବିଭାଗର ସର୍ଦ୍ଦାର କରିଥିଲି । ସତ୍ୟ ଘଟଣା କଅଣ ଆଗରୁ ଜଣାଇଲ ନାହିଁ କାହିଁକି ?

ମୋର ଚରମାନେ ସମ୍ବାଦ ସଂଗ୍ରହ କରୁଥିଲେ । ରାଜପୁତ୍ର ଉଦ୍ଧତ ନିଶାର୍ଦ୍ଧରେ ନାରଣ ପଟୁଆରିଙ୍କ ଗର୍ଭିଣୀ-ପତ୍ନୀ ସୀତାଦେବୀଙ୍କୁ ହରଣ କଲେ । ଅତ୍ୟାଚାର କଲେ । ଦସ୍ୟୁପତି ନିର୍ଭୀକ, ଉଦ୍ଧତ ଓ ତାଙ୍କର ସହଚର ବିଭୀଷଣକୁ ହତ୍ୟା କରି ସୀତାଙ୍କୁ କ୍ଷତବିକ୍ଷତ ଅବସ୍ଥାରେ ଉଦ୍ଧାର କଲେ-। ଖବର ପାଇଲି, ଲଜ୍ଜ୍ୟାରେ ସୀତା ଆତ୍ମହତ୍ୟା କଲେ । ଏ ଘଟଣା ଗ୍ରାମେ ଗ୍ରାମେ ପ୍ରଚାରିତ ହେଲା । ଲୋକେ ଉତ୍ତ୍ୟକ୍ତ ହୋଇ ଧାଇଁଲେ ।

ରାଜାଙ୍କର ଆଖିରେ ଲୁହ ।

Image

 

ପ୍ରଳୟ ଚିତା

ରାଜା ପଚାରିଲେ, ଗଡ଼ତମାମ ହାଲୋଳମୟ ହୋଇଛି । ଏହାର କାରଣ କଅଣ ? ଦେଖୁଛ, ତ କିପରି ଚାରିଆଡ଼ ଧୂଆଁର ସୁଅ ଆକାଶକୁ ଉଠୁଛି ?

ସର୍ଦ୍ଦାର କହିଲେ, ଛାମୁ, ଏସବୁ ଅଗ୍ନିକାଣ୍ଡର ମୂଳ ହେଉଛୁଁ ଆମେ । ଲଜ୍‍ପତ୍‌ ସର୍ଦ୍ଦାର କହିଲେ, ଲୋକଙ୍କର ଘରେ ନିଆଁ ଲଗାଇଲେ ଲୋକେ ପଛଘୁଞ୍ଚା ଦେଇ ନିଆଁ ଲିଭାଇବାକୁ ଫେରିବେ । ଘର ପ୍ରତି ସମସ୍ତଙ୍କର ମାୟାମମତା ଥାଏ । ଫଳ ହେଲା ଓଲଟା । ଆମର ସିପେଇ କୋତୋଟି ଘରେ ନିଆଁ ଲଗାଇ ଦେଲେ । ଲୋକେ ଏହା ଦେଖି ପ୍ରତ୍ୟେକ ଘରେ ନିଆଁ ଲଗାଇଲେ । କେହି ଜଣେ ପଛକୁ ଫେରି ଚାହିଁଲେ ନାହିଁ । କହିଲେ, ଯାଉ, ଘରଦ୍ୱାର ସବୁ ଯାଉ, ସୁରଙ୍ଗଗଡ଼ ପାଉଁଶ ହେଉ । ଘରଭାଙ୍ଗି ଯଦି ଯିବାକୁ ହେବ, ଘର ଥାଇ ଲାଭ କଅଣ ?

ଦେଖୁ ଦେଖୁ ଆଗ ପାନରାସାହି ହୁ ହୁ ହୋଇ ଜଳିଉଠିଲା । ପାନରାସାହିରୁ ନିଆଁ ଡେଇଁ ମଝି ପଡ଼ା, ସୁନାରି ବସ୍ତି, ଲୁଗା ବଜାର, ତେଲିଆନାଳୀ ସବୁଥିରେ ନିଆଁ ଲାଗିଲା । ହଜାର ହଜାର ଟଙ୍କା ମୂଲ୍ୟର ସମ୍ପତ୍ତି ପୋଡ଼ି ଭସ୍ମ ହେଲା । ଗହଣାଗାଣ୍ଠି, ବାସନକୁସନ ତରଳି ମୁଣ୍ଡା ମୁଣ୍ଡା ହୋଇ ପଡ଼ିଲା । ତଥାପି ଲୋକେ ଚଙ୍କିଲେ ନାହିଁ । ପଛଘୁଞ୍ଚା ଦେଲେ ନାହିଁ ।

ରାଜା ଆଖିରୁ ଲୁହ ପୋଛିଲେ ।

ସର୍ବନାଶ ଓ ଉଚ୍ଛନ୍ନ ଦିଓଟି ମୂକ ପଥରମୂର୍ତ୍ତି ପରି ଆଗରେ ବସିଥାନ୍ତି । ସେମାନଙ୍କ ଉପରେ ଘୃଣାବ୍ୟଞ୍ଜକ ଦୃଷ୍ଟି ନିକ୍ଷେପ କରି ରାଜା ପଚାରିଲେ, ଲୋକେ ଏପରି ପାଗଳ ହେଲେ କେବଳ ସୀତାଙ୍କ ମରଣ ଖବର ପାଇ ?

ବଳବନ୍ତ ସରଦାର ଯୋଡ଼ହସ୍ତ ହୋଇ କହିଲା, ଛାମୁ, ମୁଣ୍ଡ ଯଦି ରହିବ ସତ୍ୟ ଘଟଣା ପ୍ରକାଶ କରିବି ।

ରାଜା କହିଲେ, ନିର୍ଭୟରେ କହ ସର୍ଦ୍ଦାର !

ସର୍ଦ୍ଦାର କହିଲେ, ହଳଧର ବିଶୋଇଙ୍କ କନ୍ୟା ଗୋଲାପ ଉପରେ ଛାମୁଙ୍କର ସ୍ନେହ ହେଲା । ମନ୍ତ୍ରୀ ତାକୁ ଅଣାଇଁ ନିଜ ଉଆସରେ ରଖିଥିଲେ । ଗତ ରାତିରେ ନଅରକୁ ପଠାଉଥିଲେ । ସବୁ ଖବର ଛାମୁଙ୍କୁ ଜଣା । ଦିଲ୍‍ଦାର୍‍ର ଖଣ୍ଡା ଚୋଟରେ ହଳଧର ମଲେ । ଏ ଖବର ପାଇ ବାପ ମରଣ ଦୁଃଖରେ ଗୋଲାପ ନିଆଁକୁ ଡେଇଁ ପ୍ରାଣ ହାରିଲା । ଲୋକେ ଆହୁରି ଉତ୍ତ୍ୟକ୍ତ ହେଲେ ।

ସର୍ଦ୍ଦାର ପୁଣି କହିଲେ, ସ୍ତ୍ରୀ ପିଲାଏ ଗଡ଼ଛାଡ଼ି ଦଳ ଦଳ ହୋଇ ଜଙ୍ଗଲରେ ପଶୁଛନ୍ତି । କାହାର ପିଲା ହଜିଛି, କାହାର ବୁଢ଼ା ବାପ ନିଆଁ ଭିତରେ ପୋଡ଼ି ହୋଇ ମରିଛି । ଲୋକଙ୍କୁ ନିବର୍ତ୍ତାଇବା ପାଇଁ କେତେ ପିଲାଙ୍କୁ ଧରି ଲଜ୍‍ପତ୍‌ ନିଜେ ନିଆଁ ଭିତରକୁ ପକାଇଛନ୍ତି । ଲୋକେ ଦେଖି ନ ଦେଖିଲା ପରି ଆଖି ବୁଜି ଦେଇଛନ୍ତି । କ୍ରୋଧରେ ଆମକୁ ଆହୁରି ଭୀଷଣ ଭାବରେ ଆକ୍ରମଣ କରିଛନ୍ତି । ଦୁରିଆ ଗଣ୍ଡା ଲଜ୍‍ପତ୍‍କୁ ଧରି ତା’ର ହାତଗୋଡ଼ ବାନ୍ଧି ନିଆଁରେ ପକାଇଛି ।

ସର୍ବନାଶ ଅଟ୍ଟହାସ୍ୟ କଲେ ।

ଉଚ୍ଛନ୍ନ ମୁଣ୍ଡ ହଲାଇ ସମର୍ଥନ ଜଣାଇଲେ ।

ରାଜା ଦୁଇହାତ ପାପୁଲିରେ ମୁହଁ ଘୋଡ଼ାଇଲେ ।

ସର୍ଦ୍ଦାର କହିବାକୁ ଲାଗିଲେ, ଧୂଆଁରେ ଗଡ଼ ପୂର୍ଣ୍ଣ ହୋଇଛି । ବାଟ ଘାଟ ଦିଶୁନାହିଁ । ବଡ଼ ବଡ଼ ରାସ୍ତା ଉପରେ କୁଢ଼ କୁଢ଼ ହୋଇ ନିଆଁ ଗଦା ଜମିଛି । କେଉଁଠି ଦରପୋଡ଼ା ଗାଈଟାଏ ଅବା ମଣିଷଟାଏ, କେଉଁଠି ବା ମୃତ୍ୟୁ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି କେତେଜଣ ଲୋକ ! ଧୂଆଁରେ ଆଖି ବୁଜି ହୋଇ ପଡ଼ୁଛି । ଫୁରକୁଟିଆ ଗନ୍ଧରେ ନାକ ଫାଟି ପଡ଼ୁଛି । ଜୀବନ ବିକଳରେ ଆମେ ଛାମୁଙ୍କ ପାଖକୁ ଧାଇଁ ଆସିଲୁ ।

ରାଜା ତ୍ରସ୍ତ ହୋଇ ପଚାରିଲେ, ଗଡର ସବୁ ଦରଜା ବନ୍ଦଅଛି ତ ?

ଆଜ୍ଞା ହଁ, ବନ୍ଦ ଅଛି । ଛାଉଣୀର ସୈନିକମାନେ ତିନିଭାଗ ହୋଇ ତିନି ପୋଲ ପାଖରେ ଜଗି ରହିଛନ୍ତି । ଗଡ଼ ଲୋକେ ଓ ଦେହାତୀ ଲୋକେ ଗଡ଼ଖାଇ ପାର ହୋଇ ଗଡ଼ ଭିତରକୁ ପଶିବେ ବୋଲି ହଜାର ହଜାର ସଂଖ୍ୟାରେ ଧାଇଁ ଆସୁଛନ୍ତି ।

ରାଜା କପାଳରୁ ଝାଳ ପୋଛି କହିଲେ, ଆଛା, ତମେ ଯାଅ । ସର୍ଦ୍ଦାରମାନଙ୍କୁ କହିବ, ସେମାନେ ସିପେଇ ନେଇ ଦରଜାସବୁ ଜଗି ରହନ୍ତୁ । ଖବରଦାର୍‌, ବିନା ଆଦେଶରେ ବନ୍ଧୁକ ଫୁଟିବ ନାହିଁ କି ଦରଜା ଖୋଲା ହେବ ନାହିଁ ।

ରାଜା ପ୍ରପଞ୍ଚ ସିଂହ ଏତିକି କହି ଧୀରେ ଧୀରେ ଉଠି ଅନ୍ତଃପୁରକୁ ଚାଲିଗଲେ ।

ସର୍ବନାଶ ଓ ଉଚ୍ଛନ୍ନ ପୂର୍ବପରି ସେହିଠାରେ ବସି ରହିଲେ । ଦିହେଁ ଚିନ୍ତାମଗ୍ନ ।

ଆଦେଶ ପାଇ ସର୍ଦ୍ଦାର ବଳବନ୍ତ ସୈନିକ ରୀତିରେ ସେ ଦୁହିଁଙ୍କୁ ସମ୍ମାନ ଦେଖାଇ ନଅର ଭିତରୁ ପଦାକୁ ବାହାରିଲା । ଦୂରରୁ ଲୋକଙ୍କର କୋଳାହଳ ସମୁଦ୍ରର ଗର୍ଜନ ପରି ଶୁଭୁଥାଏ-। ଦେଓ୍ୱାଲୀ ରାତିର ବାଣ ଶବଦ ପରି ନଳି ଓ ତୋପମାଳର ଗର୍ଜନ ବେଳେ ବେଳେ ଜନତାର କୋଳାହଳ ଓ ଆର୍ତ୍ତନାଦକୁ ବୁଡ଼ାଇ ଦେଉଥାଏ ।

ନଅର ବାହାରେ ବଳବନ୍ତ ଠିଆ ହୋଇ ଚାରିଆଡ଼କୁ ଚାହିଁଲା । ତାଳଗଛ ଉଚ୍ଚ ମେଘନାଦ ପାଚେରୀ । ପାଚେରୀ ତଳେ ସୁଗଭୀର ଗଡ଼ଖାଇ । ପୋଲଗୁଡ଼ିକ ଟେକି ଦରଜା ବନ୍ଦ କଲେ ଦୁର୍ଗ ଭିତରକୁ କେହି ପଶିପାରିବେ ନାହିଁ । ରାଜ ବଂଶର ଧନ, ଜନ, ଜୀବନ ନିରାପଦ ରହିବ ।

ଜଗୁଆଳ ଥିଲେ ସିପେଇମାନେ । ସେମାନେ କାହାଁନ୍ତି ? ନିଜ ନିଜର ସ୍ଥାନ ଛାଡ଼ି ଗଲେ କୁଆଡ଼େ? ଜୀବନ ଭୟରେ ଗୁପ୍ତଦ୍ୱାରର କବାଟ ଖୋଲି ସୁଡ଼ଙ୍ଗବାଟେ ଅରଣ୍ୟକୁ ପଳାଇ ଗଲେ କି-?

ବଳବନ୍ତ ଭୟଭୀତ ହେଲା । ବିଚାର କଲା, ଜୀବନ ରକ୍ଷା କରିବାକୁ ସେ ମଧ୍ୟ ସେଇ ପନ୍ଥା ଧରିବ ? ଦୂର ରାଇଜରେ ତା’ର ଘର । ପିଲା କୁଟୁମ୍ବ ସେଇଠି ଅଛନ୍ତି । ଭଲରେ ଥିବେ । ସେ ପଳାଇ ଗଲେ ସୁଖରେ ନିଶ୍ଚିନ୍ତରେ ରହିପାରିବ । ଯିବ କି ପଳାଇ ?

ମନ ଉହୁଁ କଲା । ନାଁ,ସେ ନିମକ୍‌ହାରାମୀ କରିବ ନାହିଁ । ରାଜବଂଶର ଯେଉଁ ଅବସ୍ଥା ହେବ, ତା’ର ମଧ୍ୟ ସେଇଆ ହେଉ । ସେ ଅକୃତଜ୍ଞ ହେବ ନାହିଁ । ପ୍ରାଣ ଗଲେ ଯାଉ ।

ସର୍ଦ୍ଦାର ବଳବନ୍ଦ ଗୁପ୍ତଦ୍ୱାରଆଡ଼େ ଛୁଟିଲା ।

Image

 

ଯଃ ପଳାୟତି

 

ଦିନ ଯାଏ ରାତି ଆସେ, ରାତି ଯାଏ ପୁଣି ଆସେ ଦିନ । ଏହିପରି କେତେଦିନ କେତେରାତି ପୃଥିବୀ ଉପରେ ଅଭିନୟ କରି ସମୟର ଅନନ୍ତ ପ୍ରବାହରେ ନିଜକୁ ବିଲୀନ କରିଦେଲେଣି । କେହି କଳନା କରିପାରିବେ ନାହିଁ ।

 

ଦିନ ରାତି ଦୁଇଟି ଅତି ପୁରୁଣା । ତଥାପି, ସବୁବେଳେ ନୂଆ । ମଣିଷ ଜାତିର ଜୀବନ-ଇତିହାସର ପୃଷ୍ଠାରେ ଅଗଣିତ ଦିନ ରାତିର ବିଭିନ୍ନ ରୂପ ଦେଖିବାକୁ ମଣିଷ ବଞ୍ଚି ରହିନାହିଁ ।

 

ସେ ବି ଗୋଟିଏ ରାତି ! କିଟିକିଟି ଅନ୍ଧାରର କାୟା ବିସ୍ତାରି ସୁରଙ୍ଗଗଡ଼ର ପର୍ବତ କୋଳରୁ ଧୀରେ ଧୀରେ ଓହ୍ଲାଇ ଆସିଲା । କିନ୍ତୁ ରକ୍ତମୁଖା ମଣିଷ ଦଳକୁ ଧ୍ୱଂସଯାତ୍ରାରୁ ନିବର୍ତ୍ତାଇ ପାରିଲା ନାହିଁ । ଅତି ମୁଖର ସେ ରାତ୍ରି, ଅତି ଭୟଙ୍କର ।

 

ଆକାଶସାରା ଧ୍ୱଂସର ଅଗ୍ନିକଣା ଖେଳି ବୁଲିଲା । ପର୍ବତ ଗୁହା, ନଦୀଖଣ୍ଡି ଓ ଦେବାଳୟରେ ପ୍ରଳୟ ସଙ୍ଗୀତ ଆହତର କରୁଣ ଚିତ୍କାର ପ୍ରତିଧ୍ୱନିତ ହେଲା । ବନ୍ଧୁକ ଓ ତୋପର ଭୀମ ଗର୍ଜନ ସେହି କାଳରାତ୍ରିର ଛାତି ଚିରିଚିରି ପୁଣି ସେହି ଅସୀମ ଅନ୍ଧାରରେ ବିଲୀନ ହେଲା ।

 

ରାଜପ୍ରାସାଦରେ ଗୋଟିଏ ପ୍ରକୋଷ୍ଠ ।

 

ମଖମଲ୍‌ ଗଦିଲଗା, ହାତୀ ଦାନ୍ତରେ ସୁନାଛାଉଣୀ ଆରାମଚଉକିରେ ରାଜା ନିସ୍ତେଜ ହୋଇ ବସିଛନ୍ତି । ଦେହରେ ସତେ କି ଜୀବନ ନାହିଁ । ବେଳେ ବେଳେ ଆରାମ ଚଉକି ଉପରେ ଆଲିଜା ହେଇପଡ଼ୁଛନ୍ତି । ବନ୍ଧୁକ ଫୁଟିଲେ ଚମକି ଉଠୁଛନ୍ତି । କେତେବେଳେ କଅଣ କହୁଛନ୍ତି, ସେ ନିଜେ ମଧ୍ୟ ବୁଝିପାରୁ ନାହାନ୍ତି ।

 

ଆଗରେ କରଯୋଡ଼ି ଠିଆ ହୋଇଛି ସର୍‌ଦାର୍‌ ବଳବନ୍ତ ସା, ଗୁପ୍ତଚର ବିଭାଗର ଶ୍ରେଷ୍ଠୀ ।

 

ଆଲୋକ ଉଜ୍ଜ୍ୱଳ ଜଳୁଛି ।

 

ବଳବନ୍ତ କହିଲା, ଆଉ ରକ୍ଷା ନାହିଁ ଛାମୁ, ଲୋକେ ଗଡ଼ଖାଇ ପାରହୋଇ କାନ୍ଥ ଭାଙ୍ଗି ଦୁର୍ଗ ଭିତରକୁ ଧସେଇ ପଶୁଛନ୍ତି । ଅନେକ ସ୍ଥାନରେ କାନ୍ଥ ଭଙ୍ଗା ହୋଇଛି । ଗୁଳି ବାରୁଦ ସବୁ ଶେଷ ହେଲାଣି । ଲୋକଙ୍କୁ ଆଉ ବାଧା ଦେଇ ହେବନାହିଁ । ସିପେଇମାନେ ହାତଟେକି ଯିଏ ଯେଉଁଠି ଠିଆହୋଇ ଆତ୍ମ ସମର୍ପଣ କରୁଛନ୍ତି । ଲୋକଙ୍କର ଚାଳକମାନେ ସେମାନଙ୍କୁ କ୍ଷମାକରି ସେମାନଙ୍କ ହାତରେ ଅସ୍ତ୍ରଶସ୍ତ୍ର ଦେଇ କହୁଛନ୍ତି, ତୁମେମାନେ ଆମର ସାଥି । ଯିଏ ବାଧା ଦେବ ତାକୁ ଶାସ୍ତି ଦେବ । ଯିଏ ଆତ୍ମସମର୍ପଣ କରି ଜନତା ସଙ୍ଗରେ ଯୋଗ ଦେବ ସେ ଆମର ବନ୍ଧୁ । ଛାମୁ, ସେମାନଙ୍କର ଆଗୁଆଳ ହୋଇଛନ୍ତି ବିଦ୍ରୋହ ବିଶ୍ୱାଳ । ଯାହା ସେ କହୁଛନ୍ତି, ଲୋକେ ତାହାହିଁ କରୁଛନ୍ତି ।

 

ରାଜା ଧୀର ସ୍ୱରରେ ପଚାରିଲେ, ସେମାନେ ଏତେ ଅସ୍ତ୍ର ପାଇଲେ କେଉଁଠୁ ?

 

ପ୍ରଭୁଭକ୍ତ ସା’ ଉତ୍ତର ଦେଲା, ଛାମୁଙ୍କର ସବୁ ଅସ୍ତ୍ରଶସ୍ତ୍ର ସେମାନଙ୍କ ହାତରେ ପଡ଼ିଛି , ତା’ଛଡ଼ା ଲୋକେ ଟାଙ୍ଗିଆ, କଟୁରି, ଦାଆ, କୋଡ଼ି ,ସାବଳ, ଠେଙ୍ଗା ଧରି ଆସିଛନ୍ତି । ଡକାୟତ ସର୍‍ଦାର୍ ବିକ୍ରମ ପଶ୍ଚିମପଟ କାନ୍ଥ ଭାଙ୍ଗିଛନ୍ତି । ଦୁରିଆ ଗଣ୍ଡା ଚୋର ବି ତାଙ୍କର ସହକର୍ମୀ ହୋଇଛି-

 

ଲୋକେ ପାଗଳ ହୋଇଛନ୍ତି ଛାମୁ । ବର୍ତ୍ତମାନ ଜେଲଖାନା ଘର ଭାଙ୍ଗୁଛନ୍ତି । ସେମାନଙ୍କର ଅଗ୍ରଣୀ ହୋଇଛନ୍ତି ଡାକୁ ନିର୍ଭୀକ । ବିଦ୍ରୋହୀ ବିଶ୍ୱାଳଙ୍କ ପୋଷ୍ୟପୁତ୍ର ଅଜୟ ନଅର ଭିତରେ ପଶିବାକୁ ଚେଷ୍ଟା କରୁଥିଲେ । ସିପେଇମାନେ ତାଙ୍କୁ ଅଟକାଇ ରଖିଛନ୍ତି । ସେମାନେ ସମୁଦ୍ରର ଲହଡ଼ିପରି ମାଡ଼ି ଆସୁଛନ୍ତି । ବାବାଜୀ ଆତ୍ମାରାମ ଅଜୟକୁ ଅପେକ୍ଷା କରିବାକୁ ଆଦେଶ ଦେଇଛନ୍ତି । ସେ ନିଜେ ଆପଣଙ୍କ ସଙ୍ଗେ ଦେଖା କରିବାକୁ ଆସୁଛନ୍ତି ।

 

ବାବାଜୀ ଆତ୍ମାରାମଙ୍କର ପରିଚୟ ଏବେ ମୁଁ ପାଇଲି ଛାମୁ । ଅତି ଭୟଙ୍କର କଥା । ବହୁବର୍ଷ ଅତୀତ ହେଲାଣି । ଆପଣ ସେତେବେଳେ ଅତି ପିଲା ହୋଇଥିଲେ । ରାଜା ଅକାରଣ ସିଂହ ରାଜତ୍ୱ କରୁଥିଲେ । ମୁଁ ଥିଲି ତାଙ୍କର ବିଶ୍ୱାସୀ ଅନୁଚର । ଛାମୁଙ୍କର ସ୍ନେହ ହୋଇଥିଲା ଗୋଟିଏ ନାରୀ ଉପରେ । ରୂପରେ ସେ ଲକ୍ଷ୍ମୀ କି ପାର୍ବତୀ ପରି । କୃଷକର ପତ୍ନୀ । କୃଷକକୁ ବେଠିକି ଅଣାଗଲା । ଏଇ ଗୋଲାମ ଅନୁଚର ନେଇ ସେହି ନାରୀକୁ ଆଣି ରାଜା ଛାମୁରେ ହାଜର କଲା ।

 

–କାହିଁ ଗଲା ସେ ନାରୀ, କଅଣ ତା’ର ନାମ ?

 

–ରାଜା ତାକୁ ସୁନୀତି ବୋଲି ଡାକୁଥିଲେ । ଅତି ସ୍ନେହ କରୁଥିଲେ । ସୁବିଧା ପାଇ ସେ ନଅରରୁ ପଳାଇ ଯାଇଥିଲା । ଛାମୁ ଆତ୍ମାରାମ ସେହି ନାରୀର ସ୍ୱାମୀ । ଆଉ ବିଶ୍ୱାଳଙ୍କ ପୋଷ୍ୟପୁତ୍ର ଅଜୟ ସେମାନଙ୍କର ଏକମାତ୍ର ପୁତ୍ର । ସୁନୀତିକୁ ଆଣିଲାବେଳେ ସେହି ଶିଶୁପୁତ୍ରକୁ ନ ମାରି ଆମେ ଛାଡ଼ିଦେଇ ଆସିଥିଲୁ । ବିଶ୍ୱାଳେ ନେଇ ପାଳିଲେ ।

 

–ସୁନୀତି ଏବେ କେଉଁଠି ଅଛନ୍ତି ?

 

ବିଶ୍ୱାଳଙ୍କ ଘରେ ସେ ଆଶ୍ରା ନେଇଥିଲେ । ଏବେ ମଧ୍ୟ ସେ ସେଇଠି ଅଛନ୍ତି । ଅଜୟ ପ୍ରତିଜ୍ଞା କରିଛନ୍ତି ଯେ ସେ ନିଜ ହାତରେ ଛାମୁଙ୍କର ସର୍ବନାଶ ଏବଂ ଉଚ୍ଛନ୍ନଙ୍କର ଜୀବନ ନେବେ । ଛାମୁ, ରାଜପ୍ରାସାଦ ଛାଡ଼ି ଗୁପ୍ତପଥରେ ଅରଣ୍ୟକୁ ପ୍ରସ୍ଥାନ କରନ୍ତୁ । ମୁଁ ସବୁ ବନ୍ଦୋବସ୍ତ କରି ଆସିଛି-

 

ରାଜା ଅଟ୍ଟହାସ୍ୟ କରି କହିଲେ, ଭୟ ନାହିଁ ସର୍ଦ୍ଦାର । ସିଂହ ପରି ଯୁଦ୍ଧକରି ନିଜ ଗହ୍ୱର ଭିତରେ ମରିବି ପଛେ, ଚୋରପରି ରାଜପ୍ରାସାଦରେ ଅନ୍ୟମାନଙ୍କୁ ବିପଦରେ ପକାଇ ପଳାୟନ କରିବି ନାହିଁ । ଉଚ୍ଛନ୍ନ ଓ ସର୍ବନାଶ ଗଲେ କୁଆଡ଼େ ? ସେମାନଙ୍କର ଦେଖା ନାହିଁ ଯେ ।

 

ସେମାନେ ଆତ୍ମରକ୍ଷା କରିବାକୁ ଗୁପ୍ତଦ୍ୱାର ବାଟେ ପଳାଇଲେଣି । ଦୁର୍ଗ ବାହାରେ, ଅରଣ୍ୟରେ ଛାମୁଙ୍କୁ ଅପେକ୍ଷା କରି ରହିଥିବେ ବୋଲି କହି ଯାଇଛନ୍ତି ।

 

ପ୍ରପଞ୍ଚ ଉଚ୍ଚହାସ୍ୟ କଲେ ।

Image

 

ରାଜଦ୍ୱାରେ ଶ୍ମଶାନେ ଚ

 

ଆତ୍ମାରାମ ରାଜଛାମୁରେ ଉପସ୍ଥିତ ହେଲେ । ମୁଖରୁ ଉଦାରତାର ସ୍ନିଗ୍‌ଧ ପ୍ରଭା ଫୁଟି ଉଠୁଥାଏ । ସେ ରାଜାଙ୍କୁ ଆଶୀର୍ବାଦ କଲେ ।

 

ତାଙ୍କୁ ଦେଖି ବଳବନ୍ତ କକ୍ଷାନ୍ତରକୁ ଯାଇ ଅପେକ୍ଷା କଲା ।

 

ରାଜା ବାବାଜୀଙ୍କୁ ନମସ୍କାର କରି ବସିବାକୁ ଅନୁରୋଧ କଲେ । ଆତ୍ମାରାମ ରାଜାଙ୍କ ଆଗରେ ଗୋଟିଏ ଚଉକିରେ ବସି କହିଲେ, ଛାମୁ ବୋଧହୁଏ ମୋତେ ଚିହ୍ନି ପାରୁଥିବେ ?

 

ପ୍ରପଞ୍ଚ ମୁଣ୍ଡ ହଲାଇ କହିଲେ, ଭଲ କରି ଚିହ୍ନିଛି । ଆପଣଙ୍କ ସମ୍ବନ୍ଧରେ ଅନେକ କଥା ଶୁଣିଛି । ଏ ସମ୍ବାଦ ମଧ୍ୟ ପାଇଛି ଯେ ବିଦ୍ରୋହୀ ପ୍ରଜାଙ୍କୁ ଆପଣ ବାହାରେ ଅଟକାଇ ରଖିଛନ୍ତି । ନଅର ମଧ୍ୟରେ ପ୍ରବେଶ କରିବାକୁ ବାରଣ କରିଛନ୍ତି । ଏହା କରିବାଦ୍ୱାରା ଆପଣ ଆତ୍ମସନ୍ତୋଷ ଲାଭ କରୁଥିବେ । ବେଶ୍‍, ଆପଣଙ୍କର କିଛି କହିବାର ଅଛି ?

 

ପ୍ରପଞ୍ଚଙ୍କର ଅବିଚଳିତ ଭାବ ଦେଖି ଆତ୍ମାରାମ ବିସ୍ମିତ ହେଲେ । କହିଲେ, ମୋର କହିବାର ଆଉ କିଛି ନାହିଁ । କରିବାର ବେଳ ବି ଆପଣଙ୍କର ଗଡ଼ିଗଲାଣି । ନେଡ଼ିଗୁଡ଼ କହୁଣିକୁ ବୋହି ଆସିଛି । ଅନ୍ଧାରି ମୁଲକର ଅନ୍ଧାର ଆପେ ଆପେ ଅପସରି ଯାଇଥାନ୍ତା ଯଦି ଆଲୋକର ଆଗମନକୁ ବାଧା ଦେଇ ନ ଥାନ୍ତେ ।

 

ଆପଣ ବାଧା ଦେଲେ । ତଥାପି ଉପାୟ ଥିଲା । ସେହି ଅନ୍ଧାର ମଝିରେ ରାତି ଅଧରେ କେତେଥର ଚନ୍ଦ୍ରମା ଉଠି ପୁଣି ପାହାଡ଼ର ପଛପଟେ ଆତ୍ମଗୋପନ କରିଛି । ଆଖି ଖୋଲି ସେହି ଶୀତଳ ଆଲୋକକୁ ଚାହିଁଲେ ନାହିଁ, ନିମନ୍ତ୍ରଣ କଲେ ନାହିଁ ।

 

ଆଲୋକର ମଧ୍ୟ ଆତ୍ମସମ୍ମାନ ଜ୍ଞାନ ଅଛି । ମାନ ଜଗି ସେ ଅପସରି ରହିଲା । ପ୍ରଳୟ-ଚିତା ଜଳିଉଠିଲା । ଆତ୍ମସମର୍ପଣ କରି ସେହି ମହାଅଗ୍ନିର ପଦତଳେ ଶରଣ ପଶିବାକୁ ଥରେ ଚେତାଇ ଦେଇଗଲି । ପଦଗର୍ବରେ ଆପଣ ଶୁଣିଲେ ନାହିଁ । ବର୍ତ୍ତମାନ ସେଇ ପ୍ରଳୟ ଚିତା ମାଡ଼ିଆସିଛି ।

 

ଆତ୍ମରକ୍ଷାର ଏକମାତ୍ର ଉପାୟ ପଳାୟନ ! ଅତ୍ୟାଚାରିତ, ସର୍ବହରା, ଉତ୍ତ୍ୟକ୍ତ ଓ ଉନ୍ମତ୍ତ ଜନତାର ଢେଉକୁ ଆତ୍ମାରାମର ଅନୁରୋଧ ବାଲିବନ୍ଧ ପରି ଅଧିକ ସମୟ ଅଟକାଇ ରଖିପାରିବ ନାହିଁ । ଶୁଣୁଛନ୍ତି, ଜନତାର ବିଜୟୋଲ୍ଲସିତ କୁହାଟ ଓ କୋଳାହଳ ? ସେମାନେ ଚାହାନ୍ତି ରାଜାର ମସ୍ତକ, କିନ୍ତୁ, ଆତ୍ମାରାମ ବଞ୍ଚି ଥାଉଣୁ ସେତକ ସେ କରାଇ ଦେବ ନାହିଁ । ମୋର ଅନୁରୋଧ ରଖିବେ ?

 

ପ୍ରପଞ୍ଚ ପଚାରିଲା ଆଖିରେ ଅନାଇଁ ରହିଲେ ।

 

ଆତ୍ମାରାମ କହିଲେ, ଏବେ ମଧ୍ୟ ବେଳ ଅଛି, ମୋର ସଙ୍ଗରେ ଚାଲିଆସନ୍ତୁ । ନିଜକୁ ମଣିଷ ବୋଲି ଘେନିଲେ ନାହିଁ । ମଣିଷକୁ ମଣିଷ ପରି ମଣିଲେ ନାହିଁ । ଫଳ ବିଷମ ହେଲା ! ବୁଝିପାରିଲ ନାହିଁ ଏ ଦୁନିଆଁ ଲଙ୍ଗଳମୁନରେ ଚାଲିଛି । ସେହି ଲଙ୍ଗଳ ମୁନରେ ଭରସା ରଖି ଲଙ୍ଗଳଧାରୀର ଦୁଇ ବାହୁକୁ ଚାହିଁ ସମସ୍ତେ ବସିଛନ୍ତି ।

 

ରାଜା କହିଲେ, ମୁଁ କେବଳ ମୋରି ପ୍ରାଣ ବଞ୍ଚାଇବାକୁ ପରିବାର କୁ ବିପଦ ମଝିରେ ଛାଡ଼ି ଚାଲିଯାଇ ପାରିବି ନାହିଁ । କ୍ଷତ୍ରିୟ ମୁଁ, ହାତରେ ଖଣ୍ଡା ଅଛି । ଆତ୍ମରକ୍ଷା କରିବାକୁ ମୁଁ ଏକାକୀ ଅବାଧ୍ୟ ଓ ବିଦ୍ରୋହୀ ପ୍ରଜାଙ୍କ ବିରୁଦ୍ଧରେ ମୋର ଖଣ୍ଡା ଟେକିବି । ବନ୍ଧୁକ ଫୁଟାଇବି । ଉଚ୍ଛନ୍ନ ଓ ସର୍ବନାଶ ମୋତେ ଓ କୁଟୁମ୍ବଙ୍କୁ ଛାଡ଼ି ପ୍ରାଣଘେନି ପଳାଇଛନ୍ତି । ଯାଆନ୍ତୁ, ଅକୃତଜ୍ଞ ଦୁହେଁ । ମୁଁ ପଳାତକ ହୋଇ ବଞ୍ଚି ରହିବାକୁ ଚାହେଁ ନାହିଁ । କିନ୍ତୁ ମରିବା ଆଗରୁ ବିଦ୍ରୋହ, ବିକ୍ରମ, ନିର୍ଭୀକ ଓ ଅଜୟର ରକ୍ତରେ ହାତ ପଖାଳିବି ।

 

ଆତ୍ମାରାମ ଚମକି ଉଠିଲେ । ଉତ୍ତେଜିତ ହୋଇ କହିଲେ, ପ୍ରଳୟ ନିଆଁରେ ଆହୁରି ଘିଅ ଢାଳିବାକୁ ଇଚ୍ଛା କରିଛନ୍ତି ? ରକ୍ତର ପିପାସା ମେଣ୍ଟି ନାହିଁ ? ରାଜପ୍ରାସାଦର ଗୋଟିଏ ନିଭୃତ କକ୍ଷରେ ନିରବରେ ବସିଛନ୍ତି ପରା ! ଆହତର କରୁଣ ଚିତ୍କାର କାନରେ ବାଜି ନାହିଁ ? ମୃତର ବିକୃତ ଭୀଷଣ ଦୃଶ୍ୟ ଆଖିରେ ପଡ଼ି ନାହିଁ ? ଶ୍ମଶାନର ଗନ୍ଧ ନାକରେ ବାଜି ନାହିଁ ? ଆହୁରି ରକ୍ତର ପିପାସା ଅଛି ? ଗୋଟିଏ ଲୋକର ବିଳାସପାଇଁ, ଗୋଟିଏ ଲୋକର ଅବିବେକିତା ପାଇଁ ଏତେବଡ଼ ଦେଶ ଆଜି ଛାରଖାର ହୋଇଛି । ଶହ ଶହ ଲୋକ ପ୍ରାଣ ହରାଇଛନ୍ତି । ଶହ ଶହ କୁଟୁମ୍ବ ଅନାଥ ହୋଇଛନ୍ତି । ଆସନ୍ତୁ, ଦେଖି ଆସିବେ । ଆପଣଙ୍କର ଗୋଟିଏ କୁଟୁମ୍ବପାଇଁ ଏତେ ଭାବନା ?
 

ଟିକିଏ ରହି ଉଚ୍ଚହାସ୍ୟ କରି ଆତ୍ମାରାମ ପୁଣି କହିଲେ, ରାଜାର କୁଟୁମ୍ବଙ୍କ ଉପରେ ସେମାନଙ୍କର ଆକ୍ରୋଶ ନାହିଁ । ବିଦ୍ରୋହ ବିଶ୍ୱାଳ ଆଦେଶ ଦେଇଛନ୍ତି ଯେ ରାଜ ନହରର ମୂଷା ଛୁଆଟି ଦେହରେ ମଧ୍ୟ କେହି ହାତ ଦେବେ ନାହଁ ।

 

ସୁରଙ୍ଗଗଡ଼ ଶ୍ମଶାନ ହୋଇଛି । ଶହ ଶହ ନିରୀହ ଲୋକ ପ୍ରାଣ ହରାଇ ଏଠି ସେଠି ପଡ଼ି ସଢ଼ୁଛନ୍ତି । ଦୁର୍ଗଖାଇ ମଣିଷର ଶବରେ ପୂର୍ଣ୍ଣ ହୋଇଛି । ଆହତର ଚିତ୍କାରରେ ଆକାଶ ଫାଟି ପଡ଼ୁଛି । ସ୍ତ୍ରୀ ବାଳକ ଜୀବନ ଭୟରେ ବଣରେ ପଶିଛନ୍ତି । ମଣିଷ ପଶୁ ହେଲେ ପଶୁଠାରୁ ଆହୁରି ଭୀଷଣ, ଆହୁରି ଭୟଙ୍କର ହୋଇ ଉଠେ ।

Image

 

ପ୍ରଣତି

 

ବଳବନ୍ତ ସା ଧଇଁସଇଁ ହୋଇ ଛାମୁରେ ଉପସ୍ଥିତ ହେଲା । ମୁହୂର୍ତ୍ତେ ଅପେକ୍ଷା ନ କରି କହିଲା ଛାମୁ, ପ୍ରାୟ ଦୁଇ ହଜାର ଲୋକ ପ୍ରାସାଦ ଆକ୍ରମଣ କରିବାକୁ ଆସୁଛନ୍ତି । ସେମାନଙ୍କ ସଙ୍ଗେ ଅନେକ ବିଦ୍ରୋହୀ ସିପେଇ ମଧ୍ୟ ଅଛନ୍ତି । ଆମ ପକ୍ଷର ସୈନିକମାନେ ପଛଘୁଞ୍ଚା ଦେଇଛନ୍ତି-। ଯେଉଁ କେତେଜଣ ଅଛନ୍ତି, ସେମାନେ ବାଧା ଦେବାକୁ ସାହସ କରୁ ନାହାଁନ୍ତି ।

 

ରାଜା ଅବିଚଳିତ ସ୍ୱରରେ ପଚାରିଲେ, ସର୍ବନାଶ ଫେରିଲେ ?

 

–ତାଙ୍କର ଦେଖା ମିଳିଲା ନାହିଁ । ଯେଉଁଠାରେ ସେ ଅପେକ୍ଷା କରିଥିଲେ, ସେଠାରେ ସେ ନାହାଁନ୍ତି ।

 

–ଉଚ୍ଛନ୍ନ ?

 

–ସେ ମଧ୍ୟ ନାହାଁନ୍ତି । ହୁଏତ ସେ ଚାଲି ଯାଇଛନ୍ତି । କେଜାଣି, ଦୁହେଁ ବିଦ୍ରୋହୀମାନଙ୍କ ହାତରେ ପଡ଼ିଥିବେ ।

 

ରାଜା ଦୀର୍ଘଶ୍ୱାସ ଛାଡ଼ିଲେ । କର୍ତ୍ତବ୍ୟ କଅଣ ସ୍ଥିର କରିପାରିଲେ ନାହିଁ । ସେ ଦୁହେଁ ଯଦି ବିଦ୍ରୋହୀଙ୍କ କବଳରେ ପଡ଼ିଥିବେ, ହୁଏତ ଆଉ ପ୍ରାଣରେ ନ ଥିବେ ।

 

ଆତ୍ମାରମା ତାଙ୍କର ହାତ ଧରି କହିଲେ, ସମସ୍ତେ ଆପଣଙ୍କୁ ଅସମୟରେ ପରିତ୍ୟାଗ କରିଛନ୍ତି । ଏହା ଏ ଦୁନିଆଁର ନିୟମ । ସମସ୍ତେ ଦିନେ ଜଣ ଜଣ ହୋଇ ଏ ଦୁନିଆଁ ଛାଡ଼ି ଚାଲିଯିବେ । ରହିବା ଲୋକ ପଛରେ ଗୋଡ଼ାଇ ଯିବେ ନାହିଁ ।

 

ନିଜେ ନାହଁ ବୋଲି ମନେକର । ବିଛାମାଳ ପର୍ବତ କୋଳରେ ଆପଣଙ୍କ ପରି ଜଣେ ହତଭାଗ୍ୟ ଲୋକକୁ ସ୍ଥାନର ଅଭାବ ହେବ ନାହିଁ । ଅନୁତାପ କରିବାକୁ, ପ୍ରାୟଶ୍ଚିତ୍ତ କରିବାକୁ ସୁଦୀର୍ଘ ଜୀବନ ପଡ଼ି ରହିଛି ।

 

ଆସନ୍ତୁ ମୋ ସାଥିରେ । ଦେଖିବେ, ଦୂରରେ ଥାଇ ଦେଖିବେ, ଅତିପ୍ରିୟ ଆପଣଙ୍କର କୁଟୁମ୍ବର ଲୋକେ, ଅତି ଆପଣାର ଆପଣଙ୍କର ଅନୁଗତ ଲୋକେ, କେହି ପଛରେ ଗୋଡ଼ାଇ ଯିବେ ନାହିଁ । ସ୍ୱାର୍ଥପର ଏ ଦୁନିଆଁ । ଏହାକୁ ପରିତ୍ୟାଗ କରିବାର ସମୟ ତୁମର ଆସିଛି । ଆସନ୍ତୁ, ଅନୁତାପ କରନ୍ତୁ । ତ୍ୟାଗର ପବିତ୍ର ହୋମଶିଖାରେ ନିଜକୁ ଝାସ ଦିଅନ୍ତୁ ।

 

ପ୍ରପଞ୍ଚ ଆଖିରୁ ଲୁହଧାର ଗଡ଼ି ପଡ଼ିଲା ।

ଆତ୍ମାରାମଙ୍କର ପଦତଳେ ସେ ମୁଣ୍ଡ ନୋଇଁଲେ ।

Image

 

ସ୍ୱପଭଙ୍ଗ

 

ଅନେକ ଦିନରୁ ପରିଜା ବନ୍ଧୁଟି ସାଙ୍ଗରେ ମୋର ଦେଖା ହୋଇ ନ ଥିଲା । କାର୍ଯ୍ୟରେ ସବୁବେଳେ ବ୍ୟସ୍ତ । ତା ଘରକୁ ଯିବାକୁ ବେଳ ପାଏନାହିଁ ।

 

ସେ ଦିନ ରବିବାର । ବେଳ ପ୍ରାୟ ସାଢ଼େ ସାତଟା । ସାଇକଲ ଧରି ବାହାରି ପଡ଼ିଲି । ଯାହା ହେବାର ହେବ, ଆଜି ତା’ର କାନ ଧରି କୈଫିୟତ୍‌ ତଲବ କରିବି, ସେ କାହିଁକି ଆସିଲା ନାହିଁ ।

 

ପ୍ରାୟ ଦଶ ମିନିଟ୍‌ ଭିତରେ ମୁଁ ମୋର ବନ୍ଧୁ ଘରେ ପହଞ୍ଚିଗଲି । ଭିତରକୁ ଯାଇ ଦେଖିଲି, ରାମ ବାବୁଙ୍କର ନିଦ ଭାଙ୍ଗି ନାହିଁ ।

 

ପୂର୍ବପଟର ଝରକା ଖୋଲି ଦେଲି । ମେଞ୍ଚାଏ ଖରା ଆସି ତା’ର ମୁହଁରେ ପଡ଼ିଲା । ଦେହ ତା’ର ଶିହରି ଉଠିଲା, ତଥାପି ନିଦ ଭାଙ୍ଗିଲା ନାହିଁ । ଚଉକିଟା ଧୀରେ ଧୀରେ ଖଟ ପାଖକୁ ଘୁଞ୍ଚାଇ ଆଣିଲି । ଦୁଆତଟି ଖଟ ଉପରେ ରଖି କଲମ ପଛରେ ତାର ମୁହଁ ଚିତ୍ର କଲି ।

 

ତକିଆ ପାଖରେ ଖଣ୍ଡେ ବହି ରଖା ହୋଇଥିଲା । ଚିତ୍ର ଅଧା କରି, ବହିଟି ଆଣି ଦେଖିଲି, Alexander Dumas ଙ୍କର ‘Taking of the Bastelli' ! ପଢ଼ିବାକୁ ଇଚ୍ଛା ହେଲା । ବହିଟି ଧୀରେ ଧୀରେ ପକେଟରେ ରଖି ପୁଣି ଚିତ୍ର କରିବାକୁ ଲାଗିଲି ।

 

ସେ ସଙ୍ଗେ ସଙ୍ଗେ ଉଠି ବସିଲା ।

 

ମୁଁ ତରତର ହୋଇ ଦୁଆତ କଲମ ତଳେ ରଖି ଦେଇ ହସି ହସି କହିଲି, ଆରେ ବାଃ, ଭାରି ମଉଜ ତ !

 

ସେ ମୋ କଥାର ଉତ୍ତର ନ ଦେଇ ବଲ ବଲ କରି ଚାରିଆଡ଼କୁ ଚାହିଁଲା । ମନକୁ ମନ କହିଲା, ସେ କିଟିକିଟି ଅନ୍ଧାର କାହିଁ ?

 

ମୁଁ କହିଲି, ଅନ୍ଧାର ? ସେ ତ ଆଲୋକର ପେଟ ଭିତରେ ସମାଧି ନେବ ।

 

ସେ କହିଲା, ବାସ୍ତବିକ; ଚିରଦିନ ଅନ୍ଧାରରେ ରାଜତ୍ୱ ରହିବ ନାହିଁ । କିନ୍ତୁ ଭାଇ, ମୋର ଏ ବିଚିତ୍ର ସ୍ୱପ୍ନଟି ଭାଙ୍ଗି ତୁ ଅନ୍ୟାୟ କରିଛୁ । କୌଣସି ସମାଧାନ ହୋଇପାରିଲା ନାହିଁ ।

 

ହସି ହସି ମୋର କାନ ଧରି ପୁଣି ସେ କହିଲା, ସ୍ୱପ୍ନ ନୁହେଁ ରେ ! ଯେ ଶୁଣିବ ସେ ହୁଏତ କହିବ ସ୍ୱପ୍ନ, କିନ୍ତୁ ମୋତେ ବାସ୍ତବ ଦୁନିଆରେ ବୁଲିଲା ପରି ଲାଗୁଥିଲା ।

 

ମୁଁ ପଚାରିଲି, ଶୁଣେ ତୋର ସ୍ୱପ୍ନ କଥା ! କବି କି ନା, ଭାବରାଜ୍ୟରେ ବୁଲୁ ବୁଲୁ କେତେ ବାସ୍ତବ-ସ୍ୱପ୍ନ କି କେତେ ସ୍ୱପ୍ନ-ବାସ୍ତବ ଦେଖୁଥିବୁ !

 

ସେ ସାମାନ୍ୟ ହସିଲା । ମୁଖ ଗମ୍ଭୀର କରି କହିଲା, ଯାଃ–କିଛି ହୋଇପାରିଲା ନାହିଁ ! କରୁଣା, ସୁନୀତି, ଶାନ୍ତି, ଶକ୍ତି, ଯାତନା ଗାଆଁରେ ଅନାଇ ବସିଥିବେ । ବିଦ୍ରୋହ ବିଶ୍ୱାଳ ଓ ଅଜୟ କେବେ ଫେରିବେ ? ଆତ୍ମାରାମ ପ୍ରପଞ୍ଚଙ୍କୁ ସଙ୍ଗରେ ନେଲେ କି ନାହିଁ ? ସର୍ବନାଶ ଓ ଉଚ୍ଛନ୍ନ ପ୍ରାଣ ଘେନି କୁଆଡ଼େ ଗଲେ କି ମଲେ ? ବିକ୍ରମ ଓ ନିର୍ଭୀକ ରହିଲେ କେଉଁଠି ?

 

ମୁଁ ଦୁଃଖିତ ହେଲି । ଭଲ ସ୍ୱପ୍ନଟି ଅଧାରୁ ଭାଙ୍ଗିଲେ ମନ ଖରାପ ହୁଏ । ପରିହାସ କରି କହିଲି, ଏଥିକି ଦୁଃଖ କାହିଁକି, ଆଗ ଶୁଣେ ତୋର ସ୍ୱପ୍ନର କଥାଟି ?

 

ସେ ଆଖି ମଳି କହିଲା, ତେବେ ଶୁଣ, ସତ୍ୟ ପରି ଲାଗୁଛି ଭାଇ, ଶୁଣିଲେ ବୁଝିବୁ, ସପ୍ନ ନା ସତ୍ୟ !

କଟକ

 

୧୪-୩-୧୯୩୨

 

Image